ଗଣତନ୍ତ୍ରର ଗ୍ରନ୍ଥି

ଦାଶ ବେନହୁର

ଗଣତନ୍ତ୍ରର ଗ୍ରନ୍ଥି

‘ଗଣତନ୍ତ୍ର’ କହିଲେ ସାଧାରଣ ଲୋକେ ମନ୍ତ୍ରୀ-ଶାସନକୁ ବୁଝନ୍ତି। ପାଠ ପଢ଼ିଥିବା ବ୍ୟକ୍ତି ସିଧା ପହଞ୍ଚନ୍ତି ଆମେରିକାର ରାଷ୍ଟ୍ରପତି ଆବ୍ରାହାମ୍‌ ଲିଙ୍କନ୍‌ ଦେଇଥିବା ସେ ସମ୍ପର୍କିତ ମତ ପାଖରେ- ‘‘ଲୋକଙ୍କର, ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଶାସନ’’। ଅର୍ଥାତ୍‌ ଲୋକଶାସନ। ବିଦ୍ବାନମାନେ କହନ୍ତି ‘‘ଗଣତନ୍ତ୍ର ହେଉଛି ଏଭଳି ଏକ ଶାସନ ଯେଉଁଥିରେ ସମାଜର ସବୁଠାରୁ ତଳେ ଥିବା ଲୋକଟିର ମଧ୍ୟ ସରକାର ଗଢ଼ିବାର ଅଧିକାର ଥାଏ।’’
‘‘ଗଣଶାସନ, ଜନଶାସନ, ଲୋକଶାସନ ସେଇ ଏକାକଥା। ସେଥିରେ ମୁଁ ବୋଲି କାହାର ବଡ଼ପଣ, ବଳାତ୍କାର ନ ଥିବ, ଲୋକେ ନିଜକୁ ନିଜେ ଶାସନ କରୁଥିବେ। ସଭିଏଁ ସମାନ, ସମସ୍ତେ ସ୍ବାଧୀନ। ସାମାଜିକ ନ୍ୟାୟର ଫୁଲବଗିଚା ସବୁଆଡ଼େ।’’ କେଡ଼େ ସୁନ୍ଦର ଶୁଭୁଚି କାନକୁ!
ସତରେ କ’ଣ ଗଣତନ୍ତ୍ର ଲୋକଶାସନ? ରାଜଶାସନର ବ୍ୟବସ୍ଥାକୁ ଉଜୁଡ଼େଇ ସାରା ଦୁନିଆରେ ମଣିଷକୁଳ ଯେ ଗଣତନ୍ତ୍ରକୁ ଆପଣାର କଲେ ତା’ର ହେତୁ କ’ଣ? ସେଥିରେ ସଫଳତା କେତେ? ମୁଁପଣର ତାଣ୍ଡବ କ’ଣ ଯାଇଛି ନା ଶୋଷଣ, ବଳାତ୍କାର, ଅସମାନତା, ପରାଧୀନତା, ଅନ୍ୟାୟ, ଅନୀତି ହଟିଛି? ଯଦି ହଟିନାହିଁ ତାହା କାହିଁକି? କ’ଣ କଲେ ଆମେ ଅସଲ ଗଣତନ୍ତ୍ର ପାଇବା?
ଗ୍ରନ୍ଥି କଥାଟିକୁ ବିଚାର କରାଯାଉ। ଗ୍ରନ୍ଥି କହିଲେ ତାହା ଅନେକ ବିଷୟକୁ ବୁଝାଏ। ଗ୍ରନ୍ଥ୍‌+ଇ। ଗ୍ରନ୍ଥ୍‌ କହିଲେ ଏକାଠି କରିବା, ଗୁନ୍ଥିବା। ଗ୍ରନ୍ଥି, ଦେହର ଗଣ୍ଠି, ଶରୀର ସନ୍ଧି। ଦେହ ଭିତରେ ଧାଇଁଥିବା ର‌ସସ୍ରୋତକୁ ବି କୁ‌ହାଯାଏ ଗ୍ରନ୍ଥି। ଗଣତନ୍ତ୍ରର ଗ୍ରନ୍ଥି ପୁଣି କ’ଣ?
ମନେପକାନ୍ତୁ ପଦେ ଗୀତ। ଆରେ ଆରେ ପଳାୟନ ପନ୍ଥୀ/ କାହିଁ ଯିବୁ ଛିନ୍ନ ଧରି ଧରଣୀର ଗ୍ରନ୍ଥି?’’ ମୂଳ ଦେହରୁ ନିଜକୁ ଛିନ୍ନ କରିବା ଅର୍ଥ ନିଜକୁ ଶେଷ କରିଦେବା। ଅତଏବ ଗଣତନ୍ତ୍ର ସହ ନ ରହିବା ହିଁ ଆମର ତଥା ଗଣତନ୍ତ୍ରର, ଉଭୟଙ୍କର ମୃତ୍ୟୁ। ଆପଣାକୁ ଓ ଗଣତନ୍ତ୍ର ଶାସନକୁ ସୁସ୍ଥ ତଥା ଜୀବିତ ରଖିବା ପାଇଁ ହେଲେ ଏ ଗ୍ରନ୍ଥିକୁ ବୁଝିବା ଦରକାର। ଗଣତନ୍ତ୍ରର ଗ୍ରନ୍ଥି ହେଉଛି ତାହା ଯାହା ଆମ ସମସ୍ତଙ୍କୁ ‌ଯୋଡ଼ି ଧରିଛି। ସମୂହର ରସସ୍ରୋତ ହୋଇ ସବୁ ବିବିଧତା ଭିତରେ ସେ ଗୁନ୍ଥି ଧରିଛି ଆମକୁ।

ଆମ ସଂବିଧାନ, ଆମ ଧର୍ମଗ୍ରନ୍ଥ

ଦେହ ମାତ୍ରେ ଭିନ୍ନ ଭିନ୍ନ। ମନ ଗୋଟିକେ ବିଚାର ଗୋଟିଏ। କେତେ ଜାତିର ବିଶ୍ବାସ। ଭାଷା ବି ଅଲଗା ଅଲଗା। ଖାଦ୍ୟ, ପେୟ, ପୋଷାକ ରୀତିନୀତି ସବୁରେ ଫରକ। ଅଥଚ ଆମକୁ ନ୍ୟାଯ୍ୟ ତଥା ଆଇନଗତ ଭାବେ ଏକାଠି କରି ଯେ ଧରିଛି ତାହା ହେଉଛି ଆମ ଦେଶର ସମ୍ବିଧାନ- ଭାରତୀୟ ମୌଳିକ ଅାଇନ୍‌ ଖସଡ଼ା। ପାର୍ଲାମେଣ୍ଟ, ଉଚ୍ଚତମ ନ୍ୟାୟାଳୟ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏପରିକି ଧର୍ମ ବୋଲି କହି ଯାହା ନ‌ାଆଁରେ ଆମେ ହଣାମରା ହେଉ ତାହା ମଧ୍ୟ ଆମକୁ ଏକତ୍ର କରି ଧରିନାହିଁ। ଧରିଛି ସମ୍ବିଧାନ। ଆମେ ଯେ ଭାରତୀୟ, ଆଧୁନିକ କାଳରେ ତାହା ମହାଭାରତରେ ନାହିଁ କି ଗୀତ‌ାରେ ନାହିଁ। କୋରାନ୍‌, ବାଇଲେ୍‌, ତ୍ରିପିଟକ କି ଜେନ୍ଦ୍‌ଆଭେସ୍ତାରେ ନାହିଁ। ଅଛି ସମ୍ବିଧାନରେ।
ପ୍ରାଚୀନ କଥାକୁ ଯିବା ନାହିଁ। ସମୟ ସ୍ରୋତରେ ଅନେକ କିଛି ବଦଳିଛି। ମାତ୍ର ଆଧୁନିକ କାଳରେ ଆମେ ଏ ଯେଉଁ ମାଟିମାଆ ଦ୍ବାରା ପ୍ରତିପାଳିତ ତା’ର ଆଧୁନିକ ନାମ ହେଉଛି ଭାରତ। ତା’ର ଅଧିବାସୀ ବୋଲି ବିଶ୍ବ ଦରବାରରେ ଭାରତୀୟ ଭାବରେ ଆମେ ଜଣାଶୁଣା। ଦେଶ ବାହାରେ ଆପଣ ଧର୍ମ, କର୍ମ, ବିଶ୍ବାସ, ରଙ୍ଗ, ରୂପ, ଲିଙ୍ଗ ଆଧାରରେ ହୁଏତ ନାନା ପଛ-ପରିଚୟ ଦେଇପାରନ୍ତି ମାତ୍ର ପ୍ରଥମ ଓ ମୌଳିକ ପରିଚୟ ହେଲା ‘ଭାରତୀୟ’। ଭାରତର ଚିତ୍ର ବାହାରେ ଭଲ ତ ଆପଣ ଭଲ ମଣିଷ, ଭାରତର ଚିତ୍ର ବିଦେଶରେ କଳୁଷିତ ତ ଆପଣ ଗୋଟେ କଳୁଷିତ ବ୍ୟକ୍ତିତ୍ବ।
ମୋଟାମୋଟି କହିବାକୁ ଗଲେ ଆଧୁନିକ କାଳରେ ସମସ୍ତଙ୍କର ଗୋଟିଏ ପରିଚୟ। ଏ ପରିଚୟ ଦେଇଛି ସମ୍ବିଧାନ। ଏ ସମ୍ବିଧାନ ପୁଣି ଆମେ ଆମକୁ ଦେଉଛୁ ବୋଲି ତା’ ଦେହରେ ଘୋଷଣା କରିଛୁ। ସେଇଥିପାଇଁ ଘରର ମୁଖ୍ୟ ଦୁଆର ଭଳି ଯେଉଁ ଚାରିପଦ ଲେଖା ହୋଇଛି ତାହା ନ ଜାଣିଲେ ନା ଆମେ ଗଣତନ୍ତ୍ରର ଗ୍ରନ୍ଥିକୁ ବୁଝିବା ନା ଆପଣାକୁ ଜାଣିବା।
ଲେଖାଅଛି- ‘‘ଆମେ ଭାରତବାସୀ ଗୋଟିଏ ସର୍ବଶକ୍ତିବନ୍ତ, ସମାଜବାଦୀ, ବିଶ୍ବାସ -ନିରପେକ୍ଷ, ଲୋକତାନ୍ତ୍ରିକ ଗଣରାଷ୍ଟ୍ର ଗଢ଼ିବା ପାଇଁ ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ, ରାଜନୈତିକ ନ୍ୟାୟ ସହିତ ବିଚାର, ଅଭିବ୍ୟକ୍ତି, ପ୍ରତ୍ୟୟ, ଧର୍ମ ଓ ଉପାସନା ଏବଂ ସମସ୍ତଙ୍କ ଭିତରେ ପ୍ରତିଷ୍ଠା ତଥା ସୁଯୋଗରେ ସମାନତା ସୃଷ୍ଟିର ବ୍ୟବସ୍ଥା ସଙ୍ଗକୁ ଜଣେ ବ୍ୟକ୍ତି ଭାବରେ ଗରିମା ଯୁକ୍ତ ହୋଇ ଏକତା ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବା ଭଳି ଭାରତ ଗଠନ କରିବୁ।
ଆଜି ୨୬, ନଭେମ୍ବର, ୧୯୪୯ (ମାର୍ଗଶୀର ଶୁକ୍ଳସପ୍ତମୀ, ବିକ୍ରମ ସମ୍ବତ୍ସର ୨୦୦୬) ଦିନ ସମ୍ବିଧାନ-ଗଠନକାରୀ ସଭାରେ ଦୃଢ଼ ସଂକଳ୍ପ କରି ଗ୍ରହଣ ଓ ପ୍ରଣୟନ ପୂର୍ବକ ଏ ସମ୍ବିଧାନଟି ନିଜକୁ ଅର୍ପଣ କରୁଛୁ।’’
ଉପର ଲିଖିତ ସଂକଳ୍ପ ଥରେ ଦୁଇ ଥର ନୁହେଁ ବାରମ୍ବାର ପଢ଼ିଲେ ଯାଇ ବୁଝିବା ଆମ ଏ ମୌଳିକ ଆଇନର ଉଦ୍ଦେଶ୍ୟ, ଗଣତନ୍ତ୍ରର ଗ୍ରନ୍ଥି ଏବଂ ବିଶେଷ କରି ଆପଣାକୁ। ଏଠାରେ ଧନୀ, ଦରିଦ୍ରର କଥା ନାହିଁ। ଶିକ୍ଷିତ ଅଶିକ୍ଷିତର ବିଚାର ନାହିଁ। ହିନ୍ଦୁ ମୁସଲମାନର ଆଲୋଚନା ନାହିଁ। ପାଣି, ପବନ, ଆକାଶ ଆଗରେ ଯେମିତି ଏସବୁର ପରିଚୟ ମୂଲ୍ୟହୀନ, ସମ୍ବିଧାନ ଆଗରେ ବି ସେମିତି। କେବଳ ଏତିକି ଯେ ଏଥିଲାଗି ଜଣେ ଭାରତୀୟ ହେବା ଦରକାର। ଭାରତୀୟତା ନାହିଁ ତ ଭାରତୀୟ ସମ୍ବିଧାନର କଥା ଉଠିବ କାହିଁକି?
ଭାରତୀୟ ସମ୍ବିଧାନର ପ୍ରଧାନ ଦ୍ବାର ଭାବରେ ଏ ଯେଉଁ ଅର୍ପଣର ‌େଘାଷଲେଖ, ତାହାକୁ ପଢ଼ି ଏକଦା ‘‘ଲଣ୍ଡନ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସ ଏଣ୍ଡ ପଲିଟିକାଲ୍‌ ସାଇନ୍‌ସ’’ର ପ୍ରଫେସର ସାର୍‌ ଅର୍‌ନେଷ୍ଟ୍‌ ବାର୍କର ଏତେ ପ୍ରଭାବିତ ହୋଇ ପଡ଼ିଲେ ଯେ ତାଙ୍କ ଲିଖିତ ‘‘ପ୍ରିନ୍‌ସିପଲ୍‌ସ ଅଫ୍‌ ସୋସିଆଲ୍‌ ଏଣ୍ଡ୍‌ ପଲିଟିକାଲ୍‌ ଥିଓରି’’ରେ ତାହାକୁ ମୁଖବନ୍ଧ ଭାବରେ ଗ୍ରହଣ କରିନେଲେ। ବହିଟିର ଓଡ଼ିଆ ଶୀର୍ଷକ ହେବ, ‘‘ସାମାଜିକ ଓ ରାଜନୈତିିକ ସିଦ୍ଧାନ୍ତର ନୀତିସମୂହ।’’ ପୁସ୍ତକଟି ବାହାରିଥିଲା ୧୯୫୧ରେ, ଆମ ସମ୍ବିଧାନ ବାହାରିବାର ପାଖାପାଖି ଗୋଟିଏ ବର୍ଷ ପରେ। ସେ ଦିନ ବିଶ୍ବ ବିଖ୍ୟାତ ଏ ଜ୍ଞାନାଚାର୍ଯ୍ୟଙ୍କ ମୁହଁରେ ଥିଲା ଭାରତୀୟ ସମ୍ବିଧାନର ଭୁରି ଭୁରି ପ୍ରଶଂସା। ହେଲେ ଆମେ ଭାରତୀୟ, ‘‘ମୋ ଭାରତ ମହାନ୍‌’’ କହୁଥିବା ଲୋକ ସମୂହ ‌କେତେ ଜାଣିଛୁ ଆପଣାର ସମ୍ବିଧାନକୁ? କେତେ ବୁଝିଛୁ?
ସ୍ମରଣ ରଖିବା ଆବଶ୍ୟକ ଯେ ଅତୀତ ଭାରତରେ ଜୀବନ-ନୀତିର ଖସଡ଼ା ଭାବରେ ସମ୍ପ୍ରଦାୟ ନିର୍ବିଶେଷରେ ‘‘ଭ‌ାଗବତ’’ ଥିଲା ମୌଳିକ ଗ୍ରନ୍ଥ। ଏଠାରେ ଭାଗବତକୁ ହିନ୍ଦୁଧର୍ମ ଗ୍ରନ୍ଥ ନୁହେଁ ସମାଜନୀତିର ଏକ ପ୍ରତୀକ ଭାବରେ ଉଦାହରଣ ଦିଆଯାଉଛି। ଖପରାଡ଼ିଅାଁମାନେ ଭାଗବତ ନାଁ ଶୁଣି ଏଣୁତେଣୁ ବିଚାର ନ କରିବାକୁ ଅନୁରୋଧ। ଏକଦା ଅକ୍ଷର ଶିଖିନଥିବା, ପାଠ କ’ଣ ଜାଣିନଥିବା ଲୋକେ ଭାଗବତର ଜୀବନ-ଯୋଡ଼ା କଥା ଓ ପଦକୁ ଉଦ୍ଧାର କରୁଥିଲେ। କର୍ଣ୍ଣଶିକ୍ଷା ଥିଲା ସେ ସମୟର ବିଧି। ସେଇବାଟେ ବୁଲୁଥିଲା ସମାଜର ନୀତି, ନିୟମ। ‘‘କର୍ମ କଷଣ ଦେହ ସହେ/ ଅରଣ୍ୟେ ଅଜଗର ପାୟେ’’। ‘‘ଅନେକ ଲୋକ ଯହିଁ ମିଳି/ଅବଶ୍ୟ ଉପୁଜଇ କଳି’’। ‘‘ଆହାରେ ଭଲମନ୍ଦ ନାହିଁ/ ଯେ ସ୍ଥାନେ ଯେମନ୍ତ ମିଳଇ।’’ ଏସବୁ କ’ଣ କେଉଁ ଧର୍ମର କଥା? ସେଇଭଳି ଅନେକ ଗୃଢ଼ ଦର୍ଶନର ତତ୍ତ୍ବ ମଧ୍ୟ ସେଥିରେ ନିହିତ- ‘‘ଆତ୍ମାର ଜନ୍ମ ମୃତ୍ୟୁ ନାହିଁ/ ଦେହରୁ ବିଲକ୍ଷଣ ସେହି। ଯେସନେ ବୀଜୁଁ ବୃକ୍ଷ ଜାତ/ ସେ ବୀଜ ପୁଣି ବୃକ୍ଷେ ସ୍ଥିତ।’’
ସମ୍ବିଧାନ-ସମ୍ୟକ୍‌ ବିଧିୟ‌େତ ବିଧାନମ୍‌। ଯେଉଁଥିରେ ବିଧାନ ବା ନୀତି ସମ୍ୟକ୍‌ ଅର୍ଥାତ୍‌ ବିଶଦ୍‌ ଭାବରେ ଗ୍ରନ୍ଥାୟିତ ହୋଇଛି। ତାହା ହିଁ ଆମ ସ୍ବାଧୀନ ଭାରତର ମୂଳ ଓ ମୌଳିକ ଆଇନ୍‌। ଆମ ଗଣନ୍ତ୍ରର ମନ୍ତ୍ରଦାତା, ରକ୍ଷାକାରୀ।
ଭାରତ ବର୍ଷ ଦିନକୁ ଦିନ ଅଧିକ ଶିକ୍ଷିତ ହେଉଛି। ଡାକ୍ତର, ଇଞ୍ଜିନିୟର୍‌, ଆଇଟି ପ୍ରଫେସନାଲ୍‌, ବୈଜ୍ଞାନିକ, ବ୍ୟବସାୟୀ, ପ୍ରଶାସକ। କେତେଜଣଙ୍କର ଅବଧାରଣା ଅଛି ଏ ମୌଳିକ ଗ୍ରନ୍ଥଟି ସମ୍ପର୍କରେ? ଗ୍ରନ୍ଥଟିକୁ ଯେ ଜାଣିନାହିଁ, ସେ ଗ୍ରନ୍ଥିକୁ ବୁଝିବ କେମିତି? ଗଣତନ୍ତ୍ର ତ ଗାଏ‌ ‌େମାଟ ତା’ ପାଇଁ ଅଜଣା?
ଜ‌େଣ ଡାକ୍ତରବାବୁଙ୍କୁ ସମ୍ବିଧାନ ସମ୍ପର୍କରେ ପଚାରନ୍ତୁ। ସେ ହୁଏତ କହିବେ, ମୁଁ ମୋ ବିଦ୍ୟାରେ ପାରଙ୍ଗମ। ମୋ ପାଠ ସମ୍ପର୍କରେ ପଚାରନ୍ତୁ। ସେ ସମ୍ବିଧାନ ଫମ୍ବିଧାନରୁ କି ମିଳିବ ମତେ? ଇଞ୍ଜିନିୟର କହିବେ, ସାଇନ୍‌ସ ପରେ ତ ଇଞ୍ଜିନିୟରିଂକୁ ଆସିଲି। ଅବଶ୍ୟ ମୁଁ ଏବେ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀ। ସେ କଥା ମୁଁ ଠିକ୍ ତୁଲୋଉଚି? ସମ୍ବିଧାନ ସମ୍ପର୍କରେ ମୁଁ ଜାଣିବା କି ଆବଶ୍ୟକ? ଅଧିକାଂଶ ବୃତ୍ତିଜୀବୀ ସେଇଆ କହିବେ। ବ୍ୟବସାୟୀ ବି। ରାଜନେତା ତ କହିବେ,‘‘ଫାଲ୍‌ତୁ କଥା ଛାଡ଼ନ୍ତୁ। ସେ କଥା କହିବା ପାଇଁ ମୋ ଓକିଲ ଅଛନ୍ତି। ଯଦି ଅପେକ୍ଷା କରିବେ ତେବେ ତାଙ୍କୁ ଡକେଇଦେବି। ତାଙ୍କ ଠାରୁ ଉତ୍ତର ବୁଝିନେବେ।’’
ସମ୍ବିଧାନ ‌ଆମ ନିଜ ସହ ଯୋଡ଼ା, ଦେଶ ସହ ବନ୍ଧା। ତାହା ହିଁ ଆମକୁ ଦେଶ ତଥା ଶାସନ ସହ ଯେ ଅଙ୍ଗୀଭୂତ କରୁଛି ସେ କଥା ସେମାନେ ସ୍ବୀକାର କରିବେ ନାହିଁ।
ସାଧାରଣ ଲୋକଙ୍କ କଥା ବଡ଼ ବିଷମ। କେବଳ ଇଂରେଜୀ ଜ୍ଞାନ ଥିଲେ ଯେ ସମ୍ବିଧାନଟିକୁ ଓ ଧାରାଗୁଡ଼ିକୁ ବୁଝିହେବ ସେ କଥା କେହି ହଲପ୍‌ କରି କହିପାରିବେ ନାହିଁ। ‌ଆମ ସମ୍ବିଧାନ ସମ୍ପର୍କରେ ଉଲୁଗୁଣାଟିଏ ଅଛି ଯେ ଏହା ‘‘ଓକିଲଙ୍କର ଅମରାବତୀ’’, ‘‘ଲୟରସ୍‌ ପାରାଡାଇଜ୍‌’’। ଅର୍ଥାତ୍‌ ଏହାର ଅନେକ ଧାରା ଏମିତି କିଟିମିିଟିଆ ଯେ ଓକିଲମାନେ ନିଜ ନିଜ ବାଟରେ ତା’ର ବିଶ୍ଳେଷଣର ସୁଯୋଗ ପାଆନ୍ତି। ତେବେ ଅସଲ କଥାଟି ହେଲା ଏବେ ବି କେତେ ଜଣ ଭାରତୀୟ ଇଂରେଜୀ ଭାଷା ବୁଝନ୍ତି? ସ୍ବାଧୀନତାର ଅମୃତ-ଅନୁଭବ ପରେ ବି ତାହା ଆମର ରାଜଭାଷା ହୋଇ ରହିଛି ଓ ରହିବ ମଧ୍ୟ। କାରଣ ତାହା ହଁି ଭାରତୀୟ ସମ୍ବିଧାନର ତଥା ବୈଷୟିକ ଜ୍ଞାନ କୌଶଳର ମୂଳଭାଷା ହୋଇ ରହିଛି। ସମ୍ବିଧାନର ଯେଉଁ ହିନ୍ଦୀ, ଓଡ଼ିଆ ବା ଆଞ୍ଚଳିକ ଭାଷାରେ ଅନୁବାଦ ହୋଇଛି ସେସବୁ ସାଧାରଣ ବ୍ୟକ୍ତିଟିଏ ସମଝିବା ମୁସ୍କିଲ୍‌। ବୁଝି ରଖିବା ଦରକାର ଯେ ‘‘ଭାଗବତ’’ ତା’ର ଶବ୍ଦ-ସାରଲ୍ୟ ପାଇଁ ଲୋକଗ୍ରାହୀ ହୋଇରହିଛି। ଆମ ସମ୍ବିଧାନର ସେ ଦିଗଟି ରୁଦ୍ଧ।
ଅ‌ାମେମାନେ କ’ଣ ମନକୁ ଆଣିଛୁ ଯେ ଭାରତରେ ଶତକଡ଼ା ମାତ୍ର ୧୦.୬୨ ଭାଗ ଲୋକ ଇଂରେଜୀ ଜାଣନ୍ତି? ମୂଳ ସମ୍ବିଧାନ ‌ଇଂରେଜୀରେ। ସମ୍ବିଧାନର କାରବାର ମୂଳତଃ ପୁଣି ସେଇ ଭାଷାରେ। ହିନ୍ଦୀ ଅବଶ୍ୟ ଅଛି ମାତ୍ର ତାହା ଅନେକ ପଛରେ। ଆଞ୍ଚଳିକ ଭାଷାରେ କୌଣସି ଠାରେ ଭାରତୀୟ ସମ୍ବିଧାନର ଭାଷା ସରଳ, ତରଳ ବା ସାଧାରଣରେ ଗ୍ରହଣଯୋଗ୍ୟ ହୋଇ ପ୍ରକାଶିତ ହୋଇନାହିଁ। ଲୋକପ୍ରିୟ ବା ଲୋକଗ୍ରାହୀ ହେବା ଦୂରେ ଥାଉ। ଲୋକେ ତା’କୁ ବୁଝିବେ କେମିତି? ଶିକ୍ଷିତେ ତା’କୁ ଆଦର କରିବେ କାହିଁକି?
ଗଣତନ୍ତ୍ରର ଅସଲ କାର୍ଯ୍ୟକାରିତା ଅଛି ସମ୍ବିଧାନକୁ ନେତା ଓ ଜନତା ଠିକ୍‌ ଭାବରେ ବୁଝିବାରେ। ବିଡ଼ମ୍ବନା ହେଲା ନା ଆମ ନେତାଏ ନିଜର ସାମ୍ବିଧାନିକ ଅଧକାର ବା ଦାୟିତ୍ବ ବୁଝନ୍ତି ନା ଜନତା। ସମ୍ବିଧାନ ତେଣେ ଖଟୁଳିରେ ବସି ଓକିଲ ଓ ବିଚାରପତିଙ୍କ ଅନୁଶୀଳନ ଶୁଣୁଛନ୍ତି, ମାତ୍ର ଜନତା ସେ ସମ୍ପର୍କରେ ଅଜ୍ଞ ସମସ୍ତେ ବୋଲି କହିବା ନାଇଁ ତେବେ ଅଧିକାଂଶ ଏ ଦିଗଟି ପ୍ରତି ଲେଶସ୍ପୃହ।
ଟିକେ ଭିତରୁ ବୁଝିଥିବା ଲୋକେ ଗଣତନ୍ତ୍ରକୁ ପ୍ରତିନିଧିମୂଳକ ଶାସନ କହନ୍ତି। ସେମାନେ ଜାଣନ୍ତି ଗଣତନ୍ତ୍ର ଗୋଟେ ହାତୀ। ଯାହାର ବାହାର ଦାନ୍ତର ନାମ ଲୋକଶାସନ ମାତ୍ର ଭିତର ଦାନ୍ତ ହେଉଛି ପ୍ରତିନିଧିଶାସନ। ପାଟି ଭିତର ଦାନ୍ତ ବିଷୟରେ ଯେଉଁମାନେ ଅଧିକ ଅଭିଜ୍ଞ, ସେମାନେ କହିବେ ଏହା ପ୍ରଧାନମନ୍ତ୍ରୀୟ ଶାସନ। ଲୋକଶକ୍ତିର ନାମ ନେଇ ଜଣେ ପ୍ରଧାନମନ୍ତ୍ରୀ ହିଁ ଦେଶକୁ ଶାସନ କରନ୍ତି।
ଗଣତନ୍ତ୍ରର ଗ୍ରନ୍ଥି ଭିତରେ ଅଛି ଅନେକ ସ୍ରୋତର ଧାରା। ସେସବୁ ହେଲା ରାଜନୈତିକ ସମ୍ପୃକ୍ତି ଯଥା ଦେଶ ବିଷୟରେ ଜାଣିବା ଓ ସାଧୁତାର ସହ ମତ ଦେବା, ମୂଳ ନିୟମ ବା ସମ୍ବିଧାନକୁ ବୁଝିବା ଓ ସେଇବାଟେ ନିଜର ଅଧିକାର ତଥା କର୍ତ୍ତବ୍ୟ ସମ୍ପର୍କରେ ସତେଚନ ହେବା। ଗଣତନ୍ତ୍ର ଦାୟିତ୍ବମୂଳକ ସରକାରର ଶାସନ ନୁହେଁ ଦାୟିତ୍ବମୂଳକ ଜନତାର ଶାସନ! ଏ ଦାୟିତ୍ବର ଆଦିଭୂମି ହେଉଛି ‘‘ସମ୍ବିଧାନ’’।
‘‘ଭାଗବତ ଟୁଙ୍ଗୀ’’ ଭଳି ‘‘ସମ୍ବିଧାନ ଟୁଙ୍ଗୀ’’ ମାଧ୍ୟମରେ ଦେଶର ମୂଳ ଆଇନ ସମ୍ପର୍କରେ ସଚେତନତା ଆଜିର ସ୍ବାଧୀନତା ସମ୍ପର୍କିତ ଅମୃତ ମହୋତ୍ସବର ଅସଲ ଲକ୍ଷ୍ୟ ହେବା ଉଚିତ। ଆଉ ରାଜତନ୍ତ୍ର ନାହିଁ ଲୋକରଞ୍ଜନ କହି ଆପଣା ବିଚାର ବା ଅବିଚାର ପ୍ରଜାମାନଙ୍କ ଉପରେ ଲଦିବାକୁ। ଗଣତନ୍ତ୍ରରେ ଲୋକେ ନିଜ ବିଚାର ଅନୁସାରେ ନିଜ ପାଇଁ ଶାସନ ଧାରା ବାଛିବେ। ହେଲେ ସେଥିପାଇଁ ପ୍ରଥମ ଆବଶ୍ୟକତା ହେଉଛି ଗଣତନ୍ତ୍ରର ଏ ଅସଲ ଗ୍ରନ୍ଥିଟିକୁ ବିଶ୍ଳେଷଣ କରିବା। ସମ୍ବିଧାନକୁ ବୁଝିବା।
dashbenhur.53@gmail.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe