ଢିଙ୍କିଶାଳରୁ ଢେଙ୍କାନାଳ: କାଶୀପୁରରୁ ମାଣ୍ଡିପଙ୍କା

Advertisment

ଗତ ସପ୍ତାହରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣାର ଆର୍‌ଡିସି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ...

ଗତ ସପ୍ତାହରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣାର ଆର୍‌ଡିସି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ...

fshsfhsfhfsh

ସନ୍ଦୀପ ସାହୁ

ଗତ ସପ୍ତାହରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣାର ଆର୍‌ଡିସି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଘଟଣା ସାମ୍ନାକୁ ଆସିବାର ଦିନକ ପରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ମୃତ ମହିଳାଙ୍କ ପାକସ୍ଥଳୀରୁ ମିଳିଥିବା ଖାଦ୍ୟ ଓ ପାନୀୟ ଅବଶେଷ ପରୀକ୍ଷା ପାଇଁ ପଠାଯାଇଛି ଓ ଏହାର ରିପୋର୍ଟ ମିଳିବାକୁ ୭୨ ଘଣ୍ଟା ଲାଗିବ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏସବୁ ତଦନ୍ତ ଓ ପରୀକ୍ଷାର ନିଷ୍କର୍ଷ ଆସିବା ପୂର୍ବରୁ ରାଜ୍ୟ ସରକାର ତାଙ୍କ ଫଇସଲା ଶୁଣାଇ ସାରିଲେଣି- ‘ମୃତ୍ୟୁ ଅନାହାର ବା ଅର୍ଦ୍ଧାହାର ଜନିତ ନୁହେଁ, ବରଂ ଟାକୁଆ ଜାଉ ପ୍ରତି ଆଦିବାସୀଙ୍କ ଅହେତୁକ ଦୁର୍ବଳତା ହିଁ ଏହାର କାରଣ।’
ସବୁଠାରୁ ହାସ୍ୟାସ୍ପଦ ହେଉଛି ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବୟାନ। ସେ କହିଛନ୍ତି ଯେ ମାଣ୍ଡିପଙ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ ‘ଆମ୍ବ ଟାକୁଆ ଯୋଗୁଁ ନୁହେଁ, ବରଂ ଖାଦ୍ୟରେ ବିଷକ୍ରିୟା (ଫୁଡ୍ ପଏଜନିଂ) ଯୋଗୁଁ’ ଘଟିଛି। ଛୁରୀ ମାଡ଼ରେ ମୃତ୍ୟୁବରଣ କରିଥିବା ଜଣେ ଲୋକ ବାବଦରେ ଯଦି କୁହାଯାଏ ଯେ ମୃତ୍ୟୁ ‘ଛୁରୀ ମାଡ଼ ଯୋଗୁଁ ନୁହେଁ, ବରଂ ଅନ୍ତନଳୀ/ଶ୍ୱାସନଳୀ ଛିଣ୍ଡି ଯିବା ଯୋଗୁଁ ହୋଇଛି’, ଏହା ସେହି ପ୍ରକାର ଯୁକ୍ତି। ଦକ୍ଷିଣ ଓଡ଼ିଶାର ଆଦିବାସୀମାନଙ୍କର ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ ସମ୍ପର୍କରେ ସାମାନ୍ୟତମ ଧାରଣା ଥିବା ଲୋକ ମଧ୍ୟ ଜାଣିଛି ଯେ ସେମାନେ ଆମ୍ବ କୋଇଲି ଗୁଣ୍ଡକୁ ବିଜ୍ଞାନସମ୍ମତ ଭାବେ ସଂରକ୍ଷଣ କରୁ ନ ଥିବାରୁ ତାହା ଅନେକ ସମୟରେ ଫଙ୍ଗସ ଦ୍ବାରା ଆକ୍ରାନ୍ତ ହୋଇ ବିଷାକ୍ତ ହୋଇଯାଏ ଏବଂ ଏଭଳି ବିଷାକ୍ତ ଖାଦ୍ୟ ଖାଇ ଆଦିବାସୀମାନେ ଅନେକ ସମୟରେ ମୃତ୍ୟୁ ମୁଖରେ ପଡ଼ନ୍ତି। ତେଣୁ ମାଣ୍ଡିପଙ୍କାରେ ହୋଇଥିବା ଦୁଇ ମହିଳାଙ୍କ ମୃତ୍ୟୁ ଆମ୍ବ ଟାକୁଆ ଜନିତ ନୁହେଁ ବୋଲି କହିବା କେବଳ ସତ୍ୟର ଅପଳାପ ନୁହେଁ; ବରଂ ଲୋକଙ୍କୁ ଭ୍ରମିତ କରିବାର ଅପଚେଷ୍ଟା ବୋଲି କୁହାଯାଇପାରେ। 
ଓଡ଼ିଶାରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ନୂଆ ନୁହେଁ। ୨୦୦୧ ମସିହାରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ର ବିଭିନ୍ନ ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା। ସ୍ୱାଭାବିକ ଭାବେ ଏ ଘଟଣା ସେତେବେଳେ ଜାତୀୟ ସ୍ତରରେ ପ୍ରବଳ ଆଲୋଡ଼ନ ସୃଷ୍ଟି କରିଥିଲା ଓ ତତ୍‌କାଳୀନ ନବୀନ ପଟ୍ଟନାୟକ ସରକାରଙ୍କ ପାଇଁ ଘୋର ଅପବାଦ ଆଣିଥିଲା। ଇତି ମଧ୍ୟରେ ୨୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି। ଏହି ସମୟ ମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ଅନେକ ଖାଦ୍ୟ ସୁରକ୍ଷା ଓ ପୋଷଣ ଯୋଜନା ଆରମ୍ଭ କରିଛନ୍ତି। ୨୦୦୮ ମସିହାର ଦୁଇଟଙ୍କିଆ ଚାଉଳ ଯୋଜନା ୨୦୧୩ ମସିହାରେ ଟଙ୍କିକିଆ ଚାଉଳ ଯୋଜନା ପାଲଟିଲା। ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ ଦେଶର ଅଶୀ କୋଟି ଲୋକଙ୍କୁ ଏବେ ମାସକୁ ପାଞ୍ଚ କେଜି ଚାଉଳ (ବା ଗହମ) ମାଗଣା ମିଳୁଛି। ଏହା ସତ୍ତ୍ୱେ ଆଜି ବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ଆମ୍ବ ଟାକୁଆ ଜାଉ ଖାଉଛନ୍ତି, ଏହାଠାରୁ ଅଧିକ କ୍ଷୋଭ ଓ ଲଜ୍ଜାର ବିଷୟ ଅନ୍ୟ କିଛି ହୋଇ ନ ପାରେ। 
ଇତି ମଧ୍ୟରେ ରାଜ୍ୟରେ ସରକାର ବଦଳିଛି। କିନ୍ତୁ ସରକାରଙ୍କ ଆଭିମୁଖ୍ୟ ବଦଳି ନାହିଁ। ୨୦୦୧ ମସିହାରେ କାଶୀପୁର ଆମ୍ବ ଟାକୁଆ ମୃତ୍ୟୁ ଘଟଣାରେ ନବୀନ ସରକାରଙ୍କ ପ୍ରତିକ୍ରିୟା ଯାହା ଥିଲା, ଆଜିର ମୋହନ ମାଝୀ ସରକାରଙ୍କ ପ୍ରତିକ୍ରିୟା ମଧ୍ୟ ଠିକ୍ ସେଇୟା ରହିଛି। ‘ଆମ୍ବ ଟାକୁଆ ଆଦିବାସୀଙ୍କର ପାରମ୍ପରିକ ଖାଦ୍ୟ ଓ ଏହାର ବିପଦ ସମ୍ପର୍କରେ ସେମାନଙ୍କୁ ଯେତେ ବୁଝାଇଲେ ମଧ୍ୟ ସେମାନେ ବୁଝୁ ନାହାନ୍ତି।’ ଅନ୍ୟ ଅର୍ଥରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ପାଇଁ ଆଦିବାସୀମାନେ ନିଜେ ହିଁ ଦାୟୀ; ସରକାରଙ୍କର ଏଥିରେ କୌଣସି ଦୋଷ ନାହିଁ। କିନ୍ତୁ ଏ ଦାବିରେ କେତେ ସତ୍ୟତା ଅଛି? ଆଦିବାସୀମାନେ କ’ଣ ସତରେ ଆମ୍ବ ଟାକୁଆ ଖାଇବାକୁ ଏତେ ଭଲ ପାଆନ୍ତି ଯେ ଘରେ ଚାଉଳ ଥିଲେ ମଧ୍ୟ ସେମାନେ ଭାତ ନ ଖାଇ ଟାକୁଆ ଜାଉ ଖାଇବାକୁ ପସନ୍ଦ କରନ୍ତି? 
୨୦୦୧ ମସିହାରେ କାଶୀପୁର ସମୂହ ମୃତ୍ୟୁ ଘଟଣା ସମ୍ପର୍କରେ ରିପୋଟିଙ୍ଗ୍‌ କରିବାକୁ ଯାଇଥିବା ସମୟର ଏକ ଅନୁଭୂତି ବର୍ଣ୍ଣନା କଲେ ବୋଧହୁଏ ଉପରୋକ୍ତ ପ୍ରଶ୍ନର ଉତ୍ତର ମିଳିଯିବ। କାଶୀପୁରରେ ୨୪ ଜଣଙ୍କର ମୃତ୍ୟୁ ପାଇଁ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରବଳ ନିନ୍ଦିତ ହୋଇଥିବା ତତ୍‌କାଳୀନ ନବୀନ ସରକାର ଘୋଷଣା କରିଥାନ୍ତି ଯେ ଯେଉଁମାନେ ଘରେ ଆମ୍ବ ଟାକୁଆ ରଖିଛନ୍ତି ସେମାନେ ତାହା ଆଣି ପଞ୍ଚାୟତ ବା ବ୍ଲକ୍ ଅଫିସରେ ଜମା ଦେଇ ସମାନ ଓଜନର ଚାଉଳ ନେଇ ପାରିବେ। ଘୋଷଣାର ଦିନକ ପରେ ଏହି ଲେଖକ ଶହ ଶହ ଆଦିବାସୀଙ୍କୁ ମୁଣ୍ଡରେ ଆମ୍ବ ଟାକୁଆ ଭର୍ତ୍ତି ଟୋକେଇ ଧରି ପଞ୍ଚାୟତ/ବ୍ଲକ୍ ଅଫିସ୍ ଅଭିମୁଖେ ଯାଉ ଥିବାର ଦେଖିଥିଲା। ଜଣେ ବୃଦ୍ଧା ମହିଳାଙ୍କୁ ପଚାରିବାରୁ ସେ କହିଲେ ଯେ ସେ ଆମ୍ବ ଟାକୁଆ ବଦଳରେ ଚାଉଳ ଆଣିବା ପାଇଁ ଯାଉଛନ୍ତି। ‘କିନ୍ତୁ ତୁମେମାନେ ପରା ଭାତ ଅପେକ୍ଷା ଟାକୁଆ ଜାଉ ଖାଇବାକୁ ବେଶୀ ପସନ୍ଦ କର ବୋଲି ସରକାର କହୁଛନ୍ତି?’ ଏ ପ୍ରଶ୍ନର ଉତ୍ତରରେ ବୃଦ୍ଧା ଜଣକ ଯାହା କହିଥିଲେ, ସେଥିରେ ସରକାରଙ୍କ  ମିଛର ଅଟ୍ଟାଳିକା ତାସଘର ପରି ଭୁଶୁଡ଼ି ପଡ଼ିଲା। ‘ଚାଉଳ ଥିଲେ ଆମେ ଆମ୍ବ ଟାକୁଆ କାହିଁକି ଖାଇବୁ?’ ବୋଲି ଓଲଟା ପ୍ରଶ୍ନ କରିଥିଲେ ବୃଦ୍ଧା!
ସତ କଥା ହେଲା ଆଦିବାସୀମାନେ ତିରୋଟ ସମୟରେ ନିଜର ଖାଦ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଖରାଦିନେ ଆମ୍ବ ଟାକୁଆ ଶୁଖାଇ, ସେଥିରୁ କୋଇଲି କାଢ଼ି, ତାକୁ ଗୁଣ୍ଡ କରି ଏକ ବିକଳ୍ପ ଖାଦ୍ୟ ଭାବରେ ସଞ୍ଚିଥାନ୍ତି। ସେମାନେ ନିଜ ଖାଦ୍ୟ ଆବଶ୍ୟକତାର ଏକ ବଡ଼ ଅଂଶ ଜଂଗଲରୁ ସଂଗ୍ରହ କରନ୍ତି। ଏବଂ ଯେହେତୁ ବର୍ଷା ଦିନେ ଜଙ୍ଗଲକୁ ଯିବା ସମ୍ଭବ ହୁଏ ନାହିଁ, ତେଣୁ ସେମାନେ ସଞ୍ଚିତ କୋଇଲି ଗୁଣ୍ଡ ପ୍ରସ୍ତୁତ ଜାଉ ଖାଇ ନିଜ ଭୋକ ମେଣ୍ଟାନ୍ତି। ତେଣୁ ‘ଆମ୍ବ ଟାକୁଆ ଆଦିବାସୀଙ୍କ ପ୍ରଥମ ପସନ୍ଦ’ ବୋଲି ସେତେବେଳର ନବୀନ ସରକାର ଓ ଏବେକାର ମୋହନ ସରକାର ଯେଉଁ ଯୁକ୍ତି ବାଢୁଛନ୍ତି, ତାହା କେବଳ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଉଦ୍ଦିଷ୍ଟ।
ଏଥର ଆସିବା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ପ୍ରସଙ୍ଗକୁ। ସେତେବେଳେ ବିଜେଡି ସରକାର ଯେଉଁ ଯୁକ୍ତି ବାଢ଼ିଥିଲେ, ଏବେକାର ବିଜେପି ସରକାର ମଧ୍ୟ ସମାନ ଯୁକ୍ତି କରୁଛନ୍ତି। କାଶୀପୁର ଅନାହାର ମୃତ୍ୟୁ ପରେ ରାୟଗଡ଼ାର ତତ୍‌କାଳୀନ ଜିଲ୍ଲାପାଳ କହିଥିଲେ ସବୁ ମୃତକ ପରିବାରଙ୍କ ପାଖରେ ବିପିଏଲ୍‌ କାର୍ଡ ଥିଲା ଓ ସେମାନେ ନିଜ କାର୍ଡରେ ଚାଉଳ ମଧ୍ୟ ଉଠାଇଛନ୍ତି। କିନ୍ତୁ ଅନୁସନ୍ଧାନରୁ ଏହି ସ୍ତମ୍ଭକାର ଜାଣିବାକୁ ପାଇଥିଲା ଯେ ସମସ୍ତ କ୍ଷତିଗ୍ରସ୍ତ ପରିବାର ଅର୍ଥାଭାବରୁ ନିଜ କାର୍ଡଗୁଡ଼ିକ ବନ୍ଧା ପକାଇଥିଲେ। ତେଣୁ ସରକାରୀ କାଗଜପତ୍ରରେ ତାଙ୍କ କାର୍ଡରେ ଚାଉଳ ଉଠୁଥିଲେ ମଧ୍ୟ ତାହା ହିତାଧିକାରୀଙ୍କ ପାଖରେ ପହଞ୍ଚୁ ନ ଥିଲା। ତାକୁ ଖୋଲା ବଜାରରେ ବିକ୍ରି କରି କାର୍ଡ ବନ୍ଧା ରଖିଥିବା ବ୍ୟକ୍ତି ଲାଭବାନ ହେଉଥିଲେ। ଠିକ୍‌ ସମାନ ଢଙ୍ଗରେ ମୋହନ ମାଝୀ ସରକାର କହୁଛନ୍ତି ମୃତ୍ୟୁବରଣ କରିଥିବା ଓ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ପରିବାର ସମେତ ମାଣ୍ଡିପଙ୍କା ଗାଁର ସବୁ ଲୋକଙ୍କୁ ମାଗଣା ଚାଉଳ ମିଳିଛି। କିନ୍ତୁ ପୀଡ଼ିତ ପରିବାରର ସଦସ୍ୟ ଓ ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ କହୁଛନ୍ତି ଯେ ଜୁଲାଇ ମାସ ପରଠାରୁ ଲୋକଙ୍କୁ ଖାଦ୍ୟାନ୍ନ ମିଳି ନାହିଁ। ଜୁଲାଇ ମାସରେ ଜୁଲାଇ, ଅଗଷ୍ଟ, ସେପ୍‌ଟେମ୍ବର ପାଇଁ ଚାଉଳ ମିଳିଥିଲା ସତ କିନ୍ତୁ ମାଣ୍ଡିପଙ୍କା ଓ ଆଖପାଖ ଗାଁରୁ ମିଳିଥିବା ନିର୍ଭରଯୋଗ୍ୟ ଖବର ଅନୁଯାୟୀ  ଅକ୍‌ଟୋବର ମାସରେ ପରବର୍ତ୍ତୀ ତିନି ମାସ ପାଇଁ ମିଳିବାକୁ ଥିବା ଚାଉଳ ବଣ୍ଟନ ଦୁଇ ମହିଳାଙ୍କ ମୃତ୍ୟୁ ଓ ଅନ୍ୟ ଛଅ ଜଣ ଗୁରୁତର ହେବା ପରେ ତରବରିଆ ଭାବେ ନଭେମ୍ବର ୧ ତାରିଖରେ - ଅର୍ଥାତ୍‌ ନିର୍ଦ୍ଧାରିତ ସମୟର ମାସେ ପରେ - ଆରମ୍ଭ ହୋଇଛି। ତେଣୁ ପୀଡ଼ିତ ପରିବାରଙ୍କ ଘରେ ଚାଉଳ ଥିଲା ବୋଲି ସରକାରଙ୍କ ଦାବି ଆଦୌ ଗ୍ରହଣଯୋଗ୍ୟ ହେଉ ନାହିଁ। ଯଦି ପ୍ରକୃତରେ ସେମାନଙ୍କୁ ଚାଉଳ ଯଥା ସମୟରେ ମିଳିଥାନ୍ତା, ତେବେ ସେମାନେ ଟାକୁଆ ଜାଉ ଖାଇବାର ଆବଶ୍ୟକତା ଆଦୌ ପଡ଼ି ନ ଥାନ୍ତା। ଆଦିବାସୀଙ୍କ ଖଦ୍ୟାଭ୍ୟାସ ସମ୍ପର୍କରେ ଜାଣିଥିବା ଅନେକ ଲୋକ ଏକଥା ମଧ୍ୟ କହୁଛନ୍ତି ଯେ ଯେହେତୁ ସେମାନେ ତିନି ଓଳି ଭାତ ବା ପଖାଳ ଖାଆନ୍ତି, ତେଣୁ ମୁଣ୍ଡପିଛା ମାସକୁ ପାଞ୍ଚ କେଜି ଚାଉଳ ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ। ତେଣୁ ସେମାନଙ୍କ ପାଇଁ ଅଧିକ ଚାଉଳର ବ୍ୟବସ୍ଥା କରିବା ବିଷୟରେ ସରକାର ଚିନ୍ତା କରିବାର ଆବଶ୍ୟକତା ଅଛି। 
ପ୍ରଣିଧାନଯୋଗ୍ୟ କଥାଟି ହେଲା ଆମ୍ବ ଟାକୁଆ ବା ସେଥିରୁ ପ୍ରସ୍ତୁତ ଜାଉ ବିଷାକ୍ତ ବା ମାରାତ୍ମକ ନୁହେଁ। ସେଥିରେ ଯଥେଷ୍ଟ ପୁଷ୍ଟିସାର ମଧ୍ୟ ଅଛି। କିନ୍ତୁ ତାକୁ ଅନେକ ଦିନ ଧରି ରଖିଲେ ବା ଠିକଣା ଭାବରେ ସଂରକ୍ଷଣ କରା ନ ଗଲେ ତାହା ଅନେକ ସମୟରେ ବିଷାକ୍ତ ପାଲଟି ମୃତ୍ୟୁର କାରଣ ହୋଇଥାଏ। ତେଣୁ ଅସୁରକ୍ଷିତ ସଂରକ୍ଷଣ ବ୍ୟବସ୍ଥାର ବିପଦ ସମ୍ପର୍କରେ ଆଦିବାସୀଙ୍କ ଭିତରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଅଛି। କହିବା ବାହୁଲ୍ୟ ଏ ଦିଗରେ ସରକାରଙ୍କର ଦାୟିତ୍ବ ସବୁଠାରୁ ଅଧିକ। 
ଏକବିଂଶ ଶତାବ୍ଦୀରେ ଲୋକେ ଖାଦ୍ୟାଭାବ ଯୋଗୁଁ ଆମ୍ବ ଟାକୁଆ ଖାଇ ମୃତ୍ୟୁ ମୁଖରେ ପଡ଼ିବା ନିଶ୍ଚୟ ରାଜ୍ୟ ଓ ଦେଶ ପାଇଁ ଘୋର ଲଜ୍ଜାର ବିଷୟ। ଏଭଳି ଘଟଣା ଯେ ‘ବିକଶିତ ଭାରତ’ର ସୁନେଲି ସ୍ବପ୍ନକୁ ଭାଙ୍ଗି ଚୁର୍‌ମାର୍‌ କରୁଛି, ଏଥିରେ ସନ୍ଦେହ ନାହିଁ। ସତ୍ୟ ଉପରେ କଳା ପରଦା ଟାଣି ତାକୁ ଲୁଚାଇବାର ଚେଷ୍ଟା କରିବା ବଦଳରେ ସରକାର ଏ କଳଙ୍କରୁ କିପରି ସବୁଦିନ ପାଇଁ ମୁକ୍ତି ମିଳିବ, ସେ ଦିଗରେ ଚିନ୍ତା କରିବାର ସମୟ ଆସିଛି। 
ମୋ: ୯୯୩୭୨୨୮୧୨୨

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe