Odia Film Updates
ମାଲକାନଗିରିର ମାଓବାଦୀ ଓ ମ୍ୟାଲେରିଆ-ପ୍ରବଣ ତଥା ଚରମ ଦାରିଦ୍ର୍ୟ ପ୍ରପୀଡ଼ିତ ଅଞ୍ଚଳର ଏକ ଡାକ୍ତରଖାନାରେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ଜଣେ ଡାକ୍ତରଙ୍କ ସତ କାହାଣୀକୁ ନେଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ‘ଦମନ’ ଏକାଧିକ କାରଣରୁ ତାତ୍ପର୍ଯ୍ୟପୂର୍ଣ୍ଣ। ପ୍ରଥମ କଥା ହେଲା, ଦକ୍ଷିଣ ଭାରତର ଚଳଚ୍ଚତ୍ରଗୁଡ଼ିକର ଅତ୍ୟନ୍ତ ନିକୃଷ୍ଟ କପି ଭାବେ ଓଡ଼ିଆ ସିନେମାମାନ ଅପଖ୍ୟାତି ଅର୍ଜନ କରିବା ସହିତ ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପ ମୁମୂର୍ଷୁ ହୋଇ ଗଲାଣି ବୋଲି ଏକ ଧାରଣା ସୃଷ୍ଟି ହୋଇଥିବା ବେଳେ ‘ଦମନ’ ପୁଣି ଦର୍ଶକମାନଙ୍କୁ ଓଡ଼ିଆ ସିନେମା ଆଡ଼କୁ ଫେରାଇ ଆଣିବା ସହିତ ପ୍ରମାଣ କରିଛି ଯେ ନିରୁତା ଓଡ଼ିଆ କାହାଣୀକୁ ଭଲ ଭାବେ ଚଳଚ୍ଚିତ୍ରର ରୂପ ଦିଆଗଲେ ତାହା ଲୋକପ୍ରିୟତା ଅର୍ଜନ କରିପାରିବ।
ଦ୍ବିତୀୟରେ କୌଣସି ବହୁ ଚର୍ଚ୍ଚିତ ଓ ଚାଞ୍ଚଲ୍ୟ ସୃଷ୍ଟିକାରୀ ବିଷୟ ବା ଚରିତ୍ରଙ୍କୁ ନେଇ ତରବରିଆ ଭାବେ ସିନେମା କରିଦେଲେ ସେଗୁଡ଼ିକ ଲୋକପ୍ରିୟତା ଲାଭ କରିବ ବୋଲି ଗ୍ୟାରେଣ୍ଟି ନାହିଁ, ଯାହା ଅନେକ ଥର ପ୍ରମାଣିତ ହେଲାଣି। ଘଟଣାଗୁଡ଼ିକ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି ସତ, କିନ୍ତୁ ତା’ ଉପରେ ଆଧାରିତ ସିନେମାଗୁଡ଼ିକ ଫ୍ଲପ୍ ହୋଇଛନ୍ତି। ‘ଦମନ’ ହେଉଛି ଏଭଳି ଏକ କାହାଣୀ ଯହିଁରେ ଚିରନ୍ତନ ମାନବିକ ମୂଲ୍ୟବୋଧର ସକାରାତ୍ମକତା ରହିଛି ଏବଂ ତାହା ଅତ୍ୟନ୍ତ ପ୍ରେରଣାଦାୟକ। କୁହାଯାଉଛି ଯେ ଏହି ସିନେମା ପୁନର୍ବାର ଓଡ଼ିଆ ଚଳଚ୍ଚିତ୍ରେର ପ୍ରାଣ ସଂଚାର କରିବ। ତାହା ହିଁ ହେଉ। ଭଲ କାହାଣୀକୁ ନେଇ ଭଲ ଓଡ଼ିଆ ସିନେମା ନିଶ୍ଚିତ ଭାବେ ଭଲ ଚାଲିବ। ଆମ ରାଜ୍ୟରେ ପ୍ରତିଭା ଅଛନ୍ତି, କେବଳ ସେମାନେ ପ୍ରକାଶ ପାଇବା ଦରକାର।
ଅନୁଜ କୁମାର ମହାନ୍ତି
ତୁଳସୀପୁର, କଟକ
Follow Us