ଦର୍ପଣ: ମନରେଗା ଯୋଜନା, ଦୁଇ ବର୍ଷରେ କଟିଛି ୮ କୋଟି ନାମ

Advertisment
ଦର୍ପଣ: ମନରେଗା ଯୋଜନା, ଦୁଇ ବର୍ଷରେ କଟିଛି ୮ କୋଟି ନାମ

କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ତାଲିକାରୁ ଗତ ଦୁଇ ବର୍ଷରେ ଆଠ କୋଟି ପଞ୍ଜୀକୃତ ଶ୍ରମିକଙ୍କ ନାମ କାଟିଦିଆଯାଇଛି ବୋଲି ‘ଲିବ୍‌ଟେକ୍‌ ଇଣ୍ଡିଆ’ ଓ ‘ନରେଗା ସଂଘର୍ଷ ମୋର୍ଚ୍ଚା’ ନାମକ ଦୁଇଟି ସଂଗଠନ ଦ୍ବାରା ପ୍ରକାଶିତ ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି।
୨୦୧୯-୨୦ ଆର୍ଥିକ ବର୍ଷରେ ପଞ୍ଜୀକୃତ ଶ୍ରମିକଙ୍କ ସଂଖ୍ୟା ୧.୮୩ ପ୍ରତିଶତ ହାରରେ ହ୍ରାସ ପାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଅପ୍ରତ୍ୟାଶିତ ଭାବେ ୨୦.୪୭ ପ୍ରତିଶତ ଶ୍ରମିକଙ୍କ ନାମ ତାଲିକାରୁ କଟିଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୨୨-୨୩ରେ ମାତ୍ର ୪.୨୪ ପ୍ରତିଶତ ନୂଆ ଶ୍ରମିକ ମନରେଗା ଯୋଜନାରେ ଯୋଡ଼ି ହୋଇଥିଲେ। ସେହିପରି ୨୦୨୩-୨୪ରେ ୯.୮୭ ପ୍ରତିଶତ ପଞ୍ଜୀକୃତ ଶ୍ରମିକଙ୍କ ନାମ କଟିଥିବା ବେଳେ ମାତ୍ର ୪.୧୮ ପ୍ରତିଶତ ନୂଆ ଶ୍ରମିକଙ୍କ ନାମ ମନରେଗା ଯୋଜନାରେ ଯୋଡ଼ିହୋଇଥିଲା।

‘ଅନ୍‌ପ୍ୟାକିଙ୍ଗ୍‌ ମନରେଗା: ଫାଇବ୍‌ ୟର୍ସ ଅଫ୍ ଇଂପ୍ଲିମେଣ୍ଟେସନ୍ ଆଣ୍ଡ୍‌ ଚ୍ୟାଲେଞ୍ଜେସ୍‌ ୨୦୧୯-୨୪’ ଶୀର୍ଷକ ଏହି ରିପୋର୍ଟ କହିଥାଏ ଯେ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ବୈଷୟିକ ଜ୍ଞାନର ପ୍ରୟୋଗକୁ ମୋଦୀ ସରକାର ଅଗ୍ରାଧିକାର ଦେବା ଯୋଗୁଁ ଏତେ ସଂଖ୍ୟକ ଶ୍ରମିକ ଏହି ଯୋଜନାରୁ ବାଦ୍‌ ପଡ଼ିଛନ୍ତି। ୨୦୨୩ ଜାନୁଆରିରେ କେନ୍ଦ୍ର ସରକାର ‘ନେସ୍‌ନାଲ୍‌ ମୋବାଇଲ୍‌ ମନିଟରିଂ ସିଷ୍ଟମ୍’ ଓ ‘ଆଧାର ବେସ୍‌ଡ ପେମେଣ୍ଟ ସିଷ୍ଟମ୍’ ବାଧ୍ୟତାମୂଳକ କରି ଉପସ୍ଥାନ ଓ ମଜୁରି ପ୍ରଦାନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଡିଜିଟାଲ୍‌ କରିଦେଇଥିଲେ। ଏହି ବ୍ୟବସ୍ଥା ଲାଗୁ କରିବା ଦ୍ବାରା ଅଧିକାଂଶ ଶ୍ରମିକଙ୍କ ନାମ କଟିଛି। ଏହା ଛଡ଼ା ବଜେଟ୍‌ରେ କ୍ରମାନ୍ବିତ ଭାବେ ମନରେଗା ପାଣ୍ଠିର ଆକାର ହ୍ରାସ ଓ ମଜୁରି ପ୍ରଦାନରେ ବିଳମ୍ବର ନକାରାତ୍ମକ ପ୍ରଭାବ ପଡ଼ିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe