ଗଧର ଭାଗ୍ୟ! କ୍ଷୀର ଲିଟରେକୁ ୭୦୦୦ ଟଙ୍କା

ଝରକା

ଗଧର ଭାଗ୍ୟ! କ୍ଷୀର ଲିଟରେକୁ ୭୦୦୦ ଟଙ୍କା

ଅବଶେଷରେ ଗଧର ଭାଗ୍ୟ ଫିଟିଛି! କାରଣ ଭାରତରେ ବର୍ତ୍ତମାନ ‘ଗଧ ଡାଏରି’ର ପରିକଳ୍ପନା କରାଯାଉଛି ଯହିଁରେ ଦୁର୍ମୂଲ୍ୟ ଗଧ କ୍ଷୀର ମିଳିବ। ‘ତରଳ ସୁନା’ ଭାବେ ଅଭିହିତ କରାଯାଉଥିବା ଏହି ଗଧ କ୍ଷୀରର ମୂଲ୍ୟ ଆଖି ଖୋସିଦେଲା ଭଳି। ଲିଟର ପିଛା ୭୦୦୦ ଟଙ୍କା।

ଏବେ ସଂପୂର୍ଣ୍ଣ କଥାଟି ଶୁଣନ୍ତୁ। ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳରେ ୨୦୦ ବର୍ଷରୁ ଅଧିକ କାଳ ଧରି ଏକ ସ୍ବତନ୍ତ୍ର ଜାତିର ଗଧ ପାଳନ କରାଯାଉଛି, ଯାହାର ନାମ ହଲାରି। ଦେଶର ଅନ୍ୟ କେଉଁ ଅଞ୍ଚଳରେ ଏମାନେ ଦେଖିବାକୁ ମିଳନ୍ତି ନାହିଁ। ଏହି ଜାତିର ଗଧଙ୍କ ସ୍ବାତନ୍ତ୍ର୍ୟ ହେଲା ଏମାନେ ଗୋଟିଏ ଗୋଟିଏ ଛୋଟ ଘୋଡ଼ାର ଭ୍ରମ ସୃଷ୍ଟି କରିଥାଆନ୍ତି। ହଲାରି ଗଧର କ୍ଷୀରରେ ଔଷଧୀୟ ଓ ସୌନ୍ଦର୍ଯ୍ୟବର୍ଦ୍ଧକ ଗୁଣ ରହିଥିବାରୁ ପାଶ୍ଚାତ୍ୟ ଦେଶମାନଙ୍କରେ ଏହାର ବେଶ୍‌ ଚାହିଦା। ବିଭିନ୍ନ ପ୍ରସାଧନ ସାମଗ୍ରୀରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ।

ତେବେ ବର୍ତ୍ତମାନ ଗୁଜୁରାଟର ଯାମନଗର ଓ ଦେବଭୂମି ଜିଲ୍ଲାର ୧୮,୧୭୬ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ମାତ୍ର ୧,୧୧୨ଟି ହଲାରି ଗଧ ଅଛନ୍ତି। ଏହି ଜାତିର ଗଧଙ୍କ ସୁରକ୍ଷା ଓ ବଂଶବୃଦ୍ଧି ପାଇଁ ଦୁଇ ବର୍ଷ ପୂର୍ବେ ସରକାରୀ ସଂସ୍ଥା ‘ନେସନାଲ୍ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସେସ୍’ ପକ୍ଷରୁ ଜାତୀୟ ସ୍ବୀକୃତି ପ୍ରଦାନ କରାଯାଇଛି। ଏହି ସ୍ବୀକୃତି ମିଳିବା ପରେ ହଲାରି ଗଧଙ୍କ ଠାରୁ ବ୍ୟବସାୟିକ ରୂପେ ଦୁଗ୍‌ଧ ଉତ୍ପାଦନ ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି। ପ୍ରଥମ ଥର ପାଇଁ ଏହି ଗଧଙ୍କୁ ଗୁଜୁରାଟରୁ ଅଣାଯାଇ ହରିୟାଣାର ହିସାର ପଶୁ ଗବେଷଣା କେନ୍ଦ୍ରରେ ସେମାନଙ୍କ ପ୍ରଜନନ ଲାଗି ଉଦ୍ୟମ କରାଯାଉଛି।

ଗଧକୁ ସିନା ପଶୁମାନଙ୍କ ଭିତରେ ହେୟ ବୋଲି ମଣାଯାଏ, କିନ୍ତୁ କଥିତ ଅଛି ଯେ ପ୍ରାଚୀନ ଇଜିପ୍‍ଟର ଅତୁଳନୀୟ ସୁନ୍ଦରୀ ରାଣୀ କ୍ଲିଓପାଟ୍ରା ସୌନ୍ଦର୍ଯ୍ୟ ଓ ଯୌବନକୁ ଅକ୍ଷୁଣ୍ଣ ରଖିବାକୁ ଗଧ କ୍ଷୀରରେ ଗାଧୋଉଥିଲେ। ଉଲ୍ଲେଖନୀୟ ଯେ ଗଧ କ୍ଷୀରର ଆଣ୍ଟି-ଏଜିଂ (ବୟଃବୃଦ୍ଧି ପ୍ରକ୍ରିୟାକୁ ରୋକିବା) ଓ ଆଣ୍ଟି-ଅକ୍ସିଡାଣ୍ଟ (ଯାହା ‘ମେଟାବଲିଜମ୍‌’ ଦ୍ବାରା ଶରୀରରେ ଉତ୍ପନ୍ନ ହେଉଥିବା ବିଷକୁ ଦୂର କରେ) ଗୁଣ ପାଇଁ ଏହା ଅତ୍ୟନ୍ତ ଉପାଦେୟ। ଯଦି ଏହି ନୂତନ ପ୍ରୟୋଗ ସଫଳ ହୁଏ, ତେବେ ଆମ ଦେଶରେ ଏହା ଗଧକୁ ଏକ ନୂତନ ପରିଚିତି ପ୍ରଦାନ କରିବ; ଏବଂ ଏହି ହୀନିମାନିଆ ଜୀବକୁ ଧୋବା ଘାଟରୁ ଉଠାଇ ଆଣି ଆରାମଦାୟକ ଗଧ-ଶାଳାରେ ପହଞ୍ଚାଇ ପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe