ବ୍ଲାକ୍‌ ଫଙ୍ଗସ୍‌ ଓ ସୁପର ବଗ୍‌

Advertisment

ଝରକା

ଝରକା

ବ୍ଲାକ୍‌ ଫଙ୍ଗସ୍‌ ଓ ସୁପର ବଗ୍‌

ଦେଶର ଦଶଟି ଡାକ୍ତରଖାନାର ରୋଗୀଙ୍କ ଉପରେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‍ଆର୍) ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଉଦ୍‍ବେଗଜନକ ତଥ୍ୟ ମିଳିଛି। ଏଥିରୁ ଜଣାପଡ଼ିଛି ଯେ ଏକା ସମୟରେ କୋଭିଡ୍-୧୯ ଭୂତାଣୁ ସହିତ ବ୍ୟାକ୍ଟେରିଆ ବା ଫଙ୍ଗସ୍ ଦ୍ବାରା ସଂକ୍ରମିତ ହୋଇଥିବା ରୋଗୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ମୃତ୍ୟୁବରଣ କରୁଛନ୍ତି।

୧୭,୦୦୦ କୋଭିଡ୍ ରୋଗୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ୪ ପ୍ରତିଶତଙ୍କ ଠାରେ ବ୍ୟାକ୍ଟେରିଆ କିମ୍ବା ଫଙ୍ଗସ୍ ସଂକ୍ରମଣ ମଧ୍ୟ ଦେଖିବାକୁ ମିଳିଥିଲା। ଏଭଳି ସଂକ୍ରମଣର ଶିକାର ହୋଇଥିବା ରୋଗୀଙ୍କ ମଧ୍ୟରୁ ୫୬.୭% ମୃତ୍ୟୁବରଣ କରିଥିଲେ। ଏହି ଅଧ୍ୟୟନରୁ ଆଉ ଏକ ଚିନ୍ତାଜନକ ବିଷୟ ମଧ୍ୟ ସାମ୍ନାକୁ ଆସିଛି। କୋଭିଡ୍ ସହିତ ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମିତ ହୋଇଥିବା ଅନେକ ରୋଗୀଙ୍କୁ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ ଦେବାକୁ ପଡୁଛି, କାରଣ ସେମାନଙ୍କ ଠାରେ ଅତି ବିପଜ୍ଜନକ ‘ସୁପର୍‍ ବଗ୍‌’ ବା ଆଣ୍ଟିବାୟୋଟିକ୍‌ ପ୍ରତିରୋଧୀ ବ୍ୟାକ୍ଟେରିଆ ଦେଖିବାକୁ ମିଳୁଛି।

କ୍ଲେବ୍‍ସିଏଲା ନିମୋନିଆ, ଏସିନେଟୋବାକ୍ଟର୍ ବାଉମାନ୍ନି ଓ ସ୍ୟୁଡୋମୋନାସ୍ ଏରୁଗିନୋସା ଆଦି ଭଳି ରୂପାନ୍ତରିତ ବ୍ୟାକ୍ଟେରିଆ ଏହିଭଳି ‘ସୁପର୍ ବଗ୍’ ଅନ୍ତର୍ଭୁକ୍ତ। ଅନେକ ଗବେଷକ ଏବେ ମତ ଦେଉଛନ୍ତି ଯେ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଫଙ୍ଗାଲ୍ ଔଷଧର ମାତ୍ରାଧିକ ବ୍ୟବହାର ମ୍ୟୁକୋରମାଇକୋସିସ୍ ଭଳି ବିରଳ ଓ ଘାତକ ସଂକ୍ରମଣରେ ଅହେତୁକ ବୃଦ୍ଧି ଘଟାଇଛି। ଘରେ ରହି ଚିକିତ୍ସିତ ହେଉଥିବା କୋଭିଡ୍ ରୋଗୀମାନେ ଆଜିଥ୍ରୋମାଇସିନ୍ ଭଳି ଆଣ୍ଟିବାୟୋଟିକ୍‍ଗୁଡ଼ିକୁ ଅବିଚାରିତ ଭାବେ ସେବନ କରୁଥିବାରୁ ଭବିଷ୍ୟତ୍‌ରେ ଟାଇଫୋଏଡ୍ ବିରୋଧରେ ଏହା କାମ କରିବ କି ନାହିଁ ସେ ନେଇ ମଧ୍ୟ କିଛି ଗବେଷକ ଚିନ୍ତା ପ୍ରକଟ କଲେଣି। ତେଣୁ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଫଙ୍ଗାଲ୍ ଔଷଧର ବ୍ୟବହାରକୁ ନେଇ ନିୟମ ନ ମାନିଲେ ଔଷଧ ପ୍ରତିରୋଧୀ ଜୀବାଣୁମାନଙ୍କ ବିପଦ ଆହୁରି ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe