ବର୍ଷା, ବରଗଛ ଓ କବିତା

ଜ୍ଞାନ ବିଜୟିନୀ ବେଉରା

ଶୁଦ୍ଧ ଅମ୍ଳଜାନ ଆହରଣ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ, ଦିନକୁ ୧୧ ହଜାର ଲିଟର ଅମ୍ଳଜାନ ଆବଶ୍ୟକ

Pinterest

ଝଙ୍କା ବରଗଛ। ଡାଳରୁ ତା’ର ତଳକୁ ଲମ୍ବି ଆସିଥାଏ ଶହ ଶହ, ହଜାର ହଜାର ଓହଳ। ଓହଳମାନଙ୍କ ଅଗ୍ରଭାଗ କେଡ଼େ କଅଁଳ! ଦେହରେ ବାଜିଲେ ଲୋମ ଟାଙ୍କୁରି ଉଠେ। ଶୀତେଇ ଯାଏ ତନୁମନ। ଭାରି ଭଲ ଲାଗେ, ପିଲା ବେଳେ ବର ଓହଳ ତଳେ ଖେଳିବାକୁ। ଯେମିତି ଭଲ ଲାଗେ ଏ ବର୍ଷା! କଳା ଘୁମର ମେଘ ଆଚ୍ଛାଦିତ ଆକାଶ ମୋତେ ଦେଖାଯାଏ ଠିକ୍‌ ବରଗଛ ପରି ଆଉ ଆକାଶରୁ ଝରୁଥିବା ବର୍ଷାଧାରା ପୂରାପୂରି ମୋତେ ଦିଶେ ଅସ˚ଖ୍ୟ ବର ଓହଳ ଭଳି! ସତେକି ଆଉ କିଛି ହିଁ ନୁହେଁ। କେବଳ ବରଗଛ। ମୁଁ ଧାଇଁଯାଏ ଖେଳିବାକୁ। ଝୁଲିବାକୁ। ଝୁମିବାକୁ। ଭିଜିବାକୁ।

ବର୍ଷା ଏକ ସୁନ୍ଦର ଅନୁଭବ। ମନର ରିମ୍‌ଝିମ୍‌ ଆବେଗ। କାହାକୁ ଭଲ ନ ଲାଗେ ବର୍ଷା! କିଏବା ଉପଭୋଗ ନ କରେ ତାକୁ? ନୀଳାକାଶରେ ମେଘ ଘୋଟି ଆସିବା ଦେଖି ମୟୂର ନାଚି ନାଚି ତା’ ଖୁସିକୁ ବ୍ୟକ୍ତ କରେ। ବର୍ଷା ଟୋପା ଶୁଖିଲା ଭୂଇଁରେ ପଡ଼ିଲେ ମାଟିରୁ ବାସ୍ନା ଉଠେ। ବିଭୋର ହୋଇଯାଏ ଧରା। ଧରାର ସନ୍ତାନ ଖୁସି ହୁଏ। ବର୍ଷା ତା’ କ୍ଷେତରେ ସବୁଜିମା ଭରିଦିଏ। ଫସଲ ଫଳାଏ। ଭାବୁକ ମନରେ ଫୁଟାଏ ଜୁଇ, ଜାଇ, ହେନା ଓ ମଧୁମାଳତୀ।

ଭାବୁକ ପାଲଟେ କବି। କେତେବେଳେ ବର୍ଷାର ଅଗଣିତ ଧାରା କବିର ଚାତକ ମନ ପାଇଁ ହୋଇଯାଏ ଅତୃପ୍ତିର ସମାରୋହ। କେବେ ପୁଣି ବର୍ଷା ପାଲଟିଯାଏ ତା’ ପ୍ରେମିକା ଆଖିର ଲୁହ। ବର୍ଷା ମନେ ପକାଇ ଦିଏ ବିତି ଯାଇଥିବା ଖୁସିର ରିଆଜ। ମନେ ପକାଇ ଦିଏ ଏମିତି କିଛି ମୁହୂର୍ତ୍ତ ଯାହା ଦୁଃଖ ଦୋହଦର ଭିଜାଭିଜା କୋହର ସଙ୍ଗୀତ। କବିର ଆଖିରେ ଥାଏ ଅଣୁବୀକ୍ଷଣ ଦୃଷ୍ଟି। ସେ ଦେଖେ ବିନ୍ଦୁ ବିନ୍ଦୁ ବର୍ଷା ଜଳ ମିଶି ସୃଷ୍ଟିି କରେ ସ୍ବଚ୍ଛ ଜଳଧାରା। ଛୋଟ ଛୋଟ ଜଳଧାରା ଏକ ନଈ ହୋଇ ବହିଯାଏ। ଅସ˚ଖ୍ୟ ନଈରୁ ସୃଷ୍ଟି ହୁଏ ସମୁଦ୍ର। ବର୍ଷାର ଏ କ୍ରମବିକାଶ କି ଚମତ୍କାର! ଉଲ୍ଲସି ଉଠେ କବିର ହୃଦୟ।

ସାଧାରଣ ମଣିଷଟିଏ ବର୍ଷାରେ କେବଳ ଓଦା ହୁଏ। କବିର ତନୁ ଓ ମାନସ ବର୍ଷାରେ ମଜ୍ଜି ଯାଏ। ତା’ ହୃଦୟର ଉର୍ବର ଭୂମି ଭିଜେ। ଭିଜା ମାଟିର ମହକରୁ ସୃଷ୍ଟି ହୁଏ ସମୁଦ୍ରେ କବିତା। କୁହରି ଯାଏ ଆକାଶ ଆକାଶ ବ୍ୟାପୀ ନୀଳ ପା˚ଶୁଳ ବିରହ ଗାଥା। ବର୍ଷା କେବଳ କବିତା କବିତା ଲାଗେ। ଫ୍ରକ୍‌ ପିନ୍ଧା ଛୋଟ ଝିଅଟେ ହୋଇ ‘କବିତା’ ନାଚୁଥାଏ ଅଗଣାରେ। ସମସ୍ତଙ୍କ ଅଜାଣତରେ। ଅଛାଡ଼ ବର୍ଷାରେ। କୁନି ଝିଅ ‘କବିତା’ ବର୍ଷାରେ ଭିଜି ଭିଜି ଆକାଶକୁ ଚାହିଁ ପଚାରେ ତା’ ମନ ଗହନର ଦୂର ବନସ୍ତରେ ହଜି ଯାଇଥିବା ମାନସୀ ବନ ଝରଣାର ଠିକଣା। ରମାକାନ୍ତୀୟ ଠାଣିରେ ପଚାରେ ଆକାଶ! ତୁ କାନ୍ଦୁଛୁ...? କେତେ ପୋଖରୀ, ନଈ, ସମୁଦ୍ରରୁ ଏତେ ପାଣି କେତେବେଳେ ଚୋରେଇ ନେଇଛୁ ଯେ, ତୋ ଲୁହର ଝରଣା ସରୁନି?

ଅକବି ମଣିଷ କି ଏକଥା କିଛି ବୁଝିପାରେ! ତା’ ମନଟି କେବଳ ଥାଏ ତା’ କ୍ଷେତର ଫସଲ ଉପରେ। କେବେ ଉଧେଇଯିବ କି କାଳେ ଉଜୁଡ଼ିଯିବ ତା’ ଫସଲ; ଏଇ ଆଶା ଆଶଙ୍କାରେ ବତରୁ ଥାଏ ତା’ ମନ। ତା’ର ପରିଚିତ ଅଗଣା, ଧାନ ଖଳା, ଗୋରୁ ଗୁହାଳ, ଫୁଲ ବଗିଚା ଓ ଶସ୍ୟ କ୍ଷେତର ମାୟାକୁ ଡେଇଁ ଆଗକୁ ଯାଇ ପାରେନା ତା’ ଭାବନା। ତା’ ଟିକି ସ˚ସାରର ତେଲ ଲୁଣର କଥା ହିଁ ତା’ ଭାବ ବସ୍ତୁ। ସେ କବି ହୋଇଗଲେ ଭାସିଯିବ ତା’ ସ˚ସାର ବର୍ଷାର ପ୍ରଖର ଧାରାରେ ଯେ! ତା’ ପାଇଁ କେତେବେଳେ ବର୍ଷା ତା’ ଜୀବିକା ରାସ୍ତାରେ ତିଆରି ଦିଏ ବାଧା-ହିଡ଼ଟିଏ ତ କେବେ ପାଲଟିଯାଏ ନୂଆପାଣିର ସ୍ବାଦ ବାରି ପୋଖରୀରୁ ଉଠି ଆସୁଥିବା ଶେଉଳ, ଗଡ଼ିଶ ଓ କଉମାଛମାନଙ୍କର ଉଲ୍ଲସିତ ସମ୍ଭାବନାଟିଏ।

କବିର ଦୃଷ୍ଟି କିନ୍ତୁ ଭୂମିରୁ ଭୂମା, ଅଗଣାରୁ ଅନ୍ତରୀକ୍ଷ ଓ ସରହଦରୁ ଚଉଦ ବ୍ରହ୍ମାଣ୍ତ ପର୍ଯ୍ୟନ୍ତ ପହଁରିଯାଏ ବର୍ଷାର ଅସମାପ୍ତ ଧାରାରେ। ବର୍ଷାକୁ ଦେଖି ସେ ଗୁଣୁଗୁଣେଇ ହୁଏ କେତେ ଗୀତ ଛନ୍ଦାନୁପ୍ରାସ ଯମକରେ ମନକୁ ମନ। ଆଉ କାଗଜ କଲମରେ ଅନାୟାସ କ୍ରମେ ଗାରେଇ ହେଉଥାଏ କେତେ ମଧୁସ୍ରାବୀ କବିତାର ନକ୍‌ସା।

ସେସବୁ କବିତାର ପ୍ରତିଟି ଅକ୍ଷର ଦିଶେନି କି ଟୋପା ଟୋପା ବର୍ଷାବିନ୍ଦୁ ପରି! ମୋତେ ଦିଶେ କବିତା ବଦଳରେ କାଗଜ ଉପରେ ପଡ଼ିଛି ଏକ ଝଙ୍କା ବରଗଛର ଛାଇ।

ସାହାସପୁର, ଉତ୍ତରକୂଳ, କଟକ
ମୋ: ୮୨୮୦୦୭୯୫୦୩

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe