ଜଣେ ବିସ୍ମୟକର ବ୍ୟକ୍ତିତ୍ବ

ନବକୃଷ୍ଣ ଚୌଧୁରୀଙ୍କୁ ବହୁ ଲୋକ ଜାଣନ୍ତି ନାହିଁ। କିଛି ଲୋକ କହିବେ ସେ ଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। କିନ୍ତୁ ତାଙ୍କ ମୃତ୍ୟୁର ପରଦିନ ତାଙ୍କର ସହପାଠୀ ଓ ସହକର୍ମୀ ହରେକୃଷ୍ଣ ମହତାବ ତାଙ୍କ ସମ୍ପର୍କରେ ଯେଉଁ କ୍ଷୁଦ୍ର ଶ୍ରଦ୍ଧାଞ୍ଜଳିଟିଏ ଲେଖିଲେ ସେଇଥିରୁ ତାଙ୍କ ମହାନତାର ସୂଚନା ମିଳେ।

fshfshsffh

ପଦ୍ମଚରଣ ନାୟକ

ନବକୃଷ୍ଣ ଚୌଧୁରୀଙ୍କୁ ବହୁ ଲୋକ ଜାଣନ୍ତି ନାହିଁ। କିଛି ଲୋକ କହିବେ ସେ ଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। କିନ୍ତୁ ତାଙ୍କ ମୃତ୍ୟୁର ପରଦିନ ତାଙ୍କର ସହପାଠୀ ଓ ସହକର୍ମୀ ହରେକୃଷ୍ଣ ମହତାବ ତାଙ୍କ ସମ୍ପର୍କରେ ଯେଉଁ କ୍ଷୁଦ୍ର ଶ୍ରଦ୍ଧାଞ୍ଜଳିଟିଏ ଲେଖିଲେ ସେଇଥିରୁ ତାଙ୍କ ମହାନତାର ସୂଚନା ମିଳେ। ସେ ତାଙ୍କ ‘ପ୍ରଜାତନ୍ତ୍ର’ ସମ୍ବାଦପତ୍ରରେ ‘ପ୍ରତିଭାର ତିରୋଧନ’ ଶୀର୍ଷକ ଶ୍ରଦ୍ଧାଞ୍ଜଳିରେ ଲେଖିଥିଲେ:
ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିଲେ ଇତ୍ୟାଦି ବର୍ଣ୍ଣନାରୁ ସେ କଅଣ ଥିଲେ, ତାହା ଯୁବକମାନେ ଜାଣିପାରିବେ ନାହିଁ। ସେ ଥିଲେ ଓଡ଼ିଶା କଂଗ୍ରେସ ଇତିହାସର ଏକ ଅଧ୍ୟାୟର ପ୍ରଧାନ ନାୟକ। ସୋସାଲିଷ୍ଟ ପାର୍ଟିର ଥିସିସ୍ କଟକସ୍ଥ ନବକୃଷ୍ଣଙ୍କ ଘରେ ପ୍ରସ୍ତୁତ ହୋଇଥିଲା। ମିନୁ ମାସାନୀ, ଅଚୁତ୍ୟ ପଟ୍ଟବର୍ଦ୍ଧନ ପ୍ରଭୃତି ସେଇଠି ଆସି ଏକତ୍ର ହେଉଥିଲେ। ୧୯୩୪ରୁ ୧୯୪୭ ପର୍ଯ୍ୟନ୍ତ କଂଗ୍ରେସ ସୋସାଲିଷ୍ଟ ହିଁ ଓଡ଼ିଶାର କଂଗ୍ରେସ ଥିଲା। ସେହି ସମୟରେ ପ୍ରବଳ ବେଗରେ କୃଷକ ଆନ୍ଦୋଳନ ଚାଲିଥିଲା। ପ୍ରବର୍ତ୍ତକ ଥିଲେ ନବକୃଷ୍ଣ ଚୌଧୁରୀ ଓ ଶ୍ରୀମତୀ ମାଳତୀ ଚୌଧୁରୀ। ନବବାବୁଙ୍କ ଜୀବନ ଥିଲା ସମାଜବାଦୀର ଜୀବନ। କେବଳ ଚିନ୍ତା କ୍ଷେତ୍ରରେ ସମାଜବାଦୀ ହୋଇ କାର୍ଯ୍ୟ କ୍ଷେତ୍ରରେ ଯେପରି ଧନୀ ଜୀବନ ଅନେକ ଅତିବାହିତ କରନ୍ତି, ସେ ସେପରି ନ ଥିଲେ। ସେ ଥିଲେ କାୟମନୋବାକ୍ୟରେ ସମାଜବାଦୀ। ସେ ସର୍ବୋଦୟୀ ହେଲେ ସମାଜବାଦୀ ଭିତ୍ତିରେ।... ସେ ରାଜସ୍ବ ବିଭାଗର ମନ୍ତ୍ରୀ ଥିଲାବେଳେ ବିଭାଗଟିକୁ ସମାଜବାଦୀ ଲାଇନରେ ପରିଚାଳନା କରିଥିଲେ। ପୁଣି ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ, ସମଗ୍ର ଶାସନକୁ ସର୍ବୋଦୟ କାର୍ଯ୍ୟକ୍ରମରେ ଲଗାଇଲେ। ତାଙ୍କର ଜୀବନ ଛଳନାମୟ ନ ଥିଲା। ସେ ଯାହା ବିଶ୍ବାସ କରୁଥିଲେ, ତାହା ହିଁ କରୁଥିଲେ- ଏହାହିଁ ତାଙ୍କ ଜୀବନର ବିଶେଷତ୍ବ। ଓଡ଼ିଆ ଜୀବନରେ ଆଧୁନିକତା ପ୍ରବେଶ କରାଇବାରେ ସେ ଥିଲେ ଅଗ୍ରଣୀ। ସାହିତ୍ୟ କ୍ଷେତ୍ରରେ ସବୁଜ ସାହିତ୍ୟ ଯୁଗ ଯେ ଆରମ୍ଭ ହୋଇଥିଲା ଏଥିରେ ନବବାବୁ ମଧ୍ୟ ପ୍ରଥମ ଅବସ୍ଥାରେ ସାମିଲ ଥିଲେ। ନବବାବୁଙ୍କର ଦୀର୍ଘ ଜୀବନ ଓଡ଼ିଶା କଂଗ୍ରେସ ଓ ସାଧାରଣ ଜୀବନର ଇତିହାସର ଏକ ପ୍ରଧାନ ଅଧ୍ୟାୟ। ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବାରେ ଛଳନା ମୁଁ କରୁନାହିଁ। ଆମେ ଥିଲୁ ସମବୟସୀ ଓ ବହୁବର୍ଷର ସହକର୍ମୀ। ନାନା ବିଷୟରେ ମତଭେଦ ଥିଲେ ମଧ୍ୟ ଆମେ ଥିଲୁ ଅନ୍ତରଙ୍ଗ ବନ୍ଧୁ। ସେହି ପଥରେ ସମସ୍ତଙ୍କୁ ଯିବାକୁ ହେବ। ଜନ୍ମ ମୃତ୍ୟୁ ମଧ୍ୟରେ ଯେଉଁ ସମୟତକକୁ ଜୀବନ କୁହାଯାଏ, ତାହା ନବବାବୁଙ୍କ ପକ୍ଷରେ ସାର୍ଥକ ଥିଲା; ଏହାହିଁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି।
ସେ ଥିଲେ ସେ ସମୟର ଜାତୀୟ ଆନ୍ଦୋଳନର ନେତା ଓ ଆଇନଜୀବୀ ଗୋକୁଳାନନ୍ଦ ଚୌଧୁରୀଙ୍କ ଗେହ୍ଲା ପୁଅ। ବି.ଏ. ପରୀକ୍ଷା ଦେବା ପୂର୍ବରୁ ସେ ଓ ହରେକୃଷ୍ଣ ମହତାବ ଆଦି ବହୁ ଉଦୀୟମାନ ଛାତ୍ର ଗାନ୍ଧୀଙ୍କ ଆହ୍ୱାନରେ ମହାବିଦ୍ୟାଳୟ ଛାଡ଼ିଥିଲେ। ସେତେବେଳକୁ ବାପାଙ୍କ ଦେହାନ୍ତ ହୋଇଥିଲା। ଭାଇ ଗୋପବନ୍ଧୁ ଚୌଧୁରୀ ନବବାବୁଙ୍କ ମନୋଭାବ ଜାଣି ଏହାର ବିରୋଧ କରି ନ ଥିଲେ। ପରେ ପରେ ସେ ବି ଡେପୁଟି ମାଜିଷ୍ଟ୍ରେଟ୍ ଚାକିରି ଛାଡ଼ି ଜାତୀୟ ଆନ୍ଦୋଳନରେ ଯୋଗଦେଇଥିଲେ। ନବକୃଷ୍ଣ ଚୌଧୁରୀ କିଛି କାଳ ସମାଜବାଦୀ ଆଦର୍ଶରେ ପ୍ରଭାବିତ ହୋଇଥିଲେ ବି ସେ ସାରା ଜୀବନ ଗାନ୍ଧୀ ବିଚାରରେ ଅନୁପ୍ରାଣିତ ହୋଇ ଦାରିଦ୍ର୍ୟକୁ ସ୍ବେଚ୍ଛାରେ ବରଣ କରିଥିଲେ। କ୍ଷମତା ପ୍ରତି ଅନାସକ୍ତ ଏବଂ ସାଧୁତାର ସେ ଥିଲେ ଚରମ ନିଦର୍ଶନ।
୧୯୩୭ ନିର୍ବାଚନ କାଳରେ ସେ ଥିଲେ ରାଜ୍ୟ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଏବଂ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା। କିନ୍ତୁ କୃଷକ ଆନ୍ଦୋଳନ ଓ ଗଡ଼ଜାତ ପ୍ରଜା ଆନ୍ଦୋଳନ ଦିଗରେ ଅଧିକ ସମୟ ଓ ଶକ୍ତି ଦେବା ଲାଗି ସେ ମନ୍ତ୍ରୀ ହୋଇ ନ ଥିଲେ; ତାଙ୍କ ସୁପାରିସରେ ନିତ୍ୟାନନ୍ଦ କାନୁନ୍‌ଗୋ ମନ୍ତ୍ରୀ ହୋଇଥିଲେ।
ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଓ ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା ରାଜବନ୍ଦୀଙ୍କର ସେ ଥିଲେ ସବୁଠାରୁ ପ୍ରିୟ ନେତା। ବନ୍ଦୀମାନେ ଖଲାସ ହେଲା ପରେ ଯେଉଁ ନିର୍ବାଚନ ହେଲା, ସେଥିରେ କଂଗ୍ରେସ ଦଳ ବହୁ ସ୍ଥାନ ଅଧିକାର କରିଥିଲା। ସେତେବେଳେ ସେ ପ୍ରଧାନମନ୍ତ୍ରୀ ହେବା (ସେ କାଳରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା) ପାଇଁ ଆଗ୍ରହ ପ୍ରକାଶ ନ କରି ହରେକୃଷ୍ଣ ମହତାବଙ୍କୁ ସେ ସୁଯୋଗ ଦେଇଥିଲେ। ପରେ ଅବଶ୍ୟ ସେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ତାଙ୍କର ଏକମାତ୍ର ପୁଅ ଆତ୍ମହତ୍ୟା କରିବାରେ ବ୍ୟଥିତ ହୋଇ ସେ ମନ୍ତ୍ରିତ୍ବ ଛାଡ଼ି ଦେଇଥିଲେ। ତାଙ୍କର ମନକୁ ହାଲୁକା କରିବା ଲାଗି ତାଙ୍କ ସମ୍ମତି ନେଇ, ତାଙ୍କୁ ମୌଳିକ ଶିକ୍ଷାର ସଂଗଠକ ଭାବରେ ନିଯୁକ୍ତ କରାଯାଇଥିଲା। ଯେତେବେଳେ କେହି କେହି କହିବାର ଶୁଣାଗଲା ଯେ ରାଜ୍ୟର ଜଣେ ପ୍ରମୁଖ ମନ୍ତ୍ରୀ ଏଭଳି କାହିଁକି କଲେ; ନବବାବୁଙ୍କ ଉତ୍ତର ଥିଲା ସ୍ବାଧୀନ ଭାରତରେ ତାଙ୍କୁ ମେହେନ୍ତର କାମର ଦାୟିତ୍ବ ଦିଆଗଲେ ସେ ତାହା ବିନା ଦ୍ବିଧାରେ କରିବେ। ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଥିଲାବେଳେ ସେ ଦେଖୁଥିଲେ ତାଙ୍କର ସବୁ କାମ ସମାଜର ସବୁଠାରୁ ଦୁସ୍ଥ ଲୋକଟି ପାଇଁ ମଙ୍ଗଳକର ହେଉଛି ତ!
ତାଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ଶହ ଶହ ବର୍ଷର ଜମିଦାରୀ ପ୍ରଥା ଉଠିଯାଇଥିଲା; ଯାହା ଫଳରେ ଚାଷୀମାନେ ନାନା ଶୋଷଣରୁ ରକ୍ଷା ପାଇଥିଲେ, ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ କାର୍ଯ୍ୟକାରୀ ହୋଇଥିଲା ଏବଂ ଓଡ଼ିଶା ସମ୍ପୂର୍ଣ୍ଣ ନିଶାମୁକ୍ତ ହେବା ଲାଗି ଆଇନ ହୋଇଥିଲା। ହୀରାକୁଦ ନଦୀବନ୍ଧ ତାଙ୍କରି ସମୟରେ ହୋଇଥିଲା। କୃଷି ମହାବିଦ୍ୟାଳୟ ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ, ରାଉରକେଲା ଇଞ୍ଜିନିଅରିଙ୍ଗ୍ କଲେଜ ଆଦି ବହୁ ଶିକ୍ଷାନୁଷ୍ଠାନ ସେ ସମୟରେ ହୋଇଥିଲା। ମହାଜନୀ ସୁଧ ଯେଭଳି ମୂଳଠାରୁ ଅଧିକ ନ ହେବ, ସେଥିଲାଗି ତାଙ୍କ ଅମଳରେ ଆଇନ ହୋଇଥିଲା। କିନ୍ତୁ ତାଙ୍କର ପ୍ରଗତିଶୀଳ ଚିନ୍ତାଧାରାକୁ କଂଗ୍ରେସ ଦଳ କାର୍ଯ୍ୟକାରୀ କରିବାରେ ଅକ୍ଷମ ହେବାରୁ ସେ ସ୍ବଇଚ୍ଛାରେ ମୁଖ୍ୟମନ୍ତ୍ରିତ୍ବ ଛାଡ଼ିବା ସଙ୍ଗେ ସଙ୍ଗେ ଦଳୀୟ ରାଜନୀତିରୁ ଇସ୍ତଫା ଦେଇଥିଲେ। ସମାଜବାଦୀ ଚିନ୍ତାଧାରାର ବ୍ୟକ୍ତି ହୋଇଥିବାରୁ ନେହରୁ ତାଙ୍କୁ ଶ୍ରଦ୍ଧା କରୁଥିଲେ। ସେ ମୁଖ୍ୟମନ୍ତ୍ରିତ୍ବରୁ ଇସ୍ତଫା ଦେବାରୁ ପ୍ରଧାନମନ୍ତ୍ରୀ ନେହରୁ ତାଙ୍କ ଉଦ୍ଦେଶ୍ୟରେ ନିଜ ହାତରେ ଯେଉଁ ଚିଠିଟି ଲେଖିଥିଲେ ତାହା ବିଶେଷ ଉଲ୍ଲେଖଯୋଗ୍ୟ:
ପ୍ରିୟ ନବକୃଷ୍ଣ,
ତୁମେ ତା’ହେଲେ ସକ୍ରିୟ ରାଜନୀତି ଛାଡ଼ି ଏଥର ପୂରା ସମୟ ରଚନାତ୍ମକ କାମରେ ଯୋଗଦେବା ପାଇଁ ଚାଲିଲ! ଯାହାସବୁ ଘଟିଗଲା, ସେଥ‌ିପାଇଁ ମୁଁ ଖୁବ୍ ଦୁଃଖିତ। ଯାହା ଘଟିଲା, ସେଥିଲାଗି ଯେତେ ଦୁଃଖିତ ନୁହେଁ, ଯେପରି ଭାବରେ ଘଟିଲା, ତା’ ପାଇଁ ବେଶୀ ଦୁଃଖିତ। ବୋଧହୁଏ ତୁମେ ଠିକ୍ ନିଷ୍ପତ୍ତି ନେଇଛ- ମୁଁ ଜାଣେନା। ରଚନାତ୍ମକ କାର୍ଯ୍ୟର ମହତ୍ତ୍ବ ନିଃସନ୍ଦେହ ରୂପେ ଅଧିକ। ସେସବୁ ପ୍ରତ୍ୟେକ କାମର ମୌଳିକ ଆଧାର। ମାତ୍ର ମୋର ଆଶଙ୍କା ଯେ ଆମର ରଚନାତ୍ମକ କର୍ମୀମାନେ ମାନସିକ ଉଦାସୀନତାରେ ବୁଡ଼ି ରହୁଛନ୍ତି। ଏପରିକି ଜୟପ୍ରକାଶ ମଧ୍ୟ ମାନସିକ ସ୍ତରରେ ଭାଙ୍ଗି ପଡ଼ିଲେଣି। କଂଗ୍ରେସ ଉପରେ ରାଗି ରାଗି ତାଙ୍କର ଶକ୍ତି ନଷ୍ଟ ହୋଇଯାଉଛି। ତାଙ୍କର ଆଉ କିଛି କାମ ଥିଲା ପରି ମନେ ହେଉନାହିଁ। ଭୂଦାନ ଆନ୍ଦୋଳନ ବହୁସଂଖ୍ୟକ ଦରମାପ୍ରାପ୍ତ କର୍ମୀଙ୍କୁ ନେଇ ଚାଲିଛି; ଯେଉଁମାନେ କି ଆଦର୍ଶବାଦର ଦାଢ଼କୁ ଦନ୍ଥରା କରି ନିଜେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀରେ ପରିଣତ ହୋଇଛନ୍ତି। ଚିନ୍ତା କରିବାର ଶକ୍ତି କମି କମି ଯାଉଛି ଓ ଆମେ ସମସ୍ତେ ଊଣାଅଧିକେ ଆମ ନିଜ ନିଜର ସଂକୀର୍ଣ୍ଣ ମାନସିକ ଖାଇ ଭିତରେ ଚାଲିଛୁ। ତୁ‌େମ ଥିଲ ଅଳ୍ପ କେତେକଙ୍କ ମଧ୍ୟରୁ ଜଣେ, ଯେ କି ସେହି ଖାଇ ଭିତରୁ ବାହାରି ଆସି ଆମ ଆଗରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲାଗିପାଗି ମୁଣ୍ଡ ଖେଳାଉଥିଲ। ସେ ସୁଯୋଗରୁ କଅଣ ଆମେମାନେ ଏଣିକି ବଞ୍ଚୁତ ହେବୁ? ନିରାଶ କରାଇବ ନାହିଁ, ଆଶା। ଦୁନିଆ, ବିଶେଷ କରି ଆମର ଛୋଟ ଦୁନିଆ, ଭାରତବର୍ଷଟି ଦିନକୁ ଦିନ ଜଟିଳ ହୋଇଚାଲିଛି, ଯାହାକୁ କଳନା ବି କରିହେଉ ନାହିଁ। ଆମେ ଆମ ଧରାବନ୍ଧା ଚିନ୍ତାଧାରା ଭିତରେ ପଡ଼ିରହିଥ‌ିବା ବେଳେ ଦୁନିଆଟା ଆମ ଚାରିପଟେ ବଦଳି ଚାଲିଛି। ପରିବର୍ତ୍ତନର ଏଇ ନିରବଚ୍ଛିନ୍ନ ଧାରାଟିକୁ ମୁଁ ବୁଝୁଛି। ମନେ ହେଉଛି, ସତେ ଯେପରି ମୁଁ ପଛରେ ପଡ଼ିଯାଉଛି ଓ ସେଇଥି ପାଇଁ ପଡ଼ିଉଠି ସେହି ପରିବର୍ତ୍ତନ ସହ ତାଳ ଦେଇ ଆଗେଇବାକୁ ଚେଷ୍ଟା କରୁଛି। ଜନ୍ ଷ୍ଟ୍ରାଚି ଲେଖିଥ‌ିବା ‘କଣ୍ଟେମ୍ପରାରି କ୍ୟାପିଟାଲିଜିମ୍’ ବହିଟି ତୁମେ ଦେଖିଲଣି କି? ଭଲ ବହିଟିଏ। ନିଜର ଖୋଳପା ଭିତରକୁ ନିଜକୁ ନେଇଯାଅନି। ମୁଁ ଏକଥା ଲେଖୁଚି; କାରଣ, ମୁଁ ଜାଣେ ଯେ ତୁମେ ଜଣେ ଖୁବ୍ ସଂବେଦନଶୀଳ ଲୋକ ଓ ସେଇଥି ଯୋଗୁଁ ଖୋଳପା ଭିତରେ ପଶିଯିବା ଲାଗି ଏକ ପ୍ରବଣତା ତୁମ ଭିତରେ ଦେଖାଦେଇପାରେ! ଊଣାଅଧିକେ ଆମ ସମସ୍ତଙ୍କର ସେପରି ହୋଇଯିବାର ପ୍ରବଣତା ରହିଛି। ମାତ୍ର ତାହା କରିବାଟା ସେତେ ଭଲ ନୁହେଁ।
ମୋର ସ୍ନେହ, ଶୁଭେଚ୍ଛା ଓ ବନ୍ଧୁତା ତୁମ ପ୍ରତି ରହିଛି- ଆଶା, ଏ କଥା ମନେ ରଖିଥିବ।
ତୁମର ସଶ୍ରଦ୍ଧ, ଜବାହରଲାଲ ନେହରୁ
ଜମିଟି ଚାଷ କରୁଥିବା ଚାଷୀ ହାତରେ ରହିବା କଥା କହୁଥିବା ନବବାବୁ ଓ ଗୋପବନ୍ଧୁ ନିଜର ସବୁ ଜମି ତାକୁ ଚାଷ କରୁଥିବା ଲୋକଙ୍କୁ ଦେଇଥିଲେ। ନବକୃଷ୍ଣ ଚୌଧୁରୀ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଯେଭଳି ଜୀବନଯାପନ କରୁଥିଲେ ମନ୍ତ୍ରୀ ହେବାବେଳେ ସେହିଭଳି ସାଧାରଣ ପୋଷାକ ଆଦିରେ ଚଳୁଥିଲେ। ଏଣୁ ମୁଖ୍ୟମନ୍ତ୍ରିତ୍ବ ଛାଡ଼ିବା ପରେ ତାଙ୍କୁ ଅସୁବିଧା ହୋଇ ନ ଥିଲା। ଦିମହଲା କୋଠାରେ ବଢ଼ିଥିବା ନବକୃଷ୍ଣ ଚୌଧୁରୀ ଅନୁଗୋଳରେ ଦୁଇବଖରିଆ ଚାଳଛପର ଘରେ ଜୀବନର ବହୁସମୟ କଟାଇଥିଲେ। ଦୁଇଖଣ୍ଡ ଲୁଗା ଓ ଦୁଇଟି ଫତେଇ ଥିଲା ତାଙ୍କ ପୋଷାକ, ଯାହାକୁ ସେ ପ୍ରତିଦିନ ଗାଧୋଇବା ବେଳେ ସଫା କରିଦେଉଥିଲେ ଓ ଅତି ସାଧାରଣ ଖାଦ୍ୟ ଖାଉଥିଲେ। ମୁଖ୍ୟମନ୍ତ୍ରିତ୍ବ ଛାଡ଼ିଲା ପରେ ସେ ଅନୁଗୋଳ ବସ୍‌ଷ୍ଟାଣ୍ଡରୁ ନିଜର ଲୁଗାପଟା, ମଶାରି ଓ ବହିପତ୍ର ମୁଣ୍ଡେଇ ମାଳତୀ ଆଶ୍ରମକୁ ଯାଉଥିଲେ। କଟକ ଆସିଲେ ଷ୍ଟେସନ୍‌ରୁ ପ୍ରାୟ ତିନି କିଲୋମିଟର ଦୂର ଗୁଣନିଧି ଭବନକୁ ନିଜର ବ୍ୟବହାର୍ଯ୍ୟ ଦ୍ରବ୍ୟ ମୁଣ୍ଡେଇ ଚାଲି ଚାଲି ଆସୁଥିଲେ।
ବହି ପଢ଼ାରେ ତାଙ୍କର ବିଶେଷ ଆଗ୍ରହ ଥିଲା। ତାଙ୍କ ପାଇଁ ତାଙ୍କର ପ୍ରିୟ ବନ୍ଧୁମାନେ ଅନେକ ସମୟରେ ବ‌ହି କିଣି ଦେଉଥିଲେ। ଓଡ଼ିଶାର ସବୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ସେ ଥିଲେ ସବୁଠାରୁ ଅଧିକ ପାଠୁଆ। ଏଣୁ ନେହରୁଙ୍କ ଠାରୁ ଆରମ୍ଭ କରି ଜୟପ୍ରକାଶ ଆଦି ତାଙ୍କୁ ଖୁବ୍ ସମ୍ମାନ କରୁଥିଲେ। ମୁଖ୍ୟମନ୍ତ୍ରୀରୁ ଗଲା ପରେ ବିଦ୍ରୋହୀ ନାଗାମାନଙ୍କୁ ମନେଇବା ଲାଗି ଜୟପ୍ରକାଶ ଓ ତାଙ୍କୁ ନେହରୁ ଦାୟିତ୍ୱ ଦେଇଥିଲେ। ପଶ୍ଚିମବଙ୍ଗରେ ନକ୍ସଲ ଆନ୍ଦୋଳନ ଚାଲିଥିଲା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟଙ୍କ ସରକାର ବହୁ ଶିକ୍ଷିତ ଯୁବକଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ହତ୍ୟା କରୁଥିଲେ। ବଙ୍ଗଳାର କେହି ଏ ସମ୍ପର୍କରେ ମୁହଁ ଖୋଲୁ ନ ଥିଲେ। ଏହି ସମୟରେ ପ୍ରେସିଡେନ୍‌ସି କଲେଜର ଏକ ସଭାରେ ନବକୃଷ୍ଣ ଯେଉଁ ଭାଷଣ ଦେଇଥିଲେ ତାହା ପରଦିନ ସମ୍ବାଦପତ୍ରମାନଙ୍କରେ ବିଶେଷ ପ୍ରଶଂସା ଲାଭ କରିଥିଲା।
ସେ ମୁଖ୍ୟମନ୍ତ୍ରିତ୍ବ ଛାଡ଼ି ଅନୁଗୋଳରେ ରହୁଥ‌ିବା ବେଳେ ପୂର୍ବତନ ବାଚସ୍ପତି ଯୁଧିଷ୍ଠିର ଦାସ ତାଙ୍କ ପାଇଁ ପଞ୍ଚାୟତ ସମିତି ଚେଆରମ୍ୟାନ୍ ପାଇଁ ପ୍ରଚାର ଲାଗି ନବବାବୁଙ୍କୁ ଅନୁରୋଧ କରିଥିଲେ। ନବବାବୁ ଅନୁଗୋଳରୁ କଟକ ବାଟଖର୍ଚ୍ଚ ପଠାଇବା ଲାଗି ଚିଠି ଦେଇଥିଲେ। କଟକ ଓ.ଏମ୍.ପି. ଛକରୁ ପ୍ରାୟ ୪୦ କିଲୋମିଟର ଦୂର ଜୟପୁରକୁ ବସ୍‌ରେ ସ୍ଥାନ ମିଳିଲା ନାହିଁ। ବହୁ ସମୟ ଅପେକ୍ଷା ପରେ ନବବାବୁ ଲକ୍ଷ୍ୟକଲେ ଯେ ପାରାଦ୍ବୀପକୁ ଯାଉଥିବା ଟ୍ରକ୍ ଡାଲାରେ ଉଠି କିଛି ଲୋକ ଯାଉଛନ୍ତି। ନବବାବୁ କହିଲେ, ଆଉ କେତେ ସମୟ ଅପେକ୍ଷା କରିବା; ଚାଲ ସେମାନଙ୍କ ପରି ଟ୍ରକ୍ ଡାଲାରେ ଠିଆହୋଇ ଚାଲିଯିବା। ଯୁଧିଷ୍ଠିର ବାବୁ କହିଲେ, ‘ଆପଣ କ’ଣ ଟ୍ରକ୍ ଡାଲାରେ ଯାଇପାରିବେ?’ ନବବାବୁ କ‌ହିଲେ, ‘ଲୋକେ ଯାଉଛନ୍ତି; ଆମେ କାହିଁକି ଯାଇପାରିବା ନାହିଁ?’ ଫେରିଲା ଦିନ ବି ସେଇ ଅବସ୍ଥା; ଟ୍ରକ୍ ଡାଲାରେ ଚଢ଼ି ଜୟପୁରରୁ କଟକ ଫେରିଥିଲେ। ନବବାବୁଙ୍କ ମତ ସାଧାରଣ ଲୋକ ଯେଭଳି ଚଳିଯାଉଛନ୍ତି, ଆମେ ସେହିଭଳି ଚଳିବା। ନବକୃଷ୍ଣ ଚୌଧୁରୀ ଥିଲେ ଏହିଭଳି ଜଣେ ଅନନ୍ୟ ବ୍ୟକ୍ତି।
ତାଙ୍କ ଦେହାନ୍ତ ପରେ କବି ବିନୋଦ ରାଉତରାୟ ତାଙ୍କ ଉଦ୍ଦେଶ୍ୟରେ ନିମ୍ନ ଶ୍ରଦ୍ଧାଞ୍ଜଳିଟି ଲେଖିଥିଲେ, ଯାହା ବିଶେଷ ହୃଦୟସ୍ପର୍ଶୀ।
“କିପରି ହେବାକୁ ହୁଏ ସଂଗ୍ରାମରେ ମରଣ ନିର୍ଭୟ
କେଉଁପରି କରାଯାଏ ଦୃଢ଼ ହୋଇ ହୃଦୟକୁ ଜୟ,
ରାଜେନ୍ଦ୍ର ଆସନେ ବସି କେଉଁପରି କରାଯାଏ ଯୋଗ
ତ୍ୟାଗପୂତ ଜୀବନକୁ କେଉଁପରି କରାଯାଏ ଭୋଗ;
ତାହାହିଁ ପ୍ରମାଣ କଲ ଗୋଟି ଗୋଟି ଯୁଗସ୍ରଷ୍ଟା ପରି
ଜାତି ଓ ଜନତା ଆଗେ ହେ ମହାନ ନବ ଚୌଧୁରୀ।”
ସଭାପତି, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ
ମୋ: ୯୯୩୮୮୯୩୪୪୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe