କେମିତି ସୁଦୃଢ଼ ହେବ ଓଡ଼ିଶାର ମାଧ୍ୟମିକ ଶିକ୍ଷା
ହୃଦୟ ରଞ୍ଜନ ଶତପଥୀ
ରାଜ୍ୟ ସରକାର ‘ଓଡ଼ିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦’ ପ୍ରଣୟନ କଲେ ଯାହା ୨୭ ସେପ୍ଟେମ୍ବର ୨୦୧୦ରୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଗଲା।
ଏହା ପୂର୍ବରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ମାଧ୍ୟମିକ ଶିକ୍ଷା କୁହାଯାଉଥିଲା, ଯାହାକି ପ୍ରତ୍ୟେକ ହାଇସ୍କୁଲର ଅନ୍ତର୍ଭୁକ୍ତ ଥିଲା ଏବଂ ଏଥିରେ କାର୍ଯ୍ୟରତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ବାରା ପରିଚାଳିତ ମାଧ୍ୟମିକ ଶିକ୍ଷା କ୍ୟାଡରର ଅନ୍ତର୍ଭୁକ୍ତ ଓ ଏମାନଙ୍କର ନିଯୁକ୍ତି, ଦରମା, ବଦଳି, ପଦୋନ୍ନତି ଇତ୍ୟାଦି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ବାରା ନିୟନ୍ତ୍ରିତ।
ଶିକ୍ଷା ଅଧିକାର ନିୟମ, ୨୦୧୦ ପ୍ରଣୟନ ଫଳରେ ରାଜ୍ୟ ସରକାରଙ୍କୁ ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ସଂଜ୍ଞା ଓ ସ୍ଥିତି ନିର୍ଦ୍ଧାରଣ କରି କେନ୍ଦ୍ର ସରକାରଙ୍କ ନିକଟରେ ଏକ ଘୋଷଣାପତ୍ର ଉପସ୍ଥାପନ କରିବାର ଆବଶ୍ୟକତା ପଡ଼ିଲା। ଏହି ପରିପ୍ରେକ୍ଷୀେର ହାଇସ୍କୁଲରୁ ଅଷ୍ଟମ ଶ୍ରେଣୀକୁ ଆଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଡ଼ିବା ପାଇଁ ଏବଂ ଆନୁଷଙ୍ଗିକ ସମସ୍ୟା ଓ ତା’ର ସମାଧାନ ପାଇଁ ଏକ ତିନିଦିନିଆ ରାଜ୍ୟସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କିଛି ଅଭିଜ୍ଞ ପ୍ରଧାନଶିକ୍ଷକ, ହାଇସ୍କୁଲର କିଛି ଅଭିଜ୍ଞ ପ୍ରଧାନଶିକ୍ଷକ, ବ୍ଲକ୍ସ୍ତରୀୟ ଶିକ୍ଷା ସଂଯୋଜକ, ବ୍ଲକ୍ସ୍ତରୀୟ ତଥା ଜିଲ୍ଲାସ୍ତରୀୟ ଶିକ୍ଷା ଅଧିକାରୀ, ବିଭିନ୍ନ ଜିଲ୍ଲାର ରାଜ୍ୟସ୍ତରୀୟ ପୁରସ୍କାରପ୍ରାପ୍ତ ହାଇସ୍କୁଲ ଶିକ୍ଷକ, ରାଜ୍ୟସ୍ତରୀୟ ଶିକ୍ଷା ବିଶେଷଜ୍ଞ ଓ ଅଧିକାରୀ ଏବଂ ଶିକ୍ଷା ଓ ଗବେଷଣା ପରିଷଦର ବରିଷ୍ଠ ଶିକ୍ଷା ବିଶେଷଜ୍ଞମାନେ ଯୋଗଦେଇ ତିନି ଦିନ କାଳ ବୌଦ୍ଧିକ କସରତ କଲା ପରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ସୁପାରିସ କରିଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ, ବିଭାଗର ତତ୍କାଳୀନ ସଚିବ ଏହି ସବୁ ସୁପାରିସକୁ ଗୁରୁତ୍ବ ନ ଦେଇ କେବଳ ଦୁଇଟି ଧାଡ଼ିରେ ରାଜ୍ୟର ପ୍ରାଥମିକ ଶିକ୍ଷାର ସଂଜ୍ଞା ନିର୍ଦ୍ଧାରଣ କରିଦେଲେ, ଯାହା ହେଲା- ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟ ମାନେ ପ୍ରଥମରୁ ପଞ୍ଚମ ଶ୍ରେଣୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଓ ପ୍ରାଥମିକ ଶିକ୍ଷା ମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା। ଏହି ଅନୁସାରେ ଏକ ସରକାରୀ ଘୋଷଣାପତ୍ରରେ ସ୍ବାକ୍ଷର କରି ନିଜର ଦାୟିତ୍ବ ସାରିଦେଲେ।
କିନ୍ତୁ ଏହା ଫଳରେ ଅନେକ ଆନୁଷଙ୍ଗିକ ସମସ୍ୟା ସୃଷ୍ଟି ହେଲା, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଅସମାହିତ ହୋଇ ରହିଛି ଏବଂ ନିମ୍ନଲିଖିତ ଅନେକ ଆହ୍ବାନ ସୃଷ୍ଟି ହୋଇଛି, ଯାହାର ସମୟୋଚିତ ସମାଧାନ ନିହାତି ଜରୁରି।
ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତିର ସୁବ୍ୟବସ୍ଥିତୀକରଣର ଆବଶ୍ୟକତା ରହିଛି। ଶିକ୍ଷା ଅଧିକାର ନିୟମ ପ୍ରଣୟନ ଫଳରେ ପ୍ରତ୍ୟେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ୟୂନ ୩ ଜଣ ଶିକ୍ଷକ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ତହିଁ ମଧ୍ୟରୁ ଜଣେ ଗଣିତ ଓ ବିଜ୍ଞାନ ଶିକ୍ଷକ, ଜଣେ ଇଂରେଜୀ ଓ ଓଡ଼ିଆ ଭାଷା ଶିକ୍ଷକ, ଜଣେ ସାମାଜିକ ପାଠ ବିଷୟ ଶିକ୍ଷକ। ଆଗରୁ ଏହି ବିଷୟ ସବୁ ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ମାଧ୍ୟମିକ ଶିକ୍ଷକମାନେ ପଢ଼ାଉଥିଲେ। ବର୍ତ୍ତମାନ ଯଦି ସେମାନେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସି ପଢ଼ାଇବେ, ତେବେ ସେମାନଙ୍କର ସ୍ଥିତି, ସମୟସୀମା ଏବଂ ବରିଷ୍ଠତା କ’ଣ ହେବ ତାହା ବର୍ତ୍ତମାନ ମଧ୍ୟ ଅସ୍ପଷ୍ଟ। ଏହା ଫଳରେ ଦୁଇଟି କ୍ୟାଡରର ଶିକ୍ଷକ ଗୋଟିଏ ସ୍କୁଲରେ କାର୍ଯ୍ୟ କରିବା ଏବଂ ହାଇସ୍କୁଲରୁ ଅପସାରଣ କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କରିବା ଫଳରେ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥାରେ ଅନେକ ଅସନ୍ତୁଳନ ସୃଷ୍ଟି ହୋଇଛି। ତେଣୁ ଏହାର ସମୀକ୍ଷା କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ହାଇସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦବିର ଆକଳନ କରି ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି ଦେଇ ସବୁ ଖାଲି ପଦ ପୂରଣ କରିବା ସହିତ ଏହାକୁ ସୁବ୍ୟବସ୍ଥିତ କରାଯିବା ଅତ୍ୟନ୍ତ ଜରୁରି ମନେ ହୁଏ।
ମାଧ୍ୟମିକ ବିଦ୍ୟାଳୟର ମାନବ ସମ୍ବଳ ତଥା ଶିକ୍ଷଣୀୟ ସମାଧାନର ଯେଭଳି ସଦୁପଯୋଗ ହେବ ସେ ଦିଗରେ ଧ୍ୟାନ ଦେବ ଆବଶ୍ୟକ। ସରକାରୀ ଓ ବେସରକାରୀ ସ୍ତରରେ ଦୀର୍ଘ ବର୍ଷର ପ୍ରୟାସ ଫଳରେ ଓଡ଼ିଶାର ବିଭିନ୍ନ ବ୍ଲକ୍ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଅନେକ ଉତ୍କୃଷ୍ଟ ହାଇସ୍କୁଲମାନ ଗଢ଼ି ଉଠିଛି, ଯେଉଁଠି ଏକଦା ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ଯାଉଥିଲା। ବର୍ତ୍ତମାନର ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ଏହି ସୁପ୍ରତିଷ୍ଠିତ ହାଇସ୍କୁଲମାନଙ୍କରେ କେବଳ ନବମ ଓ ଦଶମ ଦୁଇଟି ଶ୍ରେଣୀରେ ପାଠ ପଢ଼ା ଯାଉଛି। ତେଣୁ ଏଠାରେ ଏକଦା ଷଷ୍ଠରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଉପଲବ୍ଧ ଶ୍ରେଣୀ ଗୃହ, ପାଠାଗାର, ପରୀକ୍ଷାଗାର, ଆବଶ୍ୟକ ଶିକ୍ଷଣୀୟ ସରଞ୍ଜାମ ଇତ୍ୟାଦିର କିପରି ବ୍ୟବହାର ହେବ, ସେ ଦିଗରେ ସୂଚନା ଅତ୍ୟନ୍ତ ଅସ୍ପଷ୍ଟ। ତେଣୁ ଏଠାରେ ଉପଲବ୍ଧ ମାନବସମ୍ବଳ ଓ ଶିକ୍ଷଣୀୟ ସାଧନର ସୁବ୍ୟବସ୍ଥିତୀକରଣ ହେବା ନିହାତି ଆବଶ୍ୟକ।
ସାଂପ୍ରତିକ ମାଧ୍ୟମିକ ଶିକ୍ଷାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ହେଲା ମାଧ୍ୟମିକ ଶିକ୍ଷାର ଗୁଣାତ୍ମକ ବିକାଶ। ଯେଉଁମାନେ ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନେ ନବମ ଶ୍ରେଣୀରେ ନାମ ଲେଖାଇଥାନ୍ତି। ସାଂପ୍ରତିକ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍-ଫେଲ୍ ବ୍ୟବସ୍ଥା ଉଠିଯିବାରୁ ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ସବୁ ପିଲା ଧୂଆମୂଳା ଓ ଅଧୂଆମୂଳା ସଦୃଶ ସମାନ ହୋଇଯାଆନ୍ତି ଏବଂ ସେମାନଙ୍କର ଶିକ୍ଷଣୀୟ ସ୍ତର ନିର୍ଣ୍ଣୟ କରିବା କଷ୍ଟକର ହୋଇପଡ଼େ। ତେଣୁ ଏହି ଭଳି ପିଲାଙ୍କୁ ନେଇ ଦୁଇ ବର୍ଷ ଭିତରେ ଗଣିତ, ବିଜ୍ଞାନ, ସାମାଜିକ ପାଠ, ଓଡ଼ିଆ ଓ ଇଂରେଜୀ ଭାଷାରେ ସର୍ବନିମ୍ନ ଶିକ୍ଷଣୀୟ ଦକ୍ଷତା ହାସଲ କରାଇବା ଶିକ୍ଷକମାନଙ୍କ ପକ୍ଷରେ ବହୁତ ଦୁରୂହ ବ୍ୟାପାର। ଫଳରେ ଅଷ୍ଟମ ଶ୍ରେଣୀ ପରେ ଅଧିକ ପିଲା ଅଧାରୁ ପାଠ ଛାଡ଼ି ଦିଅନ୍ତି ଏବଂ ଯେଉଁମାନେ ନବମ ଶ୍ରେଣୀରେ ନାମ ଲେଖାନ୍ତି, ଦଶମ ଶ୍ରେଣୀ ପଢ଼ିଲା ପରେ ବାର୍ଷିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରନ୍ତି ନାହିଁ। ଏହାର ମୁଖ୍ୟ କାରଣ ହେଲା ଦୁର୍ବଳ ଶିକ୍ଷାଗତ ଭିତ୍ତିଭୂମି। ତେଣୁ ଏହି ଆହ୍ବାନର ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ସମୟୋଚିତ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରି। ସାଂପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ଅନୁଭବ କରି କେନ୍ଦ୍ର ସରକାର ଚଳିତ ବର୍ଷ ଠାରୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ପାସ୍-ଫେଲ୍ ବ୍ୟବସ୍ଥା ପୁନଃ ସ୍ଥାପିତ କରି ଶିକ୍ଷା ଅଧିକାର ଆଇନରେ ସଂଶୋଧନ ଆଣିଛନ୍ତି, ଯାହାକି ସ୍ବାଗତଯୋଗ୍ୟ।
ଆହୁରି ପଢ଼ନ୍ତୁ- Chennai Super Kings:ପରାଜୟ ପରେ ଦଳରେ ପରିବର୍ତ୍ତନ ପାଇଁ ସଂକେତ ଦେଇଛନ୍ତି ସହକାରୀ ପ୍ରଶିକ୍ଷକ ରିୟାନ ଟେନ୍ ଡଇସେଟ୍
ଓଡ଼ିଶାର ଅଧିକାଂଶ ଲୋକଙ୍କ ମାତୃଭାଷା ତଥା ଚଳଣି ଭାଷା ଓଡ଼ିଆ। ମାତୃଭାଷା ହେଉଛି ଜଣେ ବ୍ୟକ୍ତିର ଅସ୍ମିତା ଓ ସ୍ବାଭିମାନର ପରିଚୟ। ଏହି ମାତୃଭାଷାର ମୂଳଦୁଆ ପଡ଼ିଥାଏ ଶିଶୁ ଶ୍ରେଣୀରେ, ଯାହାର କ୍ରମବିକାଶ ହୁଏ ପରବର୍ତ୍ତୀ ଶ୍ରେଣୀମାନଙ୍କରେ। ଫଳରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ଲେଖିବା, ପଢ଼ିବା ଓ କହିବାର ଦକ୍ଷତା ରଖିବା ଆବଶ୍ୟକ। ବିଡ଼ମ୍ବନାର ବିଷୟ, ବିଭିନ୍ନ ସର୍ଭେରୁ ସଂଗୃହୀତ ତଥ୍ୟମାନଙ୍କୁ ଅନୁଧ୍ୟାନ କଲେ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ପିଲାମାନଙ୍କର ଭାଷାଗତ ଦୟନୀୟ ସ୍ଥିତି ଜଣାପଡ଼େ। ତେଣୁ ଦକ୍ଷ ଭାଷା ଶିକ୍ଷକ, ଉପଯୁକ୍ତ ଆକର୍ଷଣୀୟ ଭାଷା ସାହିତ୍ୟ ପୁସ୍ତକ ତଥା ନୂତନ ଅନୁସୃଜନ ପ୍ରଣାଳୀ ମାଧ୍ୟମରେ ଶିକ୍ଷାଦାନ ଦ୍ବାରା ଏହି ଭାଷାଗତ ଦକ୍ଷତାର ବିକାଶ କରାଯାଇ ପାରିବ ବୋଲି ଆଶା କରାଯାଏ।
ଗଣିତ ଓ ବିଜ୍ଞାନ ଶିକ୍ଷା ହେଉଛି ଆଧୁନିକ ସମାଜରେ ପ୍ରଗତିର ମାନଦଣ୍ଡ। ଏହି ଦୁଇଟି ବିଷୟରେ ଦକ୍ଷ ରହିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ସ୍ତରରେ ପ୍ରତ୍ୟେକ ଛାତ୍ର ନିଜର ଭବିଷ୍ୟତ କ୍ୟାରିଅର ସୁନିର୍ଦ୍ଧାରଣ କରିବା ସଙ୍ଗେ ସଙ୍ଗେ ଏକ ସଫଳ ନାଗରିକ ରୂପେ ପ୍ରତିଷ୍ଠିତ ହୋଇପାରିବେ। ଆଜି ହେଉଛି ପ୍ରଯୁକ୍ତିବିଦ୍ୟାର ଯୁଗ, ଯାହାର ମୂଳ ଭିତ୍ତି ହେଲା ଗଣିତ ଓ ବିଜ୍ଞାନ। ଏହି ଦୁଇଟି ବିଷୟଗତ ଦକ୍ଷତା ହାସଲ କରିବାକୁ ହେଲେ ଗଣିତ ଓ ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ଜରୁରି। ଦକ୍ଷ ଓ ସୃଜନଶୀଳ ଶିକ୍ଷକଙ୍କ ଦ୍ବାରା ଶିକ୍ଷାଦାନ, ପରୀକ୍ଷା ଓ ପ୍ରଦର୍ଶନ ପ୍ରଣାଳୀ ମାଧ୍ୟମରେ ବିଷୟଗତ ଜ୍ଞାନର ବିକାଶ ଏବଂ ସର୍ବୋପରି ହସ୍ତକର୍ମ ମାଧ୍ୟମରେ ବ୍ୟକ୍ତିଗତ କୁଶଳତାର ବିକାଶ ଦ୍ବାରା ଏହି ଦୁଇ ବିଷୟଗତ ଜ୍ଞାନର ବିକାଶ ହୋଇପାରିବ।
ସାମାଜିକ ପାଠ ଓ ପରିବେଶ ବିଜ୍ଞାନ ମାଧ୍ୟମରେ ଉନ୍ନତ ନାଗରିକ ଚରିତ୍ରର ବିକାଶ ହୋଇପାରିବ। ଚରିତ୍ର କହିଲେ ଲୋକେ ବହୁତ ବିଷୟରେ ବର୍ଣ୍ଣନା କରିଥାନ୍ତି। କିନ୍ତୁ ଅତି ସରଳ ଭାଷାରେ ଉତ୍ତମ ଚରିତ୍ର କହିଲେ ଉତ୍ତମ ଅଭ୍ୟାସର ସମାହାରକୁ ଆମେ ବୁଝିବା। ଛାତ୍ର ଜୀବନରେ ଉତ୍ତମ ଅଭ୍ୟାସ ଗଠନ କରିବାକୁ ହେଲେ ଆବଶ୍ୟକ ଉତ୍ତମ ଚିନ୍ତନ, ଉତ୍ତମ ବଚନ ଓ ଉତ୍ତମ କର୍ମ। ଅର୍ଥାତ୍ ଚିନ୍ତାରେ, କଥାରେ ଓ କାର୍ଯ୍ୟରେ ଶୁଦ୍ଧତା ରଖିଲେ ଜଣେ ସୁଅଭ୍ୟାସ ଗଠନ କରିପାରିବ ଏବଂ ଉତ୍ତମ ଅଭ୍ୟାସ ଗଠନ ହୋଇପାରିଲେ ଜଣେ ଉତ୍ତମ ନାଗରିକ ହୋଇପାରିବ। ସାମାଜିକ ପାଠ ମାଧ୍ୟମରେ ଇତିହାସ, ଭୂଗୋଳ ତଥା ନଗରବିଜ୍ଞାନ ପାଠର ଜ୍ଞାନ ଆହରଣ କରିବା ସଙ୍ଗେ ସଙ୍ଗେ ପରିବେଶ ଶିକ୍ଷା ମାଧ୍ୟମରେ ପରିବେଶ ପ୍ରତି ସମ୍ବେଦନଶୀଳ ଭାବ ଜାଗ୍ରତ କରିବା ଜରୁରି। ଏଥିପାଇଁ ଆବଶ୍ୟକ ଉତ୍ତମ ଗୁଣସଂପନ୍ନ ଶିକ୍ଷକ, ବିଷୟଗତ ଜ୍ଞାନରେ ଦକ୍ଷ ଶିକ୍ଷକ ଓ ସୃଜନଶୀଳ ଶିକ୍ଷାଦାନରେ ପାରଦର୍ଶୀ ଶିକ୍ଷକ। ଶିକ୍ଷକମାନଙ୍କ ପାଇଁ ସମୟୋପଯୋଗୀ ନିୟମିତ ପ୍ରଶିକ୍ଷଣ ଦ୍ବାରା ସେମାନଙ୍କର ଦକ୍ଷତାର ବିକାଶ କରାଯାଇ ପାରିବ।
ଆଧୁନିକ ଯୁଗ ହେଉଛି ପ୍ରଯୁକ୍ତିବିଦ୍ୟାର ଯୁଗ। ବିେଶଷକରି କମ୍ପ୍ୟୁଟର ଶିକ୍ଷାର ଉଦ୍ଭାବନ ଓ ବିକାଶ ଫଳରେ ଆଧୁନିକ ଜନଜୀବନ ଏତେ ମାତ୍ରାରେ ପ୍ରଭାବିତ ଯେ କମ୍ପ୍ୟୁଟର ବିନା ଆଧୁନିକ ଜୀବନ କଳ୍ପନା କରିବା ସମ୍ଭବ ନୁହେଁ। ଉନ୍ନତ ଦେଶମାନଙ୍କରେ ଏହି କମ୍ପ୍ୟୁଟର ଶିକ୍ଷାକୁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ପ୍ରଚଳନ କରାଯାଇଛି, କିନ୍ତୁ ଆମ ରାଜ୍ୟରେ ଏହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ପ୍ରଚଳନ କରାଯାଇଛି ଯାହାକି ଉପଯୁକ୍ତ ମନେହୁଏ। କିନ୍ତୁ ସ୍ମାର୍ଟ ଫୋନ ଓ ଇଣ୍ଟରନେଟର ବ୍ୟାପକ ବ୍ୟବହାର ଫଳରେ ଆଜିକାଲିର ପିଲାମାନେ ବିଷୟଗତ ଜ୍ଞାନରୁ ଦୂରେଇ ଯାଇ କେବଳ ମନୋରଞ୍ଜନରେ ଅଧିକ ଧ୍ୟାନ ଦେବା ଦେଖାଯାଉଛି। ତେଣୁ ବିଷୟଗତ ଜ୍ଞାନ ଏବଂ କମ୍ପ୍ୟୁଟର ଶିକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ପିଲାମାନଙ୍କୁ ସଠିକ୍ ମାର୍ଗରେ ପରିଚାଳିତ କରିବା ପାଇଁ ଆବଶ୍ୟକ ନିରନ୍ତର ଶୈକ୍ଷିକ ନିରୀକ୍ଷଣ।
ଉପରୋକ୍ତ ଆହ୍ବାନଗୁଡ଼ିକର ସଫଳ ମୁକାବିଲା ପାଇଁ ଆବଶ୍ୟକ ପ୍ରଶାସନିକ ନେତୃତ୍ବର କଠୋର ଇଚ୍ଛାଶକ୍ତି, ଶିକ୍ଷା ଅଧିକାରୀମାନଙ୍କ ଦ୍ବାରା ନିରନ୍ତର ନିରୀକ୍ଷଣ ଓ ସମୟୋଚିତ କାର୍ଯ୍ୟାନ୍ବୟନ, ଶିକ୍ଷକମାନଙ୍କର ନିଜର କାର୍ଯ୍ୟ ପାଇଁ ଉତ୍ତରଦାୟିତ୍ବ ଏବଂ ସର୍ବୋପରି ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନଙ୍କର ଅକୁଣ୍ଠ ସହଯୋଗ; ଯାହା ଫଳରେ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ବିକାଶ ହେବା ସଙ୍ଗେ ସଙ୍ଗେ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ବୋଲି ଆଶା କରାଯାଏ।
(ମତାମତ ଲେଖକଙ୍କ ନିଜସ୍ବ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/02/23/2163206-2026-02-23-15-17-52.jpg)