ଆମରି କଥା, ଉପରେ ଗଣତନ୍ତ୍ର ଭିତରେ ରାଜତନ୍ତ୍ର

Advertisment

ନାରାୟଣ ମିଶ୍ର

ନାରାୟଣ ମିଶ୍ର

ଆମରି କଥା, ଉପରେ ଗଣତନ୍ତ୍ର ଭିତରେ ରାଜତନ୍ତ୍ର

NDTV

ଉପରଠାଉରିଆ ଭାବେ ଗଣତନ୍ତ୍ର ଆମ ଦେଶରେ ଥିବା କଥା ଆମେ ଜାଣୁ; କିନ୍ତୁ ବାସ୍ତବ ପକ୍ଷେ ଏହାର ଚାରିଟି ଯାକ ସ୍ତମ୍ଭ ଉଇ ଖାଇଗଲାଣି। ପାର୍ଲିଆମେଣ୍ଟ ଯିଏ କି ଆଇନ ତିଆରି କରୁଛି, ତା’ର ଅର୍ଦ୍ଧାଧିକ ସଭ୍ୟଙ୍କ ନାଁରେ ବହୁ ମକଦ୍ଦମା ଚାଲୁରହିଛି। ମାନ୍ୟବର ସଭ୍ୟମାନଙ୍କ ମଧୢରୁ ଅନେକଙ୍କ ନାଁରେ ଆପରାଧିକ ମାମଲା ବିଭିନ୍ନ କୋର୍ଟ କଚେରିରେ ଗଡ଼ି ଚାଲିଛି। ଦ୍ବିତୀୟ ସ୍ତମ୍ଭ ହେଲା ଶାସନ ଅଧିକାରୀମାନେ, ଯେଉଁମାନେ ରାଜକୋଷରୁ ଯେତେ ଦରମା ପାଇଲେ ବି ଆଇନକୁ କାର୍ଯ୍ୟକାରୀ କଲାବେଳେ ଦୁର୍ନୀତିର ସହାୟତା ନେବାକୁ ପ୍ରତିଶ୍ରୁତିବଦ୍ଧ। କ୍ଷମତାର ଅପବ୍ୟବହାର ନିଜେ କରି ନିର୍ବାଚିତ ସରକାରର ପ୍ରତିନିଧିମାନଙ୍କୁ ମଧୢ ସେମାନେ ଦୁର୍ନୀତିରେ ବୁଡ଼ାଇ ରଖୁଛନ୍ତି। ତୃତୀୟ ସ୍ତମ୍ଭ ‘‘ନ୍ୟାୟପାଳିକା’’ ଯାହା ଉପରୁ ବିଭିନ୍ନ କାରଣରୁ ସର୍ବସାଧାରଣଙ୍କ ଆସ୍ଥା କ୍ରମଶଃ ତୁଟିବାରେ ଲାଗିଛି। ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ବା ପ୍ରେସ୍‌- ଏମାନଙ୍କ ମଧୢରୁ ଅନେକ ସରକାରୀ ପ୍ରୋତ୍ସାହନ ଓ ବିଜ୍ଞାପନ ପାଇଁ ସରକାରଙ୍କ ପ୍ରଚାର ସ˚ସ୍ଥା ପାଲଟିଗଲେଣି। ତେଣୁ ଗଣତନ୍ତ୍ର ଆଉ ଲୋକଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ନ ହୋଇ ନିର୍ବାଚିତ ପ୍ରତିନିଧି, ସେମାନଙ୍କ କୁଟୁମ୍ବ ଏବ˚ ସେମାନଙ୍କ ଚାମଚାମାନଙ୍କର ସ୍ବାର୍ଥକୁ ଜଗି ଚାଲିଛି। ନିର୍ବାଚନ ପୂର୍ବରୁ ପାଞ୍ଚ ହଜାର ଟଙ୍କା ଆକାଉଣ୍ଟରେ ଥିବା ବ୍ୟକ୍ତି ନିର୍ବାଚିତ ହେବାର ପାଞ୍ଚବର୍ଷ ପରେ ପାଞ୍ଚ ହଜାର କୋଟି ସମ୍ପତ୍ତିର ମାଲିକ ‌ହୋଇଯାଉଛି। ସବୁଠୁ ବଡ଼ କଥା ହେଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷେତ୍ରରେ ଏ ଯାବତ୍‌ ଲାଗୁ ହେଉନାହିଁ।

ଏବେ ଆସନ୍ତୁ ଦେଖିବା ଗଣତନ୍ତ୍ର ଜାଗାରେ ରାଜତନ୍ତ୍ର ବା ରାଜାରାଜୁଡ଼ା ଶାସନ କେମିତି ଆସ୍ତେ ଆସ୍ତେ ଆମକୁ କବଳିତ କରିବାରେ ସକ୍ଷମ ହୋଇଆସିଲାଣି!! ରାଜାରାଜୁଡ଼ା କାଳରେ ରାଜାଙ୍କ ପରେ ଯେମିତି ତାଙ୍କ ପୁଅ ରାଜା ହେଉଥିଲେ ଏବେ ମନ୍ତ୍ରୀଙ୍କ ପରେ ତାଙ୍କ ପୁଅ ରାଜନୀତିରେ ତାଙ୍କ ସ୍ଥାନ ନେବାକୁ ସମସ୍ତ ବ୍ୟବସ୍ଥା ଚାଲିଲାଣି। ତେଣୁ ଏଠି ଗଣତନ୍ତ୍ର ନାମକୁ ଚାଲିଛି ବରଂ ରାଜତନ୍ତ୍ର ଭଳି ପ୍ରାୟ ସମସ୍ତ ନିର୍ବାଚିତ ପ୍ରତିନିଧି ନିଜ ନିଜର ପୁଅ ଝିଅଙ୍କୁ ଶାସନ ଗାଦିକୁ ଆଣିବାକୁ କଳ, ବଳ କୌଶଳ ପ୍ରୟୋଗ କରି ଚାଲିଛନ୍ତି। ରାଜାଙ୍କ ସମୟରେ କିଛି ଭାଟ ଥିଲେ, ସେମାନଙ୍କ କାମ ହେଲା ରାଜାଙ୍କୁ ଆଖିବୁଜି ସମର୍ଥନ ଜଣାଇବା ଏବ˚ ରାଜାଙ୍କର ପ୍ରଶ˚ସା ଗାନ କରିବା। ଏବେ ହଜାର ହଜାର ଲୋକ ନେତାଙ୍କ ଚାରିପଟେ ଘୂରି ବୁଲୁଛନ୍ତି ଏବ˚ ନେତାଙ୍କୁ ସମର୍ଥନ ଦେଇ ସେମାନଙ୍କ ରକ୍ଷା କବଚ ସାଜିଛନ୍ତି ଓ ଅହରହ ସେମାନଙ୍କର ପ୍ରଶ˚ସା ଗାନ କରି ଚାଲିଛନ୍ତି। ଦୁର୍ନୀତିଗ୍ରସ୍ତ ନେତା ସେମାନଙ୍କ ଅର୍ଜିତ କଳାଟଙ୍କାରୁ ଏମାନଙ୍କ ଭରଣପୋଷଣ କରି ଚାଲିଛନ୍ତି। ଯେହେତୁ ଏହା ସବୁ ରାଜନୈତିକ ଦଳରେ ଚାଲିଛି। ଏହାକୁ ଏବେ ଆଉ ଦୁର୍ନୀତି ବୋଲି ନ କହି ନୀତି ବୋଲି କହିବା ଠିକ୍‌ ହେବ। ଏବେ ରାଜତନ୍ତ୍ରର ଆଉ ଏକ ଗୁଣ ଦ୍ରୁତ ଗତିରେ ଆଇନାନୁମୋଦିତ ହେବାକୁ ବସିିଲାଣି। ତାହା ହେଲା, ଆଗେ ଯେପରି ରାଜ୍ୟର ରାଜାଙ୍କ ବିରୋଧରେ କୌଣସି ପ୍ରଜା ପଦୁଟିଏ ଉଚ୍ଚାରଣ କଲେ ତାକୁ ବିନା ବିଚାରରେ ଗିରଫ କରି ଜେଲ୍‌ରେ ପୂରାଇ ଦିଆଯାଉଥିଲା, ଏବେ ସେମିିତି ହେଉଥିବା ଦେଖା ଯାଉଛି। ଏବେ କୁହନ୍ତୁ ସର୍ବସାଧାରଣ ଗଣତନ୍ତ୍ରରେ ନା ରାଜତନ୍ତ୍ରରେ ଅଛନ୍ତି।
ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
narayanmishra1952@gmail.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe