Agri Nation
ଅଚାନକ ଧନୀ ଭାରତୀୟମାନେ ମୋଟା ତଥା ତଥାକଥିତ ନିକୃଷ୍ଟ ଖାଦ୍ୟଶସ୍ୟ ଉପରେ ଆଖି ପକେଇଲେଣି। ଅତୀତରେ କିଛି ରାଜ୍ୟର ସାଧାରଣ ଖାଦ୍ୟ ଥିବା ବାଜରା, ଯଅ, ମାଣ୍ଡିଆ ଆଦି ପ୍ରମୁଖ ତଥାକଥିତ ନିକୃଷ୍ଟ ଖାଦ୍ୟଶସ୍ୟ ପ୍ରତି ସେମାନେ କେବଳ ଉତ୍ସାହ ପ୍ରକଟ କରିନାହାନ୍ତି, ଏଥି ସହିତ ‘ସଭ୍ୟ ସମ୍ପ୍ରଦାୟ’ଠାରୁ ବହୁ ଦୂରରେ ରହୁଥିବା ତଥା ଯେଉଁମାନଙ୍କ ପାଇଁ ଚାଉଳ ଓ ଗହମ ରାଜାରାଣୀ ଭାବେ ବିବେଚିତ, ସେହି ଜନଜାତି ସମ୍ପ୍ରଦାୟଙ୍କ ନିତିଦିନିଆ ଖାଦ୍ୟ ସୁଆଁ, କୋଦୁଅ ଓ କୁଟକି ପରି ମାମୁଲି ଖାଦ୍ୟ ପ୍ରତି ମଧ୍ୟ ମନ ବଳାଇଲେଣି।
ଦୁଇ ମାସ ତଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥାକଥିତ ନିକୃଷ୍ଟ ମୋଟା ଖାଦ୍ୟଶସ୍ୟରେ ପ୍ରସ୍ତୁତ ଖାଦ୍ୟ ଭୋଜନ କରିଥିଲେ। କିଛି କେନ୍ଦ୍ର ମନ୍ତ୍ରୀ ମଧ୍ୟ ମୋଟା ଖାଦ୍ୟଶସ୍ୟରେ ପ୍ରସ୍ତୁତ ଖାଦ୍ୟର ଭୋଜି ଆୟୋଜନ କରିଥିଲେ। ଖ୍ୟାତନାମା ବ୍ୟଞ୍ଜନକାରମାନେ ମଧ୍ୟ ସେମାନଙ୍କ ବ୍ୟଞ୍ଜନରେ ମୋଟା ଖାଦ୍ୟଶସ୍ୟର ସମ୍ମିଶ୍ରଣ କରୁଥିବା କଥା ଲେଖୁଛନ୍ତି। ସେମାନଙ୍କ ଭିତରୁ ଅନେକ ମଧ୍ୟ ପଞ୍ଚତାରକା ହୋଟେଲରେ ଏହି ନୂତନ ଖାଦ୍ୟଉତ୍ପାଦ ପରଷିବା ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ସ୍ଥାନରେ ମାଣ୍ଡିଆ ଦୋସା, ବାଜରା ପାସ୍ତା, ଯଅ ପିଜା ଓ କୋଦୁଅ ବିରିୟାନି ସମ୍ବଳିତ ଖାଦ୍ୟସ୍ଥଳୀମାନ ଦେଖିବାକୁ ମିଳୁଛି। ବୈଶ୍ବିକ ତଥା ଜାତୀୟ ବ୍ୟବସାୟୀମାନେ ମଧ୍ୟ ବଜାରକୁ ଭୋଜନ-ପାଇଁ-ପ୍ରସ୍ତୁତ ମୋଟା ଖାଦ୍ୟଶସ୍ୟର ପ୍ୟାକେଟ ଛାଡ଼ିବା ନେଇ ଘୋଷଣା କରି ସାରିଲେଣି।
ତଥାକଥିତ ନିକୃଷ୍ଟ ସଂସ୍କୃତି, ସମୁଦାୟ ଓ ଲୋକଙ୍କ ସହ ଜଡ଼ିତ ଏହି ମୋଟା ଖାଦ୍ୟଶସ୍ୟ ହଠାତ୍ କେମିତି ଆଧୁନିକ ଚଳଣିକୁ ପଶି ଆସିଲା? ବର୍ତ୍ତମାନ ସୁଦ୍ଧା ଭାରତରେ ଭୋଜନ ଅନୁଯାୟୀ ଏକ ସ୍ପଷ୍ଟ ବର୍ଗ ବିଭାଜନ ଥିଲା: ଧନୀମାନେ ଚାଉଳ ଓ ଗହମ ପରି ଉତ୍କୃଷ୍ଟ ଖାଦ୍ୟଶସ୍ୟ ଖାଉଥିଲେ ଏବଂ ଗରିବଙ୍କ ଭାଗ୍ୟରେ ବାଜରା, ମାଣ୍ଡିଆ ଓ ଯଅ ପରି ତଥାକଥିତ ନିକୃଷ୍ଟ ଖାଦ୍ୟଶସ୍ୟ ରହିଥିଲା। ଏପରିକି ଗରିବ ଭାରତୀୟମାନେ ତଥାକଥିତ ‘ସଭ୍ୟ ସମାଜ’ରେ ପରିଗଣିତ ହେବା ଲାଗି ତଥାକଥିତ ନିକୃଷ୍ଟ ଖାଦ୍ୟଶସ୍ୟ ଛାଡ଼ି ଧୀରେ ଧୀରେ ଉତ୍କୃଷ୍ଟ ଖାଦ୍ୟଶସ୍ୟ ଖାଇବା ଆରମ୍ଭ କଲେଣି।
ଅବଶ୍ୟ ଗରିବମାନଙ୍କର ଏପରି ମୋଟା ଖାଦ୍ୟଶସ୍ୟ ଛାଡ଼ି ନିଜ ଖାଦ୍ୟରେ ସୂକ୍ଷ୍ମ ଖାଦ୍ୟଶସ୍ୟ ଯୋଡ଼ିବା ପଛରେ ଭାରତ ସରକାର ଅନେକାଂଶରେ ଦାୟୀ। ବିଗତ ଷାଠିଏ ଦଶକରେ ଲୋକମାନଙ୍କୁ ଆବଶ୍ୟକ ଖାଦ୍ୟଶସ୍ୟ ଯୋଗାଇବା ପାଇଁ ଯଥୋଚିତ ଉପାୟ ଭାବେ ସରକାର ଉଚ୍ଚ ଉତ୍ପାଦନକ୍ଷମ ଧାନ ଓ ଗହମ ପ୍ରଜାତିର ଚାଷକୁ ପ୍ରୋତ୍ସାହିତ କରିଥିଲେ। ଏବଂ ତାହା କାମ କରିଥିଲା। ସେଇ ସବୁଜ ବିପ୍ଳବ ଦେଶକୁ ଖାଦ୍ୟ ସୁରକ୍ଷା ଦେଇପାରିଲା। ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ ସରକାର ଶସ୍ତାରେ ଚାଉଳ ଓ ଗହମ ଯୋଗାଇଲେ। ଫଳରେ ଗରିବମାନେ ସେମାନଙ୍କର ତଥାକଥିତ ନିକୃଷ୍ଟ ମୋଟା ଶସ୍ୟ ଛାଡ଼ି ଧାନ ଓ ଗହମ ପରି ସୂକ୍ଷ୍ମ ଶସ୍ୟ ଆଦରିଲେ।
କେବଳ ଗରିବ କାହିଁକି, ସହର ଓ ଗାଁମାନଙ୍କରେ ନିୟମିତ ମୋଟା ଶସ୍ୟ ଗ୍ରହଣ କରୁଥିବା ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ ମଧ୍ୟ ବଜାରରେ ସହଜରେ ଉପଲବ୍ଧ ଚାଉଳ ଓ ଗହମ ପ୍ରତି ଆକର୍ଷିତ ହେଲେ। ପରିଣାମ ସ୍ବରୂପ, ଷାଠିଏ ଦଶକର ମଧ୍ୟଭାଗ ବେଳକୁ ଦେଶ ସାରା ମୋଟା ଶସ୍ୟକ୍ଷେତ୍ର ପରିମାଣ ୩୭ ନିୟୁତ ହେକ୍ଟର ଥିବା ବେଳେ ତାହା ୨୦୧୦ ଦଶକର ମଧ୍ୟଭାଗ ବେଳକୁ ୧୪ ନିୟୁତ ହେକ୍ଟରକୁ ଖସି ଆସିଲା। ଆନ୍ତର୍ଜାତିକ ସେମି-ଏରିଡ୍ ଟ୍ରପିକ୍ସ ଶସ୍ୟ ଗବେଷଣା ପ୍ରତିଷ୍ଠାନ (ଇକ୍ରିସାଟ)ର ତଥ୍ୟାନୁସାରେ, ୧୯୬୨ରୁ ୨୦୧୦ ମଧ୍ୟରେ ଭାରତରେ ମୁଣ୍ଡପିଛା ବାଜରା ବିନିଯୋଗ ୩୨.୯ କିଲୋଗ୍ରାମରୁ ୪.୨ କିଲୋଗ୍ରାମକୁ ଖସି ଆସିଛି।
ପ୍ରଶ୍ନ ହେଉଛି, ସରକାର କାହିଁକି ଏବେ ସୂକ୍ଷ୍ମ ଶସ୍ୟରୁ ମୋଟା ଶସ୍ୟକୁ ଫେରିବାକୁ ଚାହୁଛନ୍ତି? ଧନୀ ଭାରତୀୟମାନେ କାହିଁକି ଏବେ ଗରିବଙ୍କ ଖାଦ୍ୟ ଖାଇବାକୁ ବ୍ୟାକୁଳ?
କାରଣ ଗବେଷଣା ପରେ ଗବେଷଣାର ନିର୍ଯ୍ୟାସରୁ ଜଣାପଡ଼ିଛି ଯେ ତଥାକଥିତ ମୋଟା ନିକୃଷ୍ଟ ଶସ୍ୟ ହିଁ ସ୍ବାସ୍ଥ୍ୟ ପାଇଁ ଉତ୍କୃଷ୍ଟ। ସେଗୁଡ଼ିକ ପୁଷ୍ଟିସାର, ବିଭିନ୍ନ ଭିଟାମିନ୍ ଓ ଲୌହସାର ପରି ଖଣିଜର ଗନ୍ତାଘର ତଥା ଗ୍ଳୁଟେନ୍ମୁକ୍ତ ଓ ନିମ୍ନ ଶର୍କରାଯୁକ୍ତ। ଏଥି ସହିତ ଯାହା ସୂକ୍ଷ୍ମ ଶସ୍ୟ କରିପାରେନାହିଁ, ଏହି ମୋଟା ଖାଦ୍ୟଶସ୍ୟ ତାହା କରିପାରେ। ଏହା ରକ୍ତସର୍କରା ଓ ରକ୍ତଚାପ ନିୟନ୍ତ୍ରଣ କରିବା ସହ କୋଲେଷ୍ଟ୍ରୋଲ୍ ସ୍ତର କମାଏ ଏବଂ ହୃତ୍ପିଣ୍ଡକୁ ସୁରକ୍ଷିତ ରଖି ପାଚନ ସ୍ବାସ୍ଥ୍ୟରେ ଉନ୍ନତି ଆଣିଥାଏ।
ଧନୀମାନେ ଏହାର ଗୁଣକୁ ଆବିଷ୍କାର କରି ତାହାକୁ ଆଉ ମୋଟା ନିକୃଷ୍ଟ ଖାଦ୍ୟଶସ୍ୟ ନ କହି ‘ମିଲେଟ’ ବୋଲି କହୁଛନ୍ତି। ଏପରିକି ସେମାନେ ତାହାକୁ ଆହୁରି ମହିମାନ୍ବିତ ନାମରେ ବର୍ଣ୍ଣନା କରୁଛନ୍ତି। କେହି କେହି ତାହାକୁ ‘ପୋଷକ-ଶସ୍ୟ’ ବା ‘ନ୍ୟୁଟ୍ରି-ସିରିଆଲ୍’ ବୋଲି କହୁଛନ୍ତି। ଖାଦ୍ୟ ବ୍ୟବସାୟୀ ଓ ପ୍ରସିଦ୍ଧ ବ୍ୟଞ୍ଜନକାରମାନେ ସେଗୁଡ଼ିକୁ ‘ମହାଖାଦ୍ୟ’ ବା ‘ସୁପରଫୁଡ୍’ ରୂପେ ପରିଗଣିତ କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ୨୦୨୩-୨୪ ବଜେଟ୍ ଭାଷଣରେ ତାହାକୁ ‘ଶ୍ରୀଅନ୍ନ’ ବା ‘ଖାଦ୍ୟଶସ୍ୟର ଜନନୀ’ ଭାବେ ସମ୍ବୋଧନ କରିଥିଲେ।
ମାତ୍ର ଆମେ ତାହାକୁ କେବଳ ମହିମାମଣ୍ଡନ କରିବା ଛଡ଼ା ଅନ୍ୟ କିଛି କରୁଛନ୍ତି କି? ‘ଶ୍ରୀଅନ୍ନ’ ପାଇଁ ସୀତାରମଣ ତାଙ୍କ ବଜେଟ୍ରେ କେତେ ବରାଦ କରିଛନ୍ତି? ଯେତେବେଳେ ‘ଶ୍ରୀଅନ୍ନ’ ତାଙ୍କ ବଜେଟ୍ର କୃଷି ପାଇଁ ବ୍ୟୟବରାଦର ପୃଷ୍ଠା ଓଲଟାଇବ, ତାହାକୁ ସେଠାରେ ଖାଦ୍ୟ ସିଂହାସନ ଚଢ଼ିବା ଲାଗି ଅଧିକ ରାଶି ମିଳିବନି। ତାହାକୁ କେବଳ ପ୍ରଶଂସା ମିଳିଛି, କିନ୍ତୁ ପଦୋନ୍ନତି ନାହିଁ।
ଚାଉଳ ଓ ଗହମ ପ୍ରତି ଆସକ୍ତ ହୋଇପଡ଼ିଥିବା ଉଭୟ ଗରିବ ଓ ଧନୀମାନଙ୍କୁ ଯଦି ସ୍ବାସ୍ଥ୍ୟ ବିକାରରୁ ବଞ୍ଚାଇବା ଲାଗି ବାଜରାକୁ ପ୍ରୋତ୍ସାହିତ କରାଯାଏ, ତେବେ ସରକାର ‘ଶ୍ରୀଅନ୍ନ’କୁ କେବଳ ଦେବୀ କହି ମନ୍ଦିର ଭିତରେ ବସାଇଦେଲେ ଚଳିବନି। ଯଦି ପ୍ରକୃତରେ ସେ ଦେବୀ, ତେବେ ସେ ଘରେ ଘରେ ଓ ପ୍ରତ୍ୟେକ ହୃଦୟରେ ସ୍ଥାନ ପାଇବା ଦରକାର।
ଯେତେବେଳେ ସିଏ ପ୍ରତ୍ୟେକ ଘରେ ଓ ପ୍ରତ୍ୟେକ ହୃଦୟରେ ଶୋଭା ପାଇବ, ସେତେବେଳେ ଭାରତ ବି ଏକ ସୁସ୍ଥ ସବଳ ତଥା ମଜଭୁତ ରାଷ୍ଟ୍ର ହେବାକୁ ଆଶା ରଖିପାରିବ। କାରଣ କେବଳ ମିଲେଟ୍ ଉତ୍ପାଦନ ଦ୍ବାରା ହିଁ ଭାରତୀୟ କୃଷିକୁ ବଞ୍ଚାଯାଇପାରିବ। ମିଲେଟ୍ ଚାଷ ପାଇଁ ଖୁବ୍ କମ୍ ଜଳ, ସାର ଓ କୀଟନାଶକର ଆବଶ୍ୟକତା ରହିଛି। ଗୋଟିଏ କିଲୋଗ୍ରାମ ଚାଉଳ ଉତ୍ପାଦନ ଲାଗି ୪,୦୦୦ ଲିଟର ଜଳ ଦରକାର ପଡୁଥିବା ବେଳେ ଗୋଟିଏ କିଲୋଗ୍ରାମ୍ ମିଲେଟ୍ ପାଇଁ ମାତ୍ର ୩୦୦ ଲିଟର ଜଳ ଲୋଡ଼ା। ସେହିପରି କେବଳ ଧାନ ଓ ଗହମ ଚାଷ ଦ୍ବାରା ଭୂତଳ ଜଳସ୍ତରରେ ହ୍ରାସ ଘଟିବା ସହିତ ଅଧିକ ରସାୟନ ବ୍ୟବହାର ପର୍ଯ୍ୟାବରଣକୁ ଜଖମ କରି ମାଟିର ଉର୍ବରତା ହ୍ରାସ କରିଥାଏ। ତେଣୁ କମ୍ ପରିମାଣରେ ଧାନ-ଗହମ ଚାଷ ଏବଂ ଅଧିକ ପରିମାଣରେ ମିଲେଟ୍ ଉତ୍ପାଦନ ଦ୍ବାରା ଭୂତଳ ଜଳ, ମୃତ୍ତିକା ଓ ପର୍ଯ୍ୟାବରଣରେ ଘଟିଥିବା କ୍ଷତିର ଭରଣା ହୋଇପାରିବ। ତେବେ ସେଥିପାଇଁ ସରକାରଙ୍କୁ ତାମସାରୁ ଦୂରେଇ ଯାଇ ନିମ୍ନ ପାଞ୍ଚଟି ଉପାୟକୁ ସଚ୍ଚୋତଟାର ସହ ପାଳନ କରିବାକୁ ହେବ।
ପ୍ରଥମେ ମିଲେଟ୍ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ହେବ ଏବଂ ତାହାର କିଣାବିକାରେ ସହଯୋଗର ହାତ ବଢ଼ାଇବାକୁ ପଡ଼ିବ। ମିଲେଟ୍ ଉତ୍ପାଦନକାରୀଙ୍କୁ ଭଲ ରୋଜଗାର ପ୍ରଦାନ ପାଇଁ ପଦକ୍ଷେପ ନେବାରେ ଓଡ଼ିଶା ସରକାର ହେଉଛନ୍ତି ପ୍ରଥମ। କର୍ଣ୍ଣାଟକ ଓ ଛତିଶଗଡ଼ ମଧ୍ୟ ଅନୁରୂପ ପଦକ୍ଷେପ ନେଇଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଲେଟ୍କୁ ଅନ୍ତର୍ଭୁକ୍ତ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଚାଉଳ-ଗହମ କୋଟାକୁ କମାଇବାକୁ ହେବ।
ଦ୍ବିତୀୟରେ, ସରକାରଙ୍କୁ ଅଧିକ ଅମଳକ୍ଷମ ମିଲେଟ୍ ବିହନ ପାଇଁ ଆବଶ୍ୟକ ଗବେଷଣା ଓ ବିକାଶ ଲାଗି ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ ସହ ଉନ୍ନତ ବିହନକୁ ଚାଷୀଙ୍କ ପାଖରେ ସହଜରେ ଉପଲବ୍ଧ କରାଇବା ପାଇଁ ମଧ୍ୟ ବ୍ୟବସ୍ଥା କରିବା ଦରକାର। କାରଣ ମିଲେଟ୍ ଚାଷୀମାନେ ବ୍ୟବହାର କରୁଥିବା ବିହନରୁ କମ୍ ଶସ୍ୟ ଉତ୍ପାଦନ ହେଉଥିଲେ ହେଁ ତାହା ସେମାନଙ୍କ ପାଇଁ ଜୀବିକା ନିର୍ବାହ ପାଇଁ ଚଳିଯାଉଛି। ତେବେ ବଜାରକୁ ଛାଡ଼ିବା ଲାଗି ଅଧିକ ଶସ୍ୟ ଉତ୍ପାଦନ ଜରୁରୀ।
ତୃତୀୟରେ, ମିଲେଟ୍ର ପ୍ରକ୍ରିୟାକରଣ ଏକ କଠିନ ବ୍ୟାପାର। ତେଣୁ ଚାଷୀମାନେ କିପରି କମ୍ ଖର୍ଚ୍ଚରେ ଏବଂ ସହଜରେ ତାହା କରିପାରିବେ, ସେଥିପାଇଁ ବ୍ୟବହାରଯୋଗ୍ୟ ପ୍ରକ୍ରିୟାକରଣ ଜ୍ଞାନକୌଶଳ ସରକାରଙ୍କୁ ବାହାର କରି ତାହାକୁ ଶସ୍ୟକ୍ଷେତ ପାଖରେ ପହଞ୍ଚାଇବାକୁ ହେବ।
ଚତୁର୍ଥରେ, ମିଲେଟ୍ରୁ ଖାଦ୍ୟ ପ୍ରସ୍ତୁତି ପାଇଁ ଅଧିକ ସମୟ ଓ ଉଦ୍ୟମ ଲାଗୁଥିବାରୁ ଉପଭୋକ୍ତାମାନେ ତାହା ପସନ୍ଦ କରିନପାରନ୍ତି। ଏଥି ସହିତ ତାହାର ସ୍ବାଦ ମଧ୍ୟ ଚାଉଳ କି ଗହମରୁ ପ୍ରସ୍ତୁତ ଖାଦ୍ୟ ପରି ନୁହେଁ। ଏଥି ବ୍ୟତୀତ ତାହା ମଧ୍ୟ ପେଟକୁ ଭାରି ଭାରି ଲାଗିବ। ତେଣୁ ଏହି ସବୁ ଉପଭୋକ୍ତା ପ୍ରତିବନ୍ଧଗୁଡ଼ିକୁ ହଟାଇବା ଲାଗି ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ।
ଶେଷରେ, ଆମ ଦେଶର ଖାଦ୍ୟ ସାମଗ୍ରୀ ନିୟମ ବ୍ୟାପକ ଭାବେ ଢିଲା ଓ ଦୁର୍ନୀତିଯୁକ୍ତ ହୋଇପଡ଼ିଛି। ମିଲେଟ୍ର ଚାହିଦା ବଢ଼ିବା ସହ ଏହାର ପ୍ରକ୍ରିୟାକୃତ ଓ ଭୋଜନ-ପାଇଁ-ପ୍ରସ୍ତୁତ ପ୍ୟାକେଟ୍ରେ ବଜାର ଭରିଯିବ। ତେଣୁ ପୋଷକଯୁକ୍ତ ଖାଦ୍ୟ ଭାବି ଲୋକମାନେ ଯେପରି କୌଣସି ଅସ୍ବାସ୍ଥ୍ୟକର ଖାଦ୍ୟ ନ ଖାଆନ୍ତି ତାହା ସରକାରଙ୍କୁ ନିଶ୍ଚିତ କରିବାକୁ ପଡ଼ିବ।
arunsinha3000@gmail.com
Follow Us