ବଞ୍ଚି ରହୁ ସବୁଜ ପାହାଡ଼

Advertisment

ଅଲେଖ ଚନ୍ଦ୍ର ସାମଲ

ଅଲେଖ ଚନ୍ଦ୍ର ସାମଲ

ବଞ୍ଚି ରହୁ ସବୁଜ ପାହାଡ଼

kindpng

ଅନେକ ହୁଏତ ଜାଣି ନ ଥିବେ ଯେ ଆଜି ହେଉଛି ‘ଇନ୍‌ଟରନେସନାଲ ମାଉନ୍‌ଟେନ୍‌ ଡେ’ ବା ‘ଆନ୍ତର୍ଜାତିକ ପର୍ବତ ଦିବସ’। ଜାତିସ˚ଘର ସାଧାରଣ ପରିଷଦର ନିଷ୍ପତ୍ତିକ୍ରମେ ୨୦୦୩ରୁ ଡିସେମ୍ବର ୧୧ ତାରିଖଟିକୁ ଉପରୋକ୍ତ ଦିବସ ରୂପେ ପାଳନ କରାଯାଉଛି। ଜଙ୍ଗଲ ଭଳି ପର୍ବତ ମଧ୍ୟ ଏବେ ଅନେକ ମାତ୍ରାରେ ଧ୍ବ˚ସାଭିମୁଖୀ। ତେଣୁ ପର୍ବତମାଳାର ଧାରଣକ୍ଷମ ଓ ସାମଗ୍ରିକ ବିକାଶ, ତାର ସବୁଜିମା ରକ୍ଷା ଆଦି ବାବଦରେ ସମସ୍ତଙ୍କୁ ସଚେତନ କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ପର୍ବତ ଉଭୟ ଜୀବଜନ୍ତୁ ତଥା ମଣିଷଙ୍କ ବାସସ୍ଥାନ। ଅତ୍ୟନ୍ତ ପ୍ରାଚୀନ କାଳରେ ବା ପୁରାତନ ପ୍ରସ୍ତର ଯୁଗ ପୂର୍ବରୁ ମାନବମାନେ ପର୍ବତ ଗୁମ୍ଫାରେ ବାସ କରୁଥିଲେ। ଆଜି ମଧ୍ୟ ବହୁ ସ˚ପ୍ରଦାୟର ଲୋକ ପର୍ବତକୁ ଛାଡ଼ି ପାରିନାହାନ୍ତି, ପର୍ବତ କ୍ରୋଡ଼ରେ ଜୀବନ ବିତାଉଛନ୍ତି। ହିନ୍ଦୁଙ୍କ ପାଇଁ ପର୍ବତ ସ୍ବୟ˚ ଦେବତା ଓ ଦେବଭୂମି। ସମସ୍ତଙ୍କ ହିତ ପାଇଁ ପର୍ବତ ସୁରକ୍ଷିତ ରହିବା ଜରୁରୀ।

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମେ ସ୍ଥାନୀୟ ଭାବେ ପର୍ବତ ଦିବସ ପାଳନ କରାଯିବା ଆରମ୍ଭ ହୋଇଥିଲା। ୧୮୩୮ ମସିହାରେ ମାଉଣ୍ଟ୍ ହୋଲିଓକ୍‌ କଲେଜର ବିଦ୍ୟାର୍ଥୀମାନେ ହୋଲିଓକ୍‌ ପର୍ବତ ଉପରେ ପ୍ରଥମ ପର୍ବତ ଦିବସ ପାଳନ କରିଥିଲେ। ତାହା ପରେ ଆମେରିକାର ବିଭିନ୍ନ ଅଂଚଳରେ ପର୍ବତ ଦିବସ ପାଳନ କରାଯିବା ଆରମ୍ଭ ହୋଇଥିଲା।

ଆମ ଦେଶ ପାହାଡ଼ ପର୍ବତରେ ପରିପୂର୍ଣ୍ଣ। ଆମ ଦେଶର ପୂର୍ବ ଓ ପଶ୍ଚିମ ପାର୍ଶ୍ବରେ ଥିବା ପୂର୍ବ ଓ ପଶ୍ଚିମଘାଟ ପର୍ବତମାଳା ତଥା ଉତ୍ତରରେ ଥିବା ଅନନ୍ୟ ହିମାଳୟ ପର୍ବତମାଳା ଆମ ଦେଶରେ ପାର୍ବତ୍ୟ ଉପସ୍ଥିତିର ଉଦାହରଣ। ଏହା ଛଡ଼ା ମଧ୍ୟ-ଭାରତରେ ମଧ୍ୟ ଅନେକ ପର୍ବତ ରହିଛି। ଆମ ଦେଶର ପାର୍ବତ୍ୟାଂଚଳରେ ବହୁ ଜନଜାତି ବାସ କରନ୍ତି। ଆମ ଦେଶର ପ୍ରାୟ ୨୭ ଭାଗ ପାହାଡ଼ ପର୍ବତରେ ଭରା। ଜୈବ ବିବିଧତା ଦୃଷ୍ଟିରୁ ହେଉ ବା ବିଭିନ୍ନ ନଦୀର ଉତ୍ପତ୍ତି ସ୍ଥଳ ଭାବେ ହେଉ; ଆମ ଦେଶର ଭାଗ୍ୟ ଯେ ଏହାର ପର୍ବତମାଳାଗୁଡ଼ିକ ଦ୍ବାରା ନିୟନ୍ତ୍ରିତ ଏହା କହିବା ବାହୁଲ୍ୟ ମାତ୍ର।
ଭାରତ ଭଳି ପୃଥିବୀ ପୃଷ୍ଠର ପ୍ରାୟ ୨୭ ପ୍ରତିଶତ ପାର୍ବତ୍ୟାଂଚଳରେ ପରିପୂର୍ଣ୍ଣ। ବିଭିନ୍ନ ଜନଜାତିର ପ୍ରାୟ ୭୨୦ ନିୟୁତ ଲୋକ ଏହି ପାର୍ବତ୍ୟାଂଚଳରେ ବସବାସ କରନ୍ତି। ପାହାଡ଼ର ଝରଣାର ଜଳ ଏବଂ ପାହାଡ଼ୀ ଜଙ୍ଗଲରୁ ଜାଳେଣି ଓ ଖାଦ୍ୟ ଏମାନଙ୍କ ଜୀବନ ଧାରଣରେ ସହାୟକ ହୋଇଥାଏ। କିନ୍ତୁ ଦୁଃଖର ବିଷୟ ଏହାର ମୂଲ୍ୟକୁ ହୃଦୟଙ୍ଗମ କରି ପାରୁ ନଥିବାରୁ ପାହାଡ଼ଗୁଡ଼ିକ ଉପରେ ଥିବା ଜଙ୍ଗଲ ପଦା କରି ଦିଆଯାଇ ବସତି ସ୍ଥାପନ କରାଯାଉଛି ବା ଚାଷବାସ ଲାଗି ଏହି ଜଙ୍ଗଲକୁ ପୋଡ଼ି ଦିଆଯାଉଛି। ଏହାର ପ୍ରତିକୂଳ ପ୍ରଭାବ ପରିବେଶ ଉପରେ ପଡୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜାତିସ˚ଘ ପକ୍ଷରୁ ପର୍ବତର ଗୁରୁତ୍ବ ଉପରେ ଦୃଷ୍ଟି ଦେଇ ସଚେତନତା ସୃଷ୍ଟି ଲାଗି ଗଲା ସତର ବର୍ଷ ଧରି ଉଦ୍ୟମ କରାଯାଉଛି। ସେହି କ୍ରମରେ ନୂଆ ନୂଆ ଢିପ ସ୍ଥାନ ଚିହ୍ନଟ କରି ସେସବୁକୁ ସବୁଜମୟ କରିବା ପାଇଁ ଆହ୍ବାନ ଦିଆଯାଉଛି। ଏହା ଦ୍ବାରା କୃତ୍ରିମ ଉପାୟରେ ନୂଆ ପର୍ବତମାନ ମୁଣ୍ଡ ଟେକିବେ।

‘ମାଉନ୍‌ଟେନ୍ ଫାର୍ମି˚’ ବା ‘ପାର୍ବତ୍ୟ ଚାଷ’ ଭଳି ବିଷୟବସ୍ତୁକୁ ନେଇ ଚଳିତ ବର୍ଷ ‘ଆନ୍ତର୍ଜାତିକ ପାହାଡ଼ ଦିବସ’ ପାଳନ କରାଯାଉଛି। ପାହାଡ଼ ଉପରେ କିପରି ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଇପାରିବ, ସେ ଦିଗରେ ଚାଷୀମାନଙ୍କୁ ବିଶେଷ ଜ୍ଞାନ ପ୍ରଦାନ କରାଯାଉଛି। ପର୍ବତର କିଛି ଅଂଶରେ ଚାଷବାସ କରି ଖାଦ୍ୟ ଉତ୍ପାଦନକୁ ବୃଦ୍ଧି କରିବା ସହିତ ଉଷର ଜମିକୁ ଉତ୍ପାଦନଶୀଳ କରିବା ଏହି ଉଦ୍ୟମର ଲକ୍ଷ୍ୟ। ପାର୍ବତ୍ୟାଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ଏହି ସଂଦର୍ଭରେ ବି‌େଶଷ ପ୍ରଶିକ୍ଷଣ ପ୍ରଦାନ କରାଯିବାର ଲକ୍ଷ୍ୟ ସ୍ଥିର କରାଯାଇଛି। ‘ଇଣ୍ଟରନେସନାଲ ପ୍ରୋଗ୍ରାମ ଅନ୍‌ ରିସର୍ଚ୍ଚ ଆଣ୍ଡ୍ ଟ୍ରେନି˚ ଅନ୍‌ ସଷ୍ଟେନ୍‌ବଲ ମ୍ୟାନେଜମେଣ୍ଟ୍ ଅଫ୍‌ ମାଉନ୍‌ଟେନ୍ ଏରିଆଜ୍‌ ପ୍ରୋଜେକ୍‌ଟ’ ବା ପାର୍ବତ୍ୟାଂଚଳର ଧାରଣକ୍ଷମ ପରିଚାଳନା ସଂପର୍କିତ ଗବେ‌ଷଣା ଓ ପ୍ରଶିକ୍ଷଣ ପ୍ରକଳ୍ପ ମାଧ୍ୟମରେ ପାର୍ବତ୍ୟାଂଚଳରେ ବାସ କରୁଥିବା ଜନଜାତି ପରିବାରକୁ ପାହାଡ଼ ଉପରେ ଚାଷ କରିବାର ନୂଆ ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ଦିଆଯିବ, ଯାହା ଫଳରେ ସେମାନେ କରି ଆସୁଥିବା ପାରଂପରିକ ପର୍ବତ ବିନାଶୀ ଚାଷ ପ୍ରକ୍ରିୟା ବନ୍ଦ ହୋଇ ପାରିବ। ‘ମାଉନ୍‌ଟେନ୍ ଫାର୍ମି˚ ଇଜ୍‌ ଫ୍ୟାମିଲି ଫାର୍ମି˚’ ବା ‘ପର୍ବତରେ ଚାଷ ହେଉଛି ପରିବାର ଲୋକଙ୍କ ଚାଷ’ ବୋଲି ଏକ ସ୍ଲୋଗାନ ଚଳିତ ବର୍ଷ ‘ଫୁଡ୍ ଆଣ୍ତ ଏଗ୍ରିକଲ୍‌ଚରାଲ୍‌ ଅର୍ଗାନାଇଜେସନ୍‌’ ବା ‘ଏଫ୍‌.ଏ.ଓ.’ ପକ୍ଷରୁ ଦିଆଯାଇଛି। ପାହାଡ଼ ଉପରେ ଚାଷ କରାଯାଇ ଫସଲ ତଥା ସବୁଜ ପନିପରିବା ଉତ୍ପାଦନ କରାଯାଇପାରିଲେ, ତାହା ଦେଶର ଅର୍ଥନୈତିକ ଉନ୍ନତିରେ ସହାୟକ ହେବା ସହିତ ପାର୍ବତ୍ୟାଂଚଳ ଅଧିବାସୀଙ୍କ ଜୀବିକାର ବାଟରେ ପରିବର୍ତ୍ତନ ଆଣି ପାରିବ ଏବଂ ତାହା ଦ୍ବାରା ସେମାନଙ୍କ ଦାରିଦ୍ର୍ୟ ହ୍ରାସ କରାଯାଇ ପାରିବ।

ସେହିଭଳି ପାହାଡ଼କୁ ସବୁଜମୟ ଓ ଆକର୍ଷଣୀୟ କରିବା ବା କୃତ୍ରିମ ପାହାଡ଼ ସୃଷ୍ଟି କରିବା ଦ୍ବାରା ପର୍ଯ୍ୟଟକଙ୍କୁ ଆକର୍ଷଣ କରାଯାଇ ତହିଁରୁ ମଧ୍ୟ ଆୟ କରାଯାଇପାରିବ। କିନ୍ତୁ ଏହା କରାଗଲା ବେଳେ ମନେ ରଖିବାକୁ ହେବ ଯେ ପର୍ବତ ଭଳି ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପରିସଂସ୍ଥାର ପରିଚାଳନାକୁ ଅତ୍ୟନ୍ତ ସତର୍କତାର ସହିତ କରିବାକୁ ହେବ। ପର୍ଯ୍ୟଟନ ହେଉ ବା ଚାଷବାସ; ଏହା ଦ୍ବାରା ପରିବେଶ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥାଏ। ପାହାଡ଼ଗୁଡ଼ିକ ଯେମିତି ତଦ୍ଦ୍ବାରା କ୍ଷତିଗ୍ରସ୍ତ ନ ହୁଅନ୍ତି, ତାହା ସର୍ବାଧିକ ଗୁରୁତ୍ବ ଲାଭ କରିବା ଉଚିତ। ବିଧିର ବିଡ଼ମ୍ବନା ଆମ ଦେଶର ସବୁ ପାର୍ବତ୍ୟାଂଚଳ ଅନେକ ଧାତୁ ଓ ଖଣିଜର ଗନ୍ତାଘର। ସେସବୁର ଉତ୍ତୋଳନ ଲାଗି ପାହାଡ଼ର ଧ୍ବଂସଲୀଳା ଚାଲିଛି, ଯାହା ଉଦ୍‌ବେଗଜନକ ଭାବେ ଆମ ଦେଶର ପରିବେଶକୁ କ୍ଷତିଗ୍ରସ୍ତ କରିଛି। ପୁନଶ୍ଚ ଆମ ଦେଶରେ ପର୍ବତଗୁଡ଼ିକର ଆଧ୍ୟାତ୍ମିକ ଆବେଦନ ରହିଛି। ସେହି ଦୃଷ୍ଟିରୁ ଆମ ଦେଶ ଲାଗି ପର୍ବତଗୁଡ଼ିକର ସୁରକ୍ଷା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ।

(ଅନ୍ତର୍ଜାତୀୟ ପର୍ବତ ଦିବସ ଅବସରରେ)
ମୋ: ୯୪୩୭୨୫୭୧୨୩

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe