ନୀଳ ରକ୍ତର ସଂପଦ

Advertisment

ଝରକା - ଦିଲୀପ ସାବତ

ଝରକା - ଦିଲୀପ ସାବତ

ନୀଳ ରକ୍ତର ସଂପଦ

ବାତ୍ୟା ‘ୟାସ୍‌’ ଓଡ଼ିଶା ଅତିକ୍ରମ କରିବା ପରେ ଚାନ୍ଦବାଲି ସମୁଦ୍ର ତଟରେ ଅସଂଖ୍ୟ ମୃତ ଅଶ୍ବ ଖୁରାକୃତି କଙ୍କଡ଼ା ବା ‘ହର୍ସ ସୁ କ୍ରାବ୍‌’ଙ୍କୁ ଦେଖିବାକୁ ମିଳିଛି। ଏହି ପ୍ରଜାତିର କଙ୍କଡ଼ାଗୁଡ଼ିକୁ ଜୀବନ୍ତ ଦେଖିବାର ସୁଯୋଗ କଦବା କେମିତି ମିଳିଥାଏ। କିନ୍ତୁ ବାତ୍ୟା ଦ୍ବାରା ଜଳାର୍ଣ୍ଣବ ହୋଇଥିବା ଅଞ୍ଚଳରୁ ପାଣି ଫେରିଗଲା ପରେ ସମ୍ଭବତଃ ଏହି କଙ୍କଡ଼ାଗୁଡ଼ିକୁ ଛାଡ଼ି ଦେଇ ଯାଇଛି, ଯେଉଁଗୁଡ଼ିକ ଅବଲୀଳା କ୍ରମେ ମୃତ୍ୟୁ ବରଣ କରିଛନ୍ତି।

ଏହାକୁ ନୀଳ ରକ୍ତଧାରୀ କଙ୍କଡ଼ା ବୋଲି ମଧ୍ୟ କୁହାଯାଏ। ଅନେକଙ୍କ ଧାରଣା ଯେ ଏହା ବିଷରେ ଭରି ରହିଥିବା ଏକ ସାମୁଦ୍ରିକ ପ୍ରାଣୀ, ଯିଏ ଥରେ କାମୁଡ଼ିଲେ ମରଣ ଅବଶ୍ୟମ୍ଭାବୀ। କିନ୍ତୁ ତାହା ସଂପୂର୍ଣ୍ଣ ଅମୂଳକ। ଏହା ଆଦୌ ବିଷାକ୍ତ ନୁହେଁ। ବରଂ, ମାନବଜାତି ପାଇଁ ଏହା ଏକ ବରଦାନ ସଦୃଶ।

ବିଶେଷଜ୍ଞଙ୍କ ମତାନୁସାରେ ଦୀର୍ଘ ୪୫ କୋଟି ବର୍ଷ ତଳେ ଏହି ଜାତିର ଜୀବଙ୍କ ସୃଷ୍ଟି ହୋଇଥିଲା। ଏହି କଙ୍କଡ଼ାରୁ ଉପଲବ୍‌ଧ ନୀଳ ରକ୍ତରେ ଅନେକ ଦୁର୍ଲଭ ଔଷଧୀୟ ଗୁଣ ରହିଛି। ବିଶ୍ବବଜାରରେ ଏହି ରକ୍ତର ମୂଲ୍ୟ ଲିଟର ପ୍ରତି ୧୧ରୁ ୧୩ ଲକ୍ଷ ଟଙ୍କା। ଏହାକୁ ଦୁନିଆର ସବୁଠାରୁ ମୂଲ୍ୟବାନ ତରଳ ବୋଲି କୁହାଯାଏ। ବୈଜ୍ଞାନିକଙ୍କ ମତରେ ଏହି ନୀଳ ରକ୍ତରେ ପ୍ରଚୁର ପରିମାଣର ତମ୍ବା ଭରି ରହିଛି। ୧୯୭୦ ମସିହାରୁ ମେଡିକାଲ ଲାବୋରଟରିଗୁଡ଼ିକରେ ଏହି ରକ୍ତର ବ୍ୟବହାର ବିଶେଷ ଭାବେ ବୃଦ୍ଧି ପାଇଛି।

ମଇ ଏବ˚ ଜୁନ୍‌ ମାସରେ ଆଟଲାଣ୍ଟିକ୍‌, ଭାରତ ଏବ˚ ପ୍ରଶାନ୍ତ ମହାସାଗରରେ ଏଗୁଡ଼ିକୁ ଦେଖିବାକୁ ମିଳିଥାଏ। ‘ଆଟଲାଣ୍ଟିକ୍‌ ଷ୍ଟେଟ୍‌ସ ମେରାଇନ ଫିସରିଜ୍‌ କମିସନ’ର କହିବା ମୁତାବକ ପ୍ରତି ବର୍ଷ ପ୍ରାୟ ୫ କୋଟି ଅଶ୍ବ ଖୁରାକୃତି କଙ୍କଡ଼ାର ରକ୍ତକୁ ଡାକ୍ତରୀ ଗବେଷଣାରେ ବ୍ୟବହାର କରାଯାଉଛି। ଅତ୍ୟନ୍ତ ସତର୍କତାର ସହିତ ସିରିଂଜ୍‌ ଦ୍ବାରା ଏହାର ଶରୀରରୁ ମାତ୍ର ୩୦ ପ୍ରତିଶତ ରକ୍ତ ବାହାର କରିବା ପରେ ତାକୁ ପୁଣି ଥରେ ସମୁଦ୍ରରେ ଛାଡ଼ି ଦିଆଯାଏ। ତେବେ ଏକ ତଥ୍ୟ ମୁତାବକ, ରକ୍ତ ବାହାର କରି ନେବା ପରେ ପ୍ରାୟ ୧୦ରୁ ୩୦ ଭାଗ କଙ୍କଡା ବଞ୍ଚି ରହିପାରନ୍ତି ନାହିଁ। ଆଉ ଯେଉଁମାନେ ବଞ୍ଚନ୍ତି ସେଗୁଡ଼ିକ ବଂଶ ବିସ୍ତାର କରିବାର କ୍ଷମତା ହରାନ୍ତି।

ଓଡ଼ିଶାକୁ ଲାଗି ରହିଥିବା ସମୁଦ୍ରରେ ଏହି ଜାତିର କଙ୍କଡ଼ା ବହୁଳ ଭାବେ ଦେଖା ଯାଆନ୍ତି। ସେହି ଦୃଷ୍ଟିରୁ ଆମ ରାଜ୍ୟରେ ନୀଳ ରକ୍ତ ସମ୍ବନ୍ଧରେ ଉଚ୍ଚତର ଗବେଷଣା ଅନୁଷ୍ଠାନ ଖୋଲାଯିବା ଆବଶ୍ୟକ।

ମୋ: ୯୮୬୧୨୪୦୨୨୮

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe