ଅଙ୍ଗୁଳି ଚଟା ସ୍ୱାଦ

Advertisment

ଝରକା

ଝରକା

ଅଙ୍ଗୁଳି ଚଟା ସ୍ୱାଦ

Hindustan Times

ସାରା ପୃଥିବୀରେ ଏଭଳି ଅସଂଖ୍ୟ ଲୋକ ଥିବେ, ଯେଉଁମାନଙ୍କ କାନରେ ‘କେଣ୍ଟୁକୀ ଫ୍ରାଏଡ୍‌ ଚିକେନ୍‌’ ବା ସଂକ୍ଷେପରେ ‘କେଏଫ୍‌ସି’ ବୋଲି ପଡ଼ିବା ମାତ୍ରକେ ସେମାନଙ୍କ ପାଟିରେ ଲାଳ ଜକେଇ ଆସୁଥିବ। କହିବା ବାହୁଲ୍ୟ ଯେ ଅତ୍ୟନ୍ତ ନରମ ଓ ମୁଲାୟମ ଛଣା ଚିକେନ୍‌ ଖଣ୍ଡ ପରଷୁଥିବା ଏହି କଂପାନି ବିଶ୍ବ ଉପରେ ଆମେରିକୀୟ ପ୍ରଭାବର ଏକ ଅମଳିନ ଦୃଷ୍ଟାନ୍ତ। ପୃଥିବୀର ୧୪୫ଟି ଦେଶରେ ୨୪,୦୦୦ଟି କେଏଫ୍‌ସି ରେସ୍ତୋରାଁ ରହିଛି ଏବଂ ତାହା ଅତ୍ୟନ୍ତ ଲୋକପ୍ରିୟ ହୋଇ ରହି ଆସିଛି। ତେବେ, ସବୁ ବ୍ୟବସାୟ ଭଳି କେଏଫ୍‌ସି ମଧ୍ୟ କରୋନା ପାନ୍‌ଡେମିକ୍‌ ସମୟରେ ଭୀଷଣ କ୍ଷତି ସହିବାରେ ଲାଗିଛି। ସଂକ୍ରମଣ ଭୟରେ ଗ୍ରାହକମାନଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି। କିନ୍ତୁ ତା’ ସହିତ କେଏଫ୍‌ସିରେ ଆଉ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି। ତାହା ହେଲା ଗଲା ୬୪ ବର୍ଷ ଧରି ଏହି ଖାଦ୍ୟର ବିଜ୍ଞାପନରେ ରହିଥିବା ଯେଉଁ ବାକ୍ୟଟି ଏହା ନିକଟକୁ ଗରାଖମାନଙ୍କୁ ଟାଣି ଆଣୁଥିଲା‌, ଏବେ ସେହି ବାକ୍ୟକୁ ହଟାଇ ନେବାକୁ କଂପାନି ସ୍ଥିର କରିଛି। ସେହି ବାକ୍ୟଟି ହେଲା-‘ଅଙ୍ଗୁଳି ଚାଟି ଖାଇଲା ଭଳି ସ୍ବାଦ’।

ଉଲ୍ଲେଖଯୋଗ୍ୟ ଯେ ଚମତ୍କାର ସ୍ବାଦର ପରିଚୟ ଦେବା ଲାଗି ଭାରତୀୟମାନେ ପ୍ରଶଂସାସୂଚକ ଭାବେ ଅଙ୍ଗୁଳି ଚାଟୁଥିବା ବେଳେ ପାଶ୍ଚାତ୍ୟରେ ଏହାକୁ ଅସୌଜନ୍ୟମୂଳକ ଅଭ୍ୟାସ ବୋଲି ବିବେଚନା କରାଯାଇଥାଏ। ସେହି ସୂତ୍ରରେ କେଏଫ୍‌ସିର ବିଜ୍ଞାପନ କହିଥାଏ ଯେ ଏହାର ସ୍ବାଦ ଆଗରେ ତୁମେ ସବୁ କିଛି ଭୁଲିଯିବ। କିନ୍ତୁ ଏବେ ଏହି ବାକ୍ୟଟିକୁ ହଟାଇ ଦିଆଯିବା ପଛରେ ରହିଥିବା କାରଣ ହେଉଛି କରୋନା କାଳୀନ ସତର୍କତା। ଯେହେତୁ ଏଭଳି କରିବା ଦ୍ବାରା ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହେବାର ଆଶଙ୍କା ରହିଛି, ତେଣୁ ଏହା ବର୍ତ୍ତମାନ ବର୍ଜନୀୟ ବୋଲି ବିଚାର କରାଯାଉଛି।

ତେବେ ଏହା କହିବା ସହିତ କେଏଫ୍‌ସି ପକ୍ଷରୁ କୁହାଯାଇଛି ଯେ ଏହାର ସ୍ବାଦ ପୂର୍ବବତ୍‌ ରହିଛି। କେବଳ କରୋନା ପାନ୍‌ଡେମିକ୍‌ କାରଣରୁ ବିଜ୍ଞାପନରୁ ଏହି ବାକ୍ୟଟିକୁ କିଛି ଦିନ ଲାଗି ହଟାଇ ନେଉଛୁ। କିନ୍ତୁ ସତ କହିଲେ ଏହାକୁ ଖାଇବା ଲୋକେ ପୂର୍ବ ଭଳି ଅଙ୍ଗୁଳି ଚାଟିବେ ହିଁ ଚାଟିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe