Photograph: (Britannica)
ଗୌରାଙ୍ଗ ଚରଣ ପରିଡ଼ା
କାକା କାଲେଲକରଙ୍କ ଦ୍ୱାରା ପ୍ରତିଷ୍ଠିତ ଗାନ୍ଧୀ ମାଗାଜିନ, ‘ମଙ୍ଗଳ ପ୍ରଭାତ’ର ଚଳିତ ଅକ୍ଟୋବର ସଂଖ୍ୟାରେ ଏକ ପୁସ୍ତକ ସମୀକ୍ଷା ପ୍ରକାଶ ପାଇଛି। ବିଶିଷ୍ଟ ଗାନ୍ଧୀ ଐତିହାସିକ ‘ବନୱାରୀ’ଙ୍କ ଲିଖିତ ‘ଭାରତ କା ସ୍ୱରାଜ ଔର ମହାତ୍ମା ଗାନ୍ଧୀ’ ପୁସ୍ତକକୁ ନେଇ ଏ ସମୀକ୍ଷା। ଉକ୍ତ ପୁସ୍ତକ ସମୀକ୍ଷାରେ ୧୯୩୭ ମସିହାରେ ହିଟଲର ଓ ତତ୍କାଳୀନ ବ୍ରିଟିସ ବିଦେଶ ମନ୍ତ୍ରୀ ଲର୍ଡ ହାଲିଫାକ୍ସଙ୍କ ଆଲୋଚନାବେଳେ ଗାନ୍ଧୀଙ୍କ ସମ୍ପର୍କରେ ହିଟଲର ଦେଇଥିବା ଏକ ନୃଶଂସ ଟିପ୍ପଣିର ସଂକ୍ଷିପ୍ତ ଉଲ୍ଲେଖ ରହିଛି।
ଲର୍ଡ ହାଲିଫାକ୍ସ ଥିଲେ ଭାରତର ପୂର୍ବତନ ବଡ଼ଲାଟ ଲର୍ଡ ଇରଉଇନଙ୍କ ଏକ ପରିବର୍ତ୍ତିତ ନାଁ। ପ୍ରଧାନମନ୍ତ୍ରୀ ଚାମ୍ବରଲିନଙ୍କ ମନ୍ତ୍ରିମଣ୍ଡଳରେ ବିଦେଶମନ୍ତ୍ରୀ ହେବା ପରେ ଲର୍ଡ ଇରଉଇନ ତାଙ୍କ ନାଁର ପରିବର୍ତ୍ତନ କରି ଲର୍ଡ ହାଲିଫାକ୍ସ ରଖି ଦେଇଥିଲେ। ପ୍ରଚଣ୍ଡ କୂଟନୈତିକ ଚତୁରତା ପାଇଁ ହାଲିଫାକ୍ସଙ୍କ ବନ୍ଧୁମାନେ ତାଙ୍କୁ ଥଟ୍ଟାରେ ‘ହୋଲିଫକ୍ସ’ ବୋଲି ଡାକୁଥିଲେ। ହାଲିଫାକ୍ସଙ୍କ ଡାଏରି ଥିଲା ବ୍ରିଟିସ ଇତିହାସର ଏକ ଚର୍ଚ୍ଚିତ ଦସ୍ତାବିଜ।
ହିଟଲରଙ୍କ ସହ ହାଲିଫାକ୍ସଙ୍କ ସାକ୍ଷାତ୍ ଆଲୋଚନା ହୋଇଥିଲା ୧୯୩୭ ମସିହା ନଭେମ୍ବର ୧୯ ତାରିଖରେ, ଜର୍ମାନୀର ଏକ ଶୈଳନିବାସରେ। ୟୁରୋପରେ ଆଉ ଏକ ବୃହତ୍ ଯୁଦ୍ଧ ନ ହେବା ପାଇଁ ହିଟଲରଙ୍କୁ ସନ୍ତୁଷ୍ଟ କରିବାକୁ ହାଲିଫାକ୍ସ ଜର୍ମାନୀ ଯାଇଥିଲେ।
ଆଲୋଚନା ଭିତରେ ଭାରତରେ ଥିବା ବ୍ରିଟିସ ସାମ୍ରାଜ୍ୟର ସ୍ଥିତି କଥା ଉଠିଥିଲା। ହାଲିଫାକ୍ସ ଭାରତରେ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମ ନେଇ ନିଜର ଅନୁଭୂତି କହିଲାବେଳେ ହିଟଲର ଗର୍ଜନ କରି କହିଥିଲେ, ‘ମୋ କଥା ମାନ, ଗାନ୍ଧୀକୁ ଗୁଳି କରିଦିଅ। ତାଙ୍କ ସହ ତାଙ୍କର ଆଉ କିଛି ସହଯୋଗୀଙ୍କୁ ବି। ଯଦି ଏତିକି ଯଥେଷ୍ଟ ନ ହେଉଛି, ଗାନ୍ଧୀଙ୍କର ଅନ୍ୟ ଦୁଇ ଶହ ସାଥୀଙ୍କୁ ମଧ୍ୟ ହତ୍ୟା କର। ଭାରତରେ ଆନ୍ଦୋଳନ ସମ୍ପୂର୍ଣ୍ଣ ବନ୍ଦ ନ ହେବା ପର୍ଯ୍ୟନ୍ତ ଏବଂ ଭାରତୀୟମାନେ ସ୍ୱାଧୀନତା ପାଇବାର ଆଶା ସମ୍ପର୍ଣ୍ଣ ଛାଡ଼ି ନ ଦେବା ପର୍ଯ୍ୟନ୍ତ, ଏଇ କାର୍ଯ୍ୟ ଚାଲୁ ରଖ।’
ହିଟଲର ପୁଣି କହି ଚାଲିଲେ, ମୁଁ ‘ଲାଇଭସ୍ ଅଫ୍ ଏ ବେଙ୍ଗାଲ ଲାନ୍ସର’ ସିନେମା ଦେଖିବାକୁ ଭଲପାଏ। ଯୁବ ସୈନିକ ଷ୍ଟୋନ୍ ଯେତେବେଳେ ତା’ ବର୍ଚ୍ଛାରେ ଭାରତୀୟ ବିଦ୍ରୋହୀର ମୁଣ୍ଡକୁ କାଟିଦିଏ, ସେ ଦୃଶ୍ୟ ଦେଖି ମୁଁ ଉଲ୍ଲସିତ ହୁଏ। ଏ ସିନେମା ଦେଖିବାକୁ ମୁଁ ମୋ ସୈନିକମାନଙ୍କ ପାଇଁ ବାଧ୍ୟତାମୂଳକ କରିଦେଇଛି।
ହାଲିଫାକ୍ସଙ୍କୁ କିଛି କହିବାକୁ ନ ଦେଇ ସାଧାରଣରେ ଭାଷଣ ଦେଲାପରି ହିଟଲରଙ୍କ ଟିପ୍ପଣି ଥିଲା, ‘ତୁମେ ଇଂରେଜମାନେ ଭାରତୀୟଙ୍କ ପ୍ରତି ବହୁତ କୋହଳ ହୋଇଯାଉଛ। ଅଯଥାରେ ତାଙ୍କୁ ଉଚ୍ଚ ପାଠପଢ଼ା, ସଭ୍ୟତା ଶିଖାଉଛ। ଆମେ ୟୁରୋପୀୟମାନେ ଏକ ଉତ୍କୃଷ୍ଟ ଜାତି। ଭାରତୀୟଙ୍କ ପରି ନିକୃଷ୍ଟ ଜାତିକୁ ଶାସନ କରିବା ଆମର ଈଶ୍ୱରଦତ୍ତ ଅଧିକାର। ମୁଁ କିନ୍ତୁ ଆଶ୍ଚର୍ଯ୍ୟ ଏବଂ ଖୁସି ଯେ ଏତେ କମ୍ ସଂଖ୍ୟକ ସୈନ୍ୟ ଓ ଅଳ୍ପ କିଛି ପ୍ରଶାସକଙ୍କୁ ନେଇ ବିରାଟ ଜନସଂଖ୍ୟାବିଶିଷ୍ଟ ଏକ ବିଶାଳ ଦେଶକୁ ତୁମେ ଶାସନ କରୁଛ। ଭାରତରେ ବିଦେଶୀ ଶାସନର ସ୍ଥାୟିତ୍ୱ ପାଇଁ ତେଣୁ ବ୍ରିଟିସ ସାମ୍ରାଜ୍ୟ ତା’ର ଶେଷ ଶକ୍ତି ପର୍ଯ୍ୟନ୍ତ ଯାହା ଆବଶ୍ୟକ, ପ୍ରୟୋଗ କରୁ। ଏବଂ ୧୯୨୦-୨୧ ମସିହାରୁ ଗାନ୍ଧୀ ଚିନ୍ତା ସହ ନିଜକୁ ସାମିଲ କରି ଭାରତରେ ବ୍ରିଟିସ ସାମ୍ରାଜ୍ୟର ଆସନ୍ନ ପତନ ନେଇ ଏସିଆର କିଛି ନେତାଙ୍କ ସହ ୟୁରୋପର ଯେଉଁ ଅଳ୍ପ କିଛି ବୁଦ୍ଧିଜୀବୀ ସ୍ୱପ୍ନ ରାଜ୍ୟରେ ଅଛନ୍ତି, ଇଂରେଜ ଶାସନ ତାଙ୍କୁ ଭୁଲ୍ ବୋଲି ପ୍ରମାଣିତ କରୁ।’
ଭାରତ ଓ ଗାନ୍ଧୀଜୀଙ୍କ ସମ୍ପର୍କରେ ଆଲୋଚନା ଭିତରେ ହାଲିଫାକ୍ସ କିଛି କହିପାରି ନ ଥିଲେ। କେବଳ ଶୁଣିଥିଲେ। ସେଦିନ ରାତିରେ ବସି ସେ ତାଙ୍କ ଡାଏରିରେ ଲେଖିଥିଲେ, ଫ୍ୟୁରର (ହିଟଲର) ବୋଧେ ଭାବୁଥିଲେ, ମୁଁ ତାଙ୍କ କଥା ନିଷ୍ଠାର ସହ ଶୁଣୁଥିଲି ଏବଂ ତାଙ୍କର ସବୁ କଥାକୁ ବିଶ୍ୱାସ କରୁଥିଲି। ତାଙ୍କର ଓ ମୋ ଭିତରେ ମାନବିକ ମୂଲ୍ୟବୋଧ ନେଇ ଆଦର୍ଶଗତ ପାର୍ଥକ୍ୟ ଥିଲା। ଭାଷା ବି ପୃଥକ୍ ଥିଲା।
ହାଲିଫାକ୍ସଙ୍କ ସହ ସେଦିନର ସେ ବାର୍ତ୍ତାଳାପରେ ହିଟଲର କିଛି ନୂଆ କଥା କହି ନ ଥିଲେ। କିଛି ବର୍ଷ ତଳେ ସେ ଲେଖିଥିବା ଆତ୍ମଜୀବନୀ ‘ମେ କାମ୍ଫ’ (ମୋ ସଂଘର୍ଷ)ରେ ବର୍ଣ୍ଣିତ ଥିବା ନିଜର ବର୍ଣ୍ଣବୈଷମ୍ୟବାଦୀ ଦୃଷ୍ଟିଭଙ୍ଗୀର କେବଳ ଯାହା ପୁନରାବୃତ୍ତି କରିଥିଲେ।
ହିଟଲର ଓ ହାଲିଫାକ୍ସଙ୍କ ଆଲୋଚନା ବିବରଣୀ ଖବର କାଗଜରେ ପ୍ରକାଶ ପାଇବା ପରେ ଭାରତରେ ଅବଶ୍ୟ କିଛି ପ୍ରତିକ୍ରିୟା ନ ଥିଲା। ଦେହ ଅସୁସ୍ଥ ଥିବା ସତ୍ତ୍ବେ ଗାନ୍ଧୀ ସ୍ୱାଭାବିକ ଭାବେ ଭାରତ ଭ୍ରମଣରେ ବ୍ୟସ୍ତ ରହିଥିଲେ। ୱାର୍ଦ୍ଧାକୁ ଫେରିବା ପରେ ଯମନାଲାଲ ବଜାଜ ଦିନେ ଗାନ୍ଧୀଙ୍କୁ କହିଲେ, ‘ବାପୁ, ଆପଣଙ୍କ ଏଠି ଦେହ ଭଲ ରହୁନି। କିଛି ଦିନ ପାଇଁ ଆପଣ ଅନ୍ୟ ଜାଗାକୁ ଯାଇ ଚୁପ୍ଚାପ୍ ବସି ବିଶ୍ରାମ ନିଅନ୍ତୁ।’ ସେଦିନ ଥିଲା ୧୯୩୮ ମସିହା ଜାନୁଆରି ୯ ତାରିଖ। ଗାନ୍ଧୀଜୀ ତତ୍କ୍ଷଣାତ୍ ଉତ୍ତର ଦେଇଥିଲେ,“ଯମନାଲାଲ, ତୁମେ କ’ଣ ଚାହଁ ମୁଁ ମୃତ୍ୟୁକୁ ଭୟ କରି ହିମାଳୟ ଯାଇ ବିଶ୍ରାମ ନେବି। ଏହା ମୁଁ କରି ପାରିବିନି। ମୁଁ ଜାଣେ, ଯେତେ ସଜାଗ ରହିଲେ ବି ମୃତ୍ୟୁ ଅନିବାର୍ଯ୍ୟ। ମୋ କାମ ଶେଷ ହୋଇଗଲେ ମୁହୂର୍ତ୍ତ ପାଇଁ ବି ଈଶ୍ୱର ମୋତେ ଏଠି ରହିବାକୁ ଦେବେନି। ମୁଁ ମୋ ଆତ୍ମବିଶ୍ୱାସ, କର୍ତ୍ତବ୍ୟବୋଧ, ସ୍ୱାଭିମାନ ସୁରକ୍ଷାରେ ବିଶ୍ୱାସ କରେ। ନିର୍ଭୀକତା ନିମନ୍ତେ ଏହା ହିଁ ସାଧନ ମାର୍ଗ।
ହିଟଲର ଓ ହାଲିଫାକ୍ସଙ୍କ ଆଲୋଚନା ପରେ ମ୍ୟୁନିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ୧୯୩୮ ମସିହା ସେପ୍ଟେମ୍ବର ୩୦ ତାରିଖରେ। ଅଧାରୁ ଅଧିକ ସ୍ୱାଧୀନ ଚେକୋସ୍ଲୋଭାକିଆ ଅଞ୍ଚଳକୁ ଜର୍ମାନୀ ଦଖଲ କରିନେବାକୁ ଉଭୟେ ଇଂଲାଣ୍ଡ ଓ ଫ୍ରାନ୍ସ ରାଜି ହୋଇ ଚୁକ୍ତିରେ ଦସ୍ତଖତ କରି ଦେଇଥିଲେ। ଏବଂ ଏହାକୁ ୟୁରୋପରେ ‘ସମ୍ମାନର ସହ ଶାନ୍ତି’ ବୋଲି ସେମାନେ ସଫେଇ ଦେଇଥିଲେ।
ମ୍ୟୁନିକ ଚୁକ୍ତିକୁ ନେଇ ଗାନ୍ଧୀ ଏକ ପ୍ରବନ୍ଧ ଲେଖିଥିଲେ ‘ହରିଜନ’ ପତ୍ରିକାରେ। ଏହା ‘ଇଫ୍ ଆଇ ୱର ଏ ଚେକ୍’ (ମୁଁ ଯଦି ଚେକସ୍ଲୋଭାକିଆ ଅଧିବାସୀ ହୋଇଥାଆନ୍ତି) ଶିରୋନାମାରେ ୧୯୩୮ ଅକ୍ଟୋବର ୧୫ ତାରିଖରେ ପ୍ରକାଶ ପାଇଥିଲା। ଗାନ୍ଧୀ ଲେଖିଥିଲେ, ‘ଚେକସ୍ଲୋଭାକିଆ ପରି ଏକ କ୍ଷୁଦ୍ର ସ୍ୱାଧୀନ ସାର୍ବଭୌମ୍ୟ ରାଷ୍ଟ୍ରର ସ୍ୱାଧୀନତାକୁ ଏକ ସଂଗଠିତ ହିଂସା ଭୟରେ ହିଟଲରଙ୍କୁ ସମର୍ପି ଦେବା, ନିଜ ଆତ୍ମାକୁ ବିକ୍ରି କରିଦେବା ସହ ସମାନ। ଏଥିରେ କିନ୍ତୁ ଯୁଦ୍ଧ ବନ୍ଦ ହୋଇନି। କିଛି ଦିନ ପାଇଁ ସ୍ଥଗିତ ରହିଛି। ମୁଁ କିନ୍ତୁ ଚେକ୍ ଅଧିବାସୀଙ୍କ ସପକ୍ଷରେ ଅଛି। ସେମାନେ ଏବେ ନିଜ ମର୍ଯ୍ୟାଦା ଓ ସ୍ୱାଧୀନତା ପାଇଁ ନିଜେ ଅହିଂସାରେ ସଂଗ୍ରାମ କରିବା ଉଚିତ। ହିଟଲର ନୃଶଂସ ହେଲେ ବି ଏକ ମଣିଷ। ହୃଦୟଟିଏ ତାଙ୍କର ଅଛି।’
ଗାନ୍ଧୀ ତାଙ୍କ ପ୍ରବନ୍ଧର ଉପସଂହାରରେ ଲେଖିଥିଲେ, ‘ଭାରତୀୟମାନେ ନିଜ ସ୍ୱାଧୀନତା ପାଇଁ ବି ନିଜେ ପ୍ରସ୍ତୁତ ରହିବା ଦରକାର। କାରଣ ଭାରତର ପରାଧୀନତା ପାଇଁ ଇଂରେଜ ରାଜସତ୍ତା ଏକମାତ୍ର କାରଣ ନୁହେଁ। ୟୁରୋପୀୟ ହିଂସ୍ର ଅହଂକାର ବି ଏଥିରେ ସାମିଲ। ଏହା ମ୍ୟୁନିକରୁ ଶିକ୍ଷା।’
ବିଡ଼ମ୍ବନା ଯେ ୧୯୪୫ ମସିହା ଏପ୍ରିଲ ୩୦ରେ ପରାଜୟ ଭୟରେ ହିଟଲର ନିଜକୁ ନିଜେ ଗୁଳି କରି ହତ୍ୟା କରିଥିଲେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୪୬୯୩୨୮
Follow Us