Representation image by The Weekly Times
କରୋନା ‘ପାନଡେମିକ’ କାଳୀନ ଲକଡାଉନ ଏବଂ ସଟଡାଉନ କାରଣରୁ ପ୍ରାୟ ସବୁ କ୍ଷେତ୍ରରେ ନିୟମିତ କାର୍ଯ୍ୟକଳାପରେ ବାଧା ପହଞ୍ଚିଥିବା ବେଳେ କୃଷି କ୍ଷେତ୍ର ବିଶେଷ ଚଳଚଞ୍ଚଳ ହୋଇ ପଡ଼ିଥିବା ଏକ ଆନନ୍ଦର ଧାରେ ଆଲୋକ ସୃଷ୍ଟି କରିଛି। ଏହା ଜଣାପଡ଼ିଛି ଗଲା ଜୁଲାଇ ମାସରେ ଭାରତରେ ବିକ୍ରି ହୋଇଥିବା ଟ୍ରାକ୍ଟର ସଂଖ୍ୟାରୁ।
ଜଣାପଡ଼ିଛି ଯେ ୨୦୧୯ ମସିହା ଜୁଲାଇ ମାସରେ ଯେତିକି ସଂଖ୍ୟକ ଟ୍ରାକ୍ଟର ବିକ୍ରି ହୋଇଥିଲା, ଚଳିତ ବର୍ଷ ଜୁଲାଇ ମାସରେ ତାର ୩୫% ବୃଦ୍ଧି ଘଟିଛି। ଭାରତର ସର୍ବାଧିକ ଟ୍ରାକ୍ଟର ବିକ୍ରେତା କଂପାନି ‘ମହୀନ୍ଦ୍ରା ଏଣ୍ଡ ମହୀନ୍ଦ୍ରା’ ତାର ବିକ୍ରିରେ ୨୮% ଅଭିବୃଦ୍ଧି ହାସଲ କରିଥିବା ବେଳେ ସୋନାଲିକା କଂପାନିର ଟ୍ରାକ୍ଟର ବିକ୍ରିରେ ୭୨% ବୃଦ୍ଧି ଘଟିଛି। ସେହିଭଳି ଏସକର୍ଟ କଂପାନିର ବିକ୍ରିେର ୧୦% ବୃଦ୍ଧି ଲକ୍ଷ୍ୟ କରାଯାଇଛି।
ମହୀନ୍ଦ୍ରା କଂପାନି ଗତ ବର୍ଷ ଜୁଲାଇରେ ୧୯,୯୯୨ଟି ଟ୍ରାକ୍ଟର ବିକ୍ରି କରିଥିବା (ଉଭୟ ଭାରତୀୟ ଓ ବିଦେଶୀ ବଜାର ଲାଗି) ବେଳେ ଚଳିତ ବର୍ଷ ଜୁଲାଇରେ ବିକ୍ରି କରିଛି ୨୫,୪୦୨ଟି ଟ୍ରାକ୍ଟର। ସେମିତି ଚଳିତ ବର୍ଷ ଜୁଲାଇରେ ସୋନାଲିକା କଂପାନି ବିକ୍ରି କରିଛି ୧୦,୨୨୩ଟି ଟ୍ରାକ୍ଟର (ଉଭୟ ଭାରତୀୟ ଓ ବିଦେଶୀ ବଜାର ଲାଗି), ଯାହା ସେହି କଂପାନିର ଏ ଯାବତ୍ ସର୍ବାଧିକ ବିକ୍ରି ସଂଖ୍ୟା ନୁହେଁ ତାହା ହେଉଛି ପୂର୍ବ ବର୍ଷ ତୁଳନାରେ ୭୨% ଅଧିକ।
ଏହା ଯେଉଁ ସୂଚନା ପ୍ରଦାନ କରୁଛି ତାହା ହେଲା କରୋନା କାଳୀନ ତାଲାବନ୍ଦ ସମୟରେ ସର୍ବତ୍ର ଜୀବିକା ହାନି ପରିଲକ୍ଷିତ ହେଉଥିଲେ ମଧ୍ୟ କୃଷି କ୍ଷେତ୍ର ପୂର୍ବ ତୁଳନାରେ ଅଧିକ ଚଳଚଞ୍ଚଳ ହୋଇଛି। ସମ୍ଭବତଃ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଗ୍ରାମାଞ୍ଚଳକୁ ଫେରି କୃଷି କ୍ଷେତ୍ରରେ ନିଜ ଜୀବିକା ନିର୍ବାହର ମାଧ୍ୟମ ପାଇଛନ୍ତି। ସୁତରାଂ, କରୋନା ପାନ୍ଡେମିକ କାଳରେ ଯେତେବେଳେ ସାରା ପୃଥିବୀ ସ୍ଥବିର ହୋଇ ପଡ଼ିଛି, ଧରଣୀ ତାର ଧାରଣ କ୍ଷମତାର ନିଦର୍ଶନ ଦେଇଛି।
Follow Us