ଯଦି ଆଗକୁ ପାକିସ୍ତାନ କିମ୍ବା ଚୀନ ସହ ଯୁଦ୍ଧର ସମ୍ଭାବନା ନାହିଁ, ଉପଦ୍ରୁତ ଅଞ୍ଚଳରେ ସନ୍ତ୍ରାସବାଦୀମାନଙ୍କୁ ନିପାତ କରିବାର ଆବଶ୍ୟକତା ନାହିଁ କିମ୍ବା ନିର୍ବାଚନ ପରିଚାଳନା କରିବାର ଦାୟିତ୍ୱ ନାହିଁ, ତେବେ ସରକାର କିଛି ସହର, ରେଳ ଷ୍ଟେସନ, ରାସ୍ତା କିମ୍ବା ଅନୁଷ୍ଠାନ ଗୁଡ଼ିକର ନାଁ ବଦଳାଇ ସମୟର ଯଥାର୍ଥ ଉପଯୋଗ କରିଥାଆନ୍ତି।
ନାଁ ବଦଳେଇବାର କାମଟିକୁ ନେତାମାନେ ବେଶ୍ ଉପଭୋଗ କରିଥାଆନ୍ତି। ହୁଏତ ଏହାଦ୍ୱାରା ନେତାଙ୍କ ମନରେ ଏକ ଆଶ୍ୱାସନା ସୃଷ୍ଟି ହୋଇଥାଏ ଯେ ସେ ଇତିହାସକୁ ବଦଳାଇ ପାରନ୍ତି। ଏହା ଐଶ୍ୱରିକ ଶକ୍ତିର ସମତୁଲ। ପୁଣି ନୂଆ ନାଁ ବାଛିଲାବେଳେ ନେତା ଜଣେ ସ୍ରଷ୍ଟାର ଆତ୍ମସନ୍ତୋଷ ପାଇଥାନ୍ତି। ଅବଶ୍ୟ ବେଳେବେଳେ ନାଁ ଦେଇଦେଇ କର୍ତ୍ତୃପକ୍ଷ ତାଙ୍କ କଳ୍ପନା ଶକ୍ତିକୁ ଏମିତି ଚିପୁଡ଼ି ସାରିଥାଆନ୍ତି ଯେ ଶେଷରେ ଗୋଟିଏ ଛକରୁ ବାହାରିଥିବା ଦୁଇଟି ରାସ୍ତାକୁ ‘ଦିସ୍ ଷ୍ଟ୍ରିଟ’ (ଏହି ମାର୍ଗ) ଓ ‘ଦ୍ୟାଟ୍ ଷ୍ଟ୍ରିଟ’ (ସେହି ମାର୍ଗ) ବୋଲି ନାମିତ କରି ତାଙ୍କର ଦାୟିତ୍ୱ ସମ୍ପନ୍ନ କରନ୍ତି।
ନାଁ ବଦଳା ଘଟଣାର ବେଗ ଆଜିକାଲି ବଢ଼ିଛି ସିନା, ହେଲେ ଇତିହାସରେ କେବେ ବି ଏହା ନିଷ୍କ୍ରିୟ ଅବସ୍ଥାରେ ନ ଥିଲା। ଅତୀତର ମୁସଲମାନ ଶାସକମାନେ କ୍ଷମତା ଜାହିର କରିବା ପାଇଁ ହେଉ କି ନିଜ ଧର୍ମର ଟେକ ରଖିବା ପାଇଁ ହେଉ, ତାଙ୍କ ସମୟରେ ଅନେକ ସହର ଓ ରାଜ୍ୟଗୁଡ଼ିକର ନାମ ବଦଳ କରୁଥିଲେ। ସେମିତି ଇଂରେଜମାନେ ନିଜର ପ୍ରତିଷ୍ଠା ବଢ଼ାଇବା ପାଇଁ ସହର, ରେଳ ଷ୍ଟେସନ, ରାସ୍ତାଘାଟ, ପାର୍କ, ମ୍ୟୁଜିଅମ୍ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡ଼ିକର ନାମକୁ ସାହେବୀ ନାମ ଦେଇଚାଲିଲେ। କିନ୍ତୁ ନାଁ ବଦଳା କ୍ଷେତ୍ରରେ ଏକ ସୁନାମି ଆସି ପହଞ୍ଚିଗଲା ସ୍ୱାଧୀନତା ପରେ। ଦେଶପ୍ରେମରେ ରଂଜିତ ଏ ଦେଶ ସେତେବେଳେ ସାହେବୀ ନାଁଗୁଡ଼ିକୁ କେମିତି ବା ବରଦାସ୍ତ କରନ୍ତା? ତେଣୁ ସେଗୁଡ଼ିକୁ ଟପାଟପ ଅଳିଆ ଡବାରେ ଫିଙ୍ଗି ଦେଇ ସ୍ୱାଧୀନତା ସଂଗ୍ରାମୀମାନଙ୍କର ନାମରେ ନାମିତ କରାଗଲା। ହେଲେ, ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଲୋକପ୍ରିୟତା ଏତେ ଅଧିକ ଥିଲା ଯେ ତାଙ୍କରି ନାଁ ବ୍ୟତିରେକେ କର୍ତ୍ତୃପକ୍ଷଙ୍କୁ ଆଉ କାହାରି ନାଁ ମନେ ପଡ଼ିଲା ନାହିଁ, ତେଣୁ ଅଧିକାଂଶ ନୂଆ ଜାଗାରେ ଗାନ୍ଧୀଙ୍କ ନାମ ହିଁ ରଖାଗଲା। ଏମିତି କ୍ବଚିତ୍ ସହର ଥିବ, ଯେଉଁଠି ‘ମହାତ୍ମା ଗାନ୍ଧୀ ମାର୍ଗ’ଟିଏ ନ ଥିବ!
ସେ ସମୟର ନାଁ ବଦଳା ଓ ଇଂରେଜ ଶାସନର ପ୍ରତୀକଗୁଡ଼ିକୁ ବର୍ଜନ କରିବାକୁ ନେଇ କାଳ୍ପନିକ ସହର ‘ମାଲଗୁଡ଼ି’ରେ ଘଟିଥିବା ବିଶୃଙ୍ଖଳାର ସୁନ୍ଦର ଚିତ୍ର ପ୍ରଦାନ କରିଛନ୍ତି ଆର. କେ. ନାରାୟଣ, ତାଙ୍କ ‘ଲୋଲି ରୋଡ୍’ ଗଳ୍ପରେ। ‘ପୁରୁଣା ରାସ୍ତାଗୁଡ଼ିକ କୁଆଡ଼େ ଉଭେଇଗଲେ। ସେମାନଙ୍କ ସ୍ଥାନରେ ଦେଖାଦେଲେ ମନ୍ତ୍ରୀ, ଉପମନ୍ତ୍ରୀ ଓ କଂଗ୍ରେସ କମିଟି ସଭ୍ୟଙ୍କ ନାମଧାରୀ ରାସ୍ତାମାନ, ଏମିତିକି ଗୋଟିଏ ନାମ ଚାରି ଥର ବ୍ୟବହୃତ ହୋଇଥିବା ସତ୍ତ୍ୱେ।’ ଲେଖକଙ୍କ ବର୍ଣ୍ଣନା ଅନୁସାରେ ଏସବୁର ଫଳାଫଳ ହିସାବରେ ସହରରେ ଅରାଜକତା ବ୍ୟାପିଗଲା। ଚିଠିଗୁଡ଼ିକ ଯୁଆଡ଼େ ଯିବା କଥା ନୁହେଁ, ସେଆଡ଼େ ଚାଲିଗଲା। ଲୋକମାନେ ନିଜେ କେଉଁଠି ରହନ୍ତି, କାହାକୁ ବୁଝେଇ ପାରିଲେ ନାହିଁ କି ଅନ୍ୟମାନଙ୍କୁ ସେମାନେ ପଚାରୁଥିବା ଠିକଣା ବିଷୟରେ କିଛି କହିପାରିଲେ ନାହିଁ।
କଂଗ୍ରେସ ଦଳ ସ୍ୱାଧୀନତା ସମୟରେ ଓ ପରେ ଭାରତକୁ ବହୁ ବର୍ଷ ଧରି ଶାସନ କରୁଥିଲା ଓ ନାଁ ଦେବାର ଏକଚାଟିଆ ଅଧିକାର ସେହି ଦଳର ହିଁ ଥିଲା। ମହାତ୍ମା ଗାନ୍ଧୀଙ୍କ ପରେ ନେହରୁ ଓ ତାଙ୍କର ଦାୟାଦମାନଙ୍କର ନାଁ ଦେଶ ସାରା ଭରିଗଲା। ଏମିତି କି ମୁମ୍ବାଇର ଜାତୀୟ ପାର୍କର ନାମ ମଧ୍ୟ ସଞ୍ଜୟ ଗାନ୍ଧୀଙ୍କ ନାମରେ ରଖାଗଲା, ଯଦିଓ ସେହି ମହାପୁରୁଷଙ୍କ ସମାଜ ପ୍ରତି ଅବଦାନ ବିଷୟରେ ସମସ୍ତେ ଅଜ୍ଞ।
ନାଁ ବଦଳର ପୁଣି ଗୋଟେ ବଡ଼ ଜୁଆର ଆସି ପହଞ୍ଚିଛି ଆଜିର ସରକାର କ୍ଷମତାକୁ ଆସିବା ପରେ। ୟାଙ୍କ କୋପରେ କେବଳ ନେହରୁ-ଗାନ୍ଧୀ ପରିବାର କାହିଁକି, ପୁରୁଣା ନାମ ବଦଳାଇଥିବା ମୁସଲମାନ ଯୁଗର ଶାସକମାନେ ମଧ୍ୟ ରହିଛନ୍ତି। ଆଉ କାଁଭାଁ କେଉଁଠି ଯଦି ସାହେବୀ ନାଁ ରହିଯାଇଛନ୍ତି, ତାଙ୍କ ଉପରେ ବି କତୁରୀ ଚଳେଇବାର ସମୟ ଆସିଯାଇଛି ଜାଣ।
ଏହି କ୍ରମରେ ଧରା ପଡ଼ିଯାଇଛି ବିଚରା ରେଭେନ୍ସା ନାମଟି, ଏତେ ଦିନ ସାହେବୀ ନାମଟି ଲୁଚି ଛପି ରହିଯାଇଥିଲା, ହେଲେ ଏବେ ତା’ ସ୍ଥିତି ବିପନ୍ନ। ସେହି ନାମ କୁଆଡ଼େ ଜଣେ ‘ନରହନ୍ତା’ଙ୍କର, ତେଣୁ ତାହା ବଦଳିବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କର ମତ। ଏବେ ଯେଉଁ ମାତ୍ରାରେ ସାଂସଦ, ବିଧାୟକ ଓ ଗେରୁଆ ମତବାଦୀ ବୁଦ୍ଧିଜୀବୀମାନେ ତାଙ୍କ ସ୍ୱର ସହ ସ୍ୱର ମିଳେଇଲେଣି ରେଭେନ୍ସା ନାମ ବର୍ଜନ ଏକ ଔପଚାରିକତା ମାତ୍ର। ନାମଟିକୁ ବଜାୟ ରଖିବା ପାଇଁ ହୁଏତ ପୁରୁଣା ଓ ଏବେକାର ଛାତ୍ରମାନେ ଅନ୍ତରିକଭାବେ ଚାହିଁବେ, କିନ୍ତୁ ସେମାନଙ୍କର ସଂଖ୍ୟା ମୁଷ୍ଟିମେୟ।
ସେହି ଶିକ୍ଷାନୁଷ୍ଠାନର ଅଧିକାଂଶ ଛାତ୍ର ହୁଏତ ପଢୁଥିବା ବେଳେ ରେଭେନ୍ସାଙ୍କ ବିଷୟରେ ବିଶେଷ ଜାଣି ନଥିବେ। ମୋତେ ଏ କଥା ସ୍ୱୀକାର କରିବାରେ ଦ୍ବିଧା ନାହିଁ ଯେ କିଶୋର ବୟସରେ ମୁଁ ବି ରେଭେନ୍ସା କିଏ ବୋଲି ଜାଣି ନ ଥିଲି, ମୋ ପାଇଁ ଆମ ହଷ୍ଟେଲର ୱାର୍ଡ ବୟ ସୁକାନ୍ତର ନାମଟି ଥିଲା ରେଭେନ୍ସାଙ୍କ ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ। ଆମେ କେବେ ରେଭେନ୍ସା ସାହେବଙ୍କ ପ୍ରଶସ୍ତି ଗାନ କରୁ ନ ଥିଲୁ କି ତାଙ୍କ ସ୍ମାରକୀ ଉତ୍ସବ ପାଳୁ ନ ଥିଲୁ। କଲେଜ ଉପରେ ତାଙ୍କ ନାମର ଫଳକଟିଏ ବି ନ ଥିଲା। ‘ରେଭେନ୍ସା’ ଶବ୍ଦଟି ଉଚ୍ଚାରଣ କଲାବେଳେ ଆମେ ଉପନିବେଶବାଦ କଥା ଭାବୁ ନ ଥିଲୁ କି ନାଁ ପଛରେ ଥିବା ଜଣେ ଅପାରଗ କିମ୍ବା ଓଡ଼ିଆପ୍ରେମୀ ପ୍ରଶାସକଙ୍କ କଥା। ନାମଟି କେବଳ ଶତାଧିକ ବର୍ଷର ଏକ ବିଶାଳ ବାଂଛିତ ପରମ୍ପରା ସହିତ ଆମକୁ ଯୋଡ଼ି ପକାଇଥିଲା। ସେବେଠୁଁ ନାମଟି ହୋଇଗଲା ଆମ ପାଇଁ ଏକ ପବିତ୍ର ଧ୍ୱନି, ଆମର ପରିଚୟ।
ନାମ ବଦଳର ତାଡ଼ନାରେ ସରକାର ସେ ଧ୍ୱନିକୁ ଜବରଦସ୍ତ ନିର୍ବାପିତ ନ କରନ୍ତୁ, ଆମ ପରମ୍ପରାକୁ ଅକ୍ଷୁଣ୍ଣ ରଖନ୍ତୁ।
ମୋ: ୯୪୩୭୦୮୯୬୫୫
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us