ବିଶ୍ୱସ୍ତରୀୟ ସ୍ୱପ୍ନ
ଚିନ୍ମୟ ହୋତା (ଚିନ୍ମୟ ଚେତନା)
ଓଡ଼ିଶାରେ କିଛି ବର୍ଷ ହେଲା ଗୋଟିଏ ନୂଆ ଭାଇରସ ବ୍ୟାପୁଛି ଯାହାକୁ ଆପଣ ‘ବିଶ୍ୱସ୍ତରୀୟ’ ଭାଇରସ ବୋଲି କହି ପାରନ୍ତି। କୋଭିଡ ଠାରୁ ବି ଦ୍ରୁତ ଗତିରେ ବ୍ୟାପେ ଏହି ମହାମାରୀ। ଏହାର ଲକ୍ଷଣ ହେଲା ଯେ କୌଣସି ସରକାରୀ ପ୍ରକଳ୍ପ, ତାହା ଯେତେ ଛୋଟ ଓ ସାଧାରଣ ହୋଇ ଥାଉ ନା କାହିଁକି, ତା’ ସାମନାରେ ‘ବିଶ୍ୱସ୍ତରୀୟ’ ଶବ୍ଦଟି ଲଗାଇ ଦେବାର ଅଦମନୀୟ ପ୍ରବୃତ୍ତି। ଏହି ସଂକ୍ରମଣର ଫଳ ସ୍ୱରୂପ ଆମର ଅନେକ ଜିନିଷ ଏବେ ‘ବିଶ୍ୱସ୍ତରୀୟ’ ହୋଇଗଲାଣି। ବସ୍ଷ୍ଟାଣ୍ଡ, ବିଶ୍ୱସ୍ତରୀୟ! ରେଳଷ୍ଟେସନ, ବିଶ୍ୱସ୍ତରୀୟ! ସ୍କୁଲ, ଅବଶ୍ୟ ବିଶ୍ୱସ୍ତରୀୟ! ଫ୍ଲାଇଓଭର ତ ନିଶ୍ଚୟ ବିଶ୍ୱସ୍ତରୀୟ! ଏପରିକି ଗୋଟିଏ ଛୋଟ ଶୌଚାଳୟ ତିଆରି ହେଲେ ମଧ୍ୟ ଏବେ ସରକାରୀ ଘୋଷଣା କରାଯାଉଛି, ‘ବିଶ୍ୱସ୍ତରୀୟ ଶୌଚାଳୟର ଶୁଭ ଉନ୍ମୋଚନ!’
ମଜାର କଥା ହେଲା, କେହି ପ୍ରଶ୍ନ କରନ୍ତି ନାହିଁ, ବିଶ୍ୱର କେଉଁ ସ୍ତରର କଥା କହୁଛୁ ଆମେ? ପ୍ୟାରିସ୍ ଭଳି? ଟୋକିଓ ଭଳି? ନା ସିଙ୍ଗାପୁର ଭଳି? ତେବେ ପ୍ରକୃତରେ ଆମର ‘ବିଶ୍ୱସ୍ତରୀୟ’ର ମାନେ ହେଲା- ଆଗ ଠାରୁ ଟିକେ ଭଲ, ଟିକେ ରଙ୍ଗ କରା, ଦୁଇଟି ସିସିଟିଭି କ୍ୟାମେରା ଓ ଗୋଟିଏ ବଡ଼ ହୋର୍ଡିଂ ଲଗା ଯାଇଥିବ, ଯେଉଁଠି ଲେଖାଥିବ ‘ବିଶ୍ୱମାନର ସୁବିଧା ଉପଲବ୍ଧ’! ଏହି ‘ବିଶ୍ୱସ୍ତରୀୟ’ ଅତିରଞ୍ଜନର ଜନ୍ମଦାତା ଥିଲା ବିଜେଡି ସରକାର। ସେମାନେ ଆବିଷ୍କାର କରିଥିଲେ ଏହି ଯାଦୁକରୀ ଫର୍ମୁଲାଟି: ଯେ କୌଣସି ପୁରୁଣା ଜିନିଷରେ ନୂଆ ପେଣ୍ଟ୍ ମାରନ୍ତୁ, କେତୋଟି ଚକଚକିଆ ସାଇନ ବୋର୍ଡ ଲଗାନ୍ତୁ, ଆଉ ଘୋଷଣା କରନ୍ତୁ ‘ବିଶ୍ୱସ୍ତରୀୟ’, ଅନ୍ତତଃ କାଗଜରେ ଓ ଉଦ୍ଘାଟନୀ ଭାଷଣରେ। ‘ଭାରତକୁ ଶୀର୍ଷସ୍ଥାନୀୟ ଅର୍ଥନୀତି’ ବନାଇବା ଲାଗି କେନ୍ଦ୍ର ସରକାରଙ୍କ ସ୍ୱପ୍ନ ଦେଖି ଓଡ଼ିଶା ସରକାର ଭାବିଲେ- ଆରେ, ଆମେ ମଧ୍ୟ ପାରିବୁ! ତେଣୁ ଭାରତ ଯେତେବେଳେ ‘ବିଶ୍ୱଗୁରୁ’ ହେବାର ସ୍ୱପ୍ନ ଦେଖୁଛି, ଓଡ଼ିଶା ସେତେବେଳେ ପ୍ରତ୍ୟେକ ବସ୍ଷ୍ଟାଣ୍ଡ ଓ ଶୌଚାଳୟକୁ ବିଶ୍ୱମାନର କରିବାରେ ବ୍ୟସ୍ତ। ପ୍ରତ୍ୟେକ ପ୍ରକଳ୍ପ ଯେମିତି ଗୋଟିଏ ବଲିଉଡ୍ ଫିଲ୍ମ- ବିରାଟ ‘ହାଇପ୍’, ଜମାଣିଆ ପ୍ରିମିଅର, ତା’ ପରେ ସାମୂହିକ ବିସ୍ମୃତି!
କିନ୍ତୁ, ଏହି ‘ବିଶ୍ୱସ୍ତରୀୟ’ ପ୍ରକଳ୍ପଗୁଡ଼ିକର ଅସଲ ସମସ୍ୟା ଠିକ୍ ମଝି ରାସ୍ତାରେ ଗାଡ଼ିର ତେଲ ସରିଯିବା ଭଳି! ନୂଆ ଆଉ ଏକ ‘ବିଶ୍ୱସ୍ତରୀୟ’ ପ୍ରକଳ୍ପ ମିଡିଆ ସାମନାକୁ ଆସିଯାଏ। ଗତ କାଲିର ‘ବିଶ୍ୱସ୍ତରୀୟ ବସ୍ଷ୍ଟାଣ୍ଡ’ ଆଜି ନୂଆ ‘ବିଶ୍ୱସ୍ତରୀୟ ଷ୍ଟାଡିଅମ’ ଯୋଗୁଁ ଖବରକାଗଜ ପୃଷ୍ଠାରୁ ଉଭେଇ ଯାଏ। ପରେ ‘ବିଶ୍ୱସ୍ତରୀୟ ମେଟ୍ରୋ’ ପ୍ରକଳ୍ପ କଥା ପଡ଼ିଲେ ଷ୍ଟାଡିଅମ ଆପଣା ଛାଏଁ ଅପସରି ଯାଏ। ଏମିତି ଚାଲେ- ଗୋଟିଏ ପରେ ଗୋଟିଏ ‘ବିଶ୍ୱସ୍ତରୀୟ’ ଘୋଷଣା। କିନ୍ତୁ ଛଅ ମାସ ପରେ? ସେ ଦିନର ଚକଚକିଆ ଟାଇଲ ବର୍ତ୍ତମାନ ଧୂଳିଧୂସରିତ। ସିସିଟିଭି କ୍ୟାମେରା କାମ କରୁନାହିଁ। ବିଶ୍ୱ ମାନର ଶୌଚାଳୟରେ ତାଲା ପଡ଼ିଲାଣି କୋଉ ଦିନରୁ। କାରଣଟା ସ୍ପଷ୍ଟ। ଉଦ୍ଘାଟନ ବେଳେ ଫଟୋ ସେସନ ହୁଏ, ରକ୍ଷଣାବେକ୍ଷଣ ବେଳର ଗୋଟିଏ ବି ଫଟୋ ଉଠାଯାଏ ନାହିଁ! ତେଣୁ ନିଯୁକ୍ତ କର୍ମଚାରୀଙ୍କ ଆଗ୍ରହ ଶୂନ୍ୟ ହୋଇଯାଏ। ଫଳାଫଳ? ଗତକାଲିର ‘ବିଶ୍ୱସ୍ତରୀୟ’ ସ୍ଥାନଟି ଆଜି ଅପରିଷ୍କାର ଓ ପରିତ୍ୟକ୍ତ।
ବର୍ତ୍ତମାନ ଭାବିବାର କଥାଟି ହେଲା, ବିଶ୍ୱରେ ଓଡ଼ିଶା ନାମ କମାଏ କେମିତି? ‘ବିଶ୍ୱସ୍ତରୀୟ ବସ୍ଷ୍ଟାଣ୍ଡ’ କିମ୍ବା ‘ବିଶ୍ୱସ୍ତରୀୟ ଡାକ୍ତରଖାନା’ ପାଇଁ? ନା! ବିଶ୍ୱ ଓଡ଼ିଶାକୁ ଚିହ୍ନେ ଦାନ ମାଝୀ ମାଧ୍ୟମରେ, ଯେଉଁ ଲୋକଟି ତା’ର ମୃତ ପତ୍ନୀକୁ କାନ୍ଧରେ ନେଇ ମାଇଲ ପରେ ମାଇଲ ଚାଲିଥିଲା କାରଣ ତାକୁ କୌଣସି ‘ବିଶ୍ୱସ୍ତରୀୟ ଆମ୍ବୁଲାନ୍ସ’ ମିଳି ନ ଥିଲା। ବିଶ୍ୱ ଓଡ଼ିଶାକୁ ଚିହ୍ନେ ସେହି ଦାଦନ ଶ୍ରମିକମାନଙ୍କ ମାଧ୍ୟମରେ ଯେଉଁମାନେ ନିଜ ଜନ୍ମମାଟିକୁ ମୃତ ଦେହ ହୋଇ ଫେରି ଆସନ୍ତି। ସେମାନେ ଦିନେ ଅନ୍ୟ ରାଜ୍ୟକୁ ଯାଇଥିଲେ ରୋଜଗାରର ଆଶାରେ, ଅଥଚ ଫେରି ଆସିଲେ କାଠ ବାକ୍ସରେ। ଓଡ଼ିଶା ‘ବିଶ୍ୱସ୍ତରୀୟ’ ଡାକ୍ତରଖାନାକୁ ନେଇ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ସୃଷ୍ଟି କରେ ନାହିଁ, କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଗାଁରେ ଜଣେ ଅନୁସୂଚିତ ଜାତିର ଆଙ୍ଗନୱାଡ଼ି କର୍ମୀ ଖାଇବା ରାନ୍ଧୁଛନ୍ତି ବୋଲି ଯେତେବେଳେ ଗାଁ ଲୋକେ ତିନି ମାସ ଧରି ନିଜ ପିଲାମାନଙ୍କୁ ମିଡ୍-ଡେ ମିଲ୍ ଖାଇବାକୁ ଛାଡ଼ନ୍ତି ନାହିଁ, ତାହା ବିଶ୍ୱସ୍ତରୀୟ ଖବର ପାଲଟି ଯାଏ।
ବିଶ୍ୱସ୍ତରୀୟର ଅର୍ଥ କେବଳ ଚକଚକିଆ ଇମାରତ ନୁହେଁ। ବିଶ୍ୱସ୍ତରୀୟର ମାନେ ହେଲା, ଯେଉଁଠି ଦାନ ମାଝୀଙ୍କୁ ତାଙ୍କ ପତ୍ନୀଙ୍କୁ କାନ୍ଧରେ ବୋହି ନେବାକୁ ପଡ଼େ ନାହିଁ; ଯେଉଁଠି ଆମ୍ବୁଲାନ୍ସ ସତରେ ଏବଂ ଠିକଣା ସମୟରେ ଆସେ; ଯେଉଁଠି ଦରିଦ୍ର ଶ୍ରମିକମାନଙ୍କୁ ଦାଦନ ଖଟିବାକୁ ଯାଇ ମରିବାକୁ ପଡ଼େ ନାହିଁ; ଯେଉଁଠି ସ୍କୁଲର ମିଡ୍-ଡେ ମିଲ୍ରେ ସତରେ ପୁଷ୍ଟିକର ଖାଦ୍ୟ ମିଳେ; ଯେଉଁଠି ସ୍କୁଲ ପିଲାମାନେ ଜାତିଭେଦ କାରଣରୁ ଖାଦ୍ୟରୁ ବଞ୍ଚିତ ହୁଅନ୍ତି ନାହିଁ ଓ ଯେଉଁଠି ଡାକ୍ତରଖାନାରେ ଡାକ୍ତର ଥାଆନ୍ତି, କେବଳ ହୋର୍ଡିଂ ନୁହେଁ। କିନ୍ତୁ ଏସବୁ ‘ବିଶ୍ୱସ୍ତରୀୟ’ ବିଷୟ କମ୍ ଚଟପଟିଆ। ଏଗୁଡ଼ିକୁ ନେଇ ଭଲ ଫଟୋ ସେସନ ହୁଏ ନାହିଁ। ହୋର୍ଡିଂରେ ବିଜ୍ଞାପନ ଭଲ ଆସେ ନାହିଁ କି ମିଡିଆକୁ ଭଲ ବାଇଟ୍ ଦେଇ ହୁଏ ନାହିଁ। ତେଣୁ ଆମେ ବସ୍ଷ୍ଟାଣ୍ଡ ଆଉ ଫ୍ଲାଇଓଭର୍ ବନାଇବାରେ ବ୍ୟସ୍ତ, ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥା ଯେଉଁ ଚୁଲିକୁ ଯାଉଛି ଯାଉ।
ଦେଖନ୍ତୁ, ସ୍ୱପ୍ନ ଦେଖିବା ଖରାପ ନୁହେଁ। ଓଡ଼ିଶା ବିଶ୍ୱମାନର ହେଉ, ଏହା ଆମେ ସମସ୍ତେ ଚାହୁଁ। କିନ୍ତୁ ‘ବିଶ୍ୱସ୍ତରୀୟ’ ଶବ୍ଦ ଲଗାଇ ଦେଲେ କିଛି ବିଶ୍ୱ ମାନର ହୋଇଯାଏ ନାହିଁ। ପ୍ରକୃତ ବିଶ୍ୱ ମାନର ହେବାକୁ ହେଲେ ଦୀର୍ଘ ମିଆଦି ଯୋଜନା, ସତ୍ୟତା, ସ୍ୱଚ୍ଛତା ଆଉ ଠିକ୍ ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱ ଦିଆଯିବା ଦରକାର। ପ୍ୟାରିସ୍ କିମ୍ବା ଟୋକିଓ ଗୋଟିଏ ଦିନରେ ବିଶ୍ୱମାନର ହୋଇନାହାନ୍ତି। ସେମାନେ ପ୍ରତ୍ୟେକଟି ପ୍ରକଳ୍ପ ସମାପ୍ତ କରିଛନ୍ତି, ତା’ପରେ ତାହାର ଯତ୍ନ ନେଇଛନ୍ତି। ଆମେ? ଆମେ ଦଶଟା ପ୍ରକଳ୍ପ ଆରମ୍ଭ କରୁ, ଗୋଟିଏ ମଧ୍ୟ ଠିକ୍ ଭାବେ ସମାପ୍ତ କରୁ ନାହିଁ, ରକ୍ଷଣାବେକ୍ଷଣ ତ ଦୂରର କଥା! ତେଣୁ ପରାମର୍ଶ: ପରବର୍ତ୍ତୀ ‘ବିଶ୍ୱସ୍ତରୀୟ’ ପ୍ରକଳ୍ପ ଘୋଷଣା କରିବା ପୂର୍ବରୁ, ଗତ ପାଳିର ‘ବିଶ୍ୱସ୍ତରୀୟ’ ଜିନିଷଟା ଆଡ଼କୁ ଥରେ ଦେଖନ୍ତୁ। ବର୍ତ୍ତମାନ ତାହା ବିଶ୍ୱ ମାନର ଅଛି ତ? ନା ଭୂତକୋଠିରେ ପରିଣତ ହୋଇଗଲାଣି?
(ମତାମତ ଲେଖକଙ୍କ ନିଜସ୍ବ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/03/02/sampadakiya-prustharu-2026-03-02-18-22-33.jpeg)