ଦିଆସିଲି ବାକ୍ସରେ ଜୀବନ

Advertisment

ସୁପ୍ରଭା ବେହେରା

ସୁପ୍ରଭା ବେହେରା

ଦିଆସିଲି ବାକ୍ସରେ ଜୀବନ

ଜନସଂଖ୍ୟା ଅନୁସାରେ ଭାରତ ଏବେ ପୃଥିବୀରେ ପ୍ରଥମ। ଜନସଂଖ୍ୟା ଆହୁରି ବଢୁଛି। ବଢୁଥିବା ଜନସଂଖ୍ୟାର ମୌଳିକ ଆବଶ୍ୟକତା ହେଉଛି ବାସଗୃହ। ଜନସଂଖ୍ୟା ଅନୁସାରେ ଭୂଭାଗ ତ ଆଉ ବଢ଼ିବ ନାହିଁ। ତେଣୁ ବାସସ୍ଥାନ ଏକ ମୁଖ୍ୟ ସମସ୍ୟା। ଜଙ୍ଗଲ ସଫା କରି ଅବା ଗୋଚାରଣ ଭୂମିକୁ ବ୍ୟବହାର କରି ବାସଗୃହ ନିର୍ମାଣ କରିବା ଦ୍ୱାରା ଏହା ଅଧିକ ସମସ୍ୟାକୁ ଜନ୍ମ ଦେଉଛି। ଏହି ସବୁ ସମସ୍ୟାର ସମାଧାନ ହୋଇ ବିଗତ କିଛି ବର୍ଷରୁ ଆରମ୍ଭ ହୋଇଛି ଏକ ନୂଆ ଅବଧାରଣା। ଯାହାକୁ ଆମେ କହୁଛନ୍ତି ଆପାର୍ଟମେଣ୍ଟ। ନୂତନ ପିଢ଼ିମାନେ ତ ଏହା ସହିତ ଅଭ୍ୟସ୍ତ। କିନ୍ତୁ ପୁରୁଣା ପିଢ଼ି ପାଇଁ ଏହା ଦିଆସିଲି ବାକ୍ସର ଘର।
ବଢୁଥିବା ଜନସଂଖ୍ୟାର ବାସସ୍ଥାନ ସମସ୍ୟାକୁ ଆପାର୍ଟମେଣ୍ଟ ଅନେକାଂଶରେ ସମାଧାନ କରିପାରିଛି। ଚୋରି ଓ ଅନ୍ୟାନ୍ୟ ଆପରାଧିକ ଘଟଣାକୁ ଦେଖିଲେ ଆପାର୍ଟମେଣ୍ଟ ସୁରକ୍ଷିତ ମନେ ହୁଏ। କିନ୍ତୁ ଅନେକ ସମୟରେ ଲାଗେ ଜୀବନ ଯେମିତି ସଙ୍କୁଚିତ ହୋଇଯାଉଛି ଗୋଟିଏ ଦିଆସିଲି ବାକ୍ସ ଭିତରେ। ଅଗଣା ନାମକ ପ୍ରଶସ୍ତ ଜାଗା ଖଣ୍ଡିଏର ସତ୍ତା ନ ଥାଏ ଏଇଠି; ଯେଉଁଠି ସୂର୍ଯ୍ୟଙ୍କୁ ପିଠିକରି ଜୀବନ ଖରା ସେକୁଥାଏ, ସପ ଖଣ୍ଡିଏ ପାରି ଖୋଲା ଆକାଶରେ ତାରା ଗଣୁଥାଏ ଏବଂ ଅଗଣାର ତୁଳସୀ ଚଉରା ମୂଳେ ତେତିଶ କୋଟି ଦେବଦେବୀଙ୍କୁ ପୂଜୁଥାଏ।
ଆପାର୍ଟମେଣ୍ଟରେ ଚଉରା ତ ଦୂରର କଥା, ତୁଳସୀ ପୋତିବାକୁ ମାଟି ମୁଠାଏ ପାଇଁ ବାରଦୁଆର ବୁଲିବାକୁ ପଡ଼େ। ମାଟି କାହିଁ, ଅଗଣା କାହିଁ? ଘର ସବୁ ଏଠି ମାଟି ମନସ୍କ ନୁହଁ, ବରଂ ଆକାଶ ଛୁଇଁବାର ସ୍ପର୍ଦ୍ଧାରେ ବିଭୋର ଥାଏ ନଭଶ୍ଚୁମ୍ବୀ ଅଟ୍ଟାଳିକା। ଭିଟାମାଟିର ଶବ୍ଦ ହଜିଯାଏ, ଶୂନ୍ୟରେ ଝୁଲୁଥିବା ଘର ଖଣ୍ଡିକରେ। ବାପା ଗୋସବାପା ଅମଳର ଘର ଖଣ୍ଡିକରେ ଦୁଆରମୁହଁ ସବୁବେଳେ ଆଁ କରି ମେଲା ହୋଇ ରହିଥାଏ। ମାଛି ଅନ୍ଧାରରୁ ମୁହଁ ସଂଜ ଯାଏ। ମୁହଁ ସଂଜ କହିଲେ ହୁଏତ ଭୁଲ୍‌ ହୋଇପାରେ, ବରଂ ଘରର ଶେଷ ସଦସ୍ୟ ଜଣଙ୍କ ବିଛଣାକୁ ଯିବାଯାଏ କବାଟ ଖୋଲା ରହେ। ବହୁତଳ ବିଶିଷ୍ଟ ଅଟ୍ଟାଳିକାର ନିଜ ଭାଗତକ ଘରର କବାଟ ସବୁବେଳେ ବନ୍ଦ ଥାଏ। କେବେ କେମିତି କ୍ଷଣିକ ପାଇଁ ଆଗନ୍ତୁକଙ୍କ ନିମନ୍ତେ ଖୋଲା ହୁଏ। ଏଠାରେ କବାଟ ଖୋଲା ହେଲେ ବ୍ୟକ୍ତିଗତ ସ୍ବାଧୀନତା ବାଧାପ୍ରାପ୍ତ ହୁଏ। ଦୁଆର ସମ୍ମୁଖସ୍ଥ ଗୃହସ୍ଥ ଅସୁବିଧାରେ ପଡ଼େ। ପ୍ରତ୍ୟେକ ଆପାର୍ଟମେଣ୍ଟର ଗୋଟିଏ ନିର୍ଦ୍ଦିଷ୍ଟ ନିୟମକାନୁନ ଥାଏ। ତାହାରି ଭିତରେ ବାନ୍ଧି ହୋଇଥାଏ ଜୀବନ। ଇଚ୍ଛା ନ ଥିଲେ ବି ଡେଣାରେ ଲଗାମ ଲଗାଇ ବାଧ୍ୟବାଧକତାରେ ଚାଲିବାକୁ ହୁଏ।
ଆମେ ଅନେକ ସମୟରେ ଗର୍ବ କରି କହନ୍ତି, ଏହି ଘର ମୋ ଜେଜେଙ୍କ ଜେଜେ ତିଆରି କରିଥିଲେ। ଏ ଘରକୁ ଦେଢ଼ଶହ ବର୍ଷ ହେଲାଣି। କିନ୍ତୁ ଆପାର୍ଟମେଣ୍ଟରେ ବାସ କରୁଥିବା ଗୃହସ୍ଥଙ୍କ ଅଣନାତି ଏକଥା କହିବାର ସୌଭାଗ୍ୟ ନ ଥିବ। ଶହେ ବର୍ଷ ପରେ ମାଲିକାନା ସ୍ବତ୍ବର ଗୌରବ ମାଟିରେ ମିଶି ଯାଇଥିବ। ବାପା ଗୋସବାପା ବିନ୍ଦୁ ବିନ୍ଦୁ ସ୍ବେଦର ଇଟା, ନିଷ୍ଠାର ସିମେଣ୍ଟ ଆଉ ସାତପୁରୁଷର ସ୍ୱପ୍ନକୁ ପଲସ୍ତରା କରି ଘର ତିଆରି କରୁଥିଲେ। ଏବେ ତ ଫ୍ଲାଟ ଖଣ୍ଡିଏ ସ୍ବପ୍ନରେ ଆଶାୟୀ ବ୍ୟକ୍ତି ଜଣକ, ନିଜର କଷ୍ଟଲବ୍ଧ ଧନକୁ ଅନ୍ୟ ହାତରେ ଟେକି ଦେଲା ପରେ ବିଶ୍ବାସ ଆଉ ବିଷର ଫେଣ୍ଟା ଫେଣ୍ଟିରେ ଯେଉଁ ଘର ତିଆରି ହୁଏ, ସେଥିରେ ଗୃହସ୍ଥର ଗୃହପ୍ରବେଶ ପୂର୍ବରୁ ତାହା ଭୁଶୁଡ଼ିବା ଆରମ୍ଭ ହୋଇଯାଏ।
ସାହି ବା ପଡ଼ା ଜନବସତିର ଏକ ବିସ୍ତାରିତ ରୂପ। କହିବାକୁ ଗଲେ ତାହାର ସଙ୍କୁଚିତ ରୂପ ହେଉଛି ଆପାର୍ଟମେଣ୍ଟ। ଗୋଟିଏ ସାହିରେ ଯେତିକି ପରିବାର ବାସ କରନ୍ତି, ଗୋଟିଏ ଆପାର୍ଟମେଣ୍ଟରେ ମଧ୍ୟ ପ୍ରାୟ ସେତିକି ପରିବାର ବସବାସ କରନ୍ତି। କିନ୍ତୁ ସମ୍ପର୍କର ବନ୍ଧନରେ ଫରକ ଥାଏ। ଗୋଟିଏ ସାହିରେ ବସବାସ କରୁଥିବା ପରିବାର ମଧ୍ୟରେ ଥାଏ ସମ୍ପର୍କର ଅପୂର୍ବ ମହକ; ଅପୂର୍ବ ସମନ୍ବୟ, ଦଳଗତ ମନୋଭାବ। ସବୁ କାର୍ଯ୍ୟରେ ସହଯୋଗ, ସେ ବାହାପୁଆଣି ହେଉ କି ପୋଖରୀ ସଫା ହେଉ। ସାହିର ଜଣେ ବିପଦରେ ପଡ଼ିଲେ ଦଶ ଜଣ ତା’ ପାଇଁ ଆଗେଇ ଆସନ୍ତି। ଜଣେ ମରିଗଲେ, ଶବ ସତ୍କାର ନ ହେବା ଯାଏ ସାହିରେ ଅନ୍ୟ ଘରେ ଚୁଲି ଜଳେ ନାହିଁ। ଆପାର୍ଟମେଣ୍ଟର ଜୀବନ କିନ୍ତୁ ଅଲଗା। କାନ୍ଥ ଏପାରିର ଖବର ଆରପାରିକୁ ନ ଥାଏ। ଦଳବାନ୍ଧି ରହୁଥିଲେ ମଧ୍ୟ ଅନେକ ଗୃହସ୍ଥ ଏକଲାପଣର ଶିକାର ହୁଅନ୍ତି। ଗୋଟିଏ ଘରେ ଜଣେ ଏକା ରହି, ଯଦି କୌଣସି କାରଣରୁ ଦେହାନ୍ତ ହୋଇଗଲା, ଶବର ଗଳିତ ଗନ୍ଧ ନ ଆସିବା ଯାଏ ପଡ଼ୋଶୀକୁ ଜଣା ପଡ଼େ ନାହିଁ।
ମଣିଷ ସାମାଜିକ ପ୍ରାଣୀ। ସମାଜ ଗଠନର ମୂଳଦୁଆ ହେଲା ସମ୍ପର୍କର ବନ୍ଧନ। ସେ ଦିଆସିଲି ବାକ୍ସରେ ରହୁ କି ରାଜପ୍ରାସାଦରେ ରହୁ, ସୁସମ୍ପର୍କର ବନ୍ଧନ ରହିବା ଅପରିହାର୍ଯ୍ୟ। ଗୋଟିଏ ଦିଆସିଲି ବାକ୍ସରେ ଅନେକ ଦିଆସିଲି କାଠି ରହେ। ପ୍ରତ୍ୟେକ କାଠିରେ ବାରୁଦ। କିନ୍ତୁ ଜଣେ ଅନ୍ୟ ଜଣକୁ ଜାଳେ ନାହିଁ। ବରଂ ସେହି ବାକ୍ସ ଭିତରେ ସମସ୍ତେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରନ୍ତି। ବାସସ୍ଥଳୀ ଓ ଜୀବନ ସେମିତି ହିଁ ହେଉ।
ମୋ: ୯୦୪୦୩୬୦୨୫୯

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe