ଆଇନଷ୍ଟାଇନଙ୍କ ହସ ଓ ଫଟୋ

Advertisment

ସୁପ୍ରଭା ବେହେରା

ସୁପ୍ରଭା ବେହେରା

ଆଇନଷ୍ଟାଇନଙ୍କ ହସ ଓ ଫଟୋ

onedio.com

ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ସେଦିନ ଥିଲା ବାସ୍ତରିତମ ଜନ୍ମ ଦିବସ। ଏହାର ପାଳନ ସେ ପ୍ରିନ୍‌ସଟନ୍‌ ଇଉନିଭର୍ସିଟିରେ କରିଥିଲେ। ଉତ୍ସବ ସାରା ରାତି ଚାଲିଥିଲା। ନିଜର ବନ୍ଧୁ ଓ ଶୁଭେଚ୍ଛୁଙ୍କ ସହ ଫଟୋଗ୍ରାଫର୍‌ମାନେ ମଧ୍ୟ ରହିଥିଲେ, ଯେଉଁମାନେ ରାତି ସାରା ହସ ହସ ମୁହଁ ସହ ବିଭିନ୍ନ ଭଙ୍ଗୀରେ ତାଙ୍କ ଫଟୋ ଉତ୍ତୋଳନ କରି ଚାଲିଥିଲେ। ଏଭଳି ଏକ ଅପ୍ରାକୃତିକ ଭଙ୍ଗୀରେ ରହି ରହି ଆଇନ୍‌ଷ୍ଟାଇନ୍ ବିରକ୍ତ ହୋଇ ଯାଇଥିଲେ। ପରିଶେଷରେ ଉତ୍ସବରୁ ଘରକୁ ଫେରିବାକୁ ବାହାରୁଥିବା ବେଳେ ଯେତେବେଳେ ଶେଷ ଫଟୋଗ୍ରାଫ ପାଇଁ ଫଟୋଗ୍ରାଫରମାନେ ଏକ ହସ ହସ ମୁହଁ ପାଇଁ ଜିଦି କଲେ, ଆଇନ୍‌ଷ୍ଟାଇନ୍‌ ଅସହ୍ୟ ବିରକ୍ତିରେ ନିଜର ଜିଭଟିକୁ ବାହାରକୁ ଲମ୍ବେଇ ଖତେଇ ହୋଇଥିଲେ। ଖୁବ୍ କମ୍ ସମୟ ପାଇଁ ସେ ଏଭଳି କରିଥିଲେ ସିନା, ତାଙ୍କ ସେହି ମୁଖଭଙ୍ଗୀ ଆର୍ଥର ସାସେଙ୍କ କ୍ୟାମେରା ଦ୍ବାରା ବନ୍ଦୀ ହୋଇ ଆଇନ୍‌ଷ୍ଟାଇନ୍‌ଙ୍କ ଏକ ଅନନ୍ୟ କ୍ଷଣକୁ ସବୁ ଦିନ ଲାଗି ସ୍ଥିର କରି ‌େଦଇଥିଲା। ଏହି ଫଟୋଟି ସେତେବେଳେ ଖୁବ୍ ଜନାଦୃତ ହେବା ସହିତ ଏବେ ବି ଲୋକପ୍ରିୟ ହୋଇ ରହିଛି। ତେବେ ଆଇନଷ୍ଟାଇନଙ୍କୁ ମଧ୍ୟ ତାହା ବେଶ୍‌ ପସନ୍ଦ ଆସିଥିଲା। ୨୦୧୭ରେ ଏହି ଫଟୋଟି ୧୨୫ ହଜାର ଡଲାର୍‌ରେ ବିକ୍ରି ହୋଇଥିଲା।

ମୁହୂର୍ତ୍ତକର କୃତ୍ରିମ ହସକୁ ସ୍ଥାୟୀ କରି ପାରିଥିବା ଏଭଳି ଅନେକ ଫଟୋ ଆମେ ସବୁଠି ଦେଖୁ; ଫେସବୁକ୍‌ ଠାରୁ ଆରମ୍ଭ କରି ଆଲବମ୍‌ ଏବଂ ଖବରକାଗଜମାନଙ୍କ ପର୍ଯ୍ୟନ୍ତ ସର୍ବତ୍ର। ଆଜିର ଫଟୋ-ମନସ୍କ ଦୁନିଆରେ ଏହାର ଗୁରୁତ୍ବ କିଭଳି ବୃଦ୍ଧି ପାଇଛି, ତାହା କହିବା ଅନାବଶ୍ୟକ। ଉଦାହରଣ ସ୍ବରୂପ କୌଣସି ବିଶେଷ ଦିବସ ପାଳନ ବେଳେ ସଂପୃକ୍ତ ଦିବସ ପଛରେ ନିହିତ ଥିବା ଉଦ୍ଦେଶ୍ୟ ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ହୋଇପଡ଼େ ସେହି ଦିବସରେ ଉଠୁଥିବା ବିଭିନ୍ନ ଫଟୋ। ଧରି ନିଆଯାଉ ବନ ମହୋତ୍ସବ ପାଳନ କରାଯାଉଛି। ସେହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହତ୍ତ୍ବପୂର୍ଣ୍ଣ। କିନ୍ତୁ ‌େଦଖାଯାଏ ଯେ ସେଥିରେ କେତେ ବୃକ୍ଷରୋପଣ କରାଗଲା, କେମିତି ତାର ଯତ୍ନ ନିଆଯିବ; ଏ ସବୁଥିରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼େ କୌଣସି ମାନ୍ୟଗଣ୍ୟଙ୍କ ଦ୍ବାରା ଗଛ ଲଗାଯାଉଥିବାର ଫଟୋ, ଯହିଁରେ ତାଙ୍କୁ ବେଢ଼ି ଅନ୍ୟ କନିଷ୍ଠ ମାନ୍ୟଗଣ୍ୟମାନେ ହସହସ ମୁହଁରେ କ୍ୟାମେରାକୁ ଚାହିଁ ଠିଆ ହୋଇଥାଆନ୍ତି। ସୁତରାଂ, ଗଛ ଲାଗୁ ବା ନ ଲାଗୁ ଫଟୋଟି ହୋଇଯାଏ କାର୍ଯ୍ୟକ୍ରମର ସଫଳତାର ପ୍ରମାଣ। ସେମିତି ଧରନ୍ତୁ କୌଣସି ଘର ଆଗରେ ଫଳକ ଲଗାଇ ହିତାଧିକାରୀ ଠିଆ ହୋଇ ଫଟୋ ଉଠାଇଲେ। ଘରଟି ତାଙ୍କର ହୋଇଥାଉ ବା ନ ଥାଉ ସେହି ଫଟୋଟି ଦେଖାଇ ଅର୍ଥ ପାଇଗଲେ। ଏମିତି କି ଅଭିଯୋଗ ହୋଇଥାଏ ଯେ ଅନ୍ୟ କୌଣସି ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପର ଫଟୋ ଦେଖାଇ ଅସଂପୂର୍ଣ୍ଣ କାମ କରି ସୁଦ୍ଧା ଠିକାଦାରମାନେ ବିଲ୍‌ କରି ପଇସା ନେଇଯାଉଛନ୍ତି।

ଏବେ ଆମେ ଦେଖୁଛୁ ଯେ ସମାଜ ସେବାର ମୂଳପିଣ୍ଡ ମଧ୍ୟ ହୋଇଯାଇଛି ଫଟୋ। ଗାନ୍ଧୀଜୀ କହୁଥିଲେ ଯେ ସେବା ନିଃସ୍ୱାର୍ଥପର ହେବା ଉଚିତ, ଯେଉଁଥିରେ ଧନ୍ୟବାଦ ପାଇବାର ଛୋଟ ଆଶା ମଧ୍ୟ ଅନୁଚିତ। ଗୋଟିଏ ପ୍ରସିଦ୍ଧ ହିନ୍ଦୀ ଭାଷୀ ଉକ୍ତି ଅନୁସାରେ ‘ଯୋ ଦିଲ୍‌ ସେ କିୟା ଜାତା ହୈ, ଵହି ସେବା ହୈ; ବାକି ସବ୍ ଦିଖାୱା ହୈ।’ ଏହାର ଅର୍ଥ ଯେଉଁ ‌େସବା ଅନ୍ତରରୁ କରାଯାଏ, ତାହା ହିଁ ପ୍ରକୃତ ସେବା। ବାକି ସବୁ ଦେଖାଇ ହେବା। ଏବେ ଭାବନ୍ତୁ ସମାଜ ସେବା ବା ମାନବ ସେବାର ଉଦାହରଣ ବହନ କରିଥିବା ମାଳ ମାଳ ଫଟୋ ଯେମିତି ଗଣମାଧ୍ୟମରେ ଭରପୂର ଭାବେ ପ୍ରକାଶିତ ହେଉଛି, ତା’ ପଛରେ ‌େସବକଙ୍କ କେଉଁ ମନୋଭାବ ରହିଛି?

ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିବା ଏବେ ଏକ ଏମିତି ଦୁର୍ବାର ଅଭ୍ୟାସ‌େର ପରିଣତ ହେଲାଣି ଯେ ଲାଗୁଛି ସତେ ଯେମିତି ଏକ ମାନସିକ ବ୍ୟାଧି ରୂପେ ଏହା ସମସ୍ତଙ୍କୁ ଗ୍ରାସ କରି ଚାଲିଛି। ଏଥିରେ ସ୍ଥାନ ପାଇଥିବା କୃତ୍ରିମ ହସ ସମ୍ବଳିତ ଫଟୋ ଦ୍ବାରା ଆମେ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛୁ ଯେ ଆମେ ସତରେ କେତେ ସୁଖୀ! ତା ଭିତରେ ଆମ ନିଜ ପରିବାରରେ ଚାଲିଥିବା ଦାଂପତ୍ୟ କଳହ, ପାରିବାରିକ ଅଶାନ୍ତି, ସନ୍ତାନମାନଙ୍କ ହାତରେ ବାପା, ମା’ଙ୍କୁ ମିଳୁଥିବା ନିର୍ଯାତନା ଆଦି ସବୁ କିଛି ଲୁଚି ଯାଉଛି।

ତେଣୁ ଏବେ କାହାର ଫଟୋ ଦେଖି‌େଲ ମନରେ ପ୍ରଶ୍ନ ଉଠୁଛି ଏହା ପଛରେ କୃତ୍ରିମତା ନାହିଁ ତ? ଫଟୋରେ ଯାହା ଯେମିତି ଦିଶୁଛି ସବୁ କିଛି ସେତିକି ସୁନ୍ଦର ତ? ସେହି ପରିପ୍ରେକ୍ଷୀରେ ଜଣେ ତରୁଣୀଙ୍କ କଥା ମନକୁ ଆସେ। ତାଙ୍କର କୁନି ପୁଅକୁ ତାଙ୍କର ଜଣେ ସଂପର୍କୀୟ ଗେହ୍ଲା କରୁଥିବା ବେଳେ ତାଙ୍କୁ ଏହି ମା’ ଅଗତ୍ୟା କହି ପକାଇଥିଲେ- ୟେ ନା ଏମିତି ଯେତିକି ସୁନ୍ଦର ଦିଶୁଛି, ଫଟୋରେ ତା’ ଠାରୁ ବେଶୀ ସୁନ୍ଦର ଦିଶେ!

ମୋ- ୯୦୪୦୩୬୦୨୫୯

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe