ଚିନ୍ମୟ ଚେତନା: ଚଞ୍ଚଳା ଚଉକି

Advertisment

ଉତ୍ତରପ୍ରଦେଶ ସରକାରଙ୍କ ନୂଆ ତାଗିଦା- ଯଦି ବିଧାୟକମାନେ କୌଣସି କାର୍ଯ୍ୟାଳୟକୁ କିଛି କାମରେ ଯାଆନ୍ତି, ତେବେ ସରକାରୀ ବାବୁମାନେ ସେମାନଙ୍କୁ ବସିବା ପାଇଁ ତାଙ୍କ ନିଜ ଭଳିଆ କୁର୍ସିଟିଏ ଦେବେ।

ଉତ୍ତରପ୍ରଦେଶ ସରକାରଙ୍କ ନୂଆ ତାଗିଦା- ଯଦି ବିଧାୟକମାନେ କୌଣସି କାର୍ଯ୍ୟାଳୟକୁ କିଛି କାମରେ ଯାଆନ୍ତି, ତେବେ ସରକାରୀ ବାବୁମାନେ ସେମାନଙ୍କୁ ବସିବା ପାଇଁ ତାଙ୍କ ନିଜ ଭଳିଆ କୁର୍ସିଟିଏ ଦେବେ।

dagdaggadadg

ଉତ୍ତରପ୍ରଦେଶ ସରକାରଙ୍କ ନୂଆ ତାଗିଦା- ଯଦି ବିଧାୟକମାନେ କୌଣସି କାର୍ଯ୍ୟାଳୟକୁ କିଛି କାମରେ ଯାଆନ୍ତି, ତେବେ ସରକାରୀ ବାବୁମାନେ ସେମାନଙ୍କୁ ବସିବା ପାଇଁ ତାଙ୍କ ନିଜ ଭଳିଆ କୁର୍ସିଟିଏ ଦେବେ। ରାଜ୍ୟର ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଜାରି ଏହି ସଦ୍ୟତମ ନିର୍ଦ୍ଦେଶାବଳୀ (ଏ ଭିତରେ ବିଧାୟକମାନଙ୍କ ଖାତିରଦାରି ସମ୍ବନ୍ଧୀୟ ଦଶଟି ସରକାରୀ ନିର୍ଦ୍ଦେଶ ଜାରି ହୋଇସାରିଛି) ଅନୁସାରେ ବାବୁଙ୍କ ଚେୟାର ଓ ବିଧାୟକଙ୍କୁ ପ୍ରଦତ୍ତ ଚେୟାର ଭିତରେ ସାମାନ୍ୟତମ ଫରକ ଯେମିତି ନ ରହେ! ଏ କଥା ଅଫିସ ମୁଖ୍ୟ ନିଶ୍ଚିତ କରିବେ। ଅର୍ଥାତ୍ ଅଧିକାରୀ ଦାମୀ ଗଦି ଅଣ୍ଟାଯାଇଥିବା ‘ସ୍ବିଭେଲ’ ବା ଘୂରା ଚଉକିରେ ବସି ବିଧାୟକଙ୍କୁ ଯେମିତି ପ୍ଲାଷ୍ଟିକ୍ କିମ୍ବା ଲୋକାଲ୍ ତିଆରି କୁର୍ସି ନ ଦିଅନ୍ତି! ନିର୍ଦ୍ଦେଶନାମାରେ ଉଦାହରଣ ଦେବାକୁ ଯାଇ ଉଲ୍ଲେଖ କରାଯାଇଛି ଯେ ଯଦି ଅଧିକାରୀଙ୍କ ଚଉକିର ପୃଷ୍ଠଦେଶ ସୁରମ୍ୟ ତଉଲିଆ ଦ୍ୱାରା ମଣ୍ଡିତ ହୋଇଥିବ, ତେବେ ମହାମାନ୍ୟ ଆଗନ୍ତୁକଙ୍କ ଚଉକି ମଧ୍ୟ ତାଦୃଶ ହେବା ଚାହି। 
ଉପରୋକ୍ତ ଘଟଣାଟି ଚଉକି ପ୍ରତି ଉଭୟ ନେତା ଓ ବାବୁମାନଙ୍କର ସର୍ବବିଦିତ ଅତିଶୟ ଆସକ୍ତିକୁ ଦୋହରାଉଛି ମାତ୍ର! ହେଲେ, ଚଉକି ପ୍ରତି ଏହି ଅହେତୁକ ଆକର୍ଷଣଟି କାଳ କାଳର ଓ ଏହାକୁ ନେଇ ଅନେକ ଛୋଟବଡ଼ ଝଡ଼ମାନ ଦେଖାଦିଏ, ଯେବେ ତେବେ। ଏଇ ଦେଖନ୍ତୁନା, ସେଦିନ କେମିତି ମଧ୍ୟପ୍ରଦେଶର ଏକ କଂଗ୍ରେସୀ ନିର୍ବାଚନ ସଭାରେ ହଠାତ୍ ଛୋଟକାଟିଆ ଫାଇଲିନ୍ ବାତ୍ୟାଟିଏ ମାଡ଼ିଆସିଲା। ସେଓପୁର ବିଧାୟକ ବାବୁ ଜାଣ୍ଡେଲ ସଭାକୁ ଡକା ହୋଇଥିଲେ ସତ, ହେଲେ ମଞ୍ଚରେ ବସିବା ପାଇଁ ତାଙ୍କୁ ଚେୟାର ଦିଆଗଲା ନାହିଁ। ଏମିତି ଅବହେଳା ଯୋଗୁ କ୍ରୁଦ୍ଧ ଜାଣ୍ଡେଲ କରନ୍ତେ ବା କ’ଣ? ସେ ସିଧା ମଞ୍ଚ ଉପରକୁ ଉଠିଯାଇ ସେଠି ଭୂଇଁରେ ଚକାମାଡ଼ି ବସିରହିଲେ। ଜଣେ ନେତାକୁ ତା’ର କୁର୍ସିରୁ ବଞ୍ଚିତ କରିବା ଯେ କେତେ ବିପଜ୍ଜନକ, ତାହା ଉପସ୍ଥିତ ପ୍ରତିଦ୍ବନ୍ଦ୍ବୀମାନେ ଅଚିରେ ବୁଝିଗଲେ। 
କିନ୍ତୁ ଏ ଦିଗରେ ସେତେବେଳକୁ ଆମ ରାଜ୍ୟର ରାଜନୀତିରେ ବିଧିବଦ୍ଧ ଭାବେ ଯୋଗ ଦେଇ ନଥିବା ଜଣେ ଅଧିକାରୀ ଜଣେ ପରିପକ୍ବ ରାଜନୀତିଜ୍ଞ ଭଳି ଆଚରଣ ଦେଖାଉଥିଲେ। ନବୀନ ପଟ୍ଟନାୟକଙ୍କ ଅତି ନିକଟର ସହଯୋଗୀ ପାଣ୍ଡିଆନ ଯେତେବେଳେ ସାରା ରାଜ୍ୟ ଚକ୍‌କର କାଟି ଲୋକଙ୍କ ଠାରୁ ଅଭିଯୋଗ ପତ୍ରସବୁ ସଂଗ୍ରହ କରୁଥିଲେ, ସେ ତାଙ୍କ ସଭାମଞ୍ଚରେ ଆଉ କେହି ମଞ୍ଚାସୀନ ହେବା ପାଇଁ ଚଉକିର ବ୍ୟବସ୍ଥା ରଖୁ ନ ଥିଲେ। ସେ ନିଜେ ବସୁ ନ ଥିଲେ କି କାହାକୁ ବସିବାକୁ ସୁଯୋଗ ଦେଉ ନ ଥିଲେ। ବିଶାଳ ମଞ୍ଚର ଏକଲା ଅଧୀଶ୍ୱର ଭାବେ ସେ କାମ ଚଳାଇ ନେଉଥିଲେ। ଯେଉଁ ଅଞ୍ଚଳର ଗୁହାରି ଶୁଣିବାକୁ ଯାଉଥିଲେ, ସେ ଅଞ୍ଚଳର ଜନପ୍ରତିନିଧି, ଯେମିତିକି ବିଧାୟକ, ସାଂସଦ ବା ମନ୍ତ୍ରୀମାନଙ୍କୁ ସେ ମଞ୍ଚ ତଳେ ନିରାପଦ ଦୂରତାରେ ରଖୁଥିଲେ ଏବଂ ତମ୍ବୁ ପୋତିବା, ଚେୟାର ପକେଇବା କିମ୍ବା ସଭା ସ୍ଥଳକୁ ଟ୍ରାଫିକ୍ ନିୟନ୍ତ୍ରଣ କରିବା ଇତ୍ୟାଦି କାମରେ ନିୟୋଜିତ କରୁଥିଲେ। ସେହି ଅଧିକାରୀ ଅନ୍ୟ ନେତାମାନଙ୍କ ଲାଗି ଚଉକିର ବ୍ୟବସ୍ଥା ପ୍ରତି ଏତେ ବୀତସ୍ପୃହ ଥିଲେ ଯେ ନିଜେ ସକ୍ରିୟ ରାଜନୀତିକୁ ଆସିବା ପରେ ମଧ୍ୟ ତାଙ୍କର ଚଉକି ହରଣ ନୀତିଟି ବଜାୟ ରଖିଥିଲେ। କେତେକ ଟିକଟ୍ ପାଇଥିବା ତଥା ପୁରୁଖା ନେତାମାନଙ୍କୁ ମଧ୍ୟ ସେ ନିର୍ବାଚନୀ ସଭା ମଞ୍ଚରୁ ନିର୍ଦ୍ଦୟ ଭାବରେ ବିତାଡ଼ିତ କରୁଥିବାର ଦୃଶ୍ୟ ଲୋକେ ଭିଡିଓରୁ ଦେଖିବାକୁ ପାଇଥିଲେ। ଜଣେ ନେତାଙ୍କ ପାଇଁ ଚଉକି ହରଣଠୁ ବଡ଼ ଦୁର୍ଦ୍ଦଶା ଆଉ କିଛି ହୋଇ ନ ପାରେ! କାରଣ ଚଉକିକୁ ନେଇ ହିଁ ନେତାଙ୍କ ପରିଚୟ। ଯାହା ବି ହେଉ ଉପରୋକ୍ତ ଅଧିକାରୀ-ତଥା-ନବ୍ୟ-ରାଜନୀତିଜ୍ଞ ହୁଏତ ଏତେ ଜଣକୁ ମାନସିକ ଯନ୍ତ୍ରଣା ଦେଇଥିବାରୁ ‘କାବ୍ୟିକ ନ୍ୟାୟ’ (ପୋଏଟିକ୍‌ ଜଷ୍ଟିସ୍‌) ବଳରେ ନିଜର ବହୁ ଅଭିଳଷିତ ସିଂହାସନଟି ହରାଇବସିଲେ। 
ଏପରି ଅନିଶ୍ଚିତତା ହିଁ କୁର୍ସିର ଏକ ବଡ଼ ବୈଶିଷ୍ଟ୍ୟ- ଏହା କେତେବେଳେ ଯେ ଜଣକ ପାଖରୁ ଖସି ଚାଲିଯିବ, ତାହା କହିବା ମୁସ୍କିଲ! ଏଣୁ ଜ୍ଞାନୀଗୁଣୀମାନେ ଗୋଟିଏ କଥା କହିଛନ୍ତି, ‘ଆଜି ଯେ ରାଜେନ୍ଦ୍ରାସନେ, କାଲି ସେ ଫକୀର।’ ଆସନ ଚିଜଟାର ଏହି କ୍ଷଣସ୍ଥାୟିତ୍ବ ପାଇଁ ବୋଧେ ଥରେ ମିଳିଲେ, ତା’କୁ ଧରି ରଖିବା ପାଇଁ ଯେତେ ସବୁ ଚେଷ୍ଟା। ଏମିତି ଏକ ସାଦାସିଧା ପ୍ରଚେଷ୍ଟା କେତେକ କାର୍ଯ୍ୟାଳୟରେ କିଛି କର୍ମଚାରୀ, କଚେରିରେ ଓକିଲ ଓ ଅନ୍ୟାନ୍ୟ ସେବାପ୍ରଦାନକାରୀମାନେ ଚଉକିର ଗୋଡ଼କୁ ଜଞ୍ଜିରରେ ତାଲା ପକେଇ ରଖିଥିବାର ଦେଖାଯାଏ। ହେଲେ, ଯେତେ ଶକ୍ତ ରଜ୍ଜୁରେ ବାନ୍ଧି ରଖିଲେ କ’ଣ ହେଲା, ବେଳେ ବେଳେ ଚଉକି ସୁରକ୍ଷିତ ଥାଇ ମଧ୍ୟ ବସିବା ଲୋକଟିର ବଦଳି ହୋଇଯାଏ ବା କାର୍ଯ୍ୟାଳୟ ନୂଆ ପ୍ରାଙ୍ଗଣକୁ ସ୍ଥାନାନ୍ତରିତ ହୋଇଯାଏ।
ଚଉକି ସଦା ଚଞ୍ଚଳା। ମୋଗଲ୍ ସମ୍ରାଟ୍ ଶାହାଜାହାନ ତାଙ୍କର କ୍ଷମତା ଓ ମର୍ଯ୍ୟାଦା ମୁତାବକ ହୀରା, ମଣି, ମୁକ୍ତା ଓ କିଲୋ କିଲୋ ସୁନାରେ ଯେଉଁ ମୟୂର ସିଂହାସନ ତିଆରି କରିଥିଲେ, ତାହା ସମ୍ପୂର୍ଣ୍ଣ ହେବାକୁ ସାତ ବର୍ଷ ଲାଗିଥିଲା ଓ ଏଥିରେ ତାଜମହଲଠୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ମାତ୍ର କେତେ ପୁରୁଷ ପରେ ସିଂହାସନଟି ଲୁଣ୍ଠିତ ହୋଇ ଦେଶ ବାହାରକୁ ଚାଲିଗଲା। ସେମିତି ବତ୍ରିଶ ସିଂହାସନର କିଂବଦନ୍ତି ଅନୁସାରେ, ଏକଦା ନ୍ୟାୟାବନ୍ତ ସମ୍ରାଟ ବିକ୍ରମାଦିତ୍ୟଙ୍କ ଦ୍ବାରା ବ୍ୟବହୃତ ଏହି ସିଂହାସନଟି ଅନେକ କାଳ ପରେ ରାଜା ଭୋଜଙ୍କ ହାତକୁ ଆସିଲା। ହେଲେ ତାଙ୍କ ପାଖରେ ବିକ୍ରମାଦିତ୍ୟଙ୍କ ସଦୃଶ ଗୁଣ ନ ଥିବାର ସୂଚନା ଦେଇ ସିଂହାସନରେ ଶୋଭା ପାଉଥିବା ବତିଶଟି ଯାକ ଅପସରା ଉଡ଼ି ଚାଲିଗଲେ। ସିଂହାସନଟି ତା’ର ଅସଲି ମହତ୍ତ୍ୱ ହରାଇଲା। ଇଂରେଜ ଶାସକମାନେ କିଛି ସମ୍ଭ୍ରାନ୍ତ ଭାରତୀୟଙ୍କୁ ‘କୁର୍ସି ନସିନ’ ପ୍ରମାଣପତ୍ର ଜାରି କରୁଥିଲେ, ଯାହା ଦ୍ୱାରା ସେମାନେ କୌଣସି କାର୍ଯ୍ୟାଳୟ ବା ସଭାସମିତିକୁ ଗଲେ ତାଙ୍କୁ ବସିବାକୁ ଚେୟାର ମିଳୁଥିଲା। 
ଉପନିବେଶବାଦ ସମୟର ଏ ବ୍ୟବସ୍ଥା ହେଉ କି ଆଜିର ସ୍ୱାଧୀନ ଭାରତରେ ସରକାରୀ ନିର୍ଦ୍ଦେଶନାମା ମାଧ୍ୟମରେ କୁର୍ସି ଯୋଗାଣର ବ୍ୟବସ୍ଥା ହେଉ; ଚେୟାରଟିଏ ପାଇଁ ମଣିଷ ସବୁବେଳେ ବିକଳ, ସେ ଜଣେ ଲୋକ ପ୍ରତିନିଧି ହୁଅନ୍ତୁ ଅବା ସର୍ବସାଧାରଣ! 
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe