ଦର୍ପଣ - ଚାହା ପାନର ଅଭ୍ୟାସ ଓ ବଜାର

ଦର୍ପଣ - ଚାହା ପାନର ଅଭ୍ୟାସ ଓ ବଜାର

representetional immage - Shutterstock

ପାଣି ପଛକୁ ଚାହା ହେଉଛି ପୃଥିବୀର ଦ୍ବିତୀୟ ସର୍ବାଧିକ ପିଆଯାଉଥିବା ପାନୀୟ। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ) କରିଥିବା ଆକଳନ ଅନୁସାରେ ୨୦୨୦ରେ ପୃଥିବୀରେ ସମୁଦାୟ ୭ ମିଲିଅନ୍ ମେଟ୍ରିକ୍ ଟନ୍ ଚାହା ଉତ୍ପାଦନ କରାଯାଇଥିଲା। ଚୀନ ହେଉଛି ପୃଥିବୀର ସର୍ବାଧିକ ଚାହା ଉତ୍ପାଦନକାରୀ ରାଷ୍ଟ୍ର। ଚୀନ ସମେତ ଭାରତ, କେନିଆ, ଶ୍ରୀଲଙ୍କା ଓ ଇଣ୍ଡୋନେସିଆ ଚାହା ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଅଛନ୍ତି। ସର୍ବେକ୍ଷଣକାରୀ କମ୍ପାନି ‘ଷ୍ଟାଟିଷ୍ଟା’ ଦ୍ବାରା ପ୍ରସ୍ତୁତ ‘କନ୍‌ଜ୍ୟୁମର୍ ମାର୍କେଟ୍‌ ଆଉଟ୍‌ଲୁକ୍’ ରିପୋର୍ଟ ଅନୁସାରେ ୨୦୨୫ ସୁଦ୍ଧା ପୃଥିବୀର ଚାହା ବଜାରର ଆକାର ୨୬୬.୭ ବିଲିଅନ୍‌ ଡଲାର୍‌ ଛୁଇଁବାର ସମ୍ଭାବନା ରହିଛି। ଚୀନ କେବଳ ଚାହାର ସର୍ବବୃହତ୍‌ ରପ୍ତାନିକାରୀ ଦେଶ ନୁହେଁ, ଏହା ଚାହାର ସବୁଠାରୁ ବଡ଼ ବଜାର ମଧ୍ୟ ଯେଉଁଠି ୨୦୨୨ରେ ପାଖାପାଖି ୧୦୦ ବିଲିଅନ୍‌ ଡଲାର୍‌ର ଚାହା ବିକ୍ରି ହୋଇଥିଲା। ଚୀନ ପଛକୁ ଭାରତ ହେଉଛି ଚାହାର ଦ୍ବିତୀୟ ବୃହତ୍ତମ ବଜାର ଯେଉଁଠି ଗତ ବର୍ଷ ୧୫.୭ ବିଲିଅନ୍ ଡଲାର୍ ମୂଲ୍ୟର ଚାହା ବ୍ୟବସାୟ ହୋଇଥିଲା।

ସେହିପରି ଜାପାନ (୧୪.୨ ବିଲିଅନ୍‌ ଡଲାର୍), ଯୁକ୍ତରାଷ୍ଟ୍ର ଆମେରିକା (୧୩.୪ ବିଲିଅନ୍‌ ଡଲାର୍), ବ୍ରାଜିଲ୍ (୧୧.୮ ବିଲିଅନ୍‌ ଡଲାର୍) ହେଉଛନ୍ତି ଯଥାକ୍ରମେ ପୃଥିବୀର ତୃତୀୟ, ଚତୁର୍ଥ ଓ ପଞ୍ଚମ ବୃହତ୍ତମ ଚାହା ବଜାର। ସେହିପରି ୨୦୨୨ର ଜାନୁଆରି-ଡିସେମ୍ବର ମଧ୍ୟରେ ୫୬ଟି ଦେଶର ଲୋକଙ୍କ ଚାହା ପାନର ଅଭ୍ୟାସ ଜାଣିବା ଲାଗି ଏକ ସର୍ବେକ୍ଷଣ କରାଯାଇଥିଲା ଯେଉଁଥିରୁ ଜଣାପଡ଼ିଛି ଯେ ନିୟମିତ ଚାହା ପାନ କରୁଥିବା ଲୋକଙ୍କ ହାର ତୁର୍କୀ ଦେଶରେ ସର୍ବାଧିକ ରହିଛି (୯୦%)। ଏହା ପଛକୁ କେନିଆ ଓ ପାକିସ୍ତାନର ୮୩% ଲୋକ ନିୟମିତ ଚାହା ପିଅନ୍ତି। ଭାରତର ୭୨% ଅଂଶଗ୍ରହଣକାରୀ ନିୟମିତ ଚାହା ପିଉଥିବାର ପ୍ରକାଶ କରିଥିଲେ ଯାହା ଭାରତକୁ ପଞ୍ଚମ ସ୍ଥାନରେ ରଖିଥାଏ। ପୃଥିବୀର ସବୁଠାରୁ ଅଧିକ ଚାହାପ୍ରିୟ ଦେଶ ଭାବେ ଖ୍ୟାତ ୟୁନାଇଟେଡ୍‌ କିଙ୍ଗଡମ୍‌ର ମାତ୍ର ୫୯% ନିୟମିତ ଚାହା ପିଇବାରେ ଅଭ୍ୟସ୍ତ ବୋଲି ଉକ୍ତ ସର୍ବେକ୍ଷଣ ସମୟରେ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe