ସୁରଞ୍ଜନ ବାବୁ ସତୀଚଉରା ଛକ ଡେଇଁ ରିଂରୋଡ୍ କଡ଼େ କଡ଼େ ବୁଲୁବୁଲୁ ବିଡ଼ାନାସୀର ବନ୍ଧଛକ ପାଖ ରଘୁ ଦହିବରା ଦୋକାନ ପାଖରେ ଘଡ଼ିଏ ଅଟକିଗଲେ। ଗୁଡ଼ ଚାରିପଖେ ଜନ୍ଦା ବେଢ଼ିଲା ପରି ଦୋକାନ ଚାରିପାଖେ ଭିଡ଼। ଭିଡ଼ରୁ ରକ୍ଷା ପାଇବା ପାଇଁ ସୁରଞ୍ଜନ ବାବୁ କୃଷକବଜାର ଗଡ଼ାସ୍ଥିତ ବାବୁଲା ଓରଫ୍ ପ୍ରଦୀପ ସାହୁଙ୍କ କଟକ ପ୍ରସିଦ୍ଧ ଦହିବରା ଦୋକାନ ପାଖରେ ପହଞ୍ଚି ବର୍ଷଣମୁଖର ସଞ୍ଜରେ ମଜା ନେବା ପାଇଁ ଦହିବରା ପ୍ଲେଟ୍ଟିଏ ଅର୍ଡର କଲେ। ଦୋକାନ କହିଲେ ହୁଡ୍ ଖୋଲା ଅଟୋ ଉପରେ କେତୋଟି ରଙ୍ଗିନ୍ ଛତା, ଆଖି ଜଳକା କରିଦେଲା ଭଳି ଲାଇଟ୍ ଓ ଦହିବରା, ଘୁଗୁନି, ଆଳୁଦମ୍ର ହାଣ୍ଡି ଆଉ ବ୍ୟବସାୟରେ ସହାୟତା କରିବା ଲାଗି ଦୁଇ ଜଣ ପିଲା। ଗୋଟିଏ ଶାଳପତ୍ର ଦନାରେ ୫ଟି ଦହିବରା ସହିତ ଆଳୁଦମ୍, ଘୁଗୁନି, ଗୁଣ୍ଡ ପିଆଜ, କାକୁଡ଼ି, ସେଓ, ଧନିଆପତ୍ର ଓ ପୋଦିନାପତ୍ରର ଝୁରା ଇତ୍ୟାଦି ପରଷାଯାଏ। ଖାଦ୍ୟକୁ ସ୍ୱାଦିଷ୍ଠ କରିବା ପାଇଁ ସେଥିରେ ପଡ଼ିଥାଏ ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ବିଟ୍ ଲୁଣ ଓ ଦହି ଇତ୍ୟାଦି। ସନ୍ଧ୍ୟା ମାତ୍ର ଦୁଇ ଘଣ୍ଟା ଭିତରେ ବାର ହଜାରରୁ ପନ୍ଦର ହଜାର ଟଙ୍କାର ବେପାର ହୁଏ। ଦିନକୁ ଦୁଇ ଶହରୁ ତିନି ଶହ ବା ତଦୂର୍ଦ୍ଧ୍ୱ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ସହ ପ୍ଲେଟ୍ ପିଛା ପଚାଶ ଟଙ୍କା ଦରରେ ବିକ୍ରି କରାଯାଏ।
କୃଷକବଜାରର ବାବୁଲା, ବନ୍ଧଛକର କେଦାର, ବିଜୁ ପଟ୍ଟନାୟକ ଛକର ଈଶ୍ୱର, କନିକା ଛକର ତ୍ରିନାଥ, ବିଡ଼ାନାସୀର ଟୁନିଆ, ମହାନଦୀ ବିହାରର କୃଷ୍ଣ, ଷ୍ଟାଡିଅମ୍ ପାଖର ପୁନିଆ- ଏମିତି କଟକ ସହରରେ ପାଖାପାଖି ହଜାରେ ଦହିବରା ଦୋକାନ ଥିଲାବେଳେ ଖାଲି ବିଡ଼ାନାସୀରେ ୨୫୦ରୁ ୩୦୦ ଦହିବରା ବ୍ୟବସାୟୀ ଅଛନ୍ତି। ପ୍ରସ୍ତୁତି, ପରିବେଷଣ, ପରିଚ୍ଛନ୍ନତା, ପରିମାଣ ଓ ଗୁଣବତ୍ତା ଦୃଷ୍ଟିରୁ କଟକ ଦହିବରା ସ୍ୱତନ୍ତ୍ର ଓ ନିଆରା। ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡିଙ୍ଗ୍ ଓ କୋଭିଡ୍ ତାଲିମ୍ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଇଛନ୍ତି ବାବୁଲା ଏବଂ ସୁସ୍ଥ ଖାଦ୍ୟ ପରିବେଷଣ ପାଇଁ ଭାରତ ସରକାରଙ୍କ ଜାତୀୟ ଖାଦ୍ୟ ନିରାପତ୍ତା ଓ ମାନକର ଅଧିକାଂଶ ନିୟମାବଳୀ ସେ ଅନୁପାଳନ କରନ୍ତି।
ଦିଲ୍ଲୀଠାରେ ଅନୁଷ୍ଠିତ ଏକାଦଶ ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ୍-୨୦୧୯ରେ କଟକର ଦହିବରା ଆଳୁଦମ୍କୁ ମିଳିଥିଲା ପ୍ରଥମ ପୁରସ୍କାର। ଏହି ପୁରସ୍କାର ହାତେଇଥିଲେ କଟକର ଦହିବରା ବ୍ୟବସାୟୀ ବାବୁଲା ଓରଫ ପ୍ରଦୀପ କୁମାର ସାହୁ। ଦେଶର ୨୯ଟି ରାଜ୍ୟରୁ ୫୯ ଜଣ ବିଭିନ୍ନ ରାସ୍ତାକଡ଼ ଖାଦ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ କଟକର ଦହିବରା ଆଳୁଦମ୍ ତା’ର ଅନୁପମ ସ୍ୱାଦ ଓ ଦର୍ଶକଙ୍କ ଆଗ୍ରହାତିଶଯ୍ୟ ଦେଖି ଜୁରି ସଦସ୍ୟମାନେ ଦହିବରା ଆଳୁଦମ୍କୁ ପ୍ରଥମ କରିଥିଲେ। ଏପରିକି ବଲିଉଡ୍ ଷ୍ଟାର୍ ସଲମାନ୍ ଖାଁ ଓ ବିଶିଷ୍ଟ ଖାଦ୍ୟ ବିଶେଷଜ୍ଞ ଓ ପାଚକ ବିକାଶ ଖାନ୍ନା ତାଙ୍କର କଟକ ଗସ୍ତ ସମୟରେ ଦହିବରା ଆଳୁଦମ୍ ଖାଦ୍ୟର ଭୂୟସୀ ପ୍ରଶଂସା କରିଥିଲେ।
ମାତ୍ର ଏବର ଯୁବପିଢ଼ି ପ୍ରକ୍ରିୟାକୃତ ଖାଦ୍ୟ ପ୍ରତି ଅହେତୁକ ଆଗ୍ରହ ପ୍ରକାଶ କରୁଛନ୍ତି। ଏକ ସର୍ବେକ୍ଷଣର ଆକଳନ ଅନୁଯାୟୀ ସହରାଞ୍ଚଳ ଭାରତରେ ମୋଟ ମାସିକ ଉପଭୋକ୍ତା ଖର୍ଚ୍ଚର ୧୧ ପ୍ରତିଶତ ପ୍ରକ୍ରିୟାକୃତ ଖାଦ୍ୟ ପାଇଁ ଖର୍ଚ୍ଚ ହେଉଛି। ଏହା ଏମିତି ଏକ ସମୟ ଯେତେବେଳେ ଜୀବନଶୈଳୀ ସହିତ ଜଡ଼ିତ ରୋଗ ଭାରତରେ ମହାମାରୀ ପରି ବ୍ୟାପୁଛି। ଯାହାର ପ୍ରମୁଖ କାରଣ ହେଉଛି ଆମର ଖରାପ ଖାଦ୍ୟାହାର। ଏହି ପ୍ରକ୍ରିୟାକୃତ ଉତ୍ପାଦଗୁଡ଼ିକ ପ୍ରାୟତଃ ଚିନି, ଲୁଣ, ତେଲ, ମସଲା ଓ ସନ୍ତୁଳିତ ଚର୍ବିରେ ଭରି ରହିଥିବାରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ ଅଣ ସଂକ୍ରାମକ ରୋଗ ବୃଦ୍ଧିର ଆଶଙ୍କା ସୃଷ୍ଟି କରୁଛି।
କିନ୍ତୁ ବିଡ଼ମ୍ବନାର ବିଷୟ, ଏହି ପାଟି ସୁଆଦିଆ ଖାଦ୍ୟଦ୍ରବ୍ୟଟିକୁ ଏ ଯାବତ୍ ଜି.ଆଇ. ଟ୍ୟାଗ୍ (ଭୌଗୋଳିକ ପରିଚିତି) ମାନ୍ୟତା ମିଳିନାହିଁ। ଦେଶର ବିଭିନ୍ନ ରାଜ୍ୟର ୬୪୩ଟି ଉତ୍ପାଦକୁ ଜି.ଆଇ. ଟ୍ୟାଗ୍ ମାନ୍ୟତା ମିଳିଥିଲା ବେଳେ ଓଡ଼ିଶାର ମାତ୍ର ୧୦ଟି ଉତ୍ପାଦକୁ ଭୌଗୋଳିକ ମାନ୍ୟତା ପ୍ରାପ୍ତ ହୋଇଛି ଓ ଆହୁରି ୧୦ଟିରୁ ଅଧିକ ଉତ୍ପାଦକୁ ମାନ୍ୟତା ପାଇଁ ବିଭିନ୍ନ ଅନୁଷ୍ଠାନ ଆବେଦନ କରିଛନ୍ତି। ଏଥି ମଧ୍ୟରେ ନୟାଗଡ଼ର ସୁସ୍ୱାଦୁ ଛେନାପୋଡ଼ ଅନ୍ୟତମ। ତଥ୍ୟ ପ୍ରଦାନରେ ଅହେତୁକ ବିଳମ୍ବ କାରଣରୁ ଏହି ସୁସ୍ୱାଦୁ ଦ୍ରବ୍ୟଟି ଏ ଯାବତ୍ ଜି.ଆଇ. ଟ୍ୟାଗ୍ ମାନ୍ୟତା ହାସଲ କରିପାରିନାହିଁ। କିନ୍ତୁ ସୁଖର ବିଷୟ ଆମ ସଂସ୍କୃତିପ୍ରେମୀ ଓ ଗବେଷକଙ୍କ ଉଦ୍ୟମ ଫଳରେ ୨୦୧୯ ମସିହା ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜି.ଆଇ. ମାନ୍ୟତା ମିଳିବା ସହିତ ଜୁଲାଇ ୩୦ ତାରିଖରେ ରସଗୋଲା ଦିବସ ପାଳିତ ହୋଇଆସୁଛି। ଠିକ୍ ସେହିପରି ଜି.ଆଇ. ଟ୍ୟାଗ୍ ଦାବିକୁ ଆହୁରି ବଳିଷ୍ଠ କରିବା ପାଇଁ ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ରୂପେ ପାଳନ କରାଯାଉଅଛି।
ଯେହେତୁ କଟକର ଦହିବରା ବ୍ୟବସାୟୀମାନେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ଦହିବରାର ଉତ୍କର୍ଷ ପ୍ରତିପାଦନ କରି ପାରିଛନ୍ତି ଓ ଦୁବାଇରୁ ନିଜର ଖାଦ୍ୟ ପରିବେଷଣ ପାଇଁ ଡାକରା ପାଇଛନ୍ତି, ସେଥିନେଇ କଟକ ମହାନଗର ନିଗମ ଦହିବରା ବ୍ୟବସାୟକୁ ଆହୁରି ସୁବ୍ୟବସ୍ଥିତ କରିବା ପାଇଁ ବିଜିନେସ୍ ହବ୍ ପ୍ରତିଷ୍ଠା ସାଙ୍ଗକୁ ଭେଣ୍ଡିଙ୍ଗ୍ ଜୋନ୍ ମାଧ୍ୟମରେ ବ୍ୟବସାୟୀଙ୍କୁ ଥଇଥାନ କରିବା ବିଧେୟ। ଆମ ଖାଦ୍ୟ ସଂସ୍କୃତିକୁ ପ୍ରଚାର, ପ୍ରସାର କରିବାରେ ପ୍ରତ୍ୟେକ ଓଡ଼ିଆଙ୍କ ସମ୍ପୃକ୍ତି ଓ ଭାଗୀଦାରି ନିତାନ୍ତ ଆବଶ୍ୟକ। ଛେନାପୋଡ଼ ଓ ରସଗୋଲା ଦିବସ ପରି ସର୍ବତ୍ର ଦହିବରା ଦିବସ ପାଳନ ହେବା ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ମନ୍ତ୍ରାଳୟ ପାଖରେ ଦହିବରାକୁ ଜି.ଆଇ. ମାନ୍ୟତା ପାଇବା ପାଇଁ ଦାବି ଉପସ୍ଥାପନ କରିବା ଉଚିତ। ଏତଦ୍ ଭିନ୍ନ, କଟକର ସମସ୍ତ ଦହିବରା ବ୍ୟବସାୟୀମାନେ ଏକ ଆସୋସିଏସନ୍ ଗଠନ କରି ଏହାର ପଞ୍ଜୀକରଣ ଦିଗରେ ଯତ୍ନବାନ ହେବା ଉଚିତ।
ଉତ୍ତୀର୍ଣ୍ଣ ସଞ୍ଜରେ ଫେରୁ ଫେରୁ ଲଘୁଚାପ ବର୍ଷାର ବିତ୍ପାତ ଆରମ୍ଭ ହୋଇସାରିଥିଲା। ଛତା ଭିତରେ ସୁରଞ୍ଜନ ବାବୁ ତାନ୍ସେନ୍ ସିଂ ଗାଇଥିବା ‘ଅକ୍ଷୀ ତୃତୀୟା’ ଚଳଚ୍ଚିତ୍ରର ସେଇ ଗୀତ ପଦକ ଗୁଣୁଗୁଣୋଉଥିଲେ:
ଢେଙ୍କାନାଳର ବିରିବରା ଖାଇବ ଥରେ ଭାଇ
କଟକର ଦହିବରା ପାସୋରିଯିବ ନାହିଁ,
ମାଣିକପାଟଣା ବସାଦହିକୁ ଆଲୋ ଟିକେ ଅନା
ଆସ କିଏ ଖାଇବ ହୋ ଆମ ରାଜା ବାବୁଙ୍କ ଖାନା।
ମୋ: ୯୪୩୭୦୦୦୬୩୬
କଟକ ଦହିବରା: ଖାଦ୍ୟ ଓ ପରିଚୟ
Advertisment
Follow Us