ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର : ମହିଳା ଏ ବୋଝ ମୁଣ୍ଡାଇବେ କାହିଁକି?

Advertisment

ସମାଜ ଓ ସ୍ବାସ୍ଥ୍ୟ - ଡାକ୍ତର ସତ୍ୟସ୍ବରୂପ ପଟ୍ଟନାୟକ

ସମାଜ ଓ ସ୍ବାସ୍ଥ୍ୟ - ଡାକ୍ତର ସତ୍ୟସ୍ବରୂପ ପଟ୍ଟନାୟକ

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର : ମହିଳା ଏ ବୋଝ ମୁଣ୍ଡାଇବେ କାହିଁକି?

Women in Black

ଉଦ୍‌ବେଗର ବିଷୟ ଯେ ଭାରତର ପରିବାର ନିୟନ୍ତ୍ରଣ ଯୋଜନାରେ ସମସ୍ତ ଚାପ ମହିଳାଙ୍କ ଉପରେ ପଡ଼ୁଛି। ଏଥିରେ ପୁରୁଷ ପ୍ରାୟତଃ କୌଣସି ଦାୟିତ୍ବ ନେଉନାହାନ୍ତି। ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁସାରେ ୨୦୧୮-୧୯ରେ ସରକାରଙ୍କ ପରିବାର କଲ୍ୟାଣ ଅସ୍ତ୍ରୋପଚାର କାର୍ଯ୍ୟକ୍ରମରେ ୪୧ ଲକ୍ଷ ୪୧ ହଜାର ୫୦୨ଟି ଅସ୍ତ୍ରୋପଚାର ହୋଇଥିବାବେଳେ ତନ୍ମଧ୍ୟରୁ ୪୦ ଲକ୍ଷ ୬୧ ହଜାର ୪୬୨ଟି ମହିଳାଙ୍କ ଠାରେ ହୋଇଥିବାବେଳେ ଅବଶିଷ୍ଟ ପୁରୁଷଙ୍କ ଠାରେ ହୋଇଥିଲା। ଅର୍ଥାତ୍‌ ବର୍ଷକର ମୋଟ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ମହିଳାଙ୍କ ଅ˚ଶ ୯୮% ଥିଲା। ଏ କଥା ଜଣାଶୁଣା ଯେ ଦେଶରେ ସରକାରଙ୍କ ପକ୍ଷରୁ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଅସ୍ତ୍ରୋପଚାରରେ ପୁରୁଷ ଲୋକ ଭାଗ ନେବାକୁ କୁଣ୍ଠିତ। ଗତ ୨୦୧୭-୧୮ ବର୍ଷର ପରିସ˚ଖ୍ୟାନ ଏହାକୁ ସ୍ପଷ୍ଟ କରିଥାଏ। ତେବେ, ପୂର୍ବ ବର୍ଷମାନଙ୍କର ସ୍ଥିତି ଭିନ୍ନ ଥିଲା। ଦେଶର ପରିବାର ବ୍ୟବସ୍ଥା ପୁରୁଷ କୈନ୍ଦ୍ରିକ ହୋଇଥିବାରୁ ପରିବାର ନିୟନ୍ତ୍ରଣ ପାଇଁ ଅସ୍ତ୍ରୋପଚାର କରିବାକୁ ପୁରୁଷମାନେ ନିଜେ ନ ଯାଇ ନିଜ ସ୍ତ୍ରୀମାନଙ୍କୁ ଡାକ୍ତରଖାନା ବା ପରିବାର ନିୟନ୍ତ୍ରଣ ଶିବିରକୁ ପଠାଇ ଦିଅନ୍ତି। ସମାଜରେ ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ସ୍ଥିତିରେ ମହିଳାମାନେ ପଛରେ ଥିବାରୁ ଏବ˚ ପରିବାରର ନିଷ୍ପତ୍ତି ନେବା କାର୍ଯ୍ୟଟି ପାରମ୍ପରିକ ଭାବେ ପୁରୁଷଙ୍କ ଦ୍ବାରା ହେଉଥିବାରୁ ଏଭଳି ଘଟିଥାଏ। ମହିଳା ଓ ପୁରୁଷଙ୍କ ମଧ୍ୟରେ ଏହି ତାରତମ୍ୟ ପକ୍ଷପାତଭରା ନିଶ୍ଚୟ। ଏହାର ଆଉ ଏକ କାରଣ ହେଲା ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଦ୍ବାରା ପୁରୁଷର ପୌରୁଷରେ ହ୍ରାସ ଘଟିବାଜନିତ ଭ୍ରାନ୍ତ ଧାରଣା। କିନ୍ତୁ ଏହା ଅମୂଳକ। ସରକାର ଏପରି ବିଚାରକୁ ବଦଳାଇବା ପାଇଁ ପ୍ରଚାର ଅଭିଯାନରେ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ତାହା ଦୂର ହୋଇନାହିଁ। ଅବଶ୍ୟ ଆଉ ଏକ କାରଣ ହେଲା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ପୁରୁଷଙ୍କ ସ˚ଖ୍ୟା କମ୍‌। ସେମାନଙ୍କ ସ˚ଖ୍ୟା ମାତ୍ର ୫୦ ହଜାର, ଯାହା ଦେଢ଼ ଲକ୍ଷ ହେବା ଉଚିତ। ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା କମ୍‌ ଥିବାରୁ ପୁରୁଷ ବନ୍ଧ୍ୟାକରଣ ବା ଗର୍ଭନିରୋଧକ କଣ୍ଟ୍ରାସେଫ୍‌ଟିଭର ବହୁଳ ବ୍ୟବହାର ଦିଗରେ ହେଉଥିବା ଉଦ୍ୟମ ଅନେକ କ୍ଷେତ୍ରରେ ସଫଳ ହେଉନାହିଁ। ଗ୍ରାମାଞ୍ଚଳରେ ଏହା ବିଶେଷ ଭାବେ ପରିଲକ୍ଷିତ ହେଉଛି।

ଦେଶର ଯେଉଁ ୧୪୫ଟି ଜିଲ୍ଲାରେ ଅଧିକ ସନ୍ତାନ ଜନ୍ମ ହେଉଛନ୍ତି, ସେ ଗୁଡ଼ିକରେ ପରିବାର ନିୟନ୍ତ୍ରଣ ପାଇଁ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ‘ମିସନ ପରିବାର ବିକାଶ’ ନାମକ ଏହି କାର୍ଯ୍ୟକ୍ରମ ଉପରୋକ୍ତ ଜିଲ୍ଲାଗୁଡ଼ିକରେ (ସାତଟି ଉତ୍ତର ତଥା ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଅବସ୍ଥିତ) କାର୍ଯ୍ୟକାରୀ କରାଯିବ। ଏହା କଲା ବେଳେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କୁ ସମାନ ଭାବେ ସାମିଲ କରାଯିବା ଉଚିତ। ଗ୍ରାମାଞ୍ଚଳରେ ହେଉଥିବା ପରିବାର ନିୟୋଜନ ଶିବିର ଗୁଡ଼ିକୁ ଅନେକ ମହିଳା ଅନିଚ୍ଛା ସତ୍ତ୍ବେ ଆସିଥାଆନ୍ତି। ଏହାର କାରଣ ମହିଳାଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପୁରୁଷଙ୍କ ତୁଳନାରେ ଅଧିକ ଜଟିଳ। ସେଥି ଲାଗି ଅନେକ ସମୟରେ ଗ୍ରାମାଞ୍ଚଳରେ ଅନୁଷ୍ଠିତ ହେଉଥିବା ଶିବିରଗୁଡ଼ିକରେ ବିଭିନ୍ନ କାରଣରୁ ମହିଳାମାନେ ବିଭିନ୍ନ ପ୍ରକାର ସଂକ୍ରମଣର ଶିକାର ହୋଇ ଅସୁବିଧାରେ ପଡ଼ନ୍ତି। ୨୦୧୪ରେ ଛତିଶଗଡ଼ରେ ଏକ ସରକାରୀ ଅସ୍ତ୍ରୋପଚାର ଶିବିରରେ ୧୫ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଗତ ମାସରେ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ଯେ ଏଭଳି ବଡ଼ଧରଣର ଶିବିର ସବୁର ଆୟୋଜନ କରା ନ ଯାଉ। କାରଣ ଶିବିର ବଡ଼ ହେଲେ ତାର ପରିଚାଳନା ଅଧିକ କଷ୍ଟକର ହେବ ଓ ବିଭ୍ରାଟର ଭୟ ଅଧିକ ରହିବ। ସେହି ଦୃଷ୍ଟିରୁ କୁହାଯାଇପାରେ ଯେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରର ବୋଝ କେବଳ ମହିଳାଙ୍କ ଉପରେ ଲଦି ଦିଆଯିବା ଅନୁଚିତ। କାରଣ ଏହା ଲିଙ୍ଗଗତ ଅସମାନତାର ଏକ କ୍ରୂର ଉଦାହରଣ।

ସହକାରୀ ପ୍ରଫେସର, ହୃଦ୍‌ନିଶ୍ଚେତକ ବିଭାଗ, ହାଇଟେକ୍‌ ମେଡିକାଲ କଲେଜ, ଭୁବନେଶ୍ବର
ମୋ : ୯୯୦୧୧୪୫୭୯୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe