ମୁଁ ଜାଣେ, ମୁଁ କିଛି ଜାଣେନି

Advertisment

ସରସ ରସ - ସୁଭାଷ ପଟ୍ଟନାୟକ

ସରସ ରସ - ସୁଭାଷ ପଟ୍ଟନାୟକ

ମୁଁ ଜାଣେ, ମୁଁ କିଛି ଜାଣେନି

Illustration of people avatar business plan concept

“ଜ୍ଞାନର ସବୁଠାରୁ ବଡ଼ ଶତ୍ରୁ ଅଜ୍ଞତା ନୁହେଁ, ବରଂ ବଡ଼ ଶତ୍ରୁ ହେଉଛି ଜ୍ଞାନର ଭେଳିକି”। ଏ କଥାଟି କହିଥିଲେ ବୈଜ୍ଞାନିକ ଷ୍ଟିଫେନ୍ ହକିଙ୍ଗ୍। ଆମ ସମାଜରେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଏହିପରି ଜ୍ଞାନର ଭେଳିକି ଦେଖାନ୍ତି ଓ ଭାବନ୍ତି ସେଇମାନେ ହିଁ ସର୍ବଜ୍ଞ। ସବୁ ପ୍ରଶ୍ନର ଉତ୍ତର ସେମାନଙ୍କ ପାଖରେ ଥାଏ। ଏପରି ଗୋଟିଏ ବର୍ଗର ଲୋକଙ୍କୁ କୁହାଯାଏ ସର୍ବଜ୍ଞ ବା ସର୍ବଜାଣ। ସର୍ବଜ୍ଞମାନେ ଅନ୍ୟର ଜ୍ଞାନକୁ ଭୁଲ୍‌ ଦର୍ଶାଇ ନିଜେ ସବୁକିଛି ଜାଣିଥିବାର ଦାବି କରନ୍ତି। ଆଲୋଚନା ସମୟରେ କାହାରିକୁ କୁହାଇ ଦିଅନ୍ତି ନାହିଁ। ଅଯଥା ଯୁକ୍ତି କରି ଅନ୍ୟକୁ ଦବାଇବାର ଚେଷ୍ଟା କରନ୍ତି। ସବୁକିଛି ଜାଣିଥିବାର ଭ୍ରାନ୍ତି ମଧ୍ୟରେ ଥାଇ ନିଜ ଜ୍ଞାନ ସଂପର୍କରେ ମନଗଢ଼ା କାହାଣୀ ଶୁଣାନ୍ତି। କଥାବାର୍ତ୍ତାର ପ୍ରସଙ୍ଗ ବଦଳିଗଲେ ମଧ୍ୟ ନୂତନ ପ୍ରସଙ୍ଗଟି ବିଷୟରେ ପୁନଶ୍ଚ ବିଶେଷଜ୍ଞ ପାଲଟି ଯାଆନ୍ତି। ଏମାନଙ୍କ ଛଡ଼ା ଆଉ ଏକ ପ୍ରକାରର ସର୍ବଜ୍ଞ ଆମ ସମାଜରେ ଅଛନ୍ତି। ସେମାନେ ମଖମଲି ପୋଷାକ ପିନ୍ଧି, ଚନ୍ଦନ ସିନ୍ଦୂର ଲଗାଇ ଟିଭି ପରଦାରେ, ନହେଲେ ବିଭିନ୍ନ ପ୍ରବଚନ ମଣ୍ଡପରେ ଜ୍ଞାନଗୁରୁ ରୂପରେ ଉଭା ହୋଇଥାନ୍ତି। ଏଇ ଉଭୟ ପ୍ରକାରର ଜ୍ଞାନୀମାନେ କେବେ କୌଣସି କଥା ଜାଣିନଥିବା ସ୍ବୀକାର କରନ୍ତିନାହିଁ। ସବୁ ପ୍ରଶ୍ନର ଉତ୍ତର ଏମାନଙ୍କ ପାଖରେ ଥାଏ। ସର୍ବଦା ଜ୍ଞାନର ଭେଳିକି ଦେଖାଇ ଲୋକପ୍ରିୟ ହେବାର ଚେଷ୍ଟାରେ ଥାଆନ୍ତି। ଏମାନଙ୍କ ପାଖରେ ‘କିଏ’, ‘କେମିତି’, ‘କ’ଣ’, ‘କାହିଁକି’, ‘କେତେବେଳେ’ ଓ ‘କେଉଁଠି’ ଆଦି ପ୍ରଶ୍ନର କିଛି ମୂଲ୍ୟ ନଥାଏ। ଏମାନଙ୍କର ମାନସିକତା ହେଉଛି, ‘ମୋ ରାସ୍ତା, ନହେଲେ ରାଜ ରାସ୍ତା’। ମୋ କଥା ଗ୍ରହଣକର ନହେଲେ ଏଠାରୁ ଚାଲିଯାଅ। ନିଜର ମସ୍ତିଷ୍କ ମଧ୍ୟରେ ଏମାନେ ସର୍ବଦା ବନ୍ଦୀ। ଏ ସବୁ ବ୍ୟକ୍ତିମାନଙ୍କର କୌଣସି ବିଷୟରେ କିଛି ସ୍ପଷ୍ଟ ଜ୍ଞାନ ନଥାଏ କିନ୍ତୁ ସବୁ ବିଷୟରେ ସର୍ବଦା କିଛି କହିବାର ଥାଏ।

ଜଣେ ତା’ ଜୀବଦ୍ଦଶାରେ ଚାହିଁଲେ ମଧ୍ୟ ମହାଜ୍ଞାନୀ ହୋଇପାରିବା ଅସମ୍ଭବ, କାରଣ ଜ୍ଞାନ ହେଉଛି ଅସୀମ ଓ ପ୍ରତ୍ୟେକ ଜ୍ଞାନ ପଛରେ ଆଉଗୋଟିଏ ଜ୍ଞାନ ରହିଥାଏ। ତାହା ନଜାଣିଲେ ଜ୍ଞାନୋପଲବ୍‌ଧି କ୍ଷେତ୍ରରେ ଅନନ୍ତ ପଶ୍ଚାତ୍‌ଗତି ସମସ୍ୟା ବା ‘ଇନ୍‌ଫନିଟ୍ ରିଗ୍ରେସ୍ ପ୍ରବ୍ଲେମ’ ସୃଷ୍ଟି ହୁଏ। ଉଦାହରଣ ସ୍ବରୂପ, ଗୋଟିଏ କୂଅକୁ ଦେଖାଇ ଏହା କ’ଣ ବୋଲି ପଚାରିଲେ ଜଣେ ଅକ୍ଳେଶରେ ‘କୂଅ’ କହିଦେବ। କୂଅର ପ୍ରମାଣ ପଚାରିଲେ ତା’ ଭିତରେ ଥିବା ପାଣିକୁ ଦେଖାଇଦେବ। ଏହା ପରେ ପାଣିର ପ୍ରମାଣ ଓ ତା’ ପରେ ପଛକୁପଛ ପ୍ରମାଣର ପ୍ରମାଣଗୁଡ଼ିକ ପଚାରି ଚାଲିଲେ ଶେଷରେ ଏପରି ଏକ ପ୍ରମାଣର ଅପେକ୍ଷା କରିବାକୁ ପଡ଼ିବ, ଯାହା କାହାରିକୁ ଜଣାନଥିବ। ଅର୍ଥାତ୍‌, ଆପଣଙ୍କ ପାଖରେ ଥିବା ପ୍ରତ୍ୟେକ ପ୍ରମାଣକୁ ସିଦ୍ଧ କରିବାକୁ ତା’ ପଛକୁପଛ ଅନ୍ୟ ପ୍ରଣାମଗୁଡ଼ିକ ଜଣାଥିବା ଉଚିତ। ଅନ୍ୟଥା ବିଷୟଟି ଜ୍ଞାନର ବିଶ୍ବସନୀୟତା ହରାଇ ପୂର୍ବ ପ୍ରମାଣଗୁଡ଼ିକୁ ଅସିଦ୍ଧ କରିଦେବ। ଏହା ହିଁ ପ୍ରକୃତ ଜ୍ଞାନ ଓ ପ୍ରମାଣର ପ୍ରମାଣଗୁଡ଼ିକ ବ୍ୟାଖ୍ୟା କରିପାରୁଥିବା ବ୍ୟକ୍ତି ପ୍ରକୃତ ଜ୍ଞାନୀ। ଜ୍ଞାନ ଯେହେତୁ ଅସୀମ, କେହି ବି ନିଜକୁ ଜ୍ଞାନଗୁରୁ ଅବା ମହାଜ୍ଞାନୀ କହିପାରିବେ ନାହିଁ।

ଏପରି ସର୍ବଜ୍ଞ ଓ ଜ୍ଞାନଗୁରୁମାନଙ୍କୁ ପରୀକ୍ଷା କରିବାକୁ ଏକ ଉଦାହରଣ ନିଆଯାଉ: ଯଦି ପଚରାଯାଏ, କପଟାଚାର ଅନୈତିକ କି? ତୁରନ୍ତ ଜ୍ଞାନଗୁରୁଙ୍କ ଉତ୍ତର ମିଳିବ, ‘ହଁ, ନିଶ୍ଚୟ। ଛଳ ଆଚରଣ ସର୍ବଦା ନୀତିବର୍ଜିତ’। ଯଦି ଆପଣଙ୍କ ବନ୍ଧୁ କୌଣସି କାରଣରୁ ମନସ୍ତାପରେ ପଡ଼ି ଆତ୍ମହତ୍ୟା କରିବାକୁ ନିଜକୁ ଗୋଟିଏ ଘରେ ବନ୍ଦ କରିଦିଅନ୍ତି ଓ ପାଖରେ ଥିବା ବିଷ ପିଇଦେବାକୁ ଯୋଜନା କରନ୍ତି ଏବଂ ଆପଣ ସେକଥା ଜାଣିପାରି ଲୁଚିଲୁଚି ଝରକାରେ ହାତ ଗଳାଇ ବିଷ ବୋତଲଟି ନେଇଆସନ୍ତି, ସେ କ୍ଷେତ୍ରରେ ଆପଣଙ୍କର ବିଷ ବୋତଲ ଚୋରି କରିବା ଉଚିତ ସାବ୍ୟସ୍ତ ହେବ କି? ଜ୍ଞାନଗୁରୁଙ୍କ ଉତ୍ତର ହେବ, ‘ହଁ। ବନ୍ଧୁର ଜୀବନ ବଞ୍ଚାଇବାକୁ ଏପରି ଚୋରି କରିବା ଉଚିତ’। ତା’ ପର ପ୍ରଶ୍ନ, ତା’ହେଲେ ଚୋରି କରିବା ଏଠାରେ କପଟାଚାର ହେଲାନାହିଁ କି? ସର୍ବଜ୍ଞଙ୍କ ଉତ୍ତର ହେବ, ‘ହଁ, ପରିଭାଷିକ ଅର୍ଥରେ ଏହା କପଟାଚାର ନିଶ୍ଚୟ’। ତା’ହେଲେ କପଟ ଆଚରଣ ମାଧ୍ୟମରେ କାହାରି ଜୀବନ ବଞ୍ଚାଇବା ନୈତିକତାରେ ଗଣ୍ୟ ନୁହେଁ କି? ଜ୍ଞାନଗୁରୁ କହିବେ, ‘ହଁ, ନିଶ୍ଚୟ’। ତା’ହେଲେ ଆପଣ କେମିତି ଏହା ପୂର୍ବରୁ କହିଥିଲେ କପଟ ଆଚରଣ ଅନୈତିକ? ତା’ପରେ ଜ୍ଞାନୀଙ୍କର ମୁହଁ ବନ୍ଦ।

ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍‌ ଏହିପରି ପ୍ରଶ୍ନସବୁ ପଚାରି ତଥାକଥିତ ଜ୍ଞାନଗୁରୁ ଓ ସର୍ବଜ୍ଞମାନଙ୍କର ମୁହଁ ବନ୍ଦ କରିଦେଉଥିଲେ। ତାଙ୍କ ମତରେ ଭୁଲ୍‌ କଥା ଜାଣିବା ଓ ଅନ୍ୟକୁ କହିବା ଅପେକ୍ଷା ବରଂ ଅଜ୍ଞାନୀ ହେବା ଭଲ ଓ ଭୁଲ୍‌କୁ ଠିକ୍ ବୋଲି ଜାଣିବା ଅପେକ୍ଷା କିଛି ନ ଜାଣିବା ଅଧିକ ଶ୍ରେୟ। ମୁଁ ଓ ଆପଣ, ଉଭୟଙ୍କର କିଛି ଜ୍ଞାନ ନାହିଁ। କିନ୍ତୁ ମୁଁ ଦେଖେଇ ହେବାକୁ ଚାହୁଁଛି ଯେ, ମୁଁ ଜଣେ ମହାଜ୍ଞାନୀ। କିନ୍ତୁ ଯେହେତୁ ଆପଣଙ୍କର ଜ୍ଞାନର ଅଭାବ, ଆପଣ ଦେଖେଇ ହେବାକୁ ନ ଚାହିଁ ସ୍ବୀକାର କରନ୍ତି ଯେ, ଆପଣ କିଛି ଜାଣନ୍ତି ନାହିଁ। ଏପରି କ୍ଷେତ୍ରରେ ଅଧିକ ଜ୍ଞାନୀ କିଏ? ନିଶ୍ଚୟ ଆପଣ। ସେଇଥିପାଇଁ ସକ୍ରେଟିସ୍‌ ସର୍ବଦା କହୁଥିଲେ, ସେ ହେଉଛନ୍ତି ସମସ୍ତଙ୍କ ଠାରୁ ଅଧିକ ଜ୍ଞାନୀ। କାରଣ ସେ ଜାଣିଥିଲେ ଯେ, ତାଙ୍କର ଜ୍ଞାନ ସୀମିତ। କିଛି ଜାଣିନଥିବାର ଋଜୁତା ଆମକୁ ଅନ୍ୟମାନଙ୍କର ନିକଟତର କରାଏ। ସମସ୍ତଙ୍କୁ ଅଧିକ ଜାଣିବାର ସୁଯୋଗ ଦିଏ। ଜ୍ଞାନର ଶେଷ ନାହିଁ। ସର୍ବଜାଣର ମାନସିକତା ଆମକୁ ଜ୍ଞାନାର୍ଜନ ଠାରୁ ଦୂରେଇ ରଖେ। ଆମେ ଭାବିନେଉ ଯେ, ଆବଶ୍ୟକ ଥିବା ସବୁକିଛି ଜ୍ଞାନର ଅଧିକାରୀ ଆମେ ହୋଇ ସାରିଛେ। ଆଉ କିଛି ଜ୍ଞାନପ୍ରାପ୍ତି ବାକି ନାହିଁ। ଅନେକ ବିଷୟ ଜାଣିଯିବା ବା ମନେରଖିଦେବା ପ୍ରକୃତ ଜ୍ଞାନ ନୁହେଁ, କି ଧର୍ମଶାସ୍ତ୍ର, ପୁରାଣ, ଦେବଦେବୀ ଓ ଭୂତପ୍ରେତଙ୍କ ଉପରେ ଆଧାରିତ କଥା ଶୁଣାଇବା ପ୍ରକୃତ ଜ୍ଞାନ ନୁହେଁ। ଆମ ଅସ୍ତିତ୍ବର ଅସଲ ସ୍ବରୂପକୁ ଆମେ କେତେ ଚିହ୍ନିପାରିଛେ ତାହା ହିଁ ପ୍ରକୃତ ଜ୍ଞାନ। ଜ୍ଞାନୀ ହେବାର କେବଳ ଗୋଟିଏ ମାର୍ଗ ହେଉଛି ନିଜର ଅଜ୍ଞତା ସ୍ବୀକାର କରିବା। ପ୍ରକୃତ ବୁଦ୍ଧିମତ୍ତା ଆମେ ସେତେବେଳେ ଆହରଣ କରୁ, ଯେତେବେଳେ ଆମେ ଅନୁଭବ କରୁ ଯେ ନିଜ ବିଷୟରେ, ନିଜ ଜୀବନ ବିଷୟରେ ଓ ନିଜ ପୃଥିବୀ ବିଷୟରେ ଆମେ କେତେବଡ଼ ଅଜ୍ଞ। ବିଶିଷ୍ଟ ଉର୍ଦ୍ଦୁ କବି ଖୁମାର ବାରାବାଙ୍କଭୀ (‘ଖୁମାର’ ଅର୍ଥ, ନିଶାଗ୍ରସ୍ତ) ଏକ କବିତାରେ ଲେଖିଛନ୍ତି, “ହଦସେ ବଢ଼େ ଜୋ ଇଲମ୍ ତୋହୈ ଜହଲ୍ ଦୋସ୍ତୋ, ସବ୍‌କୁଛଜୋ ଜାନତେହୈଁ ୱ କୁଛ୍ ଜାନତେନହିଁ”। ବନ୍ଧୁ, ସୀମାତିରିକ୍ତ ଜ୍ଞାନ ହେଉଛି ଜହର ସଦୃଶ। ଯେଉଁମାନେ କହନ୍ତି ସବୁ ଜାଣନ୍ତି, ପ୍ରକୃତରେ କିଛି ବି ଜାଣନ୍ତି ନାହିଁ।

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe