ବିପଦରେ ନଦୀ ଅବବାହିକା!

ବିଭୂତି ପତି

ବିପଦରେ ନଦୀ ଅବବାହିକା!

‘ନେଚର ଆର୍ଥ’ ପତ୍ରିକାରେ ନଦନଦୀ ବିଷୟକ ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି, ଯାହାର ସୂଚନା ଅନୁଯାୟୀ ଗଙ୍ଗା, ସିନ୍ଧୁ ଓ ବ୍ରହ୍ମପୁତ୍ର ସମେତ ଦକ୍ଷିଣ ଏସିଆର ପ୍ରମୁଖ ନଦୀ ଅବବାହିକାଗୁଡ଼ିକ ଜଳବାୟୁ ପରିବର୍ତ୍ତନ କାରଣରୁ ଭୟଙ୍କର ଭାବେ ପ୍ରଭାବିତ ହେବାକୁ ଯାଉଛନ୍ତି। ରିପୋର୍ଟରେ ଉଲ୍ଲେଖ ରହିଛି, ମାନବୀୟ କାର୍ଯ୍ୟକଳାପ ସହିତ ଜଳବାୟୁ ପରିବର୍ତ୍ତନ ହେତୁ ନଦୀଗୁଡ଼ିକ ଯେଉଁ ଚରିତ୍ର ପ୍ରଦର୍ଶନ କରିବେ, ସେଥିରେ ଦକ୍ଷିଣ ଏସିଆର ପ୍ରାୟ ଶହେ କୋଟି ଲୋକ ଭୟାନକ ପରିସ୍ଥିତିରେ ସମ୍ମୁଖୀନ ହେବେ। ‘ହିନ୍ଦୁକୁଶ ହିମାଳୟ ନଦୀ ଅବବାହିକା’ ଶୀର୍ଷକ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ତିନିଟି ନଦୀ ଅବବାହିକାର ପରିଚାଳନା କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ସହଣୀ ଆଭିମୁଖ୍ୟ ତୁରନ୍ତ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ହିନ୍ଦୁକୁଶ-ହିମାଳୟ ଅଞ୍ଚଳ ହେଉଛି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆର ଅନେକ ଅଞ୍ଚଳ ସକାଶେ ମଧୁର ଜଳର ପ୍ରମୁଖ ଉତ୍ସ। ଏହି ପାର୍ବତ୍ୟାଞ୍ଚଳର ବରଫ, ହିମବାହ ଓ ବୃଷ୍ଟିପାତ ଏସିଆର ଦଶଟି ବୃହତ୍‌ ନଦୀ ବ୍ୟବସ୍ଥାକୁ ଜଳ ଯୋଗାଇଥାଏ, ପରିପୁଷ୍ଟ କରିଥାଏ।
ଭାରତ ଉପମହାଦେଶରେ ପବିତ୍ରତମ ବୋଲି ବିବେଚିତ ଓ ପ୍ରାୟ ୬୦ କୋଟି ଜନସାଧାରଣଙ୍କ ଜୀବନ ଧାରଣ ପାଇଁ ଅତ୍ୟାବଶ୍ୟକ ବୋଲି ବିଚାର କରାଯାଉଥିବା ଗଙ୍ଗା ନଦୀ କ୍ରମାଗତ ଭାବେ ଅଧିକରୁ ଅଧିକ ପାରିବେଶିକ ବିପତ୍ତିର ସମ୍ମୁଖୀନ ହେବାରେ ଲାଗିଛି। ଦ୍ରୁତ ଶିଳ୍ପାୟନ, ସହରୀକରଣ ଓ ସଘନ କୃଷି କାର୍ଯ୍ୟ ଇତ୍ୟାଦି ଏହି ନଦୀର ପରିସଂସ୍ଥାନର ପ୍ରଭୂତ କ୍ଷତି ସାଧନ କରିଛି।
ଶିଳ୍ପାନୁଷ୍ଠାନ ଓ ସହରର ବର୍ଜ୍ୟ ବସ୍ତୁ ନଦୀ ଜଳରେ ମିଶିବା ଏବଂ ଅନ୍ୟାନ୍ୟ ମାନବୀୟ କାର୍ଯ୍ୟକଳାପ ସହିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ତ୍ତମାନ ଅଧିକରୁ ଅଧିକ ଜଟିଳ ଆହ୍ବାନ ସୃଷ୍ଟି କରୁଛନ୍ତି। ଅନିଶ୍ଚିତ ବନ୍ୟା, ନ ହେଲେ ନଦୀଗୁଡ଼ିକ ଶୁଷ୍କ ହୋଇଯିବା ଭଳି ପରିସ୍ଥିତି ଉପୁଜୁଛି। ଫଳରେ ନଦୀ ପ୍ରବାହର ଚରିତ୍ରଗତ ସାବଲୀଳତା କ୍ଷୁଣ୍ଣ ହେଉଛି।
ରିପୋର୍ଟରେ ରହିଛି ଯେ ଜଳ ସମ୍ବଳର ପୁନଃ ଭରଣା ସକାଶେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମୌସୁମି ଋତୁ ଏବେ ଅତ୍ୟନ୍ତ ଅନିଶ୍ଚିତ କ୍ଷତିକାରକ ବନ୍ୟା ବିପଦ ସୃଷ୍ଟି କରୁଥିବା ବେଳେ ଗ୍ରୀଷ୍ମ ଋତୁରେ ଉତ୍କଟ ଜଳାଭାବ ଦେଖାଯାଉଛି। ବିଶେଷ କରି ତଳ ମୁଣ୍ଡରେ ଥିବା ବାଂଲାଦେଶରେ ଏହି ସମସ୍ୟା ଅଧିକ ପରିଲକ୍ଷିତ ହେଉଛି। ଏହି ଜଳବାୟୁ ସମ୍ପର୍କିତ ବିପତ୍ତିଗୁଡ଼ିକ ମହିଳା, ଭିନ୍ନକ୍ଷମ ଓ ସମାଜର ସୀମାନ୍ତରିତ ଗୋଷ୍ଠୀଗୁଡ଼ିକୁ ଅସମାନୁପାତିକ ଭାବେ ଆକ୍ରାନ୍ତ କରୁଛି। ଅନୁରୂପ ଭାବେ ପାକିସ୍ତାନ, ଚୀନ, ଆଫଗାନିସ୍ତାନ ଓ ଭାରତର ପ୍ରାୟ ୨୬.୮ କୋଟି ଲୋକଙ୍କର ଜୀବନରେଖା ଭାବେ ପରିଚିତ ସିନ୍ଧୁ ନଦୀ ଏବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଭୂତପୂର୍ବ ଜଳାଭାବ ଚାପର ମୁକାବିଲା କରୁଛି। କ୍ରମାଗତ ବୃଦ୍ଧି ପାଉଥିବା ଉତ୍ତାପ, ଅନିୟମିତ ମୌସୁମୀ ଓ ପରିବେଶିକ ଅବକ୍ଷୟ ଏହି ନଦୀ ଅବବାହିକାକୁ ଏକ ସାଂଘାତିକ ସଙ୍କଟ ଆଡ଼କୁ ଠେଲି ଦେଉଛି। ଫଳ‌େର ସିନ୍ଧୁ ଅବବାହିକାରେ ଖାଦ୍ୟ ସୁରକ୍ଷା, ଜୀବିକା ଏବଂ ଜଳ ନିରାପତ୍ତା ଆଦି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିବେ ବୋଲି ରିପୋର୍ଟ ଚେତାଇ ଦେଇଛି।
ମୌସୁମି ବର୍ଷାର ସମୟ ଓ ତୀବ୍ରତାରେ ତାରତମ୍ୟ ହେତୁ ନଦୀ ଅବବାହିକାର ସ୍ୱାସ୍ଥ୍ୟ ଓ ନିରନ୍ତରତା କ୍ଷୁଣ୍ଣ ହେବା ସହିତ ନଦୀ ପରିସଂସ୍ଥା ଉଜୁଡ଼ିଯିବା ଭଳି ସ୍ଥିତିକୁ ଆସିଗଲାଣି। ଫଳ ସ୍ୱରୂପ ଏହାର ପ୍ରଭାବ ମଧୁର ଜଳ ମାଛ ଉପରେ ପରିଲକ୍ଷିତ ହେଉଛି। ନଦୀର ସ୍ବାସ୍ଥ୍ୟଗତ ଦୁର୍ବଳତା ହେତୁ ଅବବାହିକାରେ ବାସ କରୁଥିବା ଜନସାଧାରଙ୍କର ନଦୀ-ନିର୍ଭର ଜୀବନଜୀବିକା ବାଧାପ୍ରାପ୍ତ ହେଉଛି; ଏଣେ ‘କ୍ୟାଚ୍‌ ୨୨’ ଭଳି ପରିସ୍ଥିତି ସୃଷ୍ଟି ହୋଇ ଏହି ଜନସମୁଦାୟଙ୍କ ନଦୀ ଉପରେ ମାତ୍ରାଧିକ ନିର୍ଭରଶୀଳତା ଓ ତଜ୍ଜନିତ କାର୍ଯ୍ୟକଳାପ ନଦୀଗୁଡ଼ିକୁ ଅଧିକ ଅବକ୍ଷୟିଷ୍ଣୁ ମଧ୍ୟ କରିଛନ୍ତି। ସୁତରାଂ, ସମସ୍ୟା ଅତ୍ୟନ୍ତ ଜଟିଳ ହୋଇ ଉଠିଛି।
ବ୍ରହ୍ମପୁତ୍ର ଅବବାହିକାରେ ଜଳବାୟୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ନଦୀବନ୍ଧ ଓ ତଥାକଥିତ ବିକାଶମୂଳକ ପ୍ରକଳ୍ପ ଯୋଗୁଁ ବନ୍ୟା ଓ ମରୁଡ଼ିର ପ୍ରକୋପ ୧୨.୦୩ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି। ବିଶେଷ କରି ଅବବାହିକାର ତଳ ମୁଣ୍ଡରେ ବସବାସ କରୁଥିବା ଜନସାଧାରଣ ଏହି ପ୍ରକୋପର ସମ୍ମୁଖୀନ ହେବେ। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ହେତୁ ଗଙ୍ଗା, ସିନ୍ଧୁ ଓ ବ୍ରହ୍ମପୁତ୍ର ନଦୀ ଭଳି ଆଗାମୀ ଦିନରେ ଏସିଆ ମହାଦେଶର ପ୍ରାୟ ୮୨ ପ୍ରତିଶତ ନଦୀ ଆକ୍ରାନ୍ତ ହେବେ ବୋଲି ଏହି ଗବେଷଣା ରିପୋର୍ଟ ସତର୍କ କରାଇଦେଇଛି। ପ୍ରତ୍ୟେକ ନଦୀ ଅବବାହିକାକୁ ସୁରକ୍ଷିତ ରଖିବାର ନୀତି ନିୟମ ପ୍ରଣୟନ ଓ ପରିଚାଳନା ଉପରେ ଏହି ରିପୋର୍ଟ ଗୁରୁତ୍ବ ଆରୋପ କରିଛି।
ଓଡ଼ିଶାର ନଦୀ ଅବବାହିକାଗୁଡ଼ିକ ମଧ୍ୟ ଅତ୍ୟନ୍ତ ବିପଦପ୍ରବଣ ସ୍ଥିତି ଦେଇ ଗତି କରୁଛନ୍ତି। କଟକ ସହରରେ ମହାନଦୀ ଅବବାହିକା ଉପରେ କିଭଳି ବଳତ୍କାର କରି ତାକୁ ମାରିଦେବାର ପ୍ରୟାସ ହେଉଛି, ତାହା ସୁବିଦିତ। କିନ୍ତୁ ବିଡ଼ମ୍ବନା ହେଲା, ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି। କଟକର ମହାନଦୀ ଅବବାହିକାରେ ସରକାରୀ ଓ ବେସରକାରୀ ଜବରଦଖଲକୁ ନେଇ ‘ନେସ୍‌ନାଲ୍‌ ଗ୍ରିନ୍‌ ଟ୍ରିବୁନାଲ୍‌’ର ନିର୍ଦ୍ଦେଶର ଅନୁପାଳନ ଦିଗରେ ଆନ୍ତରିକତା ଦେଖିବାକୁ ମିଳୁନାହିଁ। ଯଦି ଆମେ କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁରର ମହାନଦୀ କୂଳବର୍ତ୍ତୀ ଅଞ୍ଚଳରେ ନଦୀ ଅବବାହିକା ଉପରେ ଦୃଷ୍ଟି ପକାଇବା, ତେବେ ଜାଣିପାରିବା ଯେ ଓଡ଼ିଶାର ନଦୀ ସ୍ଥିତି କେତେ ଗମ୍ଭୀର! ପ୍ରଦୂଷଣ କଥା ନ କହିବା ଭଲ! ମହାନଦୀ, ବ୍ରାହ୍ମଣୀ, ବୈତରଣୀ, କାଠଯୋଡ଼ି, କୁଆଖାଇ, ବିରୂପା, ଦୟା, ପ୍ରାଚୀ ଓ ଭାର୍ଗବୀ ଭଳି ନଦୀ ଅବବାହିକା ଆଜି ପୋତି ହୋଇ ଘାସ ଓ କାଶତଣ୍ଡି ବଣରେ ପରିପୂର୍ଣ୍ଣ। ବିଲୁଆଖାଇ ଭଳି ଅନେକ ନଦୀ ଅବବାହିକା ମୃତପ୍ରାୟ, ଏପରିକି ଅସ୍ତିତ୍ବହୀନ ହେବାକୁ ବସିଲେଣି। ନଦୀରୁ ଅନିୟନ୍ତ୍ରିତ ବାଲି ଉଠାଣ ଓ ଚାଲାଣ ଯୋଗୁଁ ନଦୀଶଯ୍ୟା କ୍ଷୟିଷ୍ଣୁ ବୋଲି ଏକାଧିକ ନଦୀ ସୁରକ୍ଷା ଅନୁଷ୍ଠାନ ଓ ବିଶେଷଜ୍ଞ ଚେତାଇ ଦେଲେଣି। ଗତ କିଛି ବର୍ଷ ମଧ୍ୟରେ ଏ ସବୁ ନଦୀ ଅବବାହିକା ସ୍ଥିତି ଅଧିକରୁ ଅଧିକ ଖରାପ ହୋଇ ଚାଲିଛି। ଏଭଳି ଲାଗି ରହିଲେ ହୁଏତ ଆଗାମୀ ଏକ ଦଶନ୍ଧି ମଧ୍ୟରେ ଅଳକା ଓ ଗଙ୍ଗୁଆ ପରି ଅନେକ ନଦୀ କେବଳ କାହାଣୀର ବର୍ଣ୍ଣନା ହୋଇ ରହିଯିବେ।
ବିଭିନ୍ନ ଦେଶ ଓ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି-ସଂହତି-ସୌହାର୍ଦ୍ଦ୍ୟର ସମ୍ପର୍କ ରକ୍ଷା କରିବାରେ ନଦୀଗୁଡ଼ିକ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଆନ୍ତି। ବିଭିନ୍ନ ଦେଶ ବା ରାଜ୍ୟ ଦେଇ ପ୍ରବାହିତ ହେଉଥିବା ନଦୀଗୁଡ଼ିକ ଜଳପୂର୍ଣ୍ଣ ଥିବା ବେଳେ ନଦୀ କୂଳସ୍ଥ ନାଗରିକମାନଙ୍କ ଲାଗି ବରଦାନ ସାବ୍ୟସ୍ତ ହୋଇଥାଆନ୍ତି। କିନ୍ତୁ ବନ୍ୟା ବା ଶୁଷ୍କତା ଭଳି ସ୍ଥିତିରେ ଜଳର ପ୍ରାବଲ୍ୟ ଓ ଅଭାବ ହେତୁ ନଦୀ ପରିଚାଳନା ଲାଗି ନିଆଯାଉଥିବା ପଦକ୍ଷେପ ବିବାଦ ସୃଷ୍ଟି କରିଥାଏ। ମହାନଦୀ ଉପରେ ଛତିଶଗଡ଼ର ଆଧିପତ୍ୟ ସ୍ଥାପନ ଏହାର ଏକ ଉଦାହରଣ।
ପ୍ରତିଟି ନଦୀର ଜୀବନ ସତ୍ତା ଏହାର ଅବବାହିକାରେ ରହିଛି ଏବଂ ଅସୁରକ୍ଷିତ ଅବବାହିକା ନଦୀର ମୃତ୍ୟୁକୁ ଡାକି ଆଣେ। ସୀମାବଦ୍ଧ ଚୁକ୍ତି ମାଧ୍ୟମରେ ଜଳ ବାଣ୍ଟିବା ଓ ନଦୀର ସୁରକ୍ଷା ଉପରେ ଗୁରୁତ୍ବ ନେଇ ନଦୀ ଜଳର ପରିଚାଳନା ସକାଶେ ଦେଶଗୁଡ଼ିକ ଏକଜୁଟ ହେବା ଆବଶ୍ୟକ। ଏବେ କିନ୍ତୁ କେତେକ ଦେଶ ପ୍ରଦର୍ଶନ କରୁଥିବା ସାମ୍ରାଜ୍ୟ ବିସ୍ତାରୀ ମନୋଭାବ ହେତୁ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ତିକ୍ତତା ଓ ଶତ୍ରୁତା ବୃଦ୍ଧି ପାଉଛି। ଏଭଳି ସ୍ଥଳେ ନଦୀକୁ ଅସ୍ତ୍ର ରୂପେ ବ୍ୟବହାର କରିବାର ପ୍ରବଣତା ଦେଖିବାକୁ ମିଳୁଛି। ଏହା ମଧ୍ୟ ଏକ ସାଂଘାତିକ ବିପର୍ଯ୍ୟୟ ସୃଷ୍ଟି କରିପାରେ ବୋଲି ଅନେକ ଆଶଙ୍କା କରନ୍ତି। ଲୋକଙ୍କୁ ଏକାଠି କରିବାର ଶକ୍ତି ନଦୀର ଅଛି। ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ନଦୀକୂଳ ହିଁ ଅଧିକ ସାନ୍ଦ୍ର ଜନବସତି ଓ ବିକାଶ ଦେଖିଛି। ସେମିତି ନଦୀ ଏକତା ଓ ସଂଯୋଗର ପ୍ରତୀକ ହୋଇ ରହିଛି। ନଦୀ ଓ ସାଗର ବାଣିଜ୍ୟ, ଯୋଗାଯୋଗ ଓ ସାଂସ୍କୃତିକ ଆଦାନପ୍ରଦାନର ମାଧ୍ୟମ ହୋଇ ରହିଆସିଛନ୍ତି। ତେଣୁ ନଦୀ ଅବବାହିକାର ସହଭାଗୀ ମୂଲ୍ୟକୁ ଚିହ୍ନିବା ଓ ଏହି ମୂଲ୍ୟବାନ ପ୍ରାଣର ଉତ୍ସକୁ ସୁରକ୍ଷା ଓ ସଂରକ୍ଷଣ ପ୍ରଦାନ କରିବା ଆମ ସମସ୍ତଙ୍କ ଦାୟିତ୍ବ। ଏଥି ପାଇଁ ସବୁ ରାଷ୍ଟ୍ର ଓ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବା ଦରକାର।
ନଦୀ ସୁରକ୍ଷା ଅଭିଯାନକୁ ସଫଳ କରିବାକୁ ହେଲେ ଅବବାହିକାକୁ ପ୍ରାଥମିକତା ଦେବାକୁ ପଡ଼ିବ। ନଦୀ ଅବବାହିକାର ସଂରକ୍ଷଣ କରି ଜଳ ଅଭାବ ଓ ଜଳ ପ୍ରଦୂଷଣ ଭଳି ସମସ୍ୟାର ସମାଧାନ କରିବାକୁ ହେବ। ତାହା ହେଲେ ଯାଇ ଆମେ ଭବିଷ୍ୟତ ପାଇଁ ଏକ ଶାନ୍ତିପୂର୍ଣ୍ଣ ଓ ନିରନ୍ତର ବିକାଶର ବିଶ୍ୱ ବା ରାଷ୍ଟ୍ର ବା ରାଜ୍ୟ ସୃଷ୍ଟି କରିପାରିବା।
ଯେଉଁ ଦେଶ ଓ ରାଜ୍ୟର ନଦୀ ଅବବାହିକା ଯେତେ ଅଧିକ ସୁରକ୍ଷିତ ରହିବ, ସେମାନଙ୍କର ନଈନାଳ ଓ ଅନ୍ୟାନ୍ୟ ସମସ୍ତ ପ୍ରାକୃତିକ ଜଳ ସମ୍ପଦ ସେତେ ଅଧିକ ସମୃଦ୍ଧ ହେବ। ଏହାଦ୍ୱାରା ସେହିସବୁ ରାଷ୍ଟ୍ର ଓ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଅଧିକ ପ୍ରଗତିଶୀଳ ଓ ଦୃଢ଼ ହୋଇପାରିବ।
ଅଧିକନ୍ତୁ ନଦୀ ଅବବାହିକାକୁ ବଞ୍ଚାଇ ରଖିବାକୁ ପ୍ରୋତ୍ସାହନ ଦେବା ପାଇଁ ଶିକ୍ଷା ଓ ସଚେତନତା ହେଉଛି ପ୍ରମୁଖ ଉପାୟ। ଅବବାହିକା ସଂରକ୍ଷଣର ମହତ୍ତ୍ୱ, ପ୍ରଭାବ ଓ ଏଥି ଲାଗି ସହଯୋଗର ଆବଶ୍ୟକତା ବିଷୟରେ ଲୋକଙ୍କୁ ଶିକ୍ଷା ଦେଇ କାର୍ଯ୍ୟକ୍ରମ ଚିନ୍ତା କରିବାକୁ ହେବ।
ଏକତ୍ର ଭାବେ ଆମେ ଯଦି ନଦୀ ଅବବାହିକର ସୁରକ୍ଷା ପାଇଁ କାମ କରିବା, ତେବେ ଆପଣାଛାଏଁ ନଦୀଗୁଡ଼ିକ ସ୍ବାସ୍ଥ୍ୟବତୀ ନିର୍ମଳ ଜଳ ଉତ୍ସରେ ପରିଣତ ହେବେ। ପାଶ୍ଚାତ୍ୟ ଦେଶରେ ନଦୀ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଯେଉଁଭଳି ତତ୍ପରତା ପ୍ରକାଶ ପାଉଛି, ଆମ ଦେଶରେ ସେଭଳି ଦେଖିବାକୁ ମିଳୁନାହିଁ। ଯେତେ ଶୀଘ୍ର ଆମେ ଏ ଦିଗରେ ସଚେତନ ହେବା, ପୃଥିବୀ, ଆମ ଦେଶ ଓ ଆମ ରାଜ୍ୟ ସକାଶେ ତାହା ମଙ୍ଗଳକର ହେବ।
ମୋ: ୯୯୧୦୭୪୦୮୩୯

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe