ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ କାଳରେ ନାନା ବିକାଶମୂଳକ କାମ ଭିତେର ସବୁଠାରୁ ଅଧିକ ବିକାଶ ଲାଭ କରିଥିଲା ମଦ ବ୍ୟବସାୟ। ଏହି ବ୍ୟବସାୟରୁ ସରକାର ପ୍ରଥମ ବର୍ଷ ୮୩ କୋଟି ଟଙ୍କା ପାଇଥିବା ସ୍ଥଳେ ୨୦୨୪-୨୫ ମସିହାରେ ୧୦ ହଜାର କୋଟି ଟଙ୍କା ପାଇଥିବା ଜଣା ପଡ଼ିଛି। ବଗର ଥଣ୍ଟ ବଢ଼ିଲେ ମୀନଙ୍କ ବିପତ୍ତି ବଢ଼ିବା ଭଳି ରାଜ୍ୟରେ ମଦର ବନ୍ୟା ଲକ୍ଷ ଲକ୍ଷ ସଂଖ୍ୟାରେ ମଦ୍ୟପ, ବିଶେଷ କରି ଯୁବ ମଦ୍ୟପ, ସୃଷ୍ଟି କରିଛି, ଯେଉଁମାନଙ୍କ ମଧ୍ୟରୁ ଅସଂଖ୍ୟ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି।
ବିଜେପି ତା’ର ନିର୍ବାଚନ ଇସ୍ତାହାରରେ ୨୦୨୯ ମସିହା ସୁଦ୍ଧା ଓଡ଼ିଶାକୁ ମଦମୁକ୍ତ କରିବ ବୋଲି ଘୋଷଣା କରିଛି। ଏବେ ସେ ଦଳ ଓଡ଼ିଶା ଶାସନର ଦାୟିତ୍ବ ନେବା ପରେ ଓଡ଼ିଶାର ଜନସାଧାରଣ ଦଳର ସେହି ଶପଥ ଉପରେ ଭରସା କରି ଅପେକ୍ଷା କରି ରହିବେ। ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ଯେ ଜନସାଧାରଣଙ୍କ ଜରୁରୀ କାମଗୁଡ଼ିକୁ ଦଳ ହାତକୁ ନେବ। ଜନ୍ ରସ୍କିନ ଓ ଗାନ୍ଧୀଜୀଙ୍କ ଭଳି ମହାନ ବ୍ୟକ୍ତିମାନେ କହିଛନ୍ତି ଯେ ଯେତେବେଳେ ବହୁତ ଗୁଡ଼ିଏ କାମର ଦାୟ ଥାଏ, ସେତେବେଳେ ସେହି କାମକୁ ପ୍ରଥମେ ହାତକୁ ନେବା ଉଚିତ, ଯାହା ସର୍ବାଧିକ ଲୋକଙ୍କର ବିଶେଷ କରି ସମାଜର ସବୁଠାରୁ ଦୁଃଖୀ ଲୋକଙ୍କର ଦୁଃଖ ଲାଘବ କରୁଥିବ। ଆମ ରାଜ୍ୟର ଅଧିକାଂଶ ଲୋକ ଚାଷ ସହିତ ସଂପୃକ୍ତ। ଏଣୁ, ଚାଷୀଙ୍କ ପାଇଁ ଜରୁରୀ କାର୍ଯ୍ୟକ୍ରମଗୁଡ଼ିକ ନିଶ୍ଚୟ ସରକାରଙ୍କ ଆଖିରେ ଆଗ ପଡ଼ିବ। ତେବେ, ଏହାକୁ ହାତକୁ ନେବା ସହିତ ସରକାରଙ୍କୁ ମଦର ଦୌରାତ୍ମ୍ୟ ଆଡ଼କୁ ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ। କାରଣ, ପୂର୍ବେ ଆମ ରାଜ୍ୟେର ଚାଷୀମାନେ ମଦ୍ୟପାନ କରୁ ନ ଥିଲେ। ଶ୍ରମିକ, କୁଲି, ରିକ୍ସା ଚାଳକ ଓ ଟ୍ରକ୍ ବା ଗାଡ଼ିର ଡ୍ରାଇଭରମାନେ ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଥିଲା। କିନ୍ତୁ, ଏବେ ଚାଷ କାମରେ ଲାଗୁଥିବା ମୂଲିଆ ଏପରିକି ଚାଷୀପୁଅ ବି ମଦ ପିଉଛନ୍ତି। ନିଶା ନିବାରଣ କାର୍ଯ୍ୟରେ ପ୍ରତ୍ୟକ୍ଷ ସଂପୃକ୍ତିରୁ ମୋର ଏହି ଅନୁଭୂତି ହୋଇଛି। ମଦ ଦ୍ୱାରା ତଫସିଲଭୁକ୍ତ ଜାତି ଓ ଜନଜାତିର ଲୋକେ ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହେଉଥିବାର ଦେଖାଯାଉଛି। ସେମାନଙ୍କର ଆର୍ଥିକ ଉନ୍ନତି ପାଇଁ ସରକାର ନାନା ଯୋଜନା କରୁଛନ୍ତି। କିନ୍ତୁ ମଦର ପ୍ରାଦୁର୍ଭାବ ହେତୁ ସେମାନଙ୍କର ଆର୍ଥିକ ଉନ୍ନତି ତ ହେଉ ନାହିଁ, ବରଂ ରୋଗ ବଢୁଥିବା ଓ ଆୟୁ କମୁଥିବା ଦେଖିବାକୁ ମିଳୁଛି। ଏ ଦିଗରେ ଜୁଆଙ୍ଗମାନଙ୍କ ଦୁର୍ଦ୍ଦଶା ଆଖିରେ ପଡ଼େ। ରାଜ୍ୟରେ ଏଭଳି ଅୟୁତ ଅୟୁତ ଗାଁ ଅଛି, ଯେଉଁଠି ନଗଡ଼ା ଭଳି ଅବସ୍ଥା। ଅପପୁଷ୍ଟି କାରଣରୁ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଅତି ଦୁର୍ବଳ, କିନ୍ତୁ ସେଠାରେ ବି ମଦ ଉପସ୍ଥିତ। ସରକାର ଅନେକ ଜନକଲ୍ୟାଣକାରୀ ଯୋଜନାମାନ କରିଛନ୍ତି ସତ, କିନ୍ତୁ ଯେପର୍ଯ୍ୟନ୍ତ ମଦର ଦୌରାତ୍ମ୍ୟ ଦୂର ହୋଇ ନାହିଁ, କୌଣସି ଯୋଜନା ବିଶେଷ ଫଳପ୍ରଦ ହେବ ନାହିଁ।
ସମାଜରେ ମହିଳାମାନେ ଏକ ନିର୍ଯାତିତ ଗୋଷ୍ଠୀ, ଯେଉଁମାନଙ୍କ ସଶକ୍ତୀକରଣ ଲାଗି ନାନା ଯୋଜନା ହୋଇଛି। ମିସନ ଶକ୍ତି ଭଳି ଯୋଜନା ହେତୁ ଏବେ ଅନେକ ଗ୍ରାମୀଣ ମହିଳା ଅର୍ଥ ଉପାର୍ଜନ କଲେଣି। ସେମାନେ ଚାହାନ୍ତି ଯେ ସେମାନଙ୍କ ସେହି ରୋଜଗାରରେ ପରିବାର ଭଲରେ ଚଳୁ ବା ପିଲାଏ ପାଠ ପଢ଼ି ମଣିଷ ହୁଅନ୍ତୁ। କିନ୍ତୁ ମଦୁଆ ସ୍ୱାମୀ ଠାରୁ ମାଡ଼ ଖାଉଥିବା ବା ମଦୁଆ ପୁଅ ଘରୁ ଟଙ୍କା ଛଡ଼ାଇ ନେଉଥିବା ଭଳି ସ୍ଥିତିରେ ମହିଳା ସଶକ୍ତୀକରଣ ମୂଲ୍ୟହୀନ ହୋଇ ପଡ଼ିଛି।
ମଦ ସହିତ ଆହୁରି ଜଘନ୍ୟ ନିଶା ଓ ଡ୍ରଗ୍ସ ଇତ୍ୟାଦି ଆମ ସମାଜକୁ ରୁଗ୍ଣ କରିବାକୁ ବସିଥିବା ବେଳେ ଆମେ ମଦ ମୁକ୍ତ ସମାଜ ଲାଗି ଏଥିପାଇଁ ଗୁରୁତ୍ୱ ଦେଉଛୁ ଯେ ଅନ୍ୟାନ୍ୟ ନିଶା ବ୍ୟବସାୟ ବେଆଇନ, କିନ୍ତୁ ମଦ ସରକାରୀ ପ୍ରୋତ୍ସାହନରେ ଚାଲିଛି।
ମଦମୁକ୍ତ ଓଡ଼ିଶା ଲାଗି ସରକାରୀ ପଦକ୍ଷେପ ଅଗ୍ରାଧିକାର ପାଇବା ଦରକାର, କିନ୍ତୁ ବାସ୍ତବତା ହେଲା ଏହାକୁ କାର୍ଯ୍ୟକାରୀ କରିବା ଅତି କଷ୍ଟକର। କାରଣ ଗଲା ଚବିଶ ବର୍ଷ ଭିତରେ ମଦର ବ୍ୟବହାର ବହୁଗୁଣିତ ହୋଇଛି। ରାଜ୍ୟର ପ୍ରତି ତିନିଟି ପରିିବାରରୁ ଗୋଟିଏ ପରିବାରର କେହି ନା କେହି ମଦ୍ୟାସକ୍ତ, ଯେଉଁମାନଙ୍କ ଭିତରୁ ଯୁବକଙ୍କ ସଂଖ୍ୟା ବେଶ୍ ଅଧିକ।
ଏହାଛଡ଼ା ବେଆଇନ ମଦ କାରବାରକୁ ରୋକିବା ଲାଗି ଦୃଢ଼ ପଦକ୍ଷେପ ନିଅନ୍ତୁ। ଓଡ଼ିଶା ଅବକାରୀ ଆଇନରେ ଚୋରା ମଦ କାରବାର ଜାମିନସାପେକ୍ଷ।
ମଦମୁକ୍ତ ଓଡ଼ିଶା ଏକ କଠିନ ବ୍ୟାପାର। ଏହା କେବଳ ସରକାରୀ କଳ ଦ୍ୱାରା ସମ୍ଭବପର ନୁହେଁ। ଏଥିଲାଗି ସମଗ୍ର ସମାଜକୁ ସମ୍ପୃକ୍ତ କରିବାକୁ ହେବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏ ଦିଗରେ ଲଗାଇବା ସଙ୍ଗେ ସଙ୍ଗେ ଯୁବ ସମାଜ ଓ ନିଶା ନିବାରଣ କାର୍ଯ୍ୟରେ ସମ୍ପୃକ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଏ ଦିଗରେ ଉପଯୋଗ କରାଯାଉ। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ତଥା ବିଦ୍ୟାଳୟମାନଙ୍କରେ ଏ ଦିଗରେ ଚର୍ଚ୍ଚା ହେଉ।
ସଭାପତି, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ
ମୋ: ୯୯୩୮୮୯୩୪୪୫
ମଦମୁକ୍ତ ଓଡ଼ିଶା ଜରୁରୀ କାହିଁକି?
Advertisment
Follow Us