ଚାଲନ୍ତୁ, ପରଖି ନେବା

Advertisment

ସୃଜନ ପ୍ରକାଶ ଦାସ

ସୃଜନ ପ୍ରକାଶ ଦାସ

ଚାଲନ୍ତୁ, ପରଖି ନେବା

ବିଜ୍ଞାପନ ଶିଳ୍ପ ସହ ଜଡ଼ିତ ବିଶେଷଜ୍ଞମାନେ ଉପଭୋକ୍ତାମାନଙ୍କର ମନସ୍ତତ୍ତ୍ବକୁ ବେଶ ଭଲ ଭାବରେ ବୁଝନ୍ତି। ସେମାନେ ଜାଣନ୍ତି ଯେ କୌଣସି ଏକ ଉତ୍ପାଦର ସଫଳ ବ୍ୟବସାୟ ପଛରେ ସେହି ଉତ୍ପାଦର ଗୁଣବତ୍ତା ଯେତେ ପରିମାଣରେ ଗୁରୁତ୍ୱ ବହନ କରିଥାଏ, ସେହି ଉତ୍ପାଦ ସହିତ ଯୋଡ଼ି ହୋଇ ସାଧାରଣ କ୍ରେତାମାନଙ୍କୁ ପ୍ରଭାବିତ କରିପାରୁଥିବା ‘ରୋଲ ମଡେଲ’ ଯେମିତିକି ସଫଳ କ୍ରୀଡ଼ାବିତ୍‌ କିମ୍ବା ଚଳଚ୍ଚିତ୍ରର ନାୟକ ବା ନାୟିକାମାନଙ୍କ ଗୁରୁତ୍ୱ ମଧ୍ୟ ସେହି ପରିମାଣରେ ଥାଏ। କାରଣ ବଜାର ସହିତ ସଂଶ୍ଳିଷ୍ଟ ମନୋବିଜ୍ଞାନୀମାନଙ୍କର ଦୃଷ୍ଟିରେ ଅସଂଖ୍ୟ କ୍ରେତା କୌଣସି ଦ୍ରବ୍ୟର ବିଜ୍ଞାପନ ଟିଭି ବା ସମ୍ବାଦପତ୍ରରେ ଦେଖି ବିଜ୍ଞାପନର ଶୋଭା ବର୍ଦ୍ଧନ କରୁଥିବା ‘ରୋଲ ମଡେଲ’ମାନଙ୍କ ସହିତ ନିଜକୁ ଯୋଡ଼ି (identify) ଥାଆନ୍ତି। ‘ରୋଲ ମଡେଲ’ମାନେ ଏଭଳି ବ୍ୟକ୍ତିତ୍ୱ ଯେଉଁମାନଙ୍କୁ ଅନେକ ସାଧାରଣ ଲୋକେ ଅନୁସରଣ କରନ୍ତି। ସେମାନଙ୍କ ପରି ଦେଖାଯିବାକୁ, କଥା କହିବାକୁ, ସେହି ଢଙ୍ଗରେ ଚାଲିବାକୁ ଚାହାନ୍ତି। ବେଶଭୂଷା ପରିପାଟୀ- ସବୁ କିଛି ସେମାନଙ୍କ ଭଳି କରିବା ପାଇଁ ମନ କହେ। ଏଭଳି ସ୍ଥଳେ ଏୟା ହୁଏ ଯେ ‘ରୋଲ ମଡେଲ’ମାନେ ଉତ୍ପାଦଟିର ଗୁଣବତ୍ତା ସମ୍ବନ୍ଧରେ ଅତ୍ୟନ୍ତ ବିଶ୍ବାସଯୋଗ୍ୟ ଢଙ୍ଗରେ କହୁଥିବାରୁ ସେମାନଙ୍କ ସ୍ତାବକ-ଗ୍ରାହକମାନେ ଦ୍ରବ୍ୟଗୁଡ଼ିକୁ କିଣି ପକାନ୍ତି। ଏହା ସେହି ଦ୍ରବ୍ୟର ବ୍ୟବସାୟ ସଫଳତା ବୃଦ୍ଧି କରିବାରେ ସହାୟକ ହୋଇଯାଏ। ଏହି କାରଣରୁ ଉତ୍ପାଦକ କମ୍ପାନି କୋଟି କୋଟି ଟଙ୍କାର ବ୍ୟବସାୟ କରନ୍ତି। ଏହା ସହିତ ବିଜ୍ଞାପନର ଶୋଭା ବର୍ଦ୍ଧନ କରୁଥିବା ‘ରୋଲ ମଡେଲ’ମାନେ ମଧ୍ୟ ପ୍ରଚୁର ଉପାର୍ଜନ କରିଥାଆନ୍ତି। କିନ୍ତୁ ଅନେକ ସମୟରେ ଗ୍ରାହକଙ୍କ ଠାରେ ଚୈତନ୍ୟ ଉଦୟ ହୁଏ ଯେ ବିଜ୍ଞାପନରେ ତାଙ୍କ ପସନ୍ଦର ‘ରୋଲ ମଡେଲ୍‌’ କହିଥିବା ଭଳି ଦ୍ରବ୍ୟଟି ତାର ଉତ୍କର୍ଷ ପ୍ରଦର୍ଶନ କରୁନାହିଁ। ସେତିକି ବେଳେ ବୁଝି ହୁଏ ଯେ ବିଜ୍ଞାପନର ସେହି ‘ରୋଲ ମଡେଲ’ଙ୍କ କଥାର ସତ୍ୟତାକୁ ପରଖି ନେବା ହୁଏ’ତ ଉଚିତ ହୋଇଥାଆନ୍ତା।

ତେବେ, କେବଳ ବ୍ୟବସାୟ କ୍ଷେତ୍ର ନୁହେଁ, ଆମ ଦୈନନ୍ଦିନ ଜୀବନରେ ମଧ୍ୟ ଆମ ଜାଣତରେ ବା ଅଜାଣତରେ ଏହି ଭଳି ଅନେକ ବ୍ୟକ୍ତିତ୍ବଙ୍କ ଦ୍ବାରା ପ୍ରଭାବିତ ହୋଇଥାଉ, ଯେଉଁମାନଙ୍କ ବିଚାର ବା ସିଦ୍ଧାନ୍ତ ଅଥବା ଚିନ୍ତାଧାରାକୁ ଆମେମାନେ ବିନା ପ୍ରଶ୍ନରେ ଗ୍ରହଣ କରିନେଉ। ସେମାନେ ମଧ୍ୟ ଆମ ଲାଗି ‘ରୋଲ ମଡେଲ’ ପାଲଟି ଯାଆନ୍ତି। ତେବେ ସେହି ପରିପ୍ରେକ୍ଷୀରେ ବେଳେ ବେଳେ ଏମିତି ବି ଘଟଣା ଘଟିଯାଏ, ଯାହା ଦ୍ବାରା ବୁଦ୍ଧି ଉଦୟ ହୋଇଥାଏ ଯେ କୌଣସି ବସ୍ତୁ ଭଳି ଯେ କୌଣସି ବ୍ୟକ୍ତି ବା ତାଙ୍କ ତତ୍ତ୍ବକୁ ଗ୍ରହଣ କରି ନେବା ପୂର୍ବରୁ ପରଖି ନେବା ଉଚିତ ହୋଇଥାଆନ୍ତା।

ସ୍ୱାମୀ ବିବେକାନନ୍ଦ ଶ୍ରୀରାମକୃଷ୍ଣଙ୍କୁ ଗୁରୁ ଭାବରେ ବରଣ କରିବା ପାଇଁ ଚାହିଁବାରୁ ଶ୍ରୀରାମକୃଷ୍ଣ ତାଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ଗୁରୁଙ୍କୁ ପ୍ରଥମେ ପରଖି ନିଅନ୍ତୁ। ବୌଦ୍ଧ ଧର୍ମର ଏକ ଶାଖା ‘ଜେନ୍‌ ବୁଦ୍ଧିଜମ’ରେ ଗୁରୁମାନେ ଶିଷ୍ୟଙ୍କୁ ଓ ଶିଷ୍ୟମାନେ ଗୁରୁଙ୍କୁ ପରଖି ନେବାର ଅନେକ ପ୍ରାଜ୍ଞ କାହାଣୀମାନ ରହିଛି। ସୁଫି ବାଦରେ ମଧ୍ୟ କୌଣସି ବିଚାରକୁ ଗ୍ରହଣ କରିବା ପୂର୍ବରୁ ପରଖିିବା ଉପରେ ଗୁରୁତ୍ବ ଦିଆଯାଏ। କିନ୍ତୁ ଏବେ ବିନା ପରଖି ଗୁରୁ କରାଯାଉଥିବାରୁ ଦେଖାଯାଉଛି ଅନେକ ସମୟରେ କେତେକ ଗୁରୁ ଆଦର୍ଶସ୍ଥାନୀୟ ନୁହନ୍ତି ବୋଲି ଜଣାପଡ଼ିବା ପରେ ହଜାର ହଜାର ଭକ୍ତ ମୁହ୍ୟମାନ ହୋଇ ଦିଗ ହରାଇ ବସୁଛନ୍ତି। କାରଣ ସେମାନେ ଯାହାଙ୍କୁ ଭଗବାନ ବୋଲି ବିଚାର କରିଥିଲେ ସେମାନେ ଯେ ଅତ୍ୟନ୍ତ ନୀଚ ସ୍ତରୀୟ ବ୍ୟକ୍ତି ତାହା ଅନେକ ସମୟରେ ପ୍ରମାଣିତ ହେଉଛି। ସେତିକି ବେଳେ ଭାବନା ଆସୁଛି ପରଖି ନେଇଥିଲେ ଭଲ ହୋଇଥାଆନ୍ତା।

ଚମର କଳା ରଙ୍ଗକୁ ଗୋରା କରିବାର କ୍ରିମ୍‌ ହେଉ ବା ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଜମାରାଶି ଦ୍ବିଗୁଣିତ କରିବାର ଯୋଜନା ହେଉ ଅଥବା ମନକୁ ପ୍ରଭାବିତ କଲା ଭଳି କୌଣସି ବିଚାର ବା ତତ୍ତ୍ବ ହେଉ; ସେ ସବୁକୁ ଗ୍ରହଣ କରିବା ପୂର୍ବରୁ ପରଖି ନେବା ଜରୁରୀ। କୌଣସି ଦ୍ରବ୍ୟ ହେଉ ବା ତତ୍ତ୍ବ; ତାର ପ୍ରଚାର-ପ୍ରସାର କରୁଥିବା ବ୍ୟକ୍ତିତ୍ବମାନେ ଯେତେ ଆକର୍ଷଣୀୟ ହେଲେ ମଧ୍ୟ ଆମେ ମୋହାଚ୍ଛନ୍ନ ହେବା ଉଚିତ ନୁହେଁ। ସର୍ବଦା ସବୁ କିଛି ପରଖି ନେବା ଉଚିତ।

sroojan1965das@gmail.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe