ଚିନ୍ମୟ ଚେତନା: ଚାରିଟା ଅଣଷଠି

Advertisment

ସାହିତ୍ୟ ସଭା ଆୟୋଜକଙ୍କ କଡ଼ା ତାଗିଦା, ବୈଠକ ଆରମ୍ଭ ହେବ ଚାରିଟା ଅଣଷଠିରେ ଆଉ ସରିବ ଛ’ଟା ଅଣତିରିଶିରେ। ପୁଣି କେହି ନ ଆସିଲେ ବି ଯାଏ ଆସେ ନାହିଁ, ସଭା ଚାରିଟା ଅଣଷଠିରେ ଆରମ୍ଭ ହେବ ମାନେ ହେବ। ୟାକୁ କହନ୍ତି ସଚ୍ଚା ଖେଳୁଆଡ଼ ମନୋଭାବ ବା ସ୍ପର୍ଟସ୍‌ମ୍ୟାନ ସ୍ପିରିଟ୍।

ସାହିତ୍ୟ ସଭା ଆୟୋଜକଙ୍କ କଡ଼ା ତାଗିଦା, ବୈଠକ ଆରମ୍ଭ ହେବ ଚାରିଟା ଅଣଷଠିରେ ଆଉ ସରିବ ଛ’ଟା ଅଣତିରିଶିରେ। ପୁଣି କେହି ନ ଆସିଲେ ବି ଯାଏ ଆସେ ନାହିଁ, ସଭା ଚାରିଟା ଅଣଷଠିରେ ଆରମ୍ଭ ହେବ ମାନେ ହେବ। ୟାକୁ କହନ୍ତି ସଚ୍ଚା ଖେଳୁଆଡ଼ ମନୋଭାବ ବା ସ୍ପର୍ଟସ୍‌ମ୍ୟାନ ସ୍ପିରିଟ୍।

dghdgdgdg

ଚିନ୍ମୟ ହୋତା

ସାହିତ୍ୟ ସଭା ଆୟୋଜକଙ୍କ କଡ଼ା ତାଗିଦା, ବୈଠକ ଆରମ୍ଭ ହେବ ଚାରିଟା ଅଣଷଠିରେ ଆଉ ସରିବ ଛ’ଟା ଅଣତିରିଶିରେ। ପୁଣି କେହି ନ ଆସିଲେ ବି ଯାଏ ଆସେ ନାହିଁ, ସଭା ଚାରିଟା ଅଣଷଠିରେ ଆରମ୍ଭ ହେବ ମାନେ ହେବ। ୟାକୁ କହନ୍ତି ସଚ୍ଚା ଖେଳୁଆଡ଼ ମନୋଭାବ ବା ସ୍ପର୍ଟସ୍‌ମ୍ୟାନ ସ୍ପିରିଟ୍। ଆଜିକାଲି ସାହିତ୍ୟ ସଭାଗୁଡ଼ିକରେ ଲୋକ ହେଉ ନାହାନ୍ତି ବୋଲି ଅନେକ ଆୟୋଜକ ମନ ଊଣା କରୁଛନ୍ତି, ଖାଦ୍ୟ ନଷ୍ଟ ହୋଇଗଲା ବୋଲି ହନ୍ତସନ୍ତ ହେଉଛନ୍ତି। ହେଲେ କହିଲେ ଦେଖି, ସାହିତ୍ୟ ଆଲୋଚନାରେ ଦର୍ଶକମାନଙ୍କର କ’ଣ ଆବଶ୍ୟକତା? ଅତିଥିମାନେ ଆଲୋଚନା କଲେ ତ ସେଇଟା ହେଲା ପ୍ରକୃତ ସାହିତ୍ୟ ସଭା, ଆଉ ଦର୍ଶକମାନେ ଅଡିଟରିଅମ ଭର୍ତ୍ତି କରି ଭକୁଆଙ୍କ ଭଳି ମଞ୍ଚକୁ ଚାହିଁ ରହିବା କ’ଣ ନିତାନ୍ତ ଜରୁରି? ଇୟେ କ’ଣ ରାଜନୈତିକ ସଭା ହେଇଛି ଯେ ବେଶୀ ଲୋକ ହେଲେ ନେତାଙ୍କ ପତିଆରା ଅଧିକ ବୋଲି ଜଣାପଡ଼ିବ, ନା ନାଟ ତାମସା ହେଇଛି ଯେ ନାଟଟିର ଲୋକପ୍ରିୟତା ପ୍ରତିଷ୍ଠା କରିବ?
ତା’ ଛଡ଼ା ଦର୍ଶକ ଯଦି ଗୋଟିଏ ସଭାକୁ ଆସି ପାରିଲେ ନାହିଁ ତେବେ ସେମାନଙ୍କର କ୍ଷତି ବା କ’ଣ? ଆଗକୁ ଆଉ କେଉଁ ସାହିତ୍ୟ ସଭାରେ ଯୋଗ ଦେଇ ସବୁ ସୁଧ ମୂଳ ସହ ଭରଣା କରିନେବେନି? କାରଣ ସେଠି ବି ତ ସେହି କେତେଜଣ ଚିହ୍ନା ବକ୍ତା ସେହି କେତୋଟି ପୁରୁଣା ବିଷୟ ସବୁ ଦୋହରାଉଥିବେ, ଯେମିତି ଓଡ଼ିଆ ‘ଅସ୍ମିତା’ର ସଙ୍କଟ, ଓଡ଼ିଆ ଭାଷାର ଦୁର୍ଗତି, ଓଡ଼ିଆ ବହି ପଢ଼ିବା ପାଇଁ ପାଠକଙ୍କ ମରୁଡ଼ି ଇତ୍ୟାଦି। 
ସେ ଯାହା ବି ହେଉ, ସେଇ ଚାରିଟା ଅଣଷଠି ଆଉ ଛ’ଟା ଅଣତିରିଶିର ଅଭେଦ୍ୟ ରହସ୍ୟ ସେଦିନ ମୋ ମନକୁ କବ୍‌ଜା କରି ରଖିଥିଲା। ଆମେ ତ ସବୁବେଳେ ପୂର୍ଣ୍ଣାଙ୍ଗ ଘଣ୍ଟା କିମ୍ବା ଦେଢ଼, ଅଢ଼େଇ କିମ୍ବା ସାଢ଼େ ସଂଯୁକ୍ତ ସଂଖ୍ୟାଗୁଡ଼ିକ ସହ ପରିଚିତ। ଆମ ଚାଲିଚଳଣିରେ ବୃତ୍ତାକାର ସଂଖ୍ୟା ବା ରାଉଣ୍ଡ ନମ୍ବରର ରାଜୁତି। ଶୂନରେ ସରୁ ନ ଥିବା ସଂଖ୍ୟା କେବଳ ଆମର ଗଣିତ ବହିରେ କିମ୍ବା ସରକାରୀ ପରିସଂଖ୍ୟାନରେ ଆମେ ଦେଖିବାକୁ ପାଉ। ତେବେ ଅୟୋଜକଙ୍କର ଏହି ନ’ ପ୍ରୀତି ଆସିଲା କୁଆଡୁ? ଆମ ଜୀବନରୁ ଶୂନର ଜୁଲୁମବାଜି ବିରୋଧରେ ବିଦ୍ରୋହ ଡାକରା ଦେଇ ପାରିଥିବାରୁ ଆୟୋଜକଙ୍କୁ ମନେ ମନେ ଧନ୍ୟବାଦ ଜଣାଇଲି। 
ହେଲେ ନ’ରେ ସରୁଥିବା ସଂଖ୍ୟା କାହିଁକି- ତିନି, ସାତ କିମ୍ବା ଆଠ କାହିଁକି ନୁହେଁ, ଯେଉଁ ସଂଖ୍ୟାଗୁଡ଼ିକୁ ଆମ ସଂସ୍କୃତିରେ ମଙ୍ଗଳକାରକ ବୋଲି ଗଣାଯାଏ? ଚାରିଟା ତେପନ କିମ୍ବା ଛ’ଟା ସତେଇଶି ତ ହୋଇପାରିଥାନ୍ତା। ପୁଣି ସମୟ ଶେଷରେ ନ’ ବଦଳରେ ଏକ ବି ରହି ପାରିଥାନ୍ତା। ଆମ ଦେଶରେ ଉପହାର କିମ୍ବା ଚାନ୍ଦା ଦେଲାବେଳେ ଏକ ଟଙ୍କା ଯୋଡ଼ି ଦେବାର ପ୍ରଥାଟି ବେଶ ଲୋକପ୍ରିୟ ହେଲାଣି। କାଳେ ଦରକାର ବେଳେ ଟଙ୍କାଟିଏ ମିଳିବ ନାହିଁ ବୋଲି ବୁଦ୍ଧିଆ ଉପହାର-ଲଫାପା ପ୍ରସ୍ତୁତକାରୀମାନେ ଖାମରେ ଟଙ୍କାକିଆ ମୁଦ୍ରାଟି ଖୋସି ଦେଇ ଗ୍ରାହକ ସେବାର ପରାକାଷ୍ଠା ପ୍ରଦର୍ଶନ କରିଥାନ୍ତି। ଏକରେ ଶେଷ ହେଉଥିବା ସଂଖ୍ୟାଟି ପ୍ରତି ଏହି ଅହେତୁକ ଦରଦ ମୋତେ ଅନେକ କାଳ ଧରି କୌତୂହଳୀ କରି ରଖିଥିଲା। ପରେ ଜଣେ ସଂସ୍କୃତି ବିଶାରଦ ବ୍ୟାଖ୍ୟା କରିଥିଲେ ଯେ ଏକ ଟଙ୍କା ଦେବା ଦ୍ୱାରା ଆପଣ ଦର୍ଶାଉଛନ୍ତି ଯେ ଆପଣଙ୍କର ଶୁଭେଚ୍ଛାର ଧାରା ଚିରନ୍ତନ, ଅର୍ଥାତ୍ ଆଗକୁ ମଧ୍ୟ ଆପଣଙ୍କ ମଙ୍ଗଳକାମନା ବଳବତ୍ତର ରହିବ। ମୁଁ ଉଶ୍ୱାସ ହେଲି, ଯାହା ହେଉ ବିଶାରଦ ଖାଲି ଶୁଭେଚ୍ଛା ଓ ମଙ୍ଗଳକାମନା ବୋଲି କହିଥିଲେ, ଉପହାର ରାଶି କଥା କହି ନ ଥିଲେ। ଶୁଭେଚ୍ଛା ଓ ଆଶୀର୍ବାଦ ମୁଁ ଅନନ୍ତ କାଳ ପାଇଁ ଦେବାକୁ ପ୍ରସ୍ତୁତ। 
ନ’ ସଂଖ୍ୟାଟି କାହିଁକି ସବୁ ନକାରାତ୍ମକ କଥାଗୁଡ଼ିକ ମନେ ପକାଇଦିଏ। ଯେମିତି ନ’ଅଙ୍କ ଦୁର୍ଭିକ୍ଷର ବିଭୀଷିକା, ‘ନ, ଛ, ତେର, କେବେ ନ ଯିବୁ ଘର’ର ସାବଧାନ ବାଣୀ, ଉଣିଶ-ବିଶ ତୁଳନା କଲା ବେଳେ ଉଣିଶର ଊଣା ଭାବ ଇତ୍ୟାଦି। କ୍ରିକେଟ୍‌ରେ ଅନେଶ୍ୱତ ରନରେ ଆଉଟ ହୋଇଗଲେ ଶତକରୁ ବଞ୍ଚିତ ହେବାର ଗ୍ଳାନି ଖେଳାଳିକୁ ଅନେକ କାଳ ଧରି ଆବୋରି ବସେ। ପୁଣି ରହିଛି ମୃତ୍ୟୁ କାଳରେ ଅଣଚାଶ ପବନ ବହିବା କଥା। ଅବଶ୍ୟ ଏଗୁଡ଼ିକର ବ୍ୟତିକ୍ରମ ହୋଇ ଠିଆ ହୁଏ ନୂତନ ଜୀବନକୁ ସମ୍ଭବ କରୁଥିବା ନ’ ମାସ ନ’ ଦିନର ଗର୍ଭ ଧାରଣ। 
କିନ୍ତୁ ନ’ ସଂଖ୍ୟାକୁ ନେଇ ସବୁଠୁ ବଡ଼ ସଫଳତା ହାସଲ କରିଥିଲା ଅନେକ ଦଶକ ତଳେ ସେତେବେଳର ଏକ ନମ୍ବର ଜୋତା କମ୍ପାନି, ବାଟା। କୌଣସି ଜଣେ ପ୍ରତିଭାଧର ବ୍ୟକ୍ତି ସଂସ୍ଥାକୁ ପ୍ରସ୍ତାବ ଦେଲେ ଯେ ପ୍ରତ୍ୟେକ ଜୋତାର ମୂଲ୍ୟ ଗୋଟିଏ ପଇସା କମ୍ କରି ଲେଖାଯାଉ। ଅର୍ଥାତ୍ ପାଞ୍ଚ ଶହ ଟଙ୍କାର ଜୋତାକୁ ୪୯୯ ଟଙ୍କା ୯୯ ପଇସା। ଏହି କୌଶଳଟି ବାଣିଜ୍ୟିକ ଧୀଶକ୍ତିର ମଣିଷର ମନସ୍ତତ୍ତ୍ୱ ଉପରେ ପ୍ରଚଣ୍ଡ ପ୍ରଭାବର ଉଦାହରଣ ହୋଇ ରହିଗଲା। ଗ୍ରାହକ ଭାବିଲା ସେ ପାଞ୍ଚ ଶହ ଟଙ୍କାର ଜୋତାକୁ ଅନେକ ରିହାତିରେ ପାଇ ଚାରି ଶହ ଟଙ୍କାରେ ଖରିଦ କରୁଛି, ଯଦିଓ ସେ ବଞ୍ଚାଉ ଥିଲା ମାତ୍ର ଏକ ପଇସା। 
ବାଟା କମ୍ପାନି ପରେ ନ’ ସଂଖ୍ୟାଟିର ଆଉ ଏକ ସଫଳତାର ଦୃଷ୍ଟାନ୍ତ ମୁଁ ପାଇଲି ସେଦିନ, ଯେତେବେଳେ ସାହିତ୍ୟ ଆସର ଆରମ୍ଭ ହେବା ସମୟ ଚାରିଟା ଅଣଷଠିରୁ ପୂରା ପାଞ୍ଚ ମିନିଟ ପୂର୍ବରୁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲି। ସେଠି ଦେଖିଲି ଯେ ଅନେକ ଲୋକ ଗେଟ ବାହାରେ ଭିଡ଼ ଜମାଇଛନ୍ତି ଗେଟ ଖୋଲାକୁ ଅପେକ୍ଷା କରି। ବୁଝା ବୁଝି କରି ଜାଣିଲି ସେମାନେ ସମସ୍ତେ ସାହିତ୍ୟପ୍ରେମୀ, ଠିକ୍ ସମୟରେ ନିଜ ନିଜ ଆସନ ଅଧିକାର କରି ନିଜର ସମୟ ଶୃଙ୍ଖଳା ପ୍ରମାଣ କରିବାକୁ ଉତ୍ସାହୀ। ଏହି ସମୟରେ ଆୟୋଜକମାନେ ସହାସ୍ୟ ବଦନରେ ଗେଟ୍ ସେପଟେ ଉଭା ହୋଇ ଗେଟ୍ ଖୋଲିଦେଲେ। ସମୂହ ସାହିତ୍ୟପ୍ରେମୀ ତରବରିଆ ଭାବରେ ଭିତରକୁ ଦୌଡ଼ି ଯାଇ ଆସନ ଗ୍ରହଣ କରିନେଲେ। 
ଦୁଇ ମିନିଟ ଭିତରେ ଜଗନ୍ନାଥଙ୍କ ପାଖରେ ଦୀପ ଜଳିଲା। ମୁଁ ମୋ ହାତ ଘଣ୍ଟାକୁ ଚାହିଁଲି। ବାଜିଥିଲା ଠିକ୍‌ ଚାରିଟା ଅଣଷଠି!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe