ପଛୁଆ ରାଜ୍ୟର ଆଗୁଆ ଚିନ୍ତା

ଆମ ଘରର ହାଲଚାଲ / ସୌମ୍ୟରଂଜନ ପଟ୍ଟନାୟକ

ପଛୁଆ ରାଜ୍ୟର ଆଗୁଆ ଚିନ୍ତା

ଗତ ୧୫ ତାରିଖରେ ନୂଆଦିଲ୍ଲୀର ଏକ ତାରକା ହୋଟେଲରେ ପୂର୍ବତନ ଓ ବର୍ତ୍ତମାନର ଜାତୀୟସ୍ତରର ତାରକା ଖେଳାଳିମାନଙ୍କୁ ନେଇ ଆୟୋଜିତ ଉତ୍ସବରେ ଭାରତୀୟ ହକି ସହ ଯେଉଁ ଚୁକ୍ତି ସ୍ୱାକ୍ଷରିତ ହେଲା ତାହା ଆମ ପାଇଁ ଏକାଧିକ କାରଣରୁ ଉଲ୍ଲେଖନୀୟ। ଏହି ଚୁକ୍ତି ବଳରେ ଓଡ଼ିଶା ଆସନ୍ତା ୫ ବର୍ଷ ପାଇଁ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହେବ। ରାଜ୍ୟ କ୍ରୀଡ଼ା ସଚିବଙ୍କ ବିଶେଷ ଆଗ୍ରହ ଯୋଗୁଁ ମୁଁ ଏହି ଉତ୍ସବରେ ଯୋଗ ଦେଇଥିଲି। ଏହି ଯୋଗଦାନ ମତେ କେବଳ ଆନନ୍ଦ ଦେଇନାହିଁ, ଅନେକ ଗୁଡ଼ିଏ କାରଣରୁ ଏଥିରେ ଯୋଗ ଦେଇ ଆଜି ମୁଁ ଅତ୍ୟନ୍ତ ଗର୍ବ ଅନୁଭବ କରୁଛି।

ସାଧାରଣତଃ ଓଡ଼ିଶାକୁ ଭାରତର ଏକ ପଛୁଆ ରାଜ୍ୟ ଭାବରେ ଗଣା ଯାଇଥାଏ। ପଛୁଆ ରାଜ୍ୟର ଏଭଳି ଆଗୁଆ ଚିନ୍ତା ନିଶ୍ଚୟ ଅଭିନନ୍ଦନୀୟ। ପୁଣି ମନେ ରଖିବାକୁ ହେବ ଯେ ଓଡ଼ିଶା ହିଁ ପ୍ରଥମ ରାଜ୍ୟ ଯେ କି ସରକାରୀ ଭାବରେ ଏଭଳି ଦାୟିତ୍ୱ ନେବା ପାଇଁ ସାହସ କରିଛି। ଏଭଳି କ୍ରୀଡ଼ା ଅନୁଷ୍ଠାନଗୁଡ଼ିକର ସାଧାରଣତଃ ବେସରକାରୀ କମ୍ପାନିମାନେ ପୃଷ୍ଠପୋଷକତା କରିଥାଆନ୍ତି। ଲୋକପ୍ରିୟ ଖେଳ ଦଳଗୁଡ଼ିକର ପ୍ରାୟୋଜକ ସାଜି ସେମାନେ ନିଜର ପ୍ରଚାର ସହିତ ନିଜ ଉତ୍ପାଦ ପାଇଁ ନାମ କମାଇ ଥାଆନ୍ତି। ଓଡ଼ିଶାର ଏହି ପଦକ୍ଷେପ ଖେଳ ଦୁନିଆ ପାଇଁ ଅନ୍ୟ ଏକ ବାର୍ତ୍ତା ବହନ କରୁଛି। ଖେଳରୁ ଜାତିଭେଦକୁ ଦୂର କରିବାରେ ଏହା ଏକ ବଳିଷ୍ଠ ପଦକ୍ଷେପ ହେବ ବୋଲି ଆମେ ବିଚାର କରୁଛୁ। ଲକ୍ଷ୍ୟ କରିବାର କଥା ଯେ ସମାଜରୁ ଜାତିଭେଦକୁ ଲୋପ କରିବା ପାଇଁ ସମ୍ବିଧାନ ଓ ସମାଜ ସଂସ୍କାରକମାନେ ଉଦ୍ୟମ କରୁଥିବା ବେଳେ ଖେଳରେ ଭିନ୍ନ ଏକ ଜାତିପ୍ରଥା ମୁଣ୍ଡ ଟେକିଛି।

କିଛି କିଛି ଖେଳ ଲୋକପ୍ରିୟତା ଓ ବ୍ୟାବସାୟିକ ସଫଳତା ଦୃଷ୍ଟିରୁ, ଯେପରି କ୍ରିକେଟ ସବର୍ଣ୍ଣ ଖେଳ ହୋଇପାରିଛି, ସେପରି ଅନ୍ୟ ଖେଳଗୁଡ଼ିକ ଏକ ରକମ ଅଛୁଆଁ କିମ୍ବା ଅସବର୍ଣ୍ଣ ଖେଳ ସ୍ତରକୁ ଖସିଆସିଛନ୍ତି। କ୍ରିକେଟ ଦଳର ପ୍ରାୟୋଜକ ହେବା ପାଇଁ କମ୍ପାନିମାନଙ୍କ ମଧ୍ୟରେ ରୀତିମତ ପ୍ରତିଯୋଗିତା ହେଉଛି। କିନ୍ତୁ ହକି ଯେପରି ଏକ ଅନାଥ ଖେଳ ହୋଇଯାଇଛି। ଦିନ ଥିଲା ହକି ପାଇଁ ଭାରତ ବିଶ୍ୱ ଦରବାରରେ ସୁନାମ ଅର୍ଜନ କରିଥିଲା। ଅଲିମ୍ପିକ ଖେଳରେ ବାରମ୍ବାର ସ୍ୱର୍ଣ୍ଣ ଏବଂ ଅନ୍ୟ ପଦକ ଜିତିବାରେ ଭାରତର ଖ୍ୟାତି ଥିଲା। ଭାରତୀୟ ଖେଳାଳି ଧ୍ୟାନଚାନ୍ଦ ବିଶ୍ୱ ହକିର ଜଣେ କିମ୍ବଦନ୍ତୀ ପୁରୁଷ ଥିଲେ। ଏଇ କେତେ ଦଶନ୍ଧି ହେଲା ଆମର ହକି ଦଳ ଆଗ ଭଳି ସଫଳତା ହାସଲ କରିପାରୁନାହିଁ। କଥାରେ ଅଛି, ବିନାଶ୍ରୟେ ନ ବର୍ତ୍ତନ୍ତି କବିତା,ବନିତା, ଲତା। ସାହିତ୍ୟିକ ଓ ନାରୀ ଜାଗରଣର ନେତ୍ରୀମାନେ ଏହାକୁ ବର୍ତ୍ତମାନ ଗ୍ରହଣ କରିବାକୁ ଅରାଜି ହେଲେ ମଧ୍ୟ ଖେଳ ଅନୁଷ୍ଠାନଗୁଡ଼ିକ ଯେ ପୃଷ୍ଠପୋଷକତା ବିନା ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ ତିଷ୍ଠି ପାରିବେ ନାହିଁ, ଏହାକୁ ସମସ୍ତେ ସ୍ୱୀକାର କରିବେ।

ଏଭଳି ପରିସ୍ଥିତିରେ ଭାରତୀୟ ହକି ଦଳର ପ୍ରାୟୋଜକ ସାଜି ଓଡ଼ିଶା ଯେଉଁ ସାହସର ପରିଚୟ ଦେଇଛି ତାହାକୁ ଦଳମତ ନିର୍ବିଶେଷରେ ଆମେ ସମସ୍ତେ ସ୍ୱାଗତ କରିବା କଥା। ଏହା ଫଳରେ ଆସନ୍ତା ୫ ବର୍ଷରେ ଯେତେବେଳେ ଭାରତୀୟ ହକି ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବେ ସେମାନେ ଓଡ଼ିଶାର ନାମ ଲେଖାଥିବା ପୋଷାକ ପିନ୍ଧିବେ। ଟିଭି ଓ ଅନ୍ୟାନ୍ୟ ଗଣମାଧ୍ୟମରେ ଓଡ଼ିଶାର ନାମ ପ୍ରଚାରିତ ଓ ପ୍ରସାରିତ ହେବ। ଆଜିର ପ୍ରଚାର ଓ ପ୍ରସାର ଯୁଗରେ ଓଡ଼ିଶାର ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ସୃଷ୍ଟି ନିମନ୍ତେ ଏହା ଆମ ପାଇଁ ଅନନ୍ୟ ସୁଯୋଗ ଓ ଅପୂର୍ବ ସମ୍ଭାବନା।

ପୁଣି ହକି ହେଲା ଓଡ଼ିଶା ମାଟିର ଖେଳ । ଭାରତୀୟ ହକି ଦଳରେ ଓଡ଼ିଶାର ଆଦିବାସୀ ଭାଇଭଉଣୀମାନେ ବେଶ କିଛି ବର୍ଷ ହେବ ପ୍ରଭାବ ବିସ୍ତାର କରି ଆସିଛନ୍ତି। ଭାରତର ଅଧିନାୟକ ହେବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି। ଓଡ଼ିଶାର ମାଟି,ପାଣି ଓ ପବନରେ ହକିର ବାସ୍ନା ମିଳେ। ତେଣୁ ଓଡ଼ିଶାର ଏଭଳି ପଦକ୍ଷେପ କେବଳ ସମୟୋପଯୋଗୀ ନୁହେଁ, ଯଥାର୍ଥ ମଧ୍ୟ।

ଭାରତୀୟ ହକି ଦଳର ପ୍ରାୟୋଜକ ହେବା ସହ ୨୦୧୮ର ହକି ବିଶ୍ୱକପ୍‌ ଆୟୋଜନ କରିବାର ଅଧିକାର ମଧ୍ୟ ଓଡ଼ିଶା ହାସଲ କରିଛି। ମୋ ବିଚାରରେ ଏହା ପୁଣି ଆମ ପାଇଁ ଅନ୍ୟ ଏକ ଗୌରବର କାରଣ। ଏ ଅଧିକାର ଆମେ କାହାର ଦୟାରେ କିମ୍ବା ହାରିଗୁହାରି କରି ପାଇନାହୁଁ। ନିଜର ଯୋଗ୍ୟତା ବଳରେ ପାଇଛୁ। ଗତବର୍ଷ ଯେତେବେଳେ ଅନ୍ୟ ରାଜ୍ୟମାନେ ଖେଳ କାର୍ଯ୍ୟକ୍ରମ କରିବାରୁ ଓହରି ଗଲେ, ଓଡ଼ିଶା ଏ କାର୍ଯ୍ୟକ୍ରମକୁ ହାତକୁ ନେବାପାଇଁ ସାହସ କଲା। ଅତି ଅଳ୍ପ ସମୟ ମଧ୍ୟରେ ଯେପରି ସଫଳତାର ସହ ଏ କାର୍ଯ୍ୟକ୍ରମ ହୋଇପାରିଲା ତାହା ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଭାରତୀୟ ଅଲିମ୍ପିକ୍ସ ଓ ଅନ୍ତର୍ଜାତୀୟ ହକିର ଅଧ୍ୟକ୍ଷ ନରିନ୍ଦର ବାତ୍ରା ଏହି ଉତ୍ସବରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିର ଭୂୟସୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯଦି ଦିଲ୍ଲୀ ଭାରତର ରାଜଧାନୀ, ମୁମ୍ବାଇ ଭାରତର ବିତ୍ତ ରାଜଧାନୀ ଏବଂ ବେଙ୍ଗାଲୁରୁ ଯଦି ଆଇଟି ରାଜଧାନୀ ହୁଏ, ଓଡ଼ିଶାର ଭୁବନେଶ୍ୱର ଆଗାମୀ ଦିନରେ ଭାରତର କ୍ରୀଡ଼ା ରାଜଧାନୀ ହେବ। ଏହା କ’ଣ ଆମ ପାଇଁ ଗର୍ବ କରିବାର ଯଥେଷ୍ଟ କାରଣ ନୁହେଁ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe