Image Courtesy of Zee News
ଗଲା ବର୍ଷ ଅଗଷ୍ଟ ମାସ ବେଳକୁ ଭାରତୀୟ ରେଳ ବିଭାଗ ଯାତ୍ରୀ ପରିବହନ ଭଡ଼ା ବାବଦରେ ଆୟ କରିଥିଲା ୧୭,୩୦୯ କୋଟି ଟଙ୍କା। କିନ୍ତୁ ବାତିଲ ହୋଇଥିବା ରେଳର ଯାତ୍ରୀମାନଙ୍କୁ ଟିକଟର ମୂଲ୍ୟ ଫେରସ୍ତ ଦେବାରେ ବା ‘ରିଫଣ୍ଡ୍’ କରିବାରେ ଖର୍ଚ୍ଚ କରିଥିଲା ୩୬୬୦ କୋଟି ଟଙ୍କା। କିନ୍ତୁ ଚଳିତ ବର୍ଷ ଭାରତୀୟ ରେଳ ବିଭାଗ ଯାତ୍ରୀ ପରିବହନରୁ ଆୟ କରିଛି ୨୩୬୮ କୋଟି ଟଙ୍କା, କିନ୍ତୁ ଟ୍ରେନ୍ ବାତିଲ ହୋଇଥିବା କାରଣରୁ ଯାତ୍ରୀମାନଙ୍କୁ ଫେରସ୍ତ ଦେଇଛି ୨୬୨୮ କୋଟି ଟଙ୍କା: ଏହାର ଅର୍ଥ ଯେତିକି ଆୟ ତା ଠାରୁ ଅଧିକ ପରିମାଣର ଫେରସ୍ତ କରାଯାଇଛି। କହିବା ନିଷ୍ପ୍ରୟୋଜନ ଯେ କରୋନା ସଂକ୍ରମଣ କାରଣରୁ ରେଳ କ୍ଷେତ୍ରରେ ସ୍ଥିତି ଏଭଳି ଅସ୍ତବ୍ୟସ୍ତ ହୋଇପଡ଼ିଛି।
ତେବେ ଏତିକି ବେଳେ କଳା ବାଦଲରେ ଶୁଭ୍ର ବିଜୁଳି ରେଖା ଭଳି ଯାହା ଚହଟି ଯାଇଛି ତାହା ହେଲା ମାଲ ପରିବହନ ଦ୍ବାରା ହୋଇଥିବା ଆୟ। ଗତ ବର୍ଷ ଅଗଷ୍ଟ ମାସରେ ମାଲ ପରିବହନରୁ ଯେତିକି ଆୟ ହୋଇଥିଲା, ଚଳିତ ବର୍ଷ ଅଗଷ୍ଟ ମାସ ଅଧାଅଧି ହେଲା ବେଳକୁ ମାଲ ପରିବହନରୁ ଆୟ ଅଧିକ ହୋଇଗଲାଣି। ବର୍ତ୍ତମାନ ଯାତ୍ରୀବାହୀ ରେଳଗାଡ଼ି ଚଳାଚଳ ସଂଖ୍ୟା ଅତ୍ୟନ୍ତ ସୀମିତ ରହିଥିବାରୁ ମାଲ ଗାଡ଼ିର ବେଗରେ ମଧ୍ୟ ବୃଦ୍ଧି ଘଟିଛି। ପୂର୍ବ ବର୍ଷ ମାଲ ଗାଡ଼ିଗୁଡ଼ିକ ହାରାହାରି ଘଣ୍ଟାକୁ ୨୨.୭ କିଲୋମିଟର ବେଗରେ ଚଳାଚଳ କରୁଥିଲେ କିନ୍ତୁ ଏବେ ସେ ସବୁ ହାରାହାରି ଘଣ୍ଟା ପ୍ରତି ୪୫.୬ କିଲୋମିଟର ବେଗରେ ଦୌଡୁଛନ୍ତି। ଏହାର ଅର୍ଥ ଦ୍ରବ୍ୟଗୁଡ଼ିକ ଶୀଘ୍ର ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି, ଯାହା ଫଳରେ ଅଧିକ ମାଲ ପରିବହନ ସମ୍ଭବପର ହୋଇଛି। ‘ରେଳଦୃଷ୍ଟି’ ପକ୍ଷରୁ ମିଳିଥିବା ଅନଲାଇନ ସୂଚନା ଅନୁସାରେ କେବଳ ଗଲା ଗୋଟିଏ ସପ୍ତାହରେ ରେଳ ପ୍ଲାଟ୍ଫର୍ମରେ ମାଲ ଉଠାଣ ଏବଂ ଖଲାସରେ ୯.୮ % ବୃଦ୍ଧି ଘଟିଛି, ଯହିଁରୁ ରେଳବାଇ ରୋଜଗାର କରିଛି ୨୦୭୮ କୋଟି ଟଙ୍କା। ଗଲା ବର୍ଷର ଏହି ସମୟରେ ହୋଇଥିବା ଆୟ ତୁଳନାରେ ଏହା ହେଉଛି ୩.୪% ଅଧିକ।
କରୋନା ସଂକ୍ରମଣ ପରେ ବିଭିନ୍ନ କ୍ଷେତ୍ରର ଦୃଶ୍ୟପଟରେ ପରିବର୍ତ୍ତନମାନ ଦେଖିବାକୁ ମିଳିଛି। ରେଳ କ୍ଷେତ୍ର ତହିଁରୁ ବା ବାଦ ପଡ଼ନ୍ତା କିପରି?
Follow Us