ପୁରୀର ବଗଲା ଧର୍ମଶାଳାକୁ ନେଇ ଚର୍ଚ୍ଚା ଏବେ ଚରମରେ। କାରଣ, ଯେଉଁ ମହତ୍ ଅଭିପ୍ରାୟରେ କହ୍ନେୟାଲାଲ ବଗଲା ନାମକ ଜଣେ ଧର୍ମପ୍ରାଣ ବ୍ୟକ୍ତି ଏହି ଧର୍ମଶାଳା ପାଇଁ ଅର୍ଥଦାନ କରିଥିଲେ, ସେହି ମହତ୍ ଅଭିପ୍ରାୟ ଏବେ ବିଡ଼ମ୍ବିତ। ଅଭିଯୋଗ ହୋଇଛି ଯେ ବଡ଼ଦାଣ୍ଡକୁ ଲାଗି, ବଳଗଣ୍ଡିଠାରେ ଥିବା ଏହି ଧର୍ମଶାଳାର ମୂଲ୍ୟବାନ ଜମିକୁ କିଛି ସେବକ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଥଇଥାନ ନାମରେ ଦାନ ବା ବିକ୍ରି କରିଦିଆଯାଇଛି। ଏ ନେଇ ବିତର୍କ ଓ ବିକ୍ଷୋଭ ତଥାପି ଜାରି ରହିଛି।
ଏହି ପରିପ୍ରେକ୍ଷୀରେ ବଗଲା ଧର୍ମଶାଳାର ଇତିହାସ ଏବଂ ତାହାର ନିର୍ମାଣ ପଛରେ ଥିବା ମାନସିକତା ବା ସଂସ୍କୃତିର ଚର୍ଚ୍ଚା ପ୍ରାସଙ୍ଗିକ ମନେ ହୁଏ।
ଏ ବାବଦରେ ସବିଶେଷ ଇତିହାସ ଆମ ପାଖରେ ଉପଲବ୍ଧ ନୁହେଁ। କିନ୍ତୁ କର୍ମବୀର ଗୌରୀଶଙ୍କର ରାୟଙ୍କ ସଂପାଦିତ, ଓଡ଼ିଶାର ପ୍ରଥମ ସାପ୍ତାହିକ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ରେ ଯେତିକି ତଥ୍ୟ ଉପଲବ୍ଧ, ତାହା କିଛି କମ୍ ନୁହେଁ।
୧୮୯୯ ମସିହା ରଥଯାତ୍ରାର କଥା। ଆଜିର ‘କୋଭିଡ଼୍-୧୯’ ଅତିମାରୀ ପରି, ସେତେବେଳେ ଥିଲା ‘ଓଲାଉଠା’ (କଲେରା ବା ହଇଜା)ର ପ୍ରାଦୁର୍ଭାବ। ବହୁ ଜଗନ୍ନାଥ ଯାତ୍ରୀ ତାହା ଯୋଗୁଁ ମୃତ୍ୟୁମୁଖରେ ପଡ଼ୁଥିଲେ। ‘ଉତ୍କଳ ଦୀପିକା’ର ଭାଗ-୩୪ ସଂଖ୍ୟା-୨୮, ୧୫ ଜୁଲାଇ, ୧୮୯୯ରେ ତାହାର ବିବରଣୀ ଅଛି। ସେଥିରେ କୁହାଯାଇଛି, “ଏ ବର୍ଷ ଶ୍ରୀଜଗନ୍ନାଥ ଦେବଙ୍କର ରଥଯାତ୍ରାରେ ବଙ୍ଗଦେଶୀୟ ଅଧିକାଂଶ ବିଧବା ସ୍ତ୍ରୀମାନଙ୍କର ସମାଗମ ହୋଇଅଛି। ଯାତ୍ରୀ ପ୍ରାୟ ଦେଢ଼ଲକ୍ଷ ଓ ଭଗବତୀ ଯୋଗମାୟାଙ୍କର ବିଶେଷ ପ୍ରକୋପ। ଜ୩୦/୪୦ଣରୁ ତା’ ୧୧ ରିଖ ଦିବା ଘ୮ଣ୍ଟା ସୁଦ୍ଧା ଜ୧୦୬ଣ ପର୍ଯ୍ୟନ୍ତ ଦୈନିକ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇଅଛି।”
ଏହି ‘ଭଗବତୀ ଯୋଗମାୟାଙ୍କର ପ୍ରକୋପ’ ହେଉଛି- ହଇଜା। କାରଣ ହଇଜା ବା ଓଲାଉଠାକୁ ସେତେବେଳେ ଠାକୁରାଣୀ ବିବେଚନା କରାଯାଉଥିଲା। ମୃତ ଓ ଆକ୍ରାନ୍ତଙ୍କର କରୁଣ ଚିତ୍ର ଦେଇ ସେଥିରେ କୁହାଯାଇଛି, “ଓଲାଉଠାର ବିଶେଷ ପ୍ରାଦୁର୍ଭାବ। ବଡ଼ଦାଣ୍ଡ ଓ ଗଳିମାନଙ୍କରେ ମୃତ ଓ ରୋଗୀ ଦାଣ୍ଡରେ ସୁଦ୍ଧା ପଡ଼ି ରହିଅଛନ୍ତି। ମେହେନ୍ତରମାନେ ଡୋଲି ବହିବାରେ ଅଶକ୍ତ ହୋଇପଡ଼ିବାରୁ କଚରାଗାଡ଼ିମାନଙ୍କରେ ୧୦/୧୫ ଜୀବିତ ଓ ମୃତ ପକାଇ ନେଉଅଛନ୍ତି। ... ଯାତ୍ରୀମାନେ ଆସିବା ଦିନରୁ ବର୍ଷା ହୋଇ ନଥିବାରୁ କଷ୍ଟ ଭୋଗ କରି ନଥିଲେ। ତା ୧୧ ରିଖ ଅପରାହ୍ଣରୁ ବର୍ଷା ହେବାର ଆରମ୍ଭ ହେବାରୁ କେହି କେହି ରେଳଷ୍ଟେସନ କେହି କେହି ଅବା ଜଗନ୍ନାଥ ରୋଡ଼ କିମ୍ବା ନଦୀ ନାଳ ନିକଟରେ ପଡ଼ି ବିଶେଷ କଷ୍ଟ ଭୋଗ କରୁ ଅଛନ୍ତି।”
ଏହା ସୂଚାଏ ଯେ ସେତେବେଳେ ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ଯାତ୍ରୀମାନଙ୍କର ରହଣି ନିମନ୍ତେ ବିଶେଷ ସୁବିଧା ନଥିଲା। ସେମାନେ ବହୁ ଅଭାବ, କଷ୍ଟରେ ରହୁଥିଲେ। ସେତେବେଳେ ସେ ବାବଦରେ ବାଲେଶ୍ୱରର ‘ଓଡ଼ିୟା ଓ ନବସମ୍ବାଦ’ରେ ମଧ୍ୟ କେତେଗୁଡ଼ିଏ ପ୍ରବନ୍ଧ ପ୍ରକାଶ ପାଇଥିଲା। ସେ ବାବଦରେ ଉଲ୍ଲେଖ କରି, ‘ଉତ୍କଳଦୀପିକା’ର ଭାଗ-୩୪, ସଂଖ୍ୟା-୪୦, ୭ ଅକ୍ଟୋବର ୧୮୯୯ରେ ଆଉ ଗୋଟିଏ ସମ୍ବାଦ ପ୍ରକାଶ ପାଇଥିଲା। ତାହାର ଶୀର୍ଷକ ଥିଲା ‘ପୁରୀଯାତ୍ରିଙ୍କର ପୀଡ଼ାର ନିଦାନ’। ସେଥିରୁ ସୂଚିତ ଯେ ଯାତ୍ରୀମାନଙ୍କର ଅସୁବିଧା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ‘ପୁରୀ ବସାଘର ଆଇନ’ ଜାରି ହୋଇ ସେଥି ନିମନ୍ତେ କର୍ମଚାରୀ ନିଯୁକ୍ତ ହୋଇଥିଲେ ମଧ୍ୟ, ଯାତ୍ରୀମାନଙ୍କର ଦୁର୍ଦଶା ଅବ୍ୟାହତ ରହିଥିଲା।
ସେହି ସମ୍ବାଦରେ ‘ଉତ୍କଳ ଦୀପିକା’ ଲେଖିଛନ୍ତି, “ଯାତ୍ରିଙ୍କର ସ୍ୱାସ୍ଥ୍ୟ ଓ ସୁବିଧା ସକାଶେ ପୁରୀ ବସାଘର ଆଇନ ଜାରୀ ହୋଇଅଛି ଏବଂ ସେ ଆଇନ ଚଳାଇବା ନିମନ୍ତେ ଉପଯୁକ୍ତ କର୍ମଚାରୀ ନିଯୁକ୍ତ ଅଛନ୍ତି। ମାତ୍ର ଯାତ୍ରିମାନଙ୍କର ନାନା କଷ୍ଟ ଯେରୂପ ବର୍ଣ୍ଣିତ ହୋଇଅଛି ତାହା ସତ୍ୟ ହେଲେ ଅବଶ୍ୟ ବୋଲିବାକୁ ହେବ ଯେ ବନ୍ଦୋବସ୍ତ ଦୋଷରୁ ସେସବୁ ଅନେକ ପରିମାଣରେ ଘଟିଥିଲା। ଅନେକ ଯାତ୍ରୀ ଭଡ଼ାଘର ନପାଇ ପଦାରେ ପଡ଼ିରହି ଖରାବର୍ଷା ଭୋଗ କଲେ। ... ବିଶେଷତଃ ଏ ବର୍ଷ ରଥଯାତ୍ରା ସମୟ ଅସହ୍ୟ ଗ୍ରୀଷ୍ମରେ ଲୋକେ ଖରାରେ ପଡ଼ିରହି ଜଳକଷ୍ଟ ଭୋଗ କଲେ। ତେବେ ପୀଡ଼ା ବୃଦ୍ଧି ହେବା ଆଶ୍ଚର୍ଯ୍ୟଜନକ ନୁହେ। ଯାତ୍ରିସଂଖ୍ୟା କ୍ରମାଗତ ବୃଦ୍ଧିହେବାର ଦେଖି କର୍ତ୍ତୃପକ୍ଷମାନେ ବେଳହୁଁ ସାବଧାନ ହୋଇ ବିଶେଷ ବନ୍ଦୋବସ୍ତ କରି ନପାରିଲେ ଏହା ସେମାନଙ୍କର ତ୍ରୁଟି ବିନା ଆଉ କି ବୋଲାଯିବ? ସେମାନେ ଚେଷ୍ଟା କରିଥିଲେ ଆଶା ହେଉଅଛି ସେ ସବୁ କଷ୍ଟ ଓ ଅସୁବିଧା ଅନେକ ପରିମାଣରେ ନିବାରଣ ହୋଇପାରନ୍ତା।”
ଯାତ୍ରୀମାନଙ୍କର ଦୁର୍ଦଶାର ଏହି ବିବରଣୀ ପ୍ରକାଶ କରିବା ସହିତ ‘ଉତ୍କଳ ଦୀପିକା’ ସେଦିନ ‘ବିଦେଶୀ ମିଉନିସପାଲଟୀ’ ତଥା ଇଂରେଜ ସରକାରଙ୍କ ପାଇଁ କେତେକ ପରାମର୍ଶ ମଧ୍ୟ ଦେଇଥିଲେ। ଉଲ୍ଲେଖନୀୟ ଯେ ସରକାର ସେତେବେଳେ ନରେନ୍ଦ୍ର ପୁଷ୍କରିଣୀର ଜଳ ବ୍ୟବହାରକୁ ସଂପୂର୍ଣ୍ଣ ବନ୍ଦ କରିଦେଇଥିଲେ। ତେଣୁ ‘ଉତ୍କଳ ଦୀପିକା’ ପରାମର୍ଶ ଦେଇଥିଲେ, “ନରିନ୍ଦ୍ର ପୁଷ୍କରିଣୀର ବ୍ୟବହାର ଏକାବେଳେ ବନ୍ଦ ନକରି କେବଳ ସେ ଜଳ ପାନ କରିବାର ନିଷେଧ କଲେ ଯଥେଷ୍ଟ ହୋଇଥାନ୍ତା ଏବଂ କେତେଗୁଡ଼ିଏ କିଞ୍ଚିତ୍ କାଳ ନିମନ୍ତେ ପତ୍ରତାଟିର ପାଇଖାନା ପ୍ରସ୍ତୁତ କରିଦେଇ ଅଥବା ପଡ଼ିଆ ଛାଡ଼ିଦେଇ ଠିକା ହାଡ଼ି ନିଯୁକ୍ତ କରିଥିଲେ ଅନାୟାସରେ ପ୍ରତିଦିନ ପରିଷ୍କାର ହୋଇପାରନ୍ତା। ଏଥିରେ ଅଧିକ ବ୍ୟୟ ହୁଅନ୍ତା ସତ୍ୟ ମାତ୍ର ମିଉନିସପାଲିଟୀ ବା ଲଜିଂ ହାଉସ ଫଣ୍ଡ୍ର ଟଙ୍କା ତହିଁ ପାଇଁ ନିଅଣ୍ଟ ହେଲେ ଗବର୍ଣ୍ଣମେଣ୍ଟ ସାହାଯ୍ୟ ଦେବାକୁ କୁଣ୍ଠିତ ହୁଅନ୍ତେ ନାହିଁ। କାରଣ ଦୟାବାନ ଇଂରାଜ ଗବର୍ଣ୍ଣମେଣ୍ଟ ଲୋକଙ୍କର ସ୍ୱାସ୍ଥ୍ୟରକ୍ଷା ପ୍ରତି ସର୍ବଦା ମନୋଯୋଗୀ ଏବଂ ସେ ବିଷୟରେ ବ୍ୟୟକାତର ନୁହନ୍ତି। ଆମ୍ଭେମାନେ ଏକାନ୍ତ ଆଶାକରୁଁ କି ସହଯୋଗିଙ୍କର ଉପରଲିଖିତ ପ୍ରବନ୍ଧମାନ ଗବର୍ଣ୍ଣମେଣ୍ଟ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବ ଏବଂ ଭବିଷ୍ୟତରେ ଯାତ୍ରିଙ୍କର ଏପରି ଦୁର୍ଦ୍ଦଶା ନ ଘଟିବାର ବିହିତ ଉପାୟ ଅବଲମ୍ବିତ ହେବ।”
କିନ୍ତୁ ଏହା ସରକାରଙ୍କର ଦୃଷ୍ଟି ଆକର୍ଷଣ କରୁ କି ନକରୁ, ଯାତ୍ରୀମାନଙ୍କର ଦୁର୍ଦଶା ଅପନୋଦନ ପାଇଁ ଉପାୟ ‘ଗବର୍ଣ୍ଣମେଣ୍ଟ’ ପକ୍ଷରୁ ଅବଲମ୍ବିତ ହେଉ କି ନହେଉ; ଏହା କିନ୍ତୁ ସେଦିନ କହ୍ନେୟାଲାଲ ବଗଲାଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ଜଗନ୍ନାଥଯାତ୍ରୀଙ୍କ ସୁବିଧାଜନକ ରହଣି ପାଇଁ ସେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଚାହିଥିଲେ। ତାହାର ବିବରଣୀ ‘ଉତ୍କଳ ଦୀପିକା’ର ଭାଗ-୩୪, ସଂଖ୍ୟା-୪୫, ୨୫ ନଭେମ୍ବର, ୧୮୯୯ରେ ଅଛି। ସେଥିରେ କୁହାଯାଇଛି-
“ପୁରୀ କ୍ଷେତ୍ରରେ ଯାତ୍ରିମାନଙ୍କର ବସାଘରର ଉନ୍ନତି ନିମନ୍ତେ କଲିକତା ସହରର ମୁଙ୍ଗେଇ ରାମ କହ୍ନାଇଲାଲ ନାମକ କୋଠିର ଅନ୍ତର୍ଗତ ବାବୁ କହ୍ନାଇଲାଲ ବୋଗଲା କଲିକତା ନିବାସୀ ରାୟ କୈଳାସଚନ୍ଦ୍ର ବସୁ ବାହାଦୂରଙ୍କ ମାରଫତରେ ବଙ୍ଗଳାର ସାନିଟରୀ କମିଶନରଙ୍କ ନିକଟକୁ ଟ୨୫୦୦୦ଙ୍କା ଦାନସ୍ୱରୂପ ପଠାଇଦେଇ କମିଶନର ସାହେବଙ୍କ ଆଦେଶମତେ ସେ ଟଙ୍କା ବ୍ୟୟ କରିବାର ଅଧିକାର ଦେଇଅଛନ୍ତି। ବଙ୍ଗୀୟ ଛୋଟଲାଟ ଏହି ଉତ୍କୃଷ୍ଟ ଦାନ ନିମନ୍ତେ ଦାତାଙ୍କୁ ଯଥୋଚିତ ଧନ୍ୟବାଦ ଦେଇ ଏବଂ ସର୍ବସାଧାରଣଙ୍କ ଜାଣିବା ନିମନ୍ତେ ଏ ବିଷୟ କଲିକତା ଗଜେଟରେ ପ୍ରଚାର କରି ଆଦେଶ ଦେଇଅଛନ୍ତି କି କମିଶନର ସାହେବ ଉକ୍ତ ଟଙ୍କା କି ପ୍ରକାରେ ବ୍ୟୟ କରିବାକୁ ଇଚ୍ଛା କରନ୍ତି ତାହା ଗବର୍ଣ୍ଣମେଣ୍ଟଙ୍କୁ ଜଣାଇବେ ଏବଂ ମଞ୍ଜୁରୀ ନେଇ ଖରଚ କରିବେ।
ଗତ ରଥଯାତ୍ରା ବେଳେ ପୁରୀଠାରେ ଯାତ୍ରିଙ୍କର ବସାଘରର କଷ୍ଟ ଶୁଣି ବୋଗଲା ମହାଶୟ ଏ ଦାନ କରିଅଛନ୍ତି ସ୍ପଷ୍ଟ ଜଣାଯାଉଅଛି ଏବଂ ଏହା ତାହାଙ୍କର ଦୟାର୍ଦ୍ର ଚିତ୍ତର ଉତ୍କୃଷ୍ଟ ପରିଚୟ ଦେଉଅଛି। ଏମନ୍ତ ଧର୍ମପରାୟଣ ବ୍ୟକ୍ତି ଅବଶ୍ୟ ଦୁର୍ଲଭ ଅଟନ୍ତି।”
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ସେଯାଏ ପୁରୀକୁ ରେଳ ଚଳାଚଳର ବ୍ୟବସ୍ଥା ହୋଇ ନଥିଲା; କିନ୍ତୁ ରେଳ ଚଳାଚଳ ଯଥାଶୀଘ୍ର ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ଥିଲା। ‘ପୁରୀ ଯାତ୍ରିଙ୍କର ପୀଡ଼ାର ନିଦାନ’ ଶୀର୍ଷକ ସମ୍ବାଦରେ ଏହି ସମ୍ଭାବନାର ସୂଚନା ଦେଇ ‘ଉତ୍କଳ ଦୀପିକା’ ଲେଖିଥିଲେ, ‘ରେଲବାଟ ଓଡ଼ିଶାକୁ ଫିଟିବା ଦ୍ୱାରା ଅନ୍ୟ କିଛି ଫଳ ହେଉ ବା ନହେଉ ପୁରୀକି ଅନେକ ଯାତ୍ରି ଆସିବେ ଏଥିରେ ସନ୍ଦେହ ନାହିଁ ଏବଂ ତହିଁ ପାଇଁ ବିଶେଷ ବନ୍ଦୋବସ୍ତ କରିବା ଏକାନ୍ତ ଆବଶ୍ୟକ।” ପରେ ପୁରୀକୁ ‘ରେଳ ବାଟ ଫିଟିବାରୁ’ ଯାତ୍ରୀସଂଖ୍ୟା ସ୍ୱାଭାବିକ ଭାବରେ ବୃଦ୍ଧି ପାଇଥିଲା; କିନ୍ତୁ ଯାତ୍ରୀଙ୍କ ଦୁର୍ଦଶା ଦୂର ହୋଇ ନଥିଲା।
‘ଉତ୍କଳ ଦୀପିକା’ର ୧୯୦୦ ମସିହା, ରଥଯାତ୍ରା ବିବରଣୀରେ ତାହାର ଉଲ୍ଲେଖ ଅଛି। ‘ପୁରୀ ରଥଯାତ୍ରା’ ଶୀର୍ଷକ ସମ୍ବାଦରେ କୁହାଯାଇଛି, “ଯାତ୍ରାର ଦି ୨/୩ନ ପୂର୍ବରୁ ଯାତ୍ରିସ୍ରୋତ ଏମନ୍ତ ମାଡ଼ି ଆସିଲା ଯେ ପୃଥକ୍ ଟ୍ରେନ୍ ବନ୍ଦୋବସ୍ତ ହୋଇ ଦୈନିକ ଚାରିଥର ଆସୁଥିଲେ ହେଁ ଷ୍ଟେସନମାନଙ୍କରେ ଅନେକାନେକ ଯାତ୍ରି ପଡ଼ି ରହିଥିବାର ଶୁଣାଗଲା। ପ୍ରାୟ ୫୦ ହଜାର ଯାତ୍ରି ହୋଇଥିଲେ। ପାଶଘର ଓ ମିଉନିସପାଲିଟୀ ତାଟିଘରମାନ ପୂର୍ଣ୍ଣ ହୋଇଗଲା ଓ ଅତିରିକ୍ତ ଫିସ୍ ଦେଇ ଘର ପାଶ କରିବା ପାଇଁ ଲୋକେ ବ୍ୟସ୍ତ ହେଲେ। ଘରଭଡ଼ା ଜୋର ଦେଖି ଯାତ୍ରୀମାନେ ବାଧ୍ୟ ହୋଇ ତାଟିଘରେ ପଡ଼ି ରହିଲେ।” ପରବର୍ଷ (୧୯୦୧) ବେଳକୁ ମଧ୍ୟ ଏ ଦୁଃସ୍ଥିତି ଦୂର ହୋଇ ନଥିଲା। ଏ ବାବଦରେ, ‘ଉତ୍କଳ ଦୀପିକା’ର ଭାଗ-୩୬, ସଂଖ୍ୟା-୪୯, ୨୧ ଡିସେମ୍ବର, ୧୯୦୧ରେ ବିଶେଷ ଉଲ୍ଲେଖ ଅଛି। ‘ପୁରୀଯାତ୍ରୀଙ୍କର କ୍ଳେଶ’ ଶୀର୍ଷକ ସେହି ସମ୍ବାଦରେ କୁହାଯାଇଛି, “ବସାଘର ଆଇନର ବିଧାନମାନ ଉତ୍ତମ ଅଟେ। ମାତ୍ର ରେଲ ଷ୍ଟେସନ ନିକଟରେ ଏବଂ ସହର ମଧ୍ୟରେ ଧର୍ମଶାଳାର ଅଭାବ ହେତୁ ଅନେକ ଯାତ୍ରିର କଷ୍ଟ ହେଉଅଛି। ... ଯଦ୍ୟପି ଧନାଢ଼୍ୟ ହିନ୍ଦୁମାନେ ମନୋଯୋଗୀ ହୋଇ ସହର ମଧ୍ୟରେ କେତେଟା ଧର୍ମଶାଳା ନିର୍ମାଣ କରିଦେବେ ଏବଂ ତହିଁ ମଧ୍ୟରୁ ଅନ୍ତତଃ ଗୋଟିଏ ଧର୍ମଶାଳା ରେଳଷ୍ଟେସନ ନିକଟରେ ରହିବ ତେବେ ଯାତ୍ରିମାନଙ୍କର ଅପାର ସୁବିଧା ହେବ। ଆଟିକାବନ୍ଧାରେ ଖରଚ କରିବା ଅପେକ୍ଷା ଧର୍ମଶାଳାରେ ଟଙ୍କା ଖରଚ କରିବାଦ୍ୱାରା ଅଧିକ ପୁଣ୍ୟ ସଞ୍ଚୟ ହେବ ଏହା ବୁଝିବା ଲୋକମାତ୍ରେ ଅନାୟାସରେ ବିଚାର କରିପାରିବେ।”
ଏହା ହିଁ ସେଦିନ ଥିଲା ପୁରୀରେ ଜଗନ୍ନାଥ ଯାତ୍ରୀଙ୍କ ପାଇଁ ଧର୍ମଶାଳା ନିର୍ମାଣର ପୃଷ୍ଠଭୂମି ଓ ସଂସ୍କୃତି- ଏବଂ ତାହାରି ଭିତ୍ତିରେ ପୁରୀ ବଡ଼ଦାଣ୍ଡରେ କହ୍ନେୟାଲାଲ ବଗଲାଙ୍କର ଆର୍ଥିକ ଦାନରେ ନିର୍ମାଣ ହୋଇଥିଲା ‘ବଗଲା ଧର୍ମଶାଳା’। ‘ଉତ୍କଳ ଦୀପିକା’ର ୪୧ ଭାଗ, ଷଷ୍ଠ ସଂଖ୍ୟା, ୧୦ ଫେବ୍ରୁଆରି ୧୯୦୬ରେ ତାହାର ବିବରଣୀ ଅଛି। ‘ବୋଗଲା ଧର୍ମଶାଳା’ ଶୀର୍ଷକ ସେହି ସମ୍ବାଦରେ କୁହାଯାଇଛି-
“ସନ ୧୮୯୯ ସାଲ ରଥଯାତ୍ରା ସମୟରେ ପୁରୀରେ ଓଲାଉଠାର ଭୟଙ୍କର ଉତ୍ପାତ ହୋଇଥିଲା ଓ ସହସ୍ର୨ ଯାତ୍ରୀ ମରାପଡ଼ିଥିଲେ। ସରକାରୀ ସ୍ୱାସ୍ଥ୍ୟ କମିଶନର ସେ ବିଷୟର ସ୍ଥାନୀୟ ଅନୁସନ୍ଧାନ କରି ସନ୍ତୋଷଜନକ ଓ ସ୍ୱାସ୍ଥ୍ୟକର ବସାଘରର ଅଭାବ ଗବର୍ଣ୍ଣମେଣ୍ଟଙ୍କୁ ଜଣାଇଥିଲେ। ବୋଗଲା ମହାଶୟ ସେ ବିଷୟ ଅବଗତ ହୋଇ ପୁରୀରେ ଯାତ୍ରିଙ୍କ ପାଇଁ ଗୋଟିଏ ପ୍ରଶସ୍ତ ଏବଂ ସ୍ୱାସ୍ଥ୍ୟକର ଘର ନିର୍ମାଣାର୍ଥେ ୨୫ ହଜାର ଟଙ୍କା ଦାନ କରିବାର ଇଚ୍ଛା ପ୍ରକାଶ କଲେ ଏବଂ ସନ ୧୮୯୯ ସାଲରେ ସେହି ଟଙ୍କା ବଙ୍ଗ ସ୍ୱାସ୍ଥ୍ୟ କମିଶନରଙ୍କ ନାମରେ ବଙ୍ଗାଳବାଙ୍କରେ ଜମା ଦେଲେ। ଘରର ନକସା ଓ ଇଷ୍ଟମିଟ ଇତ୍ୟାଦି ହେବାରେ ଜଣାଗଲା ଯେ ଜମିର ମୂଲ୍ୟ ସହିତ ଟ୨୯୫୮୧ଙ୍କା ଖରଚ ପଡ଼ିବ। ଅବଶିଷ୍ଟ ଟଙ୍କା ସକାଶେ ଦାତାଙ୍କ ନିକଟକୁ ପତ୍ରଯିବାରୁ ସେ ଆହୁରି ୧୦ ହଜାର ଟଙ୍କା ଦାନ କଲେ। ଘରର ଶେଷ ନକ୍ସା ଇଷ୍ଟମିଟ ଇତ୍ୟାଦି ମଞ୍ଜୁର ହେଉ ହେଉ କେତେକାଳ ବାହାରିଗଲା ଏବଂ ସନ ୧୯୦୪ ସାଲ ଯୁଲାଇ ମାସରେ ଧର୍ମଶାଳାର ନିର୍ମାଣ କାର୍ଯ୍ୟ ଟ୩୩, ୫୦୦ଙ୍କାରେ ଶେଷ ହେଲା।”
ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ସେତେବେଳେ ଏହି ଧର୍ମଶାଳାରେ ରହିବାପାଇଁ ଯାତ୍ରୀଙ୍କଠାରୁ ଯେଉଁ ଭଡ଼ା ଆଦାୟର ନିୟମ ହୋଇଥିଲା, ଅନେକ ଯାତ୍ରୀ ତାହା ଦେଇପାରୁ ନଥିଲେ। ସେଥିପାଇଁ କହ୍ନେୟାଲାଲ ବଗଲାଙ୍କୁ ଆଉ ୨୫ ହଜାର ଟଙ୍କା ଦାନ ମଗାଯିବାକୁ ପ୍ରସ୍ତାବ ହୋଇଥିଲା। କିନ୍ତୁ ‘ଉତ୍କଳ ଦୀପିକା’ ସେ ବାବଦରେ ମନ୍ତବ୍ୟ ଦେଇ କହିଥିଲେ, “ଆମ୍ଭମାନଙ୍କ ବିବେଚନାରେ ଦାତା ମହାଶୟ ଅତ୍ୟନ୍ତ ବଦାନ୍ୟତାର ସହିତ ୩୫ ହଜାର ଟଙ୍କା ଦାନ କରି ଧର୍ମଶାଳା ନିର୍ମାଣ କରିଦେଇଥିବା ସ୍ଥଳେ ଭଡ଼ା ଆଦାୟ ଦ୍ୱାରା ତହିଁରେ କଳଙ୍କ ଲଗାଇବା ଅଧର୍ମ ଅଟେ। ପୁଣି ଆହୁରି ୨୫ ହଜାର ଟଙ୍କା ତାହାଙ୍କୁ ପ୍ରାର୍ଥନା କରିବା ମଧ୍ୟ ନିତାନ୍ତ କ୍ଷୁଦ୍ରତାର ପରିଚାୟକ। ... ଯାତ୍ରୀ ଗଛ ମୂଳେ ପଡ଼ି ରହିଲେ ମିଉନସିପାଲିଟି ସେମାନଙ୍କୁ ଖଟୁଅଛି ଦାତବ୍ୟ ଧର୍ମଶାଳାରେ କାହିଁକି ସେ କାର୍ଯ୍ୟ ନ କରିବେ।”
ଅଥଚ ସେହି ଧର୍ମଶାଳାର ଜମିର କିଛି ଅଂଶକୁ ଆଜି ଥଇଥାନ ସୂତ୍ରରେ ହେଉ ବା ବିକ୍ରିସୂତ୍ରରେ, ବିଭିନ୍ନ ସେବକ ଓ ବ୍ୟକ୍ତି ବିଶେଷଙ୍କୁ ଦେଇ ଦିଆଯାଇଛି। ଏହା ଯେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କର ଘୋର ‘ଅଧର୍ମ’ ଏଥିରେ କୌଣସି ସନ୍ଦେହ ନାହିଁ। ଏ ‘ଅଧର୍ମ’ରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ମୁକ୍ତ ନହେଲେ କାଳକାଳକୁ ଏ ‘କଳଙ୍କ’ ରହିଯିବ।
ମୋ: ୯୪୩୭୦ ୩୪୮୦୪
mohanty.asit@gmail.com
Follow Us