ଅବିଶ୍ରାନ୍ତ ଭାରତୀୟ

ଝରକା

ଅବିଶ୍ରାନ୍ତ ଭାରତୀୟ

ଇଣ୍ଟର୍‍ନେସନାଲ୍ ଲେବର୍ ଅର୍ଗାନାଇଜେସନ୍ (ଆଇଏଲ୍‍ଓ) ଦ୍ବାରା ପ୍ରକାଶିତ ଏକ ନୂଆ ରିପୋର୍ଟ ପ୍ରକାଶ କରିଛି ଯେ ଭାରତୀୟମାନେ ହେଉଛନ୍ତି ପୃଥିବୀର ସବୁଠାରୁ ଅଧିକ ସମୟ ଧରି ପରିଶ୍ରମ କରୁଥିବା କର୍ମଚାରୀ। ସମଗ୍ର ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବାଂଲାଦେଶ ପରେ ଭାରତୀୟମାନେ ସର୍ବନିମ୍ନ ଦରମାରେ କାର୍ଯ୍ୟ କରିଥାନ୍ତି। ସେହିପରି କେତେକ ଉପ-ସାହାରୀୟ ଅାଫ୍ରିକୀୟ ଦେଶଗୁଡ଼ିକୁ ଛାଡ଼ିଦେଲେ ଭାରତରେ କର୍ମଚାରୀଙ୍କ ପାଇଁ ଧାର୍ଯ୍ୟ ସର୍ବନିମ୍ନ ଦରମା ବିଶ୍ବରେ ସବୁଠାରୁ କମ୍। ସର୍ବାଧିକ ସମୟ ପାଇଁ କାର୍ଯ୍ୟ କରିବାକୁ ପଡୁଥିବା ଶୀର୍ଷ ଦେଶଗୁଡ଼ିକ ମଧ୍ୟରେ ଭାରତର ସ୍ଥାନ ହେଉଛି ପଞ୍ଚମ।

ଭାରତୀୟ ଲୋକମାନଙ୍କୁ ସପ୍ତାହକୁ ହାରାହାରି ୪୮ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ପଡ଼ିଥାଏ। ସେହି ସ୍ଥଳରେ ଜଣେ କର୍ମଚାରୀ ଚୀନ୍‌ରେ ସପ୍ତାହକୁ ହାରାହାରି ୪୬ ଘଣ୍ଟା, ୟୁନାଇଟେଡ୍ କିଙ୍ଗ୍‍ଡମ୍‍ରେ ୩୭ ଘଣ୍ଟା, ଆମେରିକା ଓ ଇସ୍ରାଏଲ୍‍ରେ ୩୬ ଘଣ୍ଟା କାର୍ଯ୍ୟ କରିଥାଏ। ଆଇଏଲ୍‍ଓର ଏହି ରିପୋର୍ଟରୁ ପ୍ରକାଶ ଯେ ଭାରତର ସହରାଞ୍ଚଳରେ ଭଲ ଦରମା ପାଉଥିବା କର୍ମଚାରୀମାନେ ଗ୍ରାମାଞ୍ଚଳର କର୍ମଚାରୀମାନଙ୍କ ତୁଳନାରେ ଅଧିକ ସମୟ କାର୍ଯ୍ୟ କରନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପୁରୁଷମାନେ ମହିଳାଙ୍କ ଠାରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିଥାନ୍ତି। ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତ ପୁରୁଷମାନେ ସପ୍ତାହକ ହାରାହାରି ୪୮ ଘଣ୍ଟା ଓ ମହିଳାମାନେ ୩୭ ଘଣ୍ଟା; ଚାକିରିଆ ପୁରୁଷମାନେ ୫୨ ଘଣ୍ଟା ଓ ମହିଳାମାନେ ୪୪ ଘଣ୍ଟା; ଏବଂ ଶ୍ରମଜୀବୀ ପୁରୁଷମାନେ ୪୫ ଘଣ୍ଟା ଓ ମହିଳାମାନେ ୩୯ ଘଣ୍ଟା କାର୍ଯ୍ୟ କରିଥାନ୍ତି। ସେହିପରି ସହରାଞ୍ଚଳରେ ଆତ୍ମନିଯୁକ୍ତ ପୁରୁଷମାନେ ସପ୍ତାହକ ହାରାହାରି ୫୫ ଘଣ୍ଟା ଓ ମହିଳାମାନେ ୩୯ ଘଣ୍ଟା; ଚାକିରିଆ ପୁରୁଷମାନେ ୫୩ ଘଣ୍ଟା ଓ ମହିଳାମାନେ ୪୬ ଘଣ୍ଟା; ଏବଂ ଶ୍ରମଜୀବୀ ପୁରୁଷମାନେ ୪୫ ଘଣ୍ଟା ଓ ମହିଳାମାନେ ୩୮ ଘଣ୍ଟା କାର୍ଯ୍ୟ କରିଥାନ୍ତି। ଏହି କାରଣରୁ ଭାରତୀୟମାନେ ଖୁବ୍ କମ୍ ଅବସର ସମୟ ପାଇଥାନ୍ତି; ଦିନର ମାତ୍ର ଏକ ଦଶମାଂଶ ସମୟ ଫୁରସତ ପାଇଁ ମିଳିଥାଏ।

ଭାରତର ଶ୍ରମ ମନ୍ତ୍ରାଳୟ ଚାରିଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବା ପାଇଁ ମାନସ ମନ୍ଥନ କରୁଥିବାରୁ ଏହି ଅବିଶ୍ରାନ୍ତ କାର୍ଯ୍ୟ ଅବଧିରୁ କେତେକାଂଶରେ ମୁକ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। କିନ୍ତୁ ଅନୌପଚାରିକ କାର୍ଯ୍ୟକ୍ଷେତ୍ରରେ କାମ କରୁଥିବା ବିଶାଳ ବର୍ଗ ପ୍ରସ୍ତାବିତ ଚାରିଦିନିଆ କାର୍ଯ୍ୟ ସପ୍ତାହ ବ୍ୟବସ୍ଥା ବହିର୍ଭୂତ ହୋଇଥିବାରୁ ଶ୍ରମ ସଂଗଠନମାନେ ଏ ନେଇ ଆଶାବାଦୀ ହୋଇପାରୁନାହାନ୍ତି। ତେଣୁ ଶ୍ରମ କ୍ଷେତ୍ରରେ ବ୍ୟାପକ ସଂସ୍କାର ହିଁ ଭାରତୀୟମାନଙ୍କୁ ଏଭଳି ଅବିଶ୍ରାନ୍ତ ଶ୍ରମ ଶୃଙ୍ଖଳରୁ ମୁକ୍ତି ଦେଇପାରିବ ବୋଲି ଆଶା କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe