ପଚାରିଲେ ଅଡୁଆ

ରାଜାରାମ ଶତପଥି

ପଚାରିଲେ ଅଡୁଆ

ନେତାମାନେ ମର୍ତ୍ତ୍ୟରେ ଚଳନ୍ତି ଦେବତା। ଯୁଆଡ଼େ ଗଲେ ଫୁଲମାଳରେ ବେକ ନଇଁଯାଏ, କେଉଁଠି ଦୀପ, ଚନ୍ଦନ, ସିନ୍ଦୂର, ଅକ୍ଷତ, ହୁଳହୁଳିରେ ସମ୍ଭାଷଣ ତ ଆଉ କେଉଁଠି ଛୋଟ ସ୍କୁଲ ପିଲାଏ ଖରାରେ ଘଣ୍ଟା ଘଣ୍ଟା ଠିଆ ହୋଇଥା’ନ୍ତି ତାଙ୍କୁ ପାଛୋଟି ନେବାକୁ। ନେତା ଆସୁଛନ୍ତି ଶୁଣିଲେ କାହିଁ କେଉଁଠୁ ବୁଢାବୁଢ଼ୀ ବି ଧାଇଁ ଆସନ୍ତି ତାଙ୍କୁ ଭେଟିବାକୁ। କିଏ କାଗଜ ଖଣ୍ଡେ ବଢ଼େଇ ଦିଅନ୍ତି ତ ଆଉ କିଏ ଭିଡ଼ ଆଡ଼େଇ ହାତ ଯୋଡ଼ି ନିଜ ଦୁଃଖ ଏକ ନିଃଶ୍ୱାସରେ କହି ପକାନ୍ତି। କୁହାଯାଏ ଈଶ୍ୱରଙ୍କ ଦୁଆରୁ କେହି ଖାଲି ହାତରେ ଫେରନ୍ତି ନାହିଁ। ନେତା ମଧ୍ୟ ଆମ ବିଶ୍ୱାସ ସହ ତାଳ ଦେଇ ହସ ହସ ମୁହଁରେ ସମସ୍ତଙ୍କୁ ଅଭୟ ବାଣୀ ଦିଅନ୍ତି। ନିର୍ବାଚନ ଯଦି ଆସନ୍ନ ହୋଇଥାଏ, ତାହା ହେଲେ ସବୁଠି ବିକାଶର ପସରା ମେଲାଇ ସମସ୍ତଙ୍କୁ ଖୁସି କରିବାରେ ତାଙ୍କର କାର୍ପଣ୍ୟତା ନ ଥାଏ। ନେତାଙ୍କ ଏହା ପ୍ରଥମ ରୂପ। ସରକାରକୁ ଆସିଲା ପରେ ତାଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳୁଛି। କ୍ଷମତା ଲୋଭର ସୀମା ନାହିଁ; କିନ୍ତୁ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବାକୁ ଅମଙ୍ଗ, ଆଲୋଚନା ଓ ପ୍ରଶ୍ନ ଉତ୍ତର ଦେବା ଭୟରେ ପାର୍ଲିଆମେଣ୍ଟ, ବିଧାନସଭା ଯିବାକୁ ନାରାଜ। ସାମ୍ବାଦିକ ସମ୍ମିଳନୀ ଡାକିବାକୁ ଅନିଚ୍ଛୁକ କାରଣ ସେଠି ମଧ୍ୟ ସମାନ ଭୟ। ଅନେକ ସମୟରେ ‘ମେଡିଆ ପ୍ରଚାର ସର୍ବସ୍ବ’ ବୋଲି ଯେଉଁ ଅଭିଯୋଗ ହୁଏ, ତାହା ଜନସାଧାରଣଙ୍କ ନିକଟରେ ଶାସନର ପ୍ରକୃତ ଚିତ୍ରକୁ ଅନ୍ଧାରରେ ରଖି ସମ୍ଭାବ୍ୟ ପ୍ରତିବାଦକୁ ଚୁପ୍‌ କରିବାର ଅନ୍ୟ ଏକ କୌଶଳ। କୌଣସି ରାଜନୈତିକ ଦଳର ନେତା ଏଭଳି କାର୍ଯ୍ୟରୁ ବିରତ ହେବାର ସାମାନ୍ୟତମ ସୂଚନା ଦେଖାଯାଉନାହିଁ। ସମସ୍ତେ ଯେମିତି ଏହି ରୁଗ୍‌ଣ ମାନସିକତାର ମହାମାରୀରେ ପୀଡ଼ିତ। ନେତାଙ୍କ ଉଚ୍ଚାରଣ ଓ ଆଚରଣରେ ପାର୍ଥକ୍ୟର ମୂଳ କାରଣ ହେଲା ରାଜନୀତି ପ୍ରତି ସେମାନଙ୍କର ହାଲକା ଫୁଲକା ମନୋଭାବ। କାହିଁକି ବା ନ ହେବ? କେତେକ ଯୁକ୍ତି ଦର୍ଶାନ୍ତି ଯେ ବର୍ତ୍ତମାନର ବ୍ୟାବସାୟିକ ପରିବେଶରେ ଭୋଟ ଯୋଗାଡ଼ କରିବା ଅତି ସହଜ ନ ହେଲେ ବି ଅତି କଷ୍ଟ ନୁହେଁ। ତା’ ହୋଇ ନ ଥିଲେ ୨୦୧୯ ନିର୍ବାଚନରେ ଅପରାଧ ପୃଷ୍ଠଭୂମି ଥାଇଁ ଲୋକସଭାର ପ୍ରାୟ ଅଧେ ଏମ୍‌ପି (୪୩%) ନିର୍ବାଚିତ ହୋଇନଥା’ନ୍ତେ। ସେମାନଙ୍କ ସଂଖ୍ୟା ପୁଣି ପ୍ରତି ନିର୍ବାଚନରେ ବଢ଼ି ଚାଲିଛି (୨୦୦୪-୨୪%, ୨୦୦୯-୩୦%, ୨୦୧୪-୩୪%) ଅର୍ଥାତ୍‌ ଅଧିକରୁ ଅଧିକ ଦାଗୀ ପାର୍ଲିଆମେଣ୍ଟକୁ ନିର୍ବାଚିତ ହୋଇପାରୁଛନ୍ତି।

ଏମିତି ସ୍ଥିତିରେ ଲୋକେ ଯେତେବେଳେ ଗରିବୀ, ବେରୋଜଗାରି, ସ୍କାମ୍‌, ବିନା ବଜେଟ୍‌ରେ ପ୍ରକଳ୍ପ ଘୋଷଣା ଇତ୍ୟାଦି ସରକାରଙ୍କ ବିଫଳତା ଉପରେ ପ୍ରଶ୍ନ କରିବାକୁ ଚେଷ୍ଟା କରୁଛନ୍ତି, ନେତା ସେତେବେଳେ ନିଜର କୃତ୍ରିମ ଭାବମୂର୍ତ୍ତି ବଞ୍ଚାଇବାକୁ ବାଟ ଖୋଜୁଛନ୍ତି। ସେମାନଙ୍କ ଧାରଣା ‘ପାକୁଆ ବାଘ’ଙ୍କ ସଂଖ୍ୟା ବଢ଼ିଲେ ସେମାନେ ସୁରକ୍ଷିତ ରହିବେ। ଇଂରେଜମାନଙ୍କ ଚିନ୍ତାଧାରା ଓ କାର୍ଯ୍ୟଶୈଳୀ ସହିତ ଏହାର ବହୁତ ସାମଞ୍ଜସ୍ୟ ଅଛି; ଯେତେବେଳେ ପ୍ରଶ୍ନ କଲେ ଉତ୍ତର ମିଳୁଥିଲା ଲାଠି ମାଡ଼ରେ। ଦିଲ୍ଲୀରେ ମୋଗଲ ଥିବା ରାଜ୍ୟରେ ଦେଶୀ ରାଜାଙ୍କ ବେଳେ ସ୍ଥିତି ଆହୁରି ଉତ୍କଟ ଥିଲା। ମାଡ଼, ଜେଲ୍‌ ଓ ଫାଶୀ ଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି ହିଁ ଶାସନରେ ତ୍ରୁଟି ବିଚ୍ୟୁତି ଉପରେ ପଚାରିବାକୁ ସାହସ ଜୁଟାଇ ପାରୁଥିଲା। ଓଡ଼ିଶାରେ ମରାଠା ଓ ମୁସଲମାନ ଶାସନରେ ଲୋକେ ଟିକସ ଦେଇନପାରି ପତ୍ନୀ, ପିଲା ଓ ଗାଁ ଛାଡ଼ି ପଳାଉଥିଲେ, ଏପରି କି କାହାରିକୁ ସଫା ଲୁଗା ପିନ୍ଧିବା ଦେଖିଲେ ଅଧିକ ଟିକସ ଲଦି ଦିଆଯାଉଥିଲା। ଜୀବନ ଭୟରେ ପଚାରିବାକୁ କାହାରି ସାହସ ନ ଥିଲା। ମଧ୍ୟଯୁଗୀୟ ବର୍ବରତାର ସୀମିତ ଝଲକ ଏବେ ତାଲିବାନ କବଳିତ ଆଫଗାନିସ୍ତାନରେ ଦେଖିବାକୁ ମିଳୁଛି। ତେବେ ସ୍ୱେଚ୍ଛାଚାରୀ ଶାସନର ଲମ୍ବା ଅଭିଜ୍ଞତା ଆମର ଅଛି। କିନ୍ତୁ ଇତିମଧ୍ୟରେ ସେ ଦୁର୍ଗମ ଘାଟି ପାରି ହୋଇ ଆମେ ଏକ ସମତଳ ଭୂଇଁରେ ପହଞ୍ଚିଛୁ। ଏଠାରେ ପରିବେଶ ମୁକ୍ତ, ଶାସନ ତନ୍ତ୍ରରେ ସମସ୍ତେ ଅଂଶୀଦାର, ସାମୂହିକ ସ୍ୱାର୍ଥ ଜଡ଼ିତ ଯେ କୌଣସି ନିଷ୍ପତ୍ତି ପୂର୍ବରୁ ସାମୂହିକ ଆଲୋଚନା ଏକ ପ୍ରଥା। ଏଠି ହାତୀ ପିମ୍ପୁଡ଼ି ସମାନ, ଗୁଳ୍ମର ଅଧିକାର ପାଇଁ ମହାଦ୍ରୁମ ବି ନତ ମସ୍ତକ ହୋଇପାରେ, ପୁରୁଷ ହେଉ ବା ନାରୀ, ଅଧିକାରରେ ଅନ୍ତର ନାହିଁ। ବ୍ୟବସ୍ଥାରେ ନିର୍ବାଚନ, ପ୍ରତିନିଧି ସଭା (ପାର୍ଲିଆମେଣ୍ଟ, ବିଧାନସଭା), ମେଡିଆର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ, ପବ୍ଲିକ୍‌ ଆଲୋଚନା ପାଇଁ ସ୍ଥାନ ଓ ସୁଯୋଗ ଅଛି। ଏମାନେ କୌଣସି କାରଣରୁ ଯଦି ଦୁର୍ବଳ ହେବାର ସଂକେତ ମିଳେ, ଆମେ ବିବ୍ରତ ହୋଇପଡୁ। ଆମ ଡର ଆମ ଅତୀତକୁ। ସିଷ୍ଟମ ଅକର୍ମଣ୍ୟ ହେଲେ ଆମେ କାଳେ ସେହି ପୁରୁଣା ଯୁଗକୁ ଅନିଚ୍ଛା ସତ୍ତ୍ବେ ଟାଣି ହୋଇ ଚାଲିଯାଇପାରୁ। ତେବେ ପାର୍ଲିଆମେଣ୍ଟ ବା ବିଧାନସଭାକୁ ଆମେ ନିର୍ବାଚିତ କରୁଥିବା ପ୍ରତିନିଧି ଓ ସେମାନଙ୍କ କାର୍ଯ୍ୟଶୈଳୀ ଅନୁଧ୍ୟାନ କଲେ ଆମ ସୁରକ୍ଷା ନେଇ ଆମ ମନରେ ଡର ପଶିବା ସ୍ୱାଭାବିକ। ନିକଟରେ ପାର୍ଲିଆମେଣ୍ଟ୍‌ର ମୌସୁମୀ ଅଧିବେଶନ ଶେଷ ହୋଇଛି, କେବଳ ଓବିସି ବିଲ୍‌କୁ ବାଦ ଦେଲେ ହଟ୍ଟଗୋଳର ବାତ୍ୟାରେ କିଛି ଆଲୋଚନା ହେଲାନି ଏବଂ ମାତ୍ର ୧୭ ଦିନରେ ଅଧିବେଶନର ସମାପ୍ତି ଘୋଷଣା କରାଗଲା।

ଧର୍ମକୁ ଆଖି ଠାର ଭଳି ସରକାର ୨୦ଟି ବିଲ୍‌ ପାସ୍‌ କରେଇ ଦେଲେ, ସେଥିରେ କ’ଣ ଲେଖାହୋଇଛି, ଆଇନ ହେଲେ କାହା କାମରେ ଆସିବ, ସେ ବିଷୟରେ ଆଲୋଚନା ତ ହେଲାନି, ବିଲ୍‌କୁ ମାର୍ଜିତ ଓ ଫଳପ୍ରଦ କରିବା ପାଇଁ ଗଠିତ ପାର୍ଲିଆମେଣ୍ଟ୍‌ର ଷ୍ଟାଣ୍ଡିଂ କମିଟିକୁ ବି ଅଣଦେଖା କରାଗଲା। ଏହି କମିଟି ପରମ୍ପରା ଅନୁସାରେ ପ୍ରତ୍ୟେକ ବିଲ୍ ଗୃହରେ ଉପସ୍ଥାପିତ ହେବା ପୂର୍ବରୁ ଆବଶ୍ୟକ ସ୍ଥଳେ ବିଶେଷଜ୍ଞଙ୍କ ସାହାଯ୍ୟରେ ଟିକିନିଖି ଯାଞ୍ଚ କରି ଅନିଚ୍ଛାକୃତ ତ୍ରୁଟିକୁ ସଂଶୋଧନ କରେ। ଆମ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ମଧ୍ୟ ହଟ୍ଟଗୋଳ ଝଡ଼ରୁ ବାଦ ପଡ଼ିନି, ଏଠି ମଧ୍ୟ ବିନା ଆଲୋଚନାରେ ଆଇନ ପ୍ରଣୟନ ଏକ ପ୍ରକାର ପରମ୍ପରା ହୋଇଯାଇଛି। ନିକଟରେ ରାଜ୍ୟ ବିଧାନସଭାର ୮ ଦିନିଆ ମୌସୁମୀ ଅଧିବେଶନରେ ୧୩ଟି ବିଲ୍‌ରୁ ଅଧିକାଂଶ ବିନା ଆଲୋଚନାରେ ପାସ୍‌ ହେଲା। ପୂରା ଘଟଣା ଉପରେ ଆଖି ବୁଲାଇ ଆଣିଲେ ସାଧାରଣ ଜନତା କ୍ଷତିଗ୍ରସ୍ତ, କାରଣ ଯେଉଁମାନଙ୍କ ପାଇଁ ଆଇନ ସେମାନେ ଅନ୍ଧାରରେ ରହିଲେ। ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ଏକ ସଭାରେ ଭାଷଣ ଦେଇ ପାର୍ଲିଆମେଣ୍ଟ୍‌ରେ ଆଲୋଚନାର ମାତ୍ରା ହ୍ରାସ ଯୋଗୁ ଆଇନରେ ସ୍ପଷ୍ଟତା ରହୁ ନ ଥିବା ମତ ଦେଇଛନ୍ତି। କିନ୍ତୁ ନେତାଙ୍କ ମଧ୍ୟରେ ଆଲୋଚନା, ତର୍ଜମା, ବିତର୍କକୁ ଆଡ଼େଇ ଯିବାର ପ୍ରବଣତାରେ କୌଣସି ଉନ୍ନତି ଦିଶୁନି। ଦ୍ବିତୀୟ ପାଳିରେ ଏନ୍‌ଡିଏ ସରକାର ଦ୍ୱାରା ଏ ପର୍ଯ୍ୟନ୍ତ ୮୨ଟି ବିଲ୍‌ ପାର୍ଲିଆମେଣ୍ଟ୍‌ରେ ପାସ୍‌ ହେଲାଣି, ସେଥିରୁ ମାତ୍ର ୧୭ଟି ଷ୍ଟାଣ୍ଡିଂ କମିଟି ଯାଞ୍ଚ ପାଇଁ ପଠାଯାଇଛି। ପ୍ରଥମ ପାଳିର ଟ୍ରାକ୍‌ ରେକର୍ଡ ଏମିତି କିଛି ଭଲ ନୁହେଁ, ମାତ୍ର ୨୫ ଭାଗ ବିଲ୍‌ ଷ୍ଟାଣ୍ଡିଂ କମିଟିକୁ ପଠା ଯାଇଥିଲା। ମନମୋହନ ସିଂହଙ୍କ ସରକାର ମଧ୍ୟ ବିନା ଆଲୋଚନାରେ ବିଲ୍‌ ପାସ୍‌ ଅଭିଯୋଗରୁ ମୁକ୍ତ ନୁହେଁ। ୟୁପିଏ-୧ ବେଳେ ଗୋଟେ ଅଧିବେଶନରେ ବିଜୁଳି ବେଗରେ ହାରାହାରି ୫ ମିନିଟ୍‌ ଅନ୍ତରରେ ୩୩ଟି ବିଲ୍‌ ପାସ୍‌ ହୋଇଥିଲା। ୨୦୦୮ ଶୀତକାଳୀନ ଅଧିବେଶନରେ ୮ଟି ବିଲ୍‌ ୧୭ ମିନିଟ୍‌ରେ ଗୃହରେ ଅନୁମୋଦିତ ହୋଇଥିଲା। ସେହିଭଳି ୟୁପିଏ-୨ ସରକାର ୨୦ଟି ବିଲ୍‌କୁ ପ୍ରତ୍ୟେକ ୫ ମିନିଟ୍‌ରୁ କମ୍‌ ବ୍ୟବଧାନରେ ପାସ୍‌ କରିଥିଲେ। ବାର୍ଷିକ ବଜେଟ୍‌ ପାସ୍‌ ହେବା ପୂର୍ବରୁ ବିଭିନ୍ନ ବିଭାଗର ପ୍ରସ୍ତାବିତ ଖର୍ଚ୍ଚ ଉପରେ ଆଲୋଚନା ହୁଏ, ସେଥିରେ ମଧ୍ୟ ବ୍ୟତିକ୍ରମ। ପ୍ରତିନିଧି ସଭା ଯଦି କଳି, ବଳ କଷାକଷି, ସ୍ଲୋଗାନ୍‌ବାଜି, ପ୍ଲାକାର୍ଡ ଶୋଭାଯାତ୍ରାର ମଂଚ ପାଲଟିଯାଏ ତାହା ହେଲେ ଦେବତା ବିନା ମନ୍ଦିର ଭଳି ଗଣତନ୍ତ୍ରର ଏହି ମନ୍ଦିର ଲୋକଙ୍କ ଦୃଷ୍ଟିରେ ପ୍ରାସଙ୍ଗିକତା ହରାଇ ବସିବା ସ୍ୱାଭାବିକ। ପାର୍ଲିଆମେଣ୍ଟ ପକ୍ଷରୁ ପ୍ରସ୍ତୁତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ ସାଂସଦମାନଙ୍କ ମଧ୍ୟରେ କଳି ଝଗଡ଼ାର ମାତ୍ରା କ୍ରମେ ଏଭଳି ବୃଦ୍ଧି ପାଉଛି ଯେ ଅଧିବେଶନ ଚାଲିବା କଷ୍ଟକର ହୋଇ ପଡୁଛି। ସମାନ ଅବସ୍ଥା ବିଧାନସଭାରେ; ସୁଯୋଗକୁ ଅପେକ୍ଷା କଲା ଭଳି ଟିକିଏ ପାଟିତୁଣ୍ଡ ନ ହେଉଣୁ ଗୃହ ମୁଲତବି।

ପୁରୁଣା ରେକର୍ଡରୁ ଜଣାଯାଏ ୧୯୫୨ରୁ ୧୯୬୨ ପର୍ଯ୍ୟନ୍ତ ପାର୍ଲିଆମେଣ୍ଟ ଶୃଙ୍ଖଳିତ ଭାବରେ ଚାଲୁଥିଲା। ଏହା ପରେ ସ୍ଥିତି ଧୀରେ ବିଗିଡ଼ିବାକୁ ଆରମ୍ଭ କରେ, ଯେତେବେଳେ ୧୯୬୩ ମସିହାରେ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଭାଷଣ ବେଳେ କେତେକ ସଦସ୍ୟ ପାଟି କରି ଗୋଳମାଳ କରିବା ଦେଖାଯାଇଥିଲା। ମାର୍ଗାରେଟ ଆଲଭାଙ୍କ ଜୀବନୀରେ ରାଜ୍ୟସଭାର ଜଣେ ମହିଳା ସାଂସଦ ଜଣେ ପୁରୁଷ ସାଂସଦଙ୍କ କୁର୍ତ୍ତା ଚିରିଦେବା ଘଟଣାର ଉଲ୍ଲେଖ ଅଛି। ସେହିଭଳି ୧୯୯୮ରେ ଲୋକସଭାରେ ମହିଳା ଆରକ୍ଷଣ ବିଲ୍‌ ଉପସ୍ଥାପିତ ହେବା ଅବସରରେ କେତେକ ସାଂସଦ ମନ୍ତ୍ରୀଙ୍କ ହାତରୁ ଏବଂ ବାଚସ୍ପତିଙ୍କ ଟେବୁଲ୍‌ରୁ କାଗଜ ଝାମ୍ପି ନେଇ ଚିରି ଦେଇଥିଲେ। ବିଭିନ୍ନ ରାଜ୍ୟରେ ବିଧାନସଭାରେ ଏମ୍‌ଏଲ୍‌ଏମାନଙ୍କ କାଣ୍ଡ ଜାଣିଲେ ଗଣତନ୍ତ୍ରର ଏଭଳି ନଗ୍ନ ଚେହେରା ଥାଇ ପାରେ ବୋଲି ବିଶ୍ୱାସ ହେବନି। ତାମିଲନାଡୁ ବିଧାନସଭାରେ ଏମ୍‌ଜିଆର୍‌ଙ୍କ ମୃତ୍ୟୁ ପରେ ୧୯୮୮ରେ କ୍ଷମତା ଅକ୍ତିଆର ଲୋଭରେ ଏମ୍‌ଏଲ୍‌ଏମାନେ ଟେବୁଲ ଉପରୁ ମାଇକ ଉପାଡ଼ି, ଚପଲ ଫୋପାଡ଼ି ଏଭଳି ଦଙ୍ଗା କଲେ ଯେ ଶେଷରେ ପୁଲିସ ଗୃହରେ ପଶି ଲାଠିମାଡ଼ କରିବାକୁ ବାଧ୍ୟ ହେଲା। ତା’ ପର ବର୍ଷ (ମାର୍ଚ୍ଚ ୨୫) ଗୃହରେ ସମାନ ଧରଣର ହିଂସାକାଣ୍ଡରେ ଜୟଲଳିତାଙ୍କୁ ବିବସ୍ତ୍ର କରିବାକୁ ଉଦ୍ୟମ ହୁଏ। ୧୯୯୭ ଅକ୍ଟୋବର ୨୧ରେ ଉତ୍ତର ପ୍ରଦେଶ ବିଧାନସଭାରେ ମାଇକ, ଚେୟାର ଫିଙ୍ଗି ବିଧାୟକଙ୍କ ପରସ୍ପର ଉପରେ ଆକ୍ରମଣ, ୨୦୦୯ରେ ମହାରାଷ୍ଟ୍ର ବିଧାନସଭାରେ ମାଡ଼ଗୋଳ ଓ ୪ ବର୍ଷ ପାଇଁ ୪ ଜଣ ଏମ୍‌ଏନ୍‌ଏସ୍‌ ବିଧାୟକଙ୍କୁ ନିଲମ୍ବନ, ୨୦୧୧ ଡିସେମ୍ବରରେ ଓଡ଼ିଶା ବିଧାନସଭାରେ ଜଣେ ସଦସ୍ୟ ବାଚସ୍ପତିଙ୍କ ଆଡ଼କୁ ଚେୟାର ଫିଙ୍ଗିବା ଉଦ୍ୟମ ଆମ କଳୁଷିତ ବ୍ୟବସ୍ଥାର ଅଳ୍ପ କିଛି ନମୁନା ମାତ୍ର। ଗବେଷକଙ୍କ ମତରେ ପାର୍ଲିଆମେଣ୍ଟ୍‌ରେ କାର୍ଯ୍ୟ ଦିବସ କମି ଯାଉଥିବାରୁ ବିରୋଧୀ ଦଳମାନଙ୍କୁ ନିଜ ମତ ରଖିବାକୁ ଖୁବ୍‌ କମ୍‌ ସମୟ ମିଳୁଛି; ତେଣୁ ବିକ୍ଷୋଭ, ହଟ୍ଟଗୋଳ ଜରିଆରେ ସେମାନେ ପ୍ରତିକ୍ରିୟା ଜଣାଉଛନ୍ତି।

ଜନସାଧାରଣଙ୍କ ନିକଟରେ ସରକାରଙ୍କ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଁ ପାର୍ଲିଆମେଣ୍ଟ୍‌ର ସର୍ବନିମ୍ନ କାର୍ଯ୍ୟ ଦିବସ ୧୧୦ ଦିନରୁ ଅଧିକ ରଖିବାକୁ ଗୃହ ଭିତରେ ଓ ବାହାରେ ବିଭିନ୍ନ ସମ୍ମିଳନୀରେ ଦାବି କରାଯାଇଛି, କିନ୍ତୁ କଂଗ୍ରେସ କିମ୍ବା ବିଜେପି ଯିଏ ସରକାରକୁ ଆସିଲେ ବି ସେ ଦିଗରେ ମୁଣ୍ଡ ଖେଳାଇ ନାହାନ୍ତି। ସ୍ବାର୍ଥାନ୍ବେଷୀ ଲୋକଙ୍କ ଦ୍ୱାରା କବଳିତ ଗଣତାନ୍ତ୍ରିକ ବ୍ୟବସ୍ଥାର ଏ ଦୟନୀୟ ହାଲ୍‌ ଦେଖିଲେ ଲାଗୁଛି ଯେ ହୁଏ’ତ ସମ୍ବିଧାନ ପ୍ରଣେତାମାନଙ୍କର ଯଥେଷ୍ଟ ଦୂରଦୃଷ୍ଟି ନ ଥିଲା କିମ୍ବା ଭବିଷ୍ୟତ୍‌ ପିଢ଼ିର ନେତାମାନେ ମହାତ୍ମା ଗାନ୍ଧୀଙ୍କ ଭଳି ହେବେ ବୋଲି ସେମାନେ ଭାବିଥିଲେ। ନୂଆ ଭାରତ ପାଇଁ ସମ୍ବିଧାନର ପ୍ରକୃତ ଉପାଦେୟତା ନେଇ ଅନେକଙ୍କ ମନରେ ସନ୍ଦେହ ଥିବା ବିଷୟ ବି.ଆର. ଆମ୍ବେଦକର ଅବଶ୍ୟ ଜାଣିଥିଲେ। ୧୯୪୯ ନଭେମ୍ବର ୨୫ ତାରିଖରେ ସମ୍ବିଧାନ ପ୍ରସ୍ତୁତି ସଭାରେ ସେ ସ୍ପଷ୍ଟ କହିଥିଲେ ଯେ ‘ସମ୍ବିଧାନର ଉପଯୋଗିତା ବ୍ୟବହାରକାରୀଙ୍କ ଉପରେ ନିର୍ଭର କରେ। ମୋର ଅନୁଭବ ସମ୍ବିଧାନ ଯେତେ ଭଲ ହେଲେ ବି ଖରାପ ଲୋକଙ୍କ ହାତରେ ଖରାପ ଫଳ ଦେବ। ସେହିଭଳି ଖରାପ ସମ୍ବିଧାନ ଭଲ ଲୋକଙ୍କ ଦ୍ୱାରା ଭଲ ଫଳ ଦେବ। କିଏ ଜାଣେ ଭବିଷ୍ୟତ୍‌ ଭାରତର ଲୋକେ ଓ ସେମାନଙ୍କର ଦଳ (ରାଜନୈତିକ) କେମିତି ହେବେ। ସେମାନେ ଯଦି ବିପ୍ଳବର ମାର୍ଗ ବାଛନ୍ତି, ତା’ହେଲେ ସମ୍ବିଧାନ ଯେତେ ଭଲ ହୋଇଥାଉ ନା କାହିଁକି ବିଫଳ ହେବ ବୋଲି କୌଣସି ଧର୍ମାତ୍ମାଙ୍କ ମୁହଁରୁ ଶୁଣିବାକୁ ଅପେକ୍ଷା କରିବାକୁ ପଡିବ ନାହି।’
ମୋ: ୯୮୫୩୨୫୨୬୨୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe