୨୦୨୧ ଓ ତାର ବହୁ ଆଗକୁ

Advertisment

ସୁଖ-ଦୁଃଖ - ଲମ୍ବୋଦର ପ୍ରସାଦ ସି˚ହ

ସୁଖ-ଦୁଃଖ - ଲମ୍ବୋଦର ପ୍ରସାଦ ସି˚ହ

୨୦୨୧ ଓ ତାର ବହୁ ଆଗକୁ

Financial Times

ମଣିଷର ଗଣନାରେ ସମୟର ପୃଷ୍ଠା ଲେଉଟି ଗଲା। ଯାଉ ଯାଉ ୨୦୨୦ ଛାଡ଼ି ଦେଇଯାଇଛି କିଛି ଚିହ୍ନ ମଣିଷ ଓ ପୃଥିବୀର ସ୍ମୃତିପଟରେ। ହ୍ବାଟ୍‌ସଆପ୍‌ରେ ଘୂରି ବୁଲୁଥିବା ହାସ୍ୟୋଦ୍ଦୀପକ ବାର୍ତ୍ତାଟିଏ ଥିଲା, ‘ମୁଁ ଏ ବର୍ଷଟିକୁ ମୋ’ ବୟସରେ ଯୋଡ଼ିବି ନାହିଁ କାରଣ ମୁଁ ଏହାକୁ ବ୍ୟବହାର କରିନି’! ୨୦୨୦ ବର୍ଷଟି ପ୍ରକୃତ‌େର ଥିଲା ଏକ ବେଦନାସିକ୍ତ ବୀଭତ୍ସ ବର୍ଷ।

୨୦୨୦ ଖୋଲୁ ନ ଖୋଲୁଣୁ ଚତୁର୍ଦ୍ଦିଗରେ ଖେଳି ଯାଇଥିଲା ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଜନିତ କୋଭିଡ୍‌-୧୯ ମହାମାରୀର ଆତଙ୍କ। ଧୀରେ ଧୀରେ ପୃଥିବୀର ସମସ୍ତ ଦେଶ ଏହାର କବଳିତ ହେଲେ। ମାର୍ଚ୍ଚ ୧୧ ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ (WHO) ଏହାକୁ ଏକ ଜାଗତିକ ମହାମାରୀ ବା ପାଣ୍ତେମିକ୍‌ ବୋଲି ଘୋଷଣା କଲେ। ଧନୀ, ଗରିବ, ବଡ଼, ସାନ; ସମସ୍ତେ ରୋଗରେ ଆକ୍ରାନ୍ତ ହେଲେ। ଆମେରିକା, ବ୍ରାଜିଲ, ଫ୍ରାନ୍‌ସର ରାଷ୍ଟ୍ରପତି, ଇ˚ଲଣ୍ତର ରାଣୀ ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ରୋଗଗ୍ରସ୍ତ ହେଲେ। ୨୦୨୦ ସରିବା ବେଳକୁ ପୃଥିବୀରେ ୭.୯୮ କୋଟି ଓ ୧.୭୫ ନିୟୁତ ଲୋକ, ଭାରତରେ ୧୦.୨ ନିୟୁତ ଓ ୧.୪୭ ଲକ୍ଷ ଏବ˚ ଓଡ଼ିଶାରେ ୩.୨୮ ଲକ୍ଷ ଓ ୧୮୫୩ ଜଣ ଯଥାକ୍ରମେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ଓ ମୃତ୍ୟୁ ବରଣ କରିଛନ୍ତି। ଆଜି ମଧୢ ଏହି ମହାମାରୀ ବିଭୀଷିକା ସାରା ଦୁନିଆକୁ ଆଚ୍ଛନ୍ନ କରି ରଖିଛି, ଭୂତାଣୁର ଦ୍ବିତୀୟ, ତୃତୀୟ ସ˚ସ୍କରଣ କଥା ମଣିଷ ମନକୁ ଏକ ଅଜଣା ଭୟରେ ଥରାଇ ଦେଉଛି।

ରୋଗ ଚିକିତ୍ସାର ଘନଘଟା ଓ ପ୍ରତିଷେଧକ ଆବିଷ୍କାରର ତତ୍ପରତା ଭିତରେ ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଭଳି ତିନିଟି ସରଳ ମନ୍ତ୍ର ମଣିଷର ସାଧାରଣ ଚଳଣିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଗଲା ବର୍ଷର ‘ଦୋ ଗଜ୍‌ କି ଦୂରୀ’ ମଣିଷକୁ ମଣିଷଠାରୁ ଯେମିତି ଦୂରେଇ ଦେଲା, ତାହା ବିଗତ ଶହେ ବର୍ଷ ମଧ୍ୟରେ ହୋଇ ନ ଥିଲା। ଏହି ମହାମାରୀରେ ଆକ୍ରାନ୍ତ ହେବା ଅଥବା ପ୍ରାଣ ହରାଇବା କାଳରେ ମଣିଷର ଏକାକୀତ୍ବ ତାର ଅସ୍ତିତ୍ବର ଅପନ୍ତରାପଣକୁ ଚିହ୍ନାଇ ଦେଲା। ଏଣେ ଆନ୍ତର୍ଜାତିକ ରାଜନୀତି ଓ ଅର୍ଥନୀତି ଧୀରେ ଧୀରେ ଚୀନ୍‌ କବଳିତ ହୋଇ ଏକ ଧ୍ରୁବୀୟ ସ୍ଥିତିକୁ ପ୍ରତ୍ୟାବର୍ତ୍ତନ କରୁଥିବାର ସୂଚନା ମିଳିଲା; ଚୀନ୍‌ ଚତୁରତାର ସହ ଜାତିସ˚ଘର ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ, ନିରାପତ୍ତା ପରିଷଦ ଭଳି ଶାଖା ଗୁଡ଼ିକରେ ନିଜର ପ୍ରଭାବ ବିସ୍ତାର କରୁଥିବା ବିଷୟ ୨୦୨୦ରେ ହିଁ ଭଲ ଭାବେ ସ୍ପଷ୍ଟ ହେଲା। ବିଶ୍ବ ବ୍ୟାଙ୍କ୍‌ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏମିତି ତ ଧନୀ ଦେଶମାନଙ୍କ କାର୍ଯ୍ୟକ୍ରମକୁ ପ୍ରସାରିତ କରୁଥିବାର ଅପବାଦ ଆଗରୁ ଥିଲା: ବର୍ତ୍ତମାନ ଚୀନ୍‌ ଅନ୍ତର୍ଜାତୀୟ ବିତ୍ତୀୟ ସ˚ସ୍ଥା ଗୁଡ଼ିକରୁ କୋଟି କୋଟି ଟଙ୍କା ଋଣ ନେଇ ସେହି ପଇସାକୁ ଶ୍ରୀଲଙ୍କା, ନେପାଳ, ପାକିସ୍ତାନ ଭଳି ଛୋଟ ଛୋଟ ଗରିବ ଦେଶଗୁଡ଼ିକୁ ଋଣଯନ୍ତାରେ ପକାଇ କବଳିତ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଲା। କରୋନା ବିଧ୍ବସ୍ତ ଛୋଟ ଛୋଟ କମ୍ପାନିଗୁଡ଼ିକୁ ଶାଗମାଛ ମୂଲ୍ୟରେ କିଣି ନେଉଛି ଚୀନ୍। ବିଦେଶରେ କାର୍ଯ୍ୟରତ ଚୀନ୍‌ର କିଛି ବୈଜ୍ଞାନିକ ଓ କମ୍ପାନି ସାଇବର ଆକ୍ରମଣ କୌଶଳରେ ବିଭିନ୍ନ ଦେଶର ଗୁପ୍ତ ତଥ୍ୟ ସ˚ଗ୍ରହ କରି ଚୀନ୍‌ କମ୍ୟୁନିଷ୍ଟ ପାର୍ଟିକୁ ପ୍ରେରଣ କରୁଥିବାର ଅଭିଯୋଗ ମଧୢ ଶୁଣିବାକୁ ମିଳିଛି। ଉଇଘୁର ମୁସଲମାନଙ୍କୁ ନିର୍ଯାତନା ଦେବା, ତିବ୍ବତ ଓ ମଙ୍ଗୋଲିଆର ଅଧିବାସୀଙ୍କୁୁ ‘ଶିକ୍ଷାଦାନ’ ଆଳରେ ଅନୁଗତ କରିବା ସହ ଭାରତ, ତିବ୍ବତ, ତାଇଵାନ, ଫିଲିପାଇନ୍‌ସ, ଇଣ୍ତୋନେସିଆ, ଭିଏତ୍‌ନାମ, ଜାପାନ, ଦକ୍ଷିଣ ଓ ଉତ୍ତର କୋରିଆ, ସିଙ୍ଗାପୁର, ନେପାଳ, ଭୁଟାନ, ଲାଓସ୍‌, ମିଆଁମାର ପ୍ରଭୃତି ଦେଶଗୁଡ଼ିକ ସହ ଜଳ-ସ୍ଥଳ ସୀମା ବିବାଦରେ ଲିପ୍ତ ରହି ଚୀନ୍‌ ଗଲା ବର୍ଷରେ ଯେଉଁ ଏକଛତ୍ରବାଦୀ ତଥା ଅତୃପ୍ତ ବିସ୍ତାରବାଦୀ ଆଭିମୁଖ୍ୟ ପ୍ରଦର୍ଶନ କରିଛି, ତାହା ପୂର୍ବରୁ କେବେ କରି ନ ଥିଲା। ଏହା ବିଶ୍ବ ସ୍ଥିରତାକୁ ନଷ୍ଟ କରିବାର ଆଶଙ୍କା ସୃଷ୍ଟି କରିଛି। ଏପରିକି କରୋନା ଭୂତାଣୁ ଚୀନ୍‌ର ପରୀକ୍ଷାଗାରରୁ ସୃଷ୍ଟି ହୋଇ ଜୈବିକ-ଯୁଦ୍ଧର ଏକ ଅସ୍ତ୍ର ବୋଲି ବୌଦ୍ଧିକ ସ୍ତରରେ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ସାରା ପୃଥିବୀର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ଚୀନ୍‌ର ଅର୍ଥନୀତ ଉନ୍ନତି କରୁଛି; ରୋଗ ମଧୢ ନିୟନ୍ତ୍ରିତ ହୋଇଛି!

କେବଳ ଅନୁକୂଳ ପରିବେଶରେ ନୂତନ ଜୀବସତ୍ତାର ସୃଷ୍ଟି ଓ ଜୀବନ ବିସ୍ତାର ସମ୍ଭବ ବୋଲି ଜୀବବିଜ୍ଞାନର ସର୍ବମୌଳିକ ନିୟମ ଆଧାରରେ ବିଚାର କଲେ କରୋନା ଭୂତାଣୁର ସୃଷ୍ଟି ଓ ସ˚କ୍ରମଣ ମଣିଷକୃତ ପରିବେଶ ପ୍ରଦୂଷଣର ଏକ ବଳିଷ୍ଠ ପ୍ରମାଣ। ପରିବେଶ ପ୍ରଦୂଷଣ, ଆମାଜନ, ଅଷ୍ଟ୍ରେଲିଆ ଇତ୍ୟାଦି ସ୍ଥାନରେ ଘନଘନ ଅଗ୍ନି-ବିତ୍ପାତ, ଜାଗତିକ ଜଳବାୟୁ ପରିବର୍ତ୍ତନ, ପ୍ରଚଣ୍ତ ବାତ୍ୟା, ପ୍ରବଳ ବନ୍ୟା, ଜଳ ସ˚କଟ, ଜୈବବିବିଧତା ନଷ୍ଟ ଓ ବିଶ୍ବ ତାପାୟନ ଭଳି ଅନେକ ସୃଷ୍ଟି ଧ୍ବ˚ସକାରୀ ସମସ୍ୟାକୁ ଜନ୍ମ ଦେଉଛି। ପରିବେଶ ପ୍ରଦୂଷଣ ଅସ˚ଖ୍ୟ ଜୀବଜନ୍ତୁ ଓ ମଣିଷମାନଙ୍କ ମୃତ୍ୟୁର କାରଣ ହୋଇଛି, ପ୍ରକୃତିକୁ ନଷ୍ଟ କରି ସୀମାହୀନ ବିଳାସବ୍ୟସନ ଓ ବିଶୃଙ୍ଖଳ ଜୀବନଶୈଳୀର ଉତ୍ତର ପ୍ରକୃତି ସମ୍ଭବତଃ କରୋନା ସଂକ୍ରମଣ ମାଧ୍ୟମରେ ଦେଇଛି। ୨୦୨୦ର ଏହି ପାଣ୍ଡେମିକ ପରେ ଏବେ ସଂକ୍ରାମକ ରୋଗ ବିଶେଷଜ୍ଞମାନେ କହିଲେଣି ଯେ ଜୁନୋଟିକ ଭାଇରସ୍‌ ବା ପଶୁପକ୍ଷୀଙ୍କ ଠା‌ରୁ ମଣିଷକୁ ଡେଉଁଥିବା ଭୂତାଣୁ ବାହିତ ଆହୁରି ଅନେକ ପାଣ୍ଡେମିକ୍‌ ହେବାର ଆଶଙ୍କା ଭବିଷ୍ୟତ୍‌ରେ ହୋଇପାରେ। ସେହି ଦୃଷ୍ଟିରୁ ୨୦୨୦ ମାନବ ଜାତି ଲାଗି ଏକ ଆତ୍ମ ନିରୀକ୍ଷଣର ବର୍ଷ ହୋଇଥିବ। ତେବେ ଏହି ଆତ୍ମ ନିରୀକ୍ଷଣ ଦ୍ବାରା ମଣିଷ ତା’ ମଧ୍ୟରେ କି ପରିବର୍ତ୍ତନ ଆଣିବ ତାହା କେବଳ ସମୟ ହିଁ କହିବ।

କରୋନା ସମୟରେ ରାଜନୈତିକ କ୍ଷେତ୍ରରେ ମଧୢ କେତେକ ଆଶ୍ଚର୍ଯ୍ୟକର ବିଲକ୍ଷଣ ପରିଲକ୍ଷିତ ହୋଇଛି। ଟ୍ରମ୍ପ୍‌ ଓ ବୋଲସୋନାରୋଙ୍କ ଭଳି ରାଷ୍ଟ୍ରମୁଖ୍ୟମାନଙ୍କର ଅବୈଜ୍ଞାନିକ ଦୃଷ୍ଟିକୋଣ ଦୁନିଆକୁ ଯେତିକି ଚକିତ କରିଛି, ଧନୀ ରାଷ୍ଟ୍ରଗୁଡ଼ିକର ଜନସାଧାରଣଙ୍କର କରୋନା ନିୟମଗୁଡ଼ିକୁ ପ୍ରତ୍ୟାଖ୍ୟାନ ସେତିକି ଆଶ୍ଚର୍ଯ୍ୟ କରିବା ସହିତ ବିଭୀଷିକାକୁ ବହୁ ଗୁଣିତ କରିଛି। ଆମ ଦେଶର କେନ୍ଦ୍ର ସରକାର କରୋନାର ଘନଘଟା ଭିତରେ ସୁଦୂର ପ୍ରସାରୀ ପ୍ରଭାବ ଥିବା କୃଷିନୀତି ଓ ନୂତନ ଶିକ୍ଷାନୀତି ଅଧୢାଦେଶ ଭାବରେ ଆଣି ଲୋକସଭା ଓ ରାଜ୍ୟସଭାରେ ସବିଶେଷ ଆଲୋଚନା ନ କରି ଅନୁମୋଦନ କରାଇ ନେଇଛନ୍ତି। ଫଳତଃ କୃଷି ନୀତି ବିରୋଧରେ କୃଷକମାନଙ୍କ ପ୍ରତିବାଦ ଧାରଣା ୨୦୨୦ର ସରହଦ ଅତିକ୍ରମ କରି ୨୦୨୧ରେ ପ୍ରବେଶ କରିଛି।

କରୋନା ସମୟ ବିଶ୍ବ ଓ ଜାତୀୟ ଅର୍ଥନୀତିରେ ଛପି ରହିଥିବା ବ୍ୟାଧିକୁ ମଧୢ ପ୍ରକଟିତ କରିଛି। କୋଟି କୋଟି ମଣିଷ ବିଭିନ୍ନ ବୃତ୍ତି ହରାଇ ବାସ୍ତୁହରା ହୋଇଥିବା ବେଳେ ପୃଥିବୀର ଦଶ ଜଣ କୋଟିପତି ଚାଳିଶ ହଜାର କୋଟି ଡଲାର ଅଧିକ ଆୟ କରିଛନ୍ତି। ଭାରତର ମୁକେଶ ଅମ୍ବାନୀଙ୍କର ମାର୍ଚ୍ଚ ଓ ଅକ୍ଟୋବର ମାସ ମଧୢରେ ଘଣ୍ଟାକୁ ନବେ କୋଟି ଟଙ୍କା ରୋଜଗାର ହୋଇଛି। ଏହି ପୃଷ୍ଠଭୂମିରେ ଲକ୍ଷ ଲକ୍ଷ ଅସହାୟ ଓ ଆତଙ୍କିତ ପ୍ରବାସୀ ଶ୍ରମିକମାନଙ୍କ ଦୁର୍ଦଶା କଥା ସ୍ମରଣ କରାଯାଇପାରେ। ପ୍ରବାସୀ ଶ୍ରମିକମାନଙ୍କର କରୁଣ ଘରବାହୁଡ଼ା ଓ ରାଜ୍ୟ ସରକାର ଗୁଡ଼ିକର ପ୍ରତିଶ୍ରୁତିର ପ୍ରବଞ୍ଚନା ୨୦୨୦ର ଜାତୀୟ ସାମାଜିକ-ଅର୍ଥନୈତିକ ଦୃଶ୍ୟପଟରେ ଏକ ମର୍ମନ୍ତୁଦ ଶିଳାଲିପି।

୨୦୨୦ରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ- ଗଣମାଧୢମଗୁଡ଼ିକ ମୁଖ୍ୟତଃ ‘ଯୁଆଡୁ ବର୍ଷା ସେଆଡ଼େ ଛତା’ ନ୍ୟାୟରେ ଆପଣା ମନୋବୃତ୍ତି ପ୍ରଦର୍ଶନ କରିଛନ୍ତି। ସମାଜ ସୁଧାରର ମୁଖ୍ୟ ବାର୍ତ୍ତାବହ ହେବା ପରିବର୍ତ୍ତେ ସେମାନେ ସରକାରଙ୍କ ମୁଖପତ୍ର ସାଜୁଥିବା ଏକ ବିଡ଼ମ୍ବନା।

କେବଳ କରୋନା ନୁହେଁ, ମନସ୍ତାତ୍ତ୍ବିକ, ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ପରିବେଶ ଭଳି ବିଭିନ୍ନ ‘କ୍ଷେତ୍ର’ରେ ମଣିଷ ଆଜି ‘ଭୂତାଣୁ’ ପ୍ରପୀଡ଼ିତ। ତେବେ, ବିଭିନ୍ନ ଜାଗତିକ ବିପଦଗୁଡ଼ିକର ଅନୁଧୢାନ, ସମାଧାନ ଓ ପରିଚାଳନା ପାଇଁ ଗାନ୍ଧୀ, ଆଇନ୍‌ଷ୍ଟାଇନ ଓ ରସେଲଙ୍କ ଭଳି ମନୀଷୀମାନଙ୍କ ଦିଗ୍‌ଦର୍ଶନ ଆଧାରରେ ଏକ ବିଶ୍ବ-ସରକାର (World Government) ଗଠନର ଆବଶ୍ୟକତା ଗଲା ବର୍ଷରେ ଅଧିକରୁ ଅଧିକ ଅନୁଭୂତ ହେଉଛି।

ଘନକୃଷ୍ଣ ବାଦଲ ସନ୍ଧିରେ ବିଦ୍ୟୁତ୍‌ର ଝଲକ ଭଳି କରୋନାର ଆତଙ୍କ ଭିତରେ ନିଜ ଜୀବନକୁ ଭ୍ରୂକ୍ଷେପ ନ କରି ଯେଉଁଭଳି ଭାବରେ ସାରା ପୃଥିବୀର ସ୍ବାସ୍ଥ୍ୟକର୍ମୀମାନେ କୋଭିଡ୍‌-୧୯ ରୋଗୀମାନଙ୍କର ସେବା ଶୁଶ୍ରୂଷା କରିଛନ୍ତି, ତାହା ମାନବିକତାର ଜୟଗୀତି ହୋଇ ରହିଯିବ। ପୂର୍ବର ସମସ୍ତ ଉଦାହରଣକୁ ଅତିକ୍ରମ କରି ମାତ୍ର ଗୋଟିଏ ବର୍ଷ ମଧୢରେ ଏକାଧିକ କୋଭିଡ୍‌-୧୯ ପ୍ରତିଷେଧକର ଆବିଷ୍କାର ବୈଜ୍ଞାନିକମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଐକାନ୍ତିକ ନିଷ୍ଠା ଓ ମାନବୀୟ ମୂଲ୍ୟବୋଧର ଅମ୍ଳାନ କୀର୍ତ୍ତି ବହନ କରେ। ଜର୍ମାନିର ଆଞ୍ଜେଲା ମର୍କେଲ, ତାଇଵାନର ସାଇ ଇଙ୍ଗ୍‌ଭେନ୍‌, ନିଉଜିଲାଣ୍ତର ଜାସିଣ୍ତା ଆର୍‌ଡର୍ଣ୍ଣ, ଫିନ୍‌ଲାଣ୍ତର ସାନ୍ନା ମାରିନ୍‌ ଓ ନର‌୍‌େଵର ଏରନା ସୋଲବର୍ଗ ପ୍ରଭୃତି ମହିଳା ମୁଖ୍ୟମାନେ କରୋନା ସ˚କ୍ରମଣକୁ ଆୟତ୍ତ କରିବାରେ ଯେଉଁ ପ୍ରଶାସନିକ ଦକ୍ଷତା ଓ ଦୂରଦୃଷ୍ଟିର ପରିଚୟ ଦେଇଛନ୍ତି ତାହା ଯେତିକି ଅଭିନନ୍ଦନୀୟ, ସେତିକି ଅନୁକରଣୀୟ। ଆମ ଦେଶର କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର କୋଭିଡ୍‌ ପରିଚାଳନା ଓ ଜନସାଧାରଣଙ୍କ ସହଯୋଗ ମଧୢ ପ୍ରଶ˚ସନୀୟ ଯଦିଓ କରୋନ‌ା ସମୟ ଆମର ଅସ୍ଥିମଜ୍ଜାଗତ ଦୁର୍ନୀତି, ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭିତ୍ତିଭୂମିର ଦୟନୀୟ ପରିସ୍ଥିତିକୁ ପ୍ରଦର୍ଶିତ କରିଛି।

୨୦୨୦ ଥିଲା ମଣିଷ ଜାତି ପାଇଁ ଏକ ରୋଗ, ଶୋକ ଯନ୍ତ୍ରଣାର ବର୍ଷ। ତେବେ, ଦୁଃଖ, ଦୁର୍ଦ୍ଦିନ ଓ ଦୁଃସମୟକୁ ପଦାନତ କରିବାର ସ˚କଳ୍ପ ନେଇ, ଚରୈବତି-ଚରୈବତି ମହାମନ୍ତ୍ରରେ ଦୀକ୍ଷିତ ହୋଇ ମଣିଷର ଦୃଷ୍ଟି ଓ ଦୃପ୍ତ ପଦକ୍ଷେପ ଅନ୍ଧାରରୁ ଆଲୋକ ଆଡ଼କୁ; ୨୦୨୧ ଓ ତା’ର ବହୁ ଆଗକୁ।

ବାୟା ନିବାସ, ଶ୍ରୀବିହାର, ପଟିଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe