ଭଗବାନ କେଉଁ କାମର?

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ଦୟାର ପାତ୍ର!

ଥରେ ଗୁରୁଙ୍କୁ ତାଙ୍କ ଚେଲା ପଚାରିଲା- ମହାତ୍ମା, ଈଶ୍ବର ଅଛନ୍ତି ବୋଲି ମୋ ମନରେ ସନ୍ଦେହ ଆସୁଛି।
ଗୁରୁ କହିଲେ- ସେମିତି ସନ୍ଦେହ କାହିଁକି ଆସୁଛି?

ଚେଲା କହିଲା- ଆମେ ବିପଦଆପଦରେ ଭଗବାନଙ୍କୁ ଡାକୁଛେ। କିନ୍ତୁ ଭଗବାନ ତ ସାହାଯ୍ୟ କରୁନାହାନ୍ତି। ତେଣୁ ସେ କେଉଁ କାମର?
ସାଧୁ କଥାଟିଏ ଆରମ୍ଭ କଲେ। ଗୋଟିଏ ଗାଁରେ ରହୁଥିଲେ ଜଣେ ଭାରି ଟିଙ୍ଗା ବ୍ରାହ୍ମଣ। ସେ ପ୍ରତିଦିନ ସକାଳେ ଗୋଟିଏ ବରଗଛ ମୂଳରେ ଥିବା ଛୋଟ ପଥର ମୂର୍ତ୍ତିକୁ ପୂଜା କରୁଥିଲେ। ସେ ସଦାବେଳେ ଗରଗର ହେଉଥିଲେ। ସେ ଦରିଦ୍ର ଥିଲେ। ତା ଛଡ଼ା ତାଙ୍କ ପ୍ରକୃତି ଯୋଗୁଁ ତାଙ୍କୁ କେହି ପୂଜାଦି କରିବାକୁ ଡାକୁ ନ ଥିଲେ। ତେଣୁ ତାଙ୍କ ଚିଡ଼ା ସ୍ବଭାବ ଆହୁରି ବଢ଼ିଯାଇଥିଲା।
ସେ ଯେଉଁଠି ମୂର୍ତ୍ତି ପୂଜା କରୁଥିଲେ ସେଠି ଗୋଟିଏ କୁକୁର ପ୍ରତିଦିନ ଶୋଉଥିଲା। ବ୍ରାହ୍ମଣ ପ୍ରଥମେ ସେଇ କୁକୁରକୁ ସେଠାରୁ ତଡୁଥିଲେ, ତା ପରେ ପୂଜା କରୁଥିଲେ।

ଦିନେ ତାଙ୍କୁ ଜଣେ ଭଦ୍ରଲୋକ କିଛି ପିଠା ଦେଇଥିଲେ। ପିଠାତକ ଗୋଟିଏ ଗାମୁଛାରେ ବାନ୍ଧି ପାଖରେ ଥୋଇ ସେ ପଥର ମୂର୍ତ୍ତିକୁ ପୂଜା କରିବାରେ ଲାଗିଲେ। ଏଇ ସମୟରେ କୁକୁରଟି କେଉଁଠି ଥିଲା କେଜାଣି ଦଉଡ଼ି ଆସି ପିଠା ବୁଜୁଳିକୁ ନେଇ ପଳାଇଲା। ବ୍ରାହ୍ମଣ ରାଗ ତମତମ ହୋଇ ଅଚାନକ ସେଇ ପଥର ମୂର୍ତ୍ତିକୁ ଟେକିନେଇ କୁକୁର ଆଡ଼କୁ ଫୋପାଡ଼ିଦେଲେ। ତାହା କୁକୁର ଦେହରେ ବାଜିଲା। କୁକୁରଟି ପ୍ରାଣ ବିକଳରେ ପିଠା ବୁଜୁଳିକୁ ଛାଡ଼ି ଦେଇ ପଳାଇଗଲା।

ବ୍ରାହ୍ମଣ ଦୌଡ଼ି ଯାଇ ପିଠା ବୁଜୁଳି ଓ ଭଗବାନଙ୍କ ମୂର୍ତ୍ତିକୁ ଗୋଟାଇ ଆଣୁ ଆଣୁ କହିଲେ- ପ୍ରଭୁ ମୁଁ ତୁମର ଏତେ ବର୍ଷ ପୂଜା କଲା ପରେ ତୁମେ କିଛି କାମରେ ଆସି ନ ଥିଲ। ଆଜି ସାହାଯ୍ୟ କଲ। ଆଜି ଜାଣ କାମରେ ଆସିଲ।
ଏହା କହି ସାଧୁ ଚେଲାକୁ କହିଲେ- ଭଗବାନ ଏମିତି କାମରେ ଆସନ୍ତୁ ବୋଲି ତୁ ଚାହୁଛୁ କି? ଚେଲା କିଛି ନ କହି ମୁଣ୍ତ ପୋତିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe