ବଲିଉଡ୍ ନାୟିକା ଓ ନିଷିଦ୍ଧ ଡ୍ରଗ୍‌ସ

Advertisment

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ବଲିଉଡ୍ ନାୟିକା ଓ ନିଷିଦ୍ଧ ଡ୍ରଗ୍‌ସ

UK Addiction Treatment Centres

ଆଜିକୁ ପ୍ରାୟ ତିନି ଦଶକ ତଳେ ଫିଲ୍ମ ମାଗାଜିନ ପଢ଼ିବା ଥିଲା ଏକ ନିଶା। ତା’ର ମାଦକତା ଏଭଳି ଥିଲା ଯେ ବଜାରକୁ ଆସିବା କ୍ଷଣି ପାଠକେ ପାଗଳ ଭଳି ତାକୁ ଝାମ୍ପି ନେଉଥିଲେ। ସେମାନଙ୍କ ପ୍ରିୟ ତାରକାମାନଙ୍କ ସଂପର୍କରେ ଗୁଲି ଗପ ଠାରୁ ଆରମ୍ଭ କରି କିଛି କିଛି ଗୁରୁତ୍ବପୂର୍ଣ୍ଣ ‌ଖବର ଜାଣିବା ଲାଗି ସେହି ପତ୍ରିକାଗୁଡ଼ିକ ହିଁ ଥି‌ଲେ ବାତାୟନ। ସେତେବେଳେ ଆଜିକା ଭଳି ‘ଆଇନକ୍ସ’ ନ ଥିଲା, କିନ୍ତୁ ହଲ୍‌ରେ କିଛି କିଛି ସିନେମା ଚାଲୁଥିଲା ପଚିଶ ସପ୍ତାହ ଧରି; ରୌପ୍ୟ ଜୁବୁଲି ହେଉଥିଲା। ଚଳଚ୍ଚିତ୍ର ତାରକାମାନେ ସେତେବେଳେ ପ୍ରକୃତରେ ଥିଲେ ‘ମ୍ୟାଟିନି ଆଇଡଲ୍‌’ ବା ‘ମ୍ୟାଟିନି ଦେବତା’। ସେମାନେ ଥିଲେ ଏ ଧରାତଳରେ ବିଚରଣ କରୁଥିବା ଜୀବନ ଠାରୁ ବୃହତ୍ତର ବା ‘ଲାର୍ଜର ଦ୍ୟାନ ଲାଇଫ୍‌’ ଅବତାରରେ ଆବିର୍ଭୂତ ଅସାମାନ୍ୟ ମଣିଷ। ସେମାନଙ୍କର ‘ରିଲ୍‌ ଲାଇଫ୍’ ଥିଲା ଏକ ବାସ୍ତବତା ଏବଂ ସେମାନଙ୍କ ‘ରିଏଲ୍‌ ଲାଇଫ୍’ ବା ବାସ୍ତବ ଜୀବନରୁ ଯାହା ବି ଯେମିତି ବୁନ୍ଦା ବୁନ୍ଦା ହୋଇ ଝରି ଆସୁଥିଲା ତାକୁ ଘଷିମାଜି ଚଳଚ୍ଚିତ୍ର ପତ୍ରିକାମାନେ ପାଠକମାନଙ୍କ ଆଗରେ ଥୋଉଥିଲେ। ଆଜିକାଲି ଦେଖିବାକୁ ମିଳୁଥିବା ଭଳି ବଲିଉଡ୍‌ ତାରକାଙ୍କ ଖବର ମୁଖ୍ୟସ୍ରୋତ ଗଣମାଧ୍ୟମର ପ୍ରଥମ ପୃଷ୍ଠାର ପ୍ରମୁଖ ଖବର ପ୍ରାୟ ପାଲଟୁ ନ ଥିଲା ବା ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲ ପ୍ରାରମ୍ଭ ହେବା ଦିନ ଠାରୁ ପୂର୍ବରୁ କେବେ ହେଲେ ଏତେ ଦୀର୍ଘକାଳ ଧରି ‘ପ୍ରାଇମ ଟାଇମ’ର ଅଂଶ ପାଲଟୁ ନ ଥିଲା।

ଏହା ପଛରେ ଥିବା କାରଣ ହେଉଛି ବେଶ୍‌ କିଛି କାଳ ଧରି ବଲିଉଡ୍‌ ବିଭିନ୍ନ ଅପରାଧମୂଳକ କଳା କାରନାମାର କ୍ଷେତ୍ର ପାଲଟିଛି। ସମୟ ଅସମୟରେ ପଦାକୁ ଆସୁଛି, ‘କାଷ୍ଟିଂ କାଉଚ୍‌’ରୁ ଆରମ୍ଭ କରି ମାଫିଆ ଲିଂକ୍‌, ‘ମି ଠୁ’ ପର୍ଯ୍ୟନ୍ତରେ ଯାବତୀୟ ବିବାଦ ଏବଂ ଏବେ ଏବେ ନିଷିଦ୍ଧ ଡ୍ରଗ୍‌ସର ସେବନ ଓ କାରବାରକୁ ନେଇ ଚାଞ୍ଚଲ୍ୟକର ତଥ୍ୟ। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଅଭିନେତ୍ରୀ କଙ୍ଗନା ରଣାୱତ ଯେଉଁ ସବୁ ଅଭିଯୋଗ ଉଠାଇଲେ ତାହା କ୍ରମେ ବଲିଉଡରେ ପ୍ରିୟାପ୍ରୀତି ତୋଷଣ, ବହିରାଗତଙ୍କ ଶୋଷଣ, ଯୌନ କାରବାର ତଥା ଡ୍ରଗ୍‌ସ ସେବନ ଆଦି ନେଇ ଅନେକ ବିକୃତି ଉପରୁ ପରଦା ଉଠାଇ ଦେଲା। ଅବଶ୍ୟ, ବଲିଉଡ୍ ସହ ସଂପର୍କ ରଖିଥିବା ଅନେକଙ୍କ ମତରେ କଙ୍ଗନା ଯେଉଁ ସବୁ ଅଭିଯୋଗ ଆଣିଛନ୍ତି, ତହିଁରେ ଶତ ପ୍ରତିଶତ ସତ୍ୟତା ଥାଇ ନ ପାରେ, କିନ୍ତୁ ସେ ସବୁକୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦେଇ ହେବ ନାହିଁ। ପୂର୍ବରୁ ଅନେକ ବଲିଉଡ୍‌ ଅଭିନେତା ଡ୍ରଗ୍‌ସ କବଳରେ ଥିଲେ, ଯେଉଁମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ସଂଜୟ ଦତ୍ତ, ଫରଦିନ୍ ଖାଁ ଓ ବିଜୟ ରାଜ ଇତ୍ୟାଦି। ଏବେ କିନ୍ତୁ ସେମାନଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି ହିରୋଇନ୍‌ମାନେ; ପୁଣି ଦୀପିକା ପାଦୁକୋନଙ୍କ ଭଳି ସଂଭ୍ରାନ୍ତ ଓ ନାମକରା ପରିବାରରୁ ଆସୁଥିବା ଆଗ ଧାଡ଼ିର ନାୟିକା ଏଥିରେ ସଂପୃକ୍ତ ଥିବାର ସନ୍ଦେହ କରାଯାଉଛି। କାରଣ ‘ନାର୍କୋଟିକ୍‌ସ କଂ‌େଟ୍ରାଲ ବ୍ୟୁରୋ’ ବା ‘ଏନ୍‌ସିବି’ ପକ୍ଷରୁ ଶ୍ରଦ୍ଧା କାପୁର, ସାରା ଅଲ୍ଲୀଙ୍କ ସହିତ ଦୀପିକାଙ୍କୁ ସମନ ଜାରି କରାଯାଇଛି।

ତେବେ ଅନେକ ବୁଦ୍ଧିଜୀବୀ କହନ୍ତି ଯେ ବଲିଉଡ୍‌ ଘଟଣାରେ ଡ୍ରଗ୍‌ସ ସହ ଗ୍ଲାମର ଯୋଡ଼ି ହୋଇଥିବାରୁ ଗଣମାଧ୍ୟମ‌ରେ ଏହାକୁ ଅତିରଂଜିତ କରିବାର ପ୍ରବଣତା ଦେଖା ଦେଇଛି। କାରଣ ଏବେ ଡ୍ରଗ୍‌ସ କାରବାର ଯେମିତି ବ୍ୟାପିଛି ତାହା ସବୁ କ୍ଷେତ୍ରରେ ଚେର ମେଲାଇ ସାରିଲାଣି। ତେଣୁ ବଲିଉଡ୍‌ ଅଭିନେତ୍ରୀମାନଙ୍କୁ ଯେମିତି ଜଘନ୍ୟ ଅପରାଧୀ ଭାବେ ଚିତ୍ରଣ କରାଯାଉଛି, ସେଭଳି କରାଯିବା ଅନୁଚିତ। ସତ କଥା, ଡ୍ରଗ୍‌ସ ସେବନ ଓ କାରବାର ଏକ ଜାତୀୟ ସମସ୍ୟାରେ ପରିଣତ ହେଲାଣି। ଏକ ଆକଳନ କହେ ଯେ ଦେଶରେ ପ୍ରାୟ ୧୦ କୋଟି ଲୋକ ଏବେ ନିଷିଦ୍ଧ ନିଶା ସେବନ କରୁଛନ୍ତି। ପୁଣି ଏଥିମଧ୍ୟରେ ଅଧିକାଂଶ ହେଉଛନ୍ତି ସ୍କୁଲ-କଲେଜ ଯାଉଥିବା ପିଲା ଏବଂ ଯୁବକ।

ତେବେ ନିଶ୍ଚିତ ଭାବେ ଏହା ଏକ ଗୁରୁତର ପ୍ରସଙ୍ଗ। କିନ୍ତୁ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିଭିନ୍ନ ଘଟଣାକୁ ନେଇ ଯେମିତି ରାଜନୀତି କରାଯିବା ଆରମ୍ଭ ହୋଇଛି, ସେଭଳି ହେବା ଉଚିତ ନୁହେଁ। ଡ୍ରଗ୍‌ସ ସେବନ ସମସ୍ୟାକୁ ଏକ ଜାତୀୟ ସମସ୍ୟା ବୋଲି ବିଚାର କରି ସବୁ ରାଜନୈତିକ ଦଳ ସଂକୀର୍ଣ୍ଣ ସ୍ବାର୍ଥର ଉପରକୁ ଉଠି ଏଥିରେ ଯୋଗ ଦେବା ଉଚିତ।

ପରିଶେଷରେ ଏତିକି କୁହାଯିବା ଦରକାର ଯେ ଏବେ ବି ବଲିଉଡ୍‌ ତାରକା ଓ କ୍ରିକେଟ୍‌ ଖେଳାଳିମାନେ ଯୁବ ପିଢ଼ି ଲାଗି ଆଦର୍ଶ ହୋଇ ରହିଛନ୍ତି। କ୍ରିକେଟ୍‌ ଖେଳାଳିଙ୍କ ଭଳି ସେମାନେ ମଧ୍ୟ ସେମାନଙ୍କ ପ୍ରତିଭା ଦ୍ବାରା ଆଦର ଓ ସମର୍ଥନ ଲାଭ କରିଛନ୍ତି। ତାହା ବଜାୟ ରଖିବାକୁ ହେଲେ ବଲିଉଡ୍ କଳାକାରମାନେ ଆଦର୍ଶ ସ୍ଥାନୀୟ ଆଚରଣ ପ୍ରଦର୍ଶନ କରିବା ମଧ୍ୟ ଉଚିତ। ବିପୁଳ ଟଙ୍କା, ଗ୍ଲାମର ଓ ବିଳାସର ଚାକଚକ୍ୟରେ ଏଇ ଛୋଟ କଥାଟିକୁ ସେମାନେ ପାଶୋରି ନ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe