ଚିନ୍ମୟ ଚେତନା: ପୁନଶ୍ଚ ଚାପୁଡ଼ା

Advertisment

ଫ୍ରାନ୍‌ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ବିଳାସପୂର୍ଣ୍ଣ ବିମାନଟି ଭିଏତନାମର ହାନୋଇ ବିମାନ ବନ୍ଦରରେ ଓହ୍ଲାଇବାର ଅଳ୍ପ ସମୟ ପରେ ଏହାର ମୁଖ୍ୟ ଦ୍ୱାରଟି ଖୋଲି ଦିଆଗଲା। ବହୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଫଟୋ ଓ ଭିଡିଓ ଉତ୍ତୋଳକମାନେ ଅତିଥି ରାଷ୍ଟ୍ରମୁଖ୍ୟଙ୍କ ପଦାର୍ପଣର ପ୍ରତିଟି....

ଫ୍ରାନ୍‌ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ବିଳାସପୂର୍ଣ୍ଣ ବିମାନଟି ଭିଏତନାମର ହାନୋଇ ବିମାନ ବନ୍ଦରରେ ଓହ୍ଲାଇବାର ଅଳ୍ପ ସମୟ ପରେ ଏହାର ମୁଖ୍ୟ ଦ୍ୱାରଟି ଖୋଲି ଦିଆଗଲା। ବହୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଫଟୋ ଓ ଭିଡିଓ ଉତ୍ତୋଳକମାନେ ଅତିଥି ରାଷ୍ଟ୍ରମୁଖ୍ୟଙ୍କ ପଦାର୍ପଣର ପ୍ରତିଟି....

sfhsfhhhf

ଚିନ୍ମୟ ହୋତା 

ଫ୍ରାନ୍‌ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ବିଳାସପୂର୍ଣ୍ଣ ବିମାନଟି ଭିଏତନାମର ହାନୋଇ ବିମାନ ବନ୍ଦରରେ ଓହ୍ଲାଇବାର ଅଳ୍ପ ସମୟ ପରେ ଏହାର ମୁଖ୍ୟ ଦ୍ୱାରଟି ଖୋଲି ଦିଆଗଲା। ବହୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଫଟୋ ଓ ଭିଡିଓ ଉତ୍ତୋଳକମାନେ ଅତିଥି ରାଷ୍ଟ୍ରମୁଖ୍ୟଙ୍କ ପଦାର୍ପଣର ପ୍ରତିଟି ମୁହୂର୍ତ୍ତକୁ କ୍ୟାମେରାରେ ଧରି ରଖିବା ପାଇଁ ତାଙ୍କର ରେକର୍ଡିଂ ଚାଲୁ କରିଦେଲେ। ଯଥା ସମୟରେ ଦେଖାଗଲା ମାକ୍ରନଙ୍କର ସମ୍ପୂର୍ଣ୍ଣ ଚେହେରା, କିନ୍ତୁ ଏ କ’ଣ? ପ୍ଲେନର ଅଭ୍ୟନ୍ତରରୁ ଆସୁଥିବା ତାଙ୍କର ସହଧର୍ମିଣୀଙ୍କୁ ପାଛୋଟି ଆଣିବା ପାଇଁ ଅପେକ୍ଷା କରିଥିବା ବେଳେ ଦେଖାଗଲା ଗୋଟିଏ ନାରୀର ହାତ ଲମ୍ବି ଆସି ସିଧା ଯାଇ ବାଜିଲା ମାକ୍ରନଙ୍କ ଗଣ୍ଡଦେଶରେ।
ଫ୍ରାନ୍‌ସ ଭଳି ଏକ ଆଗୁଆ ଦେଶର ରାଷ୍ଟ୍ରମୁଖ୍ୟ, ଯାହାଙ୍କର ପୂର୍ବସୂରୀମାନେ ହେଲେ ନେପୋଲିଅନଙ୍କ ଭଳି ବିଶ୍ବବିଜୟୀ, ଆଉ ଚତୁର୍ଦ୍ଦଶ ଲୁଇଙ୍କ ଭଳି ସଂଭ୍ରାନ୍ତ କଳା ଓ ଐଶ୍ୱର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ, ସେ ପୁଣି ଫ୍ରାନ୍‌ସ ଦିନେ ଶାସନ କରୁଥିବା ଭିଏତନାମର ମାଟିରେ ସର୍ବସମକ୍ଷରେ ଏମିତି ହଟହଟା ହେବେ! ହୁଏତ ଏହି ଭାବନାଟି ମାକ୍ରନଙ୍କୁ ସାମାନ୍ୟ ଅପ୍ରସ୍ତୁତ କରି ପକାଇଲା। ହେଲେ କ’ଣ ବା କରିବେ, ବାସ୍ତବତାକୁ ସାହସର ସହିତ ସାମ୍ନା କରିବା ହିଁ ବୁଦ୍ଧିମାନର କାମ। ତେଣୁ ସେ ଏକ କ୍ଷୀଣ ଲାଜୁଆ ହସ ହସି ଦେଇ ତତ୍‌କ୍ଷଣାତ ଚିତ୍ର ଉତ୍ତୋଳକମାନଙ୍କର ଦୃଷ୍ଟି ଆଢୁଆଳକୁ ଅପସରି ଗଲେ। ଅଳ୍ପ ସମୟ ଉତ୍ତାରୁ ରାଷ୍ଟ୍ରପତି ପୁଣି ଥରେ ଖୋଲା ଦ୍ୱାର ସମ୍ମୁଖରେ ଆବିର୍ଭୂତ ହେଲେ ଏବଂ ଏଥର ତାଙ୍କ ସାଙ୍ଗରେ ଥିଲେ ତାଙ୍କର ସହଧର୍ମିଣୀ, ଫ୍ରାନ୍‌ସର ପ୍ରଥମ ମହିଳା। ଘଟଣାଟିକୁ ସ୍ୱାଭାବିକ କରିନେବା ପାଇଁ ଶିଡ଼ିରେ ଓହ୍ଲାଇବାକୁ ଆରମ୍ଭ କରିବା ପୂର୍ବରୁ ମାକ୍ରନ ତାଙ୍କ ହାତଟିକୁ ଧରିବା ପାଇଁ ସ୍ତ୍ରୀଙ୍କ ଆଡ଼େ ଅଳ୍ପ ଇଙ୍ଗିତ କରିଥିଲେ ମଧ୍ୟ କ୍ରୁଦ୍ଧ ପତ୍ନୀ ହତାଦର ପୂର୍ବକ ଘୁଞ୍ଚି ଯାଇଥିଲେ, ଅର୍ଥାତ୍ ତାଙ୍କ କ୍ରୋଧ ଏବେ ସୁଦ୍ଧା ପ୍ରଶମିତ ହୋଇ ନ ଥିଲା। ଫଳରେ ଉଭୟଙ୍କୁ ବିମାନରୁ ଅଲଗା ଭାବରେ ଓହ୍ଲାଇବାକୁ ପଡ଼ିଥିଲା।
ଘଟଣାଟି ମାତ୍ର ଏତିକି, କେବଳ ଆଉ ଏକ ଦମ୍ପତିଙ୍କ ଭିତରେ କଳି ଝଗଡ଼ା। ହେଲେ ଆଜିର କୌତୂହଳୀ ସାମାଜିକ ଗଣମାଧ୍ୟମ ଏଭଳି ଏକ ଚଟପଟା ସମ୍ବାଦକୁ ହାତଛଡ଼ା କରିବାକୁ ପ୍ରସ୍ତୁତ ନ ଥିଲା। ତେଣୁ ଅଳ୍ପ ସମୟ ଭିତରେ ଏହା ହୋଇଗଲା ମାଧ୍ୟମଟିର ମୁଖ୍ୟ ଚର୍ଚ୍ଚିତ ଓ ବିଦ୍ରୂପାତ୍ମକ ଖବର। ଘଟଣାଟି ଅଭୂତପୂର୍ବ ଭାବେ ଭାଇରାଲ ହେବାର ଦେଖି ସ୍ୱୟଂ ମାକ୍ରନ ସଫେଇ ଦେଲେ, ‘‘ଆମେ ସ୍ୱାମୀ-ସ୍ତ୍ରୀ ଖାଲି ମଜାରେ ମଜାରେ ଏମିତି କରୁଥିଲୁ ନା! ଏଥିରେ କ’ଣ ଏମିତି ପୃଥିବୀ ପ୍ରତି ବିପତ୍ତି ମାଡ଼ିଆସିଲା ଯେ ସମସ୍ତେ ଏତେ ସବୁ କଳ୍ପନା-ଜଳ୍ପନାରେ ମାତିଛନ୍ତି?’’ 
ମାକ୍ରନଙ୍କ ପ୍ରଶ୍ନଟି ଅବଶ୍ୟ ଉପରକୁ ଯୁକ୍ତିସଙ୍ଗତ ଭଳି ଲାଗୁଛି, କିନ୍ତୁ ତାଙ୍କ କ୍ଷେତ୍ରରେ ପରିସ୍ଥିତିଟି ଟିକେ ଭିନ୍ନ ରକମର। ସବୁ ସ୍ତ୍ରୀମାନଙ୍କର ଘର ଭିତରେ ଥାଇ ସ୍ୱାମୀଙ୍କ ସାଥିରେ ସେମିତି ମିଛିମିଛିକା ଚାପୁଡ଼ା ବିନିମୟ କରିବାର ଅଧିକାର ରହିଛି। ଖାଲି ମିଛିମିଛିକା କାହିଁକି, ଆଜିର ଯୁଗରେ ଅନେକ କ୍ଷେତ୍ରରେ ଘରର ଗୋପନୀୟତା ଭିତରେ, କିମ୍ବା ବେଳେ ବେଳେ ସଭିଁଙ୍କ ସାମ୍ନାରେ, ସତସତିକା ହସ୍ତ ଚାଳନା ହେଉଥିବାର ଖବର ମଧ୍ୟ ବିରଳ ହୋଇ ରହି ନାହିଁ। ତେବେ ଅନେକ ସହନଶୀଳ ସ୍ୱାମୀ ଏହାକୁ ତାଙ୍କର ପତି ଭୂମିକା ପାଳନର ଏକ ‘ଅକୁପେସନାଲ ହାଜାର୍ଡ’ ବୋଲି ଗ୍ରହଣ କରିନେଇଛନ୍ତି। ଏହି ବୁଝାମଣା ଯୋଗୁଁ ଆଜି ଅନେକ ପରିବାରରେ ପାଣି ତଳେ କରାଳ ଜଳାବର୍ତ୍ତ ରହିଥିବା ସତ୍ତ୍ୱେ ପୃଷ୍ଠଦେଶରେ ପ୍ରଶାନ୍ତି ବିରାଜମାନ କରିପାରୁଛି। ହେଲେ ମାକ୍ରନଙ୍କ ପାଇଁ କଥାଟା ଏତେ ସରଳ ନୁହେଁ। ଗୃହ ଶାନ୍ତି ପାଇଁ ସେ ସେହି ସହନଶୀଳତାର ନୀତିକୁ ଆପଣେଇ ନେଇ ପାରିଥାନ୍ତି, ହେଲେ ଜଣେ ରାଷ୍ଟ୍ରମୁଖ୍ୟ ହିସାବରେ ସର୍ବସମକ୍ଷରେ ସ୍ତ୍ରୀଙ୍କ ପାଖରୁ ଚପଟାଘାତ ଖାଇବା (କେତେ ଲୋକ ତାହାକୁ ଚାପୁଡ଼ା ନ କହି ‘ଖୁନ୍ଦା’ ବା ‘ମୁଥ’ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି) ନିଶ୍ଚୟ ଲଜ୍ଜାଜନକ କଥା। 
ମାକ୍ରନଙ୍କର ଅବସ୍ଥାକୁ ଆହୁରି ଦୟନୀୟ କରି ପକାଉଛି ଚାପୁଡ଼ା ଖାଇବା କ୍ଷେତ୍ରରେ ତାଙ୍କର ନିକଟ ଅତୀତର ଇତିହାସ। ଚାରି ବର୍ଷ ତଳେ ନିଜ ଦେଶ ଭିତରେ ଲୋକଙ୍କ ସାଙ୍ଗରେ ସାକ୍ଷାତ କରୁଥିବା ବେଳେ ଜଣେ ସାଧାରଣ ନାଗରିକ ତାଙ୍କୁ ଶକ୍ତ ଚାପୁଡ଼ାଟିଏ ମାରିଥିଲା। ସେତେବେଳେ ମଧ୍ୟ ସାମାଜିକ ଗଣମାଧ୍ୟମ ଘଟଣାଟିରୁ ପ୍ରବଳ ମଜା ଉଠାଇଥିଲା। ସେତିକିରେ ଫ୍ରାନ୍‌ସର ରାଷ୍ଟ୍ରପତିଙ୍କ ଦୁର୍ଦ୍ଦଶା ସରିଥାନ୍ତା ଭଲା! ପୁଣି ଗତ ମାସରେ ଏକ ସାକ୍ଷାତ କାଳରେ ତୁର୍କୀର ଏକଛତ୍ରବାଦୀ ଶାସକ ଏର୍ଡୋଗାନ, ମାକ୍ରନଙ୍କ ବିଶି ଆଙ୍ଗୁଠିକୁ ଏତେ ଜୋରରେ ଓ ଏତେ ଦୀର୍ଘ ସମୟ ଧରି ଚାପି ଧରିଲେ ଯେ ବିଚରା ମାକ୍ରନ ନିଜ ହାତ ଓ ଆଙ୍ଗୁଳିକୁ ଫାଶମୁକ୍ତ କରି ନ ପାରି ଅସହାୟ ହୋଇ ଛିଡ଼ା ହୋଇ ରହିଥିଲେ। ଏର୍ଡୋଗାନ ହେଲେ ସେହି ବ୍ୟକ୍ତି ଯିଏ କିଛି ବର୍ଷ ତଳେ କହିଥିଲେ ଯେ ମାକ୍ରନଙ୍କ ମାନସିକ ଚିକିତ୍ସା କରିବା ନିହାତି ଜରୁରି। 
ବିମାନ ଭିତରେ ଚପଟାଘାତ ଘଟଣାଟିକୁ କିନ୍ତୁ ଅଧିକ ରୋଚକ ଓ ବହୁ ଚର୍ଚ୍ଚିତ କରିବାରେ ସହାୟକ ହୋଇଛି ମାକ୍ରନଙ୍କର ଅସାଧାରଣ ପ୍ରେମ ତଥା ବୈବାହିକ ସମ୍ପର୍କ। ତାଙ୍କର ସହଧର୍ମିଣୀ ତାଙ୍କଠୁ ୨୫ ବର୍ଷ ବଡ଼: ଏବେ ବିବିଙ୍କୁ ୭୨ ବେଳକୁ ମିଆଁଙ୍କୁ ୪୭। ନିଜ ପତ୍ନୀଙ୍କର ପ୍ରଥମ ପୁତ୍ର, ଅର୍ଥାତ୍ ମାକ୍ରନଙ୍କର ସାବତ ପୁଅ, ତାଙ୍କଠୁ ତିନି ବର୍ଷର ବଡ଼। ସେମାନଙ୍କର ପ୍ରଥମ ଦେଖା ହେବା ବେଳକୁ ମାକ୍ରନ ମାତ୍ର ୧୫ ବର୍ଷର ହୋଇଥିଲେ। ଭାବୀ ପତ୍ନୀ ଥିଲେ ଅଭିନୟ ଶିକ୍ଷୟିତ୍ରୀ ଓ ମାକ୍ରନ ତାଙ୍କର ଛାତ୍ର। ଅନ୍ୟର ବ୍ୟକ୍ତିଗତ ପସନ୍ଦକୁ ସମ୍ପୂର୍ଣ୍ଣ ରୂପେ ସମ୍ମାନ ଦେଖାଉଥିବା ଫ୍ରାନ୍‌ସ ଭଳି ଏକ ମୁକ୍ତ ସମାଜରେ ମଧ୍ୟ ସେମାନଙ୍କ ବିବାହକୁ ବୟସର ତାରତମ୍ୟ ଓ ଗୁରୁ-ଶିଷ୍ୟ ସମ୍ପର୍କ ଯୋଗୁଁ ବହୁଳ ଭାବରେ ଅସ୍ୱାଭାବିକ ବୋଲି ବିବେଚନା କରାଯାଇଥିଲା। ବୟସର ଅଙ୍କ ସବୁ ଯାହା ହୋଇଥାଉ ପଛେ, ପ୍ରଥମ ଦେଖାରେ ହିଁ ସେମାନଙ୍କର ପ୍ରେମ ହୋଇଯାଇଥିଲା ଓ ଅନେକ ବର୍ଷ ପରେ ବିବାହ ସମ୍ପନ୍ନ ହୋଇଥିଲା। ନିଜର ଗୁରୁ ପାଖରୁ ଖୁନ୍ଦା ଖାଇଲେ ତ କ’ଣ ବଡ଼ କଥା ହେଇଗଲା? ଘଟଣାଟି ଏମିତି କେତେ କ’ଣ ଛିଗୁଲା କଥାସବୁ ସୃଷ୍ଟି କରିଚାଲିଛି। ଦେଖାଯାଉ, ଏବକୁ ‘ଅଭ୍ୟାସଗତ ମାଡୁଆ’ର ଖ୍ୟାତି ଅର୍ଜି ସାରିଥିବା ଫରାସୀ ରାଷ୍ଟ୍ରମୁଖ୍ୟଙ୍କ ଭାଗ୍ୟରେ ଆଉ କ’ଣ ସବୁ ଲେଖା ଅଛି!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe