ବିବାହର ଧୁମଧାମ!

Advertisment

ସତ୍ୟନାରାୟଣ ଗନ୍ତାୟତ

ସତ୍ୟନାରାୟଣ ଗନ୍ତାୟତ

ବିବାହ ପାଇଁ ଯିବାକୁ ପଡ଼ିବନି ଥାନା, ଘରେ ବସି ମିଳିପାରିବ ଅନୁମତି

pngitem.com

ବିବାହ କଥା ଉଠୁଉଠୁ ଆମ ଜିଭଟି ରୀତିମତ ଖଲଖଲ ହୋଇ ଉଠୁଛି! ଆଉ ଆଉ କଥାଦିରେ ନାକ ପୂରାଇ ନେତି ନେତି ରଟି ଆସୁଥିବା ଆମ ମନଟା ବି ଦେଖୁନା, କେଡ଼େ ଘାଏଁ ଉଚ୍ଛନ୍ନ ହେଉଚି ଗଳଗଳ ଗପି ଯିବାକୁ!

ଅଗତ୍ୟା ଉଗାଳି ଦେଉଛୁ ।

ତ’ ଆମର ସେ ବାହା ବିକଳିଆ ବନ୍ଧୁଙ୍କଠୁ ସୁରୁ କରିବା। ଆଃ ବିଚରା! ଶାଳକ ସହ ନିଜ ଏକ ମାତ୍ର ଭଉଣୀକୁ ବାହା ଦେଇ ନିଜେ ସେ ଅଦଳବଦଳ ବିବାହ ବରଣ କରିଥିଲେ। ହେଲେ ଶାଳକ ପ୍ରବର ଆପଣା ପତ୍ନୀକୁ ଏତେ ସରି ତାଡ଼ନ କଲେ ଯେ ବିଚାରୀ ବାପ ଘରକୁ ଫେରି ଆସିଲା ଓ ତା’ର ସମାନୁପାତିକ ପ୍ରତିକ୍ରିୟା କ୍ରମରେ ଏ ବାବୁ ଜଣକ ବିନା କାରଣରେ ଆପଣା ପତ୍ନୀଙ୍କୁ ମାରଧର କରନ୍ତେ ସେ ବିଚାରୀ ବି ତା’ ବାପ ଘରେ ଯାଇ ହାଜର ହୋଇଗଲା। ଏଇମିତି ଦୁହିଁଙ୍କ ବିବାହ ସୁଖ ଉଃ.... ଆଃ... ସମ୍ବଳିତ ହୋଇ ଏକାନଟେ ଉଭାନ୍ ହୋଇଗଲା।

ହେଲେ ଅବଲୀଳା କ୍ରମେ ଏ ଜଟିଳାବସ୍ଥାର ନିରାକରଣରେ ନିୟୋଜିତ ହେଲେ ଜଣେ ମଧ୍ୟସ୍ଥି, ଯିଏ ଏ ମାମଲାରେ କାଳକ୍ଷେପଣ କରି କରି ଅବଶେଷେ ଏମନ୍ତ ସମାଧାନ ଆମର ଏ ବାବୁଙ୍କ ମଗଜରେ ଭରି ଦେଲେ ଯେ ବାବୁ ଜଣକ ଭଉଣୀର ସଂସାର ବସାଇବା ପାଶୋରି ପକାଇଲେ ଓ ସଭିଙ୍କୁ ଚକିତ କରି ସେଇ ମହାର୍ଘ ମଧ୍ୟସ୍ଥି ମହୋଦୟଙ୍କ କୃଷ୍ଣ ହୀରକ ଜାତୀୟା ଓ ସେ ଯାବତ୍‌ ଅବିବାହିତା କନ୍ୟାଟିକୁ ଚୁପକେ ଚୁପକେ ବାହା ହୋଇ ପଡ଼ିଲେ। ପୁଣି ବଡ଼ ଡହଳବିକଳ ହୋଇ ସର୍ବତ୍ର କହି ବୁଲିଲେ କ’ଣ ନା ତାଙ୍କର ତ ଫେର୍ ଦିହ ବୋଲି ଅଛି ନା ନାଇଁ?

ତେବେ ଏ ବ୍ୟାପାରରେ ଭିନ୍ନତା ପ୍ରଦର୍ଶନ କରିଛନ୍ତି ଆମର ଜନୈକ ଆତ୍ମୀୟ, ଯିଏ ଥିଲେ ଜଣେ ସୌମ୍ୟ ଦର୍ଶନ ଯୁବକ, ଉଚ୍ଚ ପଦରେ ଆସୀନ! ବିବାହ କଥା ଉଠିଲେ ସେ ଟାଳି ଚାଲିଥିଲେ। ଘର ଲୋକ ତାଙ୍କ ଲାଜକୁଳା ସ୍ୱଭାବ କଥା ଜାଣି ବି କାଳେ ପ୍ରେମ ଫ୍ରେମ ହୋଇଗଲା କି ଜାଣିବାର ଚେଷ୍ଟା କରି ନିଶ୍ଚିତ ହୋଇଥିଲେ ଯେ ସେ ତଥାପି ସେଥକୁ ଭାଜନ ନୁହଁନ୍ତି।

ତେବେ ସବୁକିଛି ଯଥାରୀତି ଚାଲିଥିବା ବେଳେ ସେ ଅଚାନକ ଅସୁସ୍ଥ ହୋଇ କିଛି ଦିନ ନର୍ସିଂହୋମ୍‌ରେ ରହିଲେ। ସେଠୁ ସୁସ୍ଥ ହେବା ପରେ ତାଙ୍କୁ ସେବା ପ୍ରଦାନ ପୂର୍ବକ ସୁସ୍ଥ କରାଇବା ସହ ଇଂରେଜୀ ଭାଷାରେ କଥା ହେବା ନେଇ ରହି ଆସିଥିବା ତାଙ୍କ ଦୁର୍ବଳତାକୁ ସତେ ଅବା ପଢ଼ି ପକାଇ ତଦନୁରୂପ ମହୁବୋଳା ଇଂରେଜୀ ବାର୍ତ୍ତାଳାପ କରି ତାଙ୍କ ମନ ଜିଣି ପାରିଥିବା ସେଠିକା ଅନନ୍ୟା ସୁନ୍ଦରୀ ନର୍ସଟି ସହ ବାହୁ ବେଷ୍ଟନୀରେ ଆବଦ୍ଧ ହୋଇ ସିଧା ଗଲେ ବିବାହ ରେଜିଷ୍ଟ୍ରାରଙ୍କ ଅଫିସକୁ। ଆଶ୍ଚର୍ଯ୍ୟ ଚକିତ ବନ୍ଧୁ ପରିଜନଙ୍କ ପ୍ରତି ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟ ଥିଲା: ମୋ ମନ ସେ ନେଲେ, ତାଙ୍କ ମନ ମୁଁ ନେଲି, ବାସ୍!!

ହଁ, ଏଇମିତି କୋଉଠି ଦିହ ଅସମ୍ଭାଳ ହୁଏ, ତ ଆଉ କୋଉଠି ମନ ଦିଆନିଆ ହୋଇଯାଏ ବୋଲି ବିବାହ କୁଆଡ଼େ ଆପେ ଆପେ ହୋଇ ଯାଇଥାଏ।

ଏ ବିଷୟରେ ଆମର ଜନୈକ ଅନୁଭବୀ ବନ୍ଧୁ କହନ୍ତି: ବିବାହ ବୋଇଲେ ବେଶୀ କିଛି ନୁହଁ ମ! ଛ’ ଜଣଙ୍କ ସନ୍ତୋଷ ବିଧାନ ହିଁ ଅସଲରେ ଏହାର ପରିଣାମ। ଏହା ଶୁଣି ଆମେ ଜିଜ୍ଞାସୁସୁଲଭ ଭଙ୍ଗୀରେ ପାଟି ମେଲାଇ ଅନାଇ ରହନ୍ତେ ସେ କହିଲେ ଦେଖ ବାବୁ: କନ୍ୟା ବରକୁ ପାଇ ଖୁସି, ବର କନ୍ୟାକୁ ପାଇ ଖୁସି। ଏ ଦି ଜଣକ ବାଦ୍ ପୁଅର ବାପା ମା’ ପୁଅଟି ମଣିଷ ହୋଇଗଲା ବୋଲି ଖୁସି (ଯେମନ୍ତ ବାହା ନ ହେଲେ ମଣିଷ ବୋଲାଇ ନ ଥାନ୍ତା)! ପୁଣି ବାହା ହୋଇଗଲା ମାନେ ବଂଶ ବଢ଼ିବା ଥୟ କୁଆଡ଼େ! ସେମିତି କନ୍ୟାର ପିତା ଓ ମାତା ବି ଉପରକୁ ଯେତେ କନ୍ୟାଦାନ ଦୁଃଖ ବୋଲି କହୁଥିଲେ ବି ଭିତରେ ଭିତରେ କନ୍ୟାଟିକୁ ଦି ହାତ କରାଇ ପାରିଥିବାରୁ ଖୁସି, ଯେମନ୍ତ ଅବିବାହିତା ଏ ସଂସାର ସାଗରରେ ସୁଦୁ ଡୁବି ମରିବାକୁ ଇ ଜନମିଥାନ୍ତି!

ଆମେ ଜାଣୁ, ଆମର ଏସବୁ ବାହାଘରିଆ କଥାମାନ ଶୁଣି ଆପଣଙ୍କ ଭିତରୁ କେହି କେହି ଜରୁର୍ ଏମନ୍ତ କହିବେ ଯେ ବିବାହ ଏକ ପବିତ୍ର ସାମାଜିକ ଅନୁଷ୍ଠାନ, ଏ କଥା ମନରେ ରଖି ଯା’ ବକିବା କଥା ବକ ହୋ ବାବୁ!

ଆଜ୍ଞା ହଁ, ବିବାହ ଜରୁର୍ ଏକ ଅନୁଷ୍ଠାନ! କହିବାକୁ ଗଲେ ଏ ଅନୁଷ୍ଠାନ ଭିତରେ ତଥାକଥିତ ଧୁମଧାମରେ ବିବାହ କରିବାର ମହାର୍ଘ ବାସନା ନେଇ କେତେ କେତେ ଅନୁଷ୍ଠାନମାନ ନ ରହିଛି ସତରେ?

ତେବେ ଯେଉଁ ମହାନୁଭବ ଜଣକ ‘ମିଷ୍ଟାନ୍ନେ ଇତର ଜନାଃ’ ସନ୍ତୁଷ୍ଟ ବୋଲି କହି ଯାଇଛନ୍ତି, ଏ କ୍ଷଣି ତାଙ୍କୁ ସାମନାରେ ପାଇଲେ ଆମେ ସାଷ୍ଟାଙ୍ଗ ପ୍ରଣାମ କରିବୁ, କହି ରଖୁଛୁ। କାରଣ ଏବେବି ବିବାହ କଥା ଉଠିଲେ ପହିଲେ ଆମକୁ ଜଳଜଳ ଦିଶିଯାଏ ଉଭୟ କ୍ଷୁଧିତ ଓ ଖାଦ୍ୟ ରସିକ ଜନେ ଏକ ଲମ୍ବା ଧାଡ଼ି ବାନ୍ଧି ଥାଳି ହସ୍ତେ ଗେଫି ଯିବାକୁ କି ରକମ ବିକଳାବସ୍ଥା ନେଇ ଶନୈଃ ଶନୈଃ ଆଗେଇ ଚାଲୁଥାନ୍ତି!!

ବିବାହ ସତରେ ଏକ ମହାନ ଅନୁଷ୍ଠାନ! ହଁ, ଧୁମଧାମ କଥା ଯା’ କହିଲ କଥା ବାଗିଆ କଥାଟିଏ ଏକା! ତା’ ମାନେ ବିବାହ ସୁଦୁ ଗୋଟେ ଖୁସି! ନା ଆପଣ କ’ଣ କହୁଛନ୍ତି?

“ସୁହାସିତମ୍”, କସ୍ତୁରୀ ନଗର, ରାୟଗଡ଼ା: ୭୬୫୦୦୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe