ଚିନ୍ମୟ ଚେତନା: ପଖାଳ ଦିବସର ଅନୁଚିନ୍ତା

Advertisment

ପଖାଳ ଦିବସରେ ବଡ଼ ବଡ଼ିଆଙ୍କ ପଖାଳ ସେବନର ଦୃଶ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରଦର୍ଶିତ ହେବା ଗୋଟେ ପ୍ରକାର ରୁଟିନରେ ପରିଣତ ହୋଇଗଲାଣି। କେମିତି ନ ହେବ, ଯେତେହେଲେ ସରକାରୀ ମାନ୍ୟତା ପ୍ରାପ୍ତ ଦିବସଟିଏ, ଯାହା ସହ ଓଡ଼ିଆ ‘ଅସ୍ମିତା’ର କଥା ଯୋଡ଼ି ହୋଇଯାଇଛି!

ପଖାଳ ଦିବସରେ ବଡ଼ ବଡ଼ିଆଙ୍କ ପଖାଳ ସେବନର ଦୃଶ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରଦର୍ଶିତ ହେବା ଗୋଟେ ପ୍ରକାର ରୁଟିନରେ ପରିଣତ ହୋଇଗଲାଣି। କେମିତି ନ ହେବ, ଯେତେହେଲେ ସରକାରୀ ମାନ୍ୟତା ପ୍ରାପ୍ତ ଦିବସଟିଏ, ଯାହା ସହ ଓଡ଼ିଆ ‘ଅସ୍ମିତା’ର କଥା ଯୋଡ଼ି ହୋଇଯାଇଛି!

sdsdssd

ଚିନ୍ମୟ ହୋତା

ପଖାଳ ଦିବସରେ ବଡ଼ ବଡ଼ିଆଙ୍କ ପଖାଳ ସେବନର ଦୃଶ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରଦର୍ଶିତ ହେବା ଗୋଟେ ପ୍ରକାର ରୁଟିନରେ ପରିଣତ ହୋଇଗଲାଣି। କେମିତି ନ ହେବ, ଯେତେହେଲେ ସରକାରୀ ମାନ୍ୟତା ପ୍ରାପ୍ତ ଦିବସଟିଏ, ଯାହା ସହ ଓଡ଼ିଆ ‘ଅସ୍ମିତା’ର କଥା ଯୋଡ଼ି ହୋଇଯାଇଛି!
ଆଗରୁ ରାଜ୍ୟର ପୁରୁଣା ମୁଖିଆ ତାଙ୍କ ଷ୍ଟାଇଲରେ ଏକୁଟିଆ ବସି ପଖାଳ କଂସାକୁ ଆଙ୍ଗୁଳି ସ୍ପର୍ଶ କରି ଦିବସଟିକୁ ପାଳନ କରୁଥିଲେ। ସତେ ଯେମିତି ଖାଦ୍ୟଟିକୁ ଆଶୀର୍ବାଦ କରୁଛନ୍ତି ସେହି ଢଙ୍ଗରେ। ହେଲେ, ଏବର କଥା ଅଲଗା, ରାଜ୍ୟ ମୁଖିଆ ଏବେ ଘରପଶା ନୁହନ୍ତି, ଲୋକଙ୍କ ମୁଖ୍ୟମନ୍ତ୍ରୀ ଓ ଲୋକଙ୍କ ଭିତରୁ ଜଣେ। ତେଣୁ ଏଥର ଦେଖିବାକୁ ମିଳିଲା ମୁଖ୍ୟମନ୍ତ୍ରୀ ଚେଲା ଚାମୁଣ୍ଡାଙ୍କୁ ଧରି ନାଲି ସିଲ୍‌କ କପଡ଼ା ଢଙ୍କା ଟେବୁଲରେ ବସି ମହା ଆନନ୍ଦରେ ଏହି ‘ଲୋକଙ୍କ ଖାଦ୍ୟ’ଟି ଭକ୍ଷଣ କରୁଥିବାର ଦୃଶ୍ୟ। ତାଙ୍କ ପଖାଳ କଂସାକୁ ଘେରି ରହିଥିଲେ ଦଶ ପ୍ରକାର ତିଅଣର ଗିନାଗୁଡ଼ିକ। ବଙ୍ଗଳା ସଂସ୍କୃତିର ‘ଜମାଇ ଷଷ୍ଠୀ’ ଉତ୍ସବ ବେଳେ ଜ୍ୱାଇଁଙ୍କୁ ଶାଶୁ ପରଷୁଥିବା ଅସଂଖ୍ୟ ତରକାରୀ ବାଟିର ସମାହାରକୁ ତାହା ମନେ ପକାଇଦେଲା। 
ଆଜିର ଏହି ‘କ୍ୟାମେରା ପାଇଁ ପଖାଳ ଖିଆ’ ଦୃଶ୍ୟ ଦେଖିଲେ ଲାଗେ ଖାଦ୍ୟଟି ସହ ଜଡ଼ିତ ‘ମାଟି’ର ସ୍ୱାଦ ଏହି ଅଭିଜାତ ଆୟୋଜନ ଭିତରେ ଯେମିତି କେଉଁଠି ହଜିଯାଇଛି। ଆମ ସଂସ୍କୃତି ସହ ଯେଉଁ ‘ପଖାଳ’ ଜଡ଼ିତ, ତାହା ଅତି ସାଧାରଣ ଜୀବନର ଛବି ପ୍ରଦାନ କରେ। ଏହା ମଧ୍ୟ ଜଣେ ମଣିଷ କୌଣସି ପ୍ରକାରେ ଖାଦ୍ୟଟିକୁ ଯୋଗାଡ଼ କରି ନିଜର ଓ ପରିବାରର କ୍ଷୁଧା ନିବାରଣ କରୁଥିବା କଥା କହେ। ଭିକାରୀ ଚରଣ ପଟ୍ଟନାୟକଙ୍କ ଦ୍ୱାରା ରଚିତ ପୁରାତନ ନାଟକ ‘କଟକ ବିଜୟ’ରେ ଜଣେ ଚରିତ୍ର, ପଖାଳ ଓ ଅନ୍ୟାନ୍ୟ ଖାଦ୍ୟ ବିଷୟରେ ତୁଳନା କରି କହୁଛନ୍ତି, ‘‘ଖାଇବାକୁ ରୁଟି ଡିମ ଆଉରେ ମାଉଁସ, ପଖାଳିଆ ଆମେ ଯାଇ କରିବା ବା କିସ?’’ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‘ପଖାଳଖିଆ’ର ଅର୍ଥ ଗରିବ। ସେମାନେ ଖାଉଥିବା ପଖାଳର ସ୍ୱାଦ ନିଶ୍ଚୟ ସମ୍ପୂର୍ଣ୍ଣ ଅଲଗା ହୋଇଥିବ। ଆଜି ବିଳାସ ଭିତରେ ଯେଉଁ ‘ପଖାଳ’ର ଦୃଶ୍ୟ ପ୍ରଦର୍ଶିତ ହେଉଛି, ତାହା ସତରେ ସେ କାଳର ପଖାଳ ଠୁଁ କେତେ ଅଲଗା ସତେ। ଗୋଟିଏ ସମ୍ବାଦ ଅନୁସାରେ ପଖାଳ ଦିବସ ଦିନ ଭୁବନେଶ୍ୱରର ଏକ ତାରକା ହୋଟେଲରେ ତିଆରି ହୋଇଛି କୋଡ଼ିଏ କିସମର ପଖାଳ ଆଉ ୧୨୦ ପ୍ରକାରର ବ୍ୟଞ୍ଜନ। ଭଲ କଥା, ଏହା ଆମ ରାଜ୍ୟର ପ୍ରଗତିର ଚିତ୍ର ଆଙ୍କୁଛି। ହେଲେ ଗୋଟିଏ ପଟେ ଖାଦ୍ୟର ଏହି ପ୍ରାଚୁର୍ଯ୍ୟକୁ ନେଇ ଆମେମାନେ ମସଗୁଲ ଥିବା ବେଳେ ଅନ୍ୟ ପଟେ ନଗଡ଼ାରେ ପୁଷ୍ଟିହୀନତା ଯୋଗୁଁ ଶିଶୁ ମୃତ୍ୟୁ କିମ୍ବା ମୟୂରଭଞ୍ଜରେ ଭୋକର ତାଡ଼ନାରେ ଜଣେ ବୃଦ୍ଧା ନିଜର ନାତିକୁ ମାତ୍ର ୨୦୦ ଟଙ୍କାରେ ବିକ୍ରି କରିଦେବା ଭଳି କିଛି ଘଟଣା ମୁଣ୍ଡ ଟେକି ସବୁ ଖୁସିକୁ ବିଗାଡ଼ି ଦେଉଛି।
ଯାହା ବି ହେଉ ଏମିତି ଦିନରେ ଆମେ ଖାଲି ଭଲ କଥା ଚିନ୍ତା କରିବା କଥା- ଆଗର ଛାମୁ ଲୁଚି ଲୁଚି ଏକୁଟିଆ ପଖାଳ ଖାଇବାର ଭ୍ରମ ସୃଷ୍ଟି କରୁଥିଲେ, ଆଉ ଆଜିର ମୁଖିଆ ସମସ୍ତଙ୍କୁ ନେଇ ପଖାଳ ଓ ତିଅଣକୁ ପୂର୍ଣ୍ଣ ମାତ୍ରାରେ ଉପଭୋଗ କରିବାର କଳା ଦେଖାଇଦେଲେ। ଏତେ ପରିପାଟୀ ଭିତରେ ଯେଉଁ କଥାଟି ଟିକେ ଖାପଛଡ଼ା ଲାଗିଲା, ତାହା ହେଲା ଏତେ ଲୋକ ଚାହିଁ ରହିଥିବା ବେଳେ ଜଣେ କେମିତି ଏତେ ନିର୍ବିକାର ଚିତ୍ତରେ ଖାଦ୍ୟ ଭକ୍ଷଣ କରିବ?
ଖାଦ୍ୟ ଖାଇବାଟା ଗୋଟିଏ ବ୍ୟକ୍ତିଗତ ବ୍ୟାପାର ହୋଇ ସବୁବେଳେ ରହିଆସିଥିଲା। ତେଣୁ ଅନେକ ପରିବାରରେ ଗୋଟିଏ ପରମ୍ପରା ଆଜି ଯାଏ ଗଡ଼ି ଆସୁଛି ଯେ ସମସ୍ତ ସଦସ୍ୟ ଖାଇବା ଟେବୁଲରେ ଏକତ୍ର ହୋଇ ଖାଦ୍ୟ ଖାଇବେ। ହେଲେ ଆଜି ଖାଇବା ପ୍ରକ୍ରିୟାକୁ ଏକ ପ୍ରଦର୍ଶନ କରିଦିଆ ଗଲାଣି। ବିଭିନ୍ନ ଦଳର ନେତାମାନେ ଏହି ଖାଇବା ନିମନ୍ତ୍ରଣ ମାଧ୍ୟମରେ ନୂଆ ରାଜନୈତିକ ସମୀକରଣ ରଚନା କରିଥାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କଳ୍ପନା ପ୍ରସୂତ ‘ଇଫତାର’ ପାର୍ଟି ଏବେ ଭାରତୀୟ ରାଜନୀତିର ଏକ ପ୍ରମୁଖ ଅଙ୍ଗ। ଏହି ‘ଇଫତାର’ ଭୋଜିରେ ରମଜାନ ମାସବ୍ୟାପୀ ଉପବାସ ବ୍ରତ ପାଳନ କରୁଥିବା ମୁସଲମାନ ଶ୍ରଦ୍ଧାଳୁମାନେ ଖାଦ୍ୟ ଖାଇ ଉପବାସ ସମାପ୍ତ କରନ୍ତି। ‘ଇଫତାର’ ଭୋଜିକୁ ଆଜି ରାଜନୈତିକ କୌଶଳ ରୂପେ ବ୍ୟବହାର କରୁଛନ୍ତି ପ୍ରାୟ ସବୁ ଦଳର ନେତା। 
ଖାଦ୍ୟକୁ ନେଇ ଯେତେ ସବୁ ରାଜନୀତି। ଆମର ପାଞ୍ଚ ଟଙ୍କିଆ ‘ଆହାର’ ଯୋଜନା ହେଉ କି ତାମିଲନାଡୁର ‘ଆମ୍ମା’ ଯୋଜନା ହେଉ; ଖାଦ୍ୟକୁ କାଟୁ କଲା ଭଳି ଅସ୍ତ୍ର ଭାବେ ବ୍ୟବହାର କରି ନିର୍ବାଚନ ବୈତରଣୀ ପାରି ହେବାକୁ ସମସ୍ତଙ୍କର ଇଚ୍ଛା। କ୍ଷମତା ସାଙ୍ଗେ ଖାଦ୍ୟର ସମ୍ପର୍କ ସବୁବେଳେ ଟିକିଏ ତେଢ଼ା। ଥରେ ଫ୍ରାନ୍‌ସର ରାଣୀ ମେରୀ ଅନ୍ତୋଇନେତ ବୁଭୁକ୍ଷୁ ଜନତା ବିକ୍ଷୋଭ କରୁଥିବା ଖବର ପାଇ ଏହାର କାରଣ କ’ଣ ବୋଲି ପଚାରିଥିଲେ। ସେମାନେ ଖାଇବାକୁ ରୁଟି ପାଉନାହାନ୍ତି ବୋଲି ଜାଣିବା ପରେ ରାଣୀ କହିଥିଲେ, ‘‘ତା’ହେଲେ ସେମାନେ କେକ୍ ଖାଉନାହାନ୍ତି?’’ ଘଟଣାଟି ସୂଚାଇ ଦିଏ ଯେ ବେଳେବେଳେ ଶାସକମାନେ ଗରିବମାନଙ୍କ ପାଖରୁ ଏତେ ମାତ୍ରାରେ ଦୂରେଇ ଯାଇଥାନ୍ତି ଯେ ସେମାନଙ୍କର ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ବିଷୟରେ ସେମାନଙ୍କର ଧାରଣା ହିଁ ନ ଥାଏ। 
ହେଲେ ଆମର ନେତାମାନେ ପଖାଳ ଦିବସରେ ରୀତିମତ ପଖାଳ ଖାଇ ଦର୍ଶାଇ ଦେଇଛନ୍ତି ଯେ ସେମାନେ ଜନସାଧାରଣଙ୍କ ଠାରୁ ଦୂରେଇ ଯାଇ ନାହାନ୍ତି। ପଖାଳକୁ ପଞ୍ଚତାରକା ପରିବେଶରେ ଖିଆ ଯାଉ କି ଗରିବର କୁଡ଼ିଆ ଭିତରେ; ରାଜ୍ୟର ମୁଖିଆ ଏକୁଟିଆ ବସି ଏହାକୁ ସେବନ କରନ୍ତୁ କି ଲୋକଙ୍କ ମେଳରେ ଖାଆନ୍ତୁ, ବଡ଼ କଥା ହେଲା ପଖାଳ ଦିବସରେ ସମସ୍ତେ ପଖାଳ ଖାଇ ଏହି ଓଡ଼ିଆ ପରମ୍ପରାଟିକୁ ଗର୍ବର ସହ ପାଳନ କରୁଛନ୍ତି। ଆସନ୍ତୁ ନିଜକୁ ଆମ ପଖାଳ ପାଇଁ ବଧେଇ ଜଣାଇବା, ଆଉ ଖୁସି ହେବା ଯେ ଆମେ ପିଜ୍ଜା ବା ବର୍ଗର ଖାଇ ସେ ସବୁ ଦିବସ ତ ପାଳନ କରୁ ନାହେଁ, ଆମେ ଆମ ପ୍ରାଣପ୍ରିୟ ‘ପଖାଳ ଦିବସ’ ହିଁ ପାଳନ କରୁଛୁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe