theworldnews.co
‘କୋଭିଡ୍-୧୯’ ବା କରୋନା ଭୂତାଣୁ ସଂକ୍ରମଣ ବିଶ୍ବବ୍ୟାପୀ ହେବା ପରେ ଯାହା ଦେଖିବାକୁ ମିଳିଛି ତାହା ହେଲା ବିଭିନ୍ନ ଦେଶର ସରକାର ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି। ଗତ ବୁଧବାର ସୁଦ୍ଧା ୧୩ଟି ଦେଶ ସେଠାକାର ସମସ୍ତ ସ୍କୁଲ୍ ବନ୍ଦ କରିଦେଇଛନ୍ତି ଏବଂ ଅନ୍ୟ ୯ଟି ଦେଶ ପ୍ରଭାବିତ ଅଞ୍ଚଳମାନଙ୍କରେ ସ୍କୁଲ୍ ବନ୍ଦ କରିଛନ୍ତି। ଫଳରେ ୩୦ କୋଟିରୁ ଅଧିକ ପିଲାଙ୍କ ପାଠ ପଢ଼ା ଅଟକି ଯାଇଛି। ୟୁରୋପର ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ଇଟାଲିରେ ସରକାର ସ୍କୁଲ୍ ଓ ବିଶ୍ବବିଦ୍ୟାଳୟଗୁଡ଼ିକୁ ଆସନ୍ତା ୧୫ ତାରିଖ ଯାଏଁ ବନ୍ଦ ରଖିଛନ୍ତି। ଦକ୍ଷିଣ କୋରିଆର ସମସ୍ତ ସ୍କୁଲ୍ ଆସନ୍ତା ୨୩ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ସେହିପରି ଜାପାନର ସମସ୍ତ ସ୍କୁଲ୍ଗୁଡ଼ିକୁ ଏପ୍ରିଲ ଯାଏଁ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଇରାନରେ କରୋନା ସଂକ୍ରମଣରେ ୯୨ ଜଣଙ୍କ ମୃତ୍ୟୁ ଘଟି ସାରିଛି ଏବଂ ସେଠାରେ ସ୍କୁଲ୍ କଲେଜ ସମେତ ପ୍ରମୁଖ ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି। ଆମ ଦେଶରେ ଏହାର ସଂକ୍ରମଣ ଆରମ୍ଭ ହେବାକୁ ବସିଥିବା ବେଳେ ରାଜଧାନୀ ଦିଲ୍ଲୀରେ ମଧ୍ୟ କିଛି ସ୍କୁଲ୍ ଓ କଲେଜକୁ ବନ୍ଦ କରି ଦିଆଯାଇଛି। କୌଣସି ଏକ ରୋଗର ସଂକ୍ରମଣ ଦ୍ବାରା ବିଶ୍ବ ବ୍ୟାପୀ ଶିକ୍ଷା ପ୍ରଦାନ ବନ୍ଦ ହୋଇଯିବାର ଏହା ହେଉଛି ପ୍ରଥମ ଉଦାହରଣ।
‘କୋଭିଡ୍-୧୯’ ଭୂତାଣୁ ଅନେକ ରାଷ୍ଟ୍ରରେ ଶିଳ୍ପ କାରଖାନାକୁ ବନ୍ଦ କରିସାରିଲାଣି। ଅର୍ଥନୈତିକ ମାନ୍ଦାବସ୍ଥା ସୃଷ୍ଟି କଲାଣି। ପର୍ଯ୍ୟଟନ ଶିଳ୍ପକୁ ମୃତବତ୍ କରି ଦେଲାଣି। ଏବଂ ଏବେ ଶିକ୍ଷାକୁ ଠପ୍ କରି ଦେଲାଣି। ଏହାର କବଳରୁ ପୃଥିବୀ କେବେ ମୁକ୍ତ ହେବ ତାହା ଦେଖିବାକୁ ବାକି ରହିଲା।
Follow Us