ଜୀବନ: ପଛରୁ ବୁଝିବା, ଆଗକୁ ଜିଇବା

ସୁଭାଷ ପଟ୍ଟନାୟକ (ସରସ ରସ)

ବିଶିଷ୍ଟ ଡେନିସ୍ ଲେଖକ ଓ ଚିନ୍ତକ ସୋରେନ୍ କିର୍କେଗାର୍ଡ ନିଜସ୍ବ ଏକ ଦିନଲିପିରେ (ଜର୍ଣ୍ଣାଲ ଏଣ୍ଟ୍ରି) ଲେଖିଛନ୍ତି, “ଲାଇଫ୍ କ୍ୟାନ୍ ଓନ୍‌ଲି ବି ଅଣ୍ଡରଷ୍ଟୁଡ ବ୍ୟାକଵାର୍ଡସ, ବଟ୍ ଇଟ୍ ମଷ୍ଟ୍ ବି ଲିଭ୍‌ଡ ଫରଵାର୍ଡସ”। ଜୀବନକୁ କେବଳ ତା’ର ପୃଷ୍ଠ ଭାଗରୁ ବୁଝାଯାଇପାରେ ମାତ୍ର ସମ୍ମୁଖ ଆଡ଼କୁ ଜିଇବାକୁ ପଡ଼ିଥାଏ। ଅର୍ଥାତ୍ ବିତିଥିବା ଜୀବନକୁ ବୁଝିପାରିଲେ ସୁଗମ ଅଗ୍ରଗତି ସମ୍ଭବ। ଏ କଥାଟିର ବିରୋଧାଭାଷ ପରି ମନେହୁଏ ଋଗବେଦ ଅନ୍ତର୍ଗତ ଐତରେୟ ବ୍ରାହ୍ମଣ ଉପନିଷଦର (୩୩/୩) କିଛି ଉପଦେଶ: “ଚରଣବୈ ମଧୁ ବିନ୍ଦତି ଚରଣ୍ ସ୍ବାଦୁମୁଦୁମ୍ବରମ୍ / ସୂର୍ଯ୍ୟସ୍ୟ ପଶ୍ୟ ଶ୍ରେମାଣଂ ୟୋନ ତନ୍ଦ୍ରୟତେ ଚରଣଂ, ଚରୈବେତି, ଚରୈବେତି।” ସମଗ୍ର ପାଞ୍ଚଟି ଶ୍ଳୋକର ଭାବାର୍ଥ ହେଉଛି, ମହୁମାଛିଟିଏ ଆଗକୁ ଆଗକୁ ଘୂରି ବୁଲିଲେ ହିଁ ମଧୁଭରା ଫୁଲର ସନ୍ଧାନ ପାଇଥାଏ, ପକ୍ଷୀଟି ପଛକୁ ନଦେଖି ଆଗକୁ ଆଗକୁ ଗତି କରି ସୁସ୍ବାଦୁ ଫଳ ନିକଟରେ ପହଞ୍ଚିଥାଏ। ଅଗ୍ରଗାମୀ ସୂର୍ଯ୍ୟ କେବେ ପଛକୁ ଚାହାଁନ୍ତି ନାହିଁ, ତେଣୁ ସର୍ବପୂଜ୍ୟ ହୋଇଥାନ୍ତି। ଜୀବନରେ ସଫଳତା ପାଇଁ ମନୁଷ୍ୟକୁ ମଧ୍ୟ ସେହିପରି ଅଗ୍ରଗତିର ଆବଶ୍ୟକ, ତେଣୁ ଚାଲିବା ଜାରି ରଖ। ବେଦର ଉପଦେଶ ମାନିନେଇ ପରିଣତି ବିଷୟରେ ଚିନ୍ତା ନକରି ଓ କୌଣସି ପ୍ରାକ୍ ପ୍ରସ୍ତୁତି ନକରି ଜୀବନର ନୌକାକୁ ଆଗକୁ ବାହି ନେବା ନିରାପଦ ନା କିର୍କେଗାର୍ଡଙ୍କ ଅନୁସାରେ ଆଗକୁ ପାଦ ପକାଇବା ପୂର୍ବରୁ ପଛକୁ ଚାହିଁ ପ୍ରଥମେ ଜିଇ ସାରିଥିବା ଜୀବନକୁ ତର୍ଜମା କରିବା ବିଧେୟ? ଏ ସଂପର୍କରେ ଚାଲନ୍ତୁ କିଛି ଆଲୋଚନା କରିବା।

Advertisment

ଏକ ସମୟରେ ଜୀବନକୁ ଜିଇବା ଓ ଜିଇ ସାରିଥିବା ଜୀବନର ବିଶ୍ଳେଷଣ କରିବା ସହଜ ନୁହେଁ। ତା’ ଅର୍ଥ ଜୀବନକୁ କୌଣସି ସମୟରେ ସଂପୂର୍ଣ୍ଣ ବୁଝିପାରିବା ଅସମ୍ଭବ। ଏପରି କୌଣସି ଏକ ମୁହୂର୍ତ୍ତ ମନୁଷ୍ୟ ନିକଟରେ ଉପଲବ୍ଧ ନୁହେଁ ଯେତେବେଳେ ସମୟ ସ୍ଥିର ହୋଇଯାଇ ଜିଇବା ପୂର୍ବରୁ ଜୀବନକୁ ବୁଝିବାପାଇଁ ସମୟ ଦେବ। ସ୍ରୋତସ୍ବିନୀ ନଦୀରେ ଭାସମାନ ନୌକା ସଦୃଶ ବର୍ତ୍ତମାନ କାଳ ଖଣ୍ଡର ନୌକାରେ ସବାର ମନୁଷ୍ୟ ସମୟର ସ୍ରୋତରେ ଭବିଷ୍ୟତ ଆଡ଼କୁ ଅବିରତ ଗତି କରୁଛି। ଆଗରେ କେଉଁ ପରିଣାମ ଅପେକ୍ଷା କରିଛି ଆମକୁ ଜଣାନାହିଁ। ବିତିଯାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତ ଜିଇବାର ଅଭିଜ୍ଞତାକୁ ସଙ୍ଗରେ ନେଇ ପଛକୁ ଚାଲି ଯାଉଛି। ଜିଇ ସାରିଥିବା ଜୀବନର ଅଭିଜ୍ଞତାକୁ ବିଶ୍ଳେଷଣ କଲେ ହିଁ ଆଗାମୀ ଅଜ୍ଞାତ ଆହ୍ବାନର ସମ୍ମୁଖୀନ ହେବା ସହଜ। ତେଣୁ ଅନ୍ତର୍ଦୃଷ୍ଟି ସହିତ ପଶ୍ଚାଦ୍‌ଦୃଷ୍ଟିର ମିଶ୍ରଣ ହେଲେ ହିଁ ଦୂରଦୃଷ୍ଟି ସମ୍ଭବ, ଯାହା ଜୀବନର ଯାତ୍ରା ପଥକୁ ନିରାପଦ କରିପାରେ।

ଆହୁରି ପଢ଼ନ୍ତୁ- 🔴 LIVE News Updates 2026 March 6: ନିଖୋଜ ସୁଖୋଇ-୩୦ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ; ସିଆଇଏସ୍‌ଏଫ୍‌ର ଉତ୍ସବରେ ଯୋଗଦେବେ ଶାହ; ଘର ପୋଡିଗଲା, ଜଳିଗଲେ ଯୁବକ

ଘଟଣା ଓ ନିଷ୍ପତ୍ତିର ସମାହରଣ ହେଉଛି ଜୀବନର ଗତିଶୀଳତା। ଜୀବନକୁ ଜିଇବା ସମୟରେ ପରିସ୍ଥିତି ଓ ପରିଣତିର ଏତେ ନିକଟତର ହେବାକୁ ପଡ଼େ ଯେ, ଜିଇବାର ଗୁରୁତ୍ୱ ଓ ଫଳାଫଳ ସଂପର୍କରେ କୌଣସି ପ୍ରାକ୍ ସୂଚନା ଆମ ପାଖରେ ନଥାଏ। ବିତିଯାଇଥିବା ଜୀବନକୁ ପଛରୁ ଦେଖି ବର୍ତ୍ତମାନ ଓ ଭବିଷ୍ୟତକୁ ବିଶ୍ଳେଷଣ କରି ହୁଏ, ଫଳ ସ୍ବରୂପ ବଞ୍ଚିବା ହୋଇଥାଏ ସୁଖକର। ପଶ୍ଚାଦ୍‌ଦୃଷ୍ଟି ଅନୁଶୋଚନା ନୁହେଁ ବରଂ ଜୀବନର ପ୍ରତିଫଳନ। ଏ ପ୍ରତିଫଳିତ ଆଲୋକ ଆଗାମୀ ଜୀବନର ପଥଦର୍ଶୀ। ଅତୀତର ପ୍ରତ୍ୟେକ ଭୁଲ୍‌ ଓ ଠିକ୍ କାର୍ଯ୍ୟ, ପ୍ରତ୍ୟେକ ଦୁର୍ଯୋଗ ଓ ସୁଯୋଗ ଏବଂ ପ୍ରତ୍ୟେକ ଅପ୍ରତ୍ୟାଶିତ ଫଳାଫଳ ଆଗାମୀ ଜୀବନକୁ ସୁଖ ଯାତ୍ରାରେ ପରିଣତ କରିବାରେ ସହାୟକ ହୋଇଥାଏ। 

ମାନବ ଜୀବନ ଥରଟିଏ ମିଳେ, ତେଣୁ ଆମର କେଉଁକେଉଁ ନିଷ୍ପତ୍ତି ଠିକ୍ ଓ କେଉଁଗୁଡ଼ିକ ଭୁଲ୍‌ ତାକୁ ଗୋଟିଏ ଜୀବନ କାଳରେ ତର୍ଜମା କରି ସଂଶୋଧନ କରିବା କଷ୍ଟକର। ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଆମେ କେବଳ ଗୋଟିଏ ନିଷ୍ପତ୍ତି ନେଇପାରିବା। ସେଥିପାଇଁ ଏକମାତ୍ର ସହଜ ରାସ୍ତା ହେଉଛି ବଞ୍ଚି ସାରିଥିବା ଜୀବନର ସୂକ୍ଷ୍ମାତିସୂକ୍ଷ୍ମ ତର୍ଜମା। ଜୀବନ ଏକ ସମାଧାନଯୋଗ୍ୟ ସମସ୍ୟା ନୁହେଁ, ବରଂ ଏକ ଅନୁଭବଯୋଗ୍ୟ ବାସ୍ତବତା। ସେ ବାସ୍ତବତା ଉପଭୋଗ୍ୟ ହେବାର ସୂତ୍ରଟି ରହିଛି ଆମର ପଛରେ ପଡ଼ିଥିବା ପଦଚିହ୍ନରେ। ଅଦ୍ବୈତ ବେଦାନ୍ତ କହେ, “ଯତ୍ରୋ ଯତ୍ରୋ ମନୋ ଯାତି ତତ୍ର ତତ୍ର ସମାଧୟଃ”। ମନ ଯେଉଁ ଯେଉଁ ଆଡ଼କୁ ଗତି କରେ ସେଠାରେ ସମାଧିସ୍ଥ ହୋଇଯାଏ। ଜୀବନ ବର୍ତ୍ତମାନର କାଳ ଖଣ୍ଡରେ ସ୍ଥିର ରହିଥାଏ। ମନ ଆଗାମୀ ଭବିଷ୍ୟତର ପରିଣତିକୁ ଖାତିର କରେନି ମାତ୍ର ଜୀବନ ସେ ପରିଣତିର ଉପଭୋକ୍ତା ହୋଇଥାଏ। ଏ ଉଭୟର ସନ୍ତୁଳନ ନିର୍ଭର କରେ ଏକତ୍ରୀଭୂତ ଜ୍ଞାନ ଓ ଆଗାମୀ ସମ୍ଭାବନାର ତାଳମେଳରେ।

ଆହୁରି ପଢ଼ନ୍ତୁ- Market: ସେୟାର ବଜାର ଉପରେ ଯୁଦ୍ଧର ପ୍ରଭାବ; ସେନ୍‌ସେକ୍ସ ୧୦୯୭ ପଏଣ୍ଟ୍‌ ଖସିଲା

ଜିଇ ସାରିଥିବା ଜୀବନ ହିଁ ତ ଏକତ୍ରୀଭୂତ ଜ୍ଞାନ, ନୁହେଁ କି? କ୍ରିୟା ଓ ତା’ର ପ୍ରତିଫଳନ, ଶିକ୍ଷା ଓ ଶିକ୍ଷା ଅନୁଯାୟୀ କାର୍ଯ୍ୟ, ଅନୁଭବରୁ ସୃଷ୍ଟ ନିରାପତ୍ତା ଓ ଅଜ୍ଞାତ ଭବିଷ୍ୟତର ଅନିଶ୍ଚିତତା ଆଦି ମଧ୍ୟରେ ନିହିତ ସଂପର୍କକୁ କିର୍କେଗାର୍ଡ ତାଙ୍କର ଏଇ ସାଧାରଣ ଉକ୍ତିଟି ମାଧ୍ୟମରେ ବୁଝାଇଦେଇ କହିଛନ୍ତି ଯେ, ଜୀବନକୁ ଯେନତେନ ଜିଇ ନେବା ଏକ ଅନ୍ଧ ଅଗ୍ରଗତି। ଜିଇବାର ପ୍ରକୃତ ଅର୍ଥ ବଞ୍ଚି ସାରିଥିବା ଜୀବନର ଅନୁଭବରୁ କେବଳ ମିଳିବା ସମ୍ଭବ। ଅତୀତର ଅଭିଜ୍ଞତା ଆଧାରରେ ଭବିଷ୍ୟତ ହୋଇଥାଏ ଆମର ନିରାପଦ, ଠିକ୍ ଅତୀତରେ ସାପର ଚୋଟ ଖାଇଥିବା ବ୍ୟକ୍ତି ଦୂରରୁ ଦଉଡ଼ି ଖଣ୍ଡିଏ ଦେଖି ସତର୍କ ହୋଇଯିବା ପରି। ସଫଳତାର ମୂଳ ସୂତ୍ର କାର୍ଯ୍ୟ ପୂର୍ବର ଅଭିଜ୍ଞତା ଓ ପରବର୍ତ୍ତୀ ସମୀକ୍ଷା। କାର୍ଯ୍ୟ ଓ ବୁଝାମଣା, ଗତି ଓ ପ୍ରଗତି ଏବଂ ଜ୍ଞାନ ଓ ସାହସ ମଧ୍ୟରେ ଜୀବନ ଚିରନ୍ତନ ନୃତ୍ୟ କରି ଚାଲିଛି। ଏ ନୃତ୍ୟଟି ସରସ ସୁନ୍ଦର ହୋଇପାରୁଛି ଅତୀତକୁ ଗୁରୁତ୍ୱ ଦେଇ ଭବିଷ୍ୟତକୁ ବିଶ୍ଳେଷଣ କରି ପାରିବା ହେତୁ। ଏ ସନ୍ତୁଳନକୁ ବୁଝିନେଇ ଜୀବନ ଯାତ୍ରାକୁ ଆୟତ୍ତରେ ରଖିବା ସମୟର ଆହ୍ବାନ, ଠିକ୍ ଯେମିତି ମୋଟର ଯାନଟି ଆଗକୁ ଗଡ଼ିବା ପାଇଁ ଆବଶ୍ୟକ ହୁଏ ପୃଷ୍ଠଦର୍ଶୀ ଦର୍ପଣର। 

ଅତୀତର ପ୍ରତିଫଳନକୁ କିନ୍ତୁ ବର୍ତ୍ତମାନ ସହିତ ସନ୍ତୁଳିତ କରିବା ଏତେ ସହଜ ନୁହେଁ। ଅତୀତ ଉପରେ ଅତ୍ୟଧିକ ନିର୍ଭରଶୀଳତା ଆଣି ଦେଇପାରେ ସ୍ମୃତି ବିଭୋରତା ଓ ଅନୁତାପ ପରି ଅନାବଶ୍ୟକ ଆବେଗ, ଯାହା ହୁଏତ ଗତିରୋଧକ ହୋଇପାରେ। ଅତୀତ ଜୀବନକୁ ଅଣଦେଖା କରି କେବଳ ‘ଚରୈବେତି’, ‘ଚରୈବେତି’ କହି ଆଗକୁ ଚାଲିଲେ ଅନ୍ତର୍ଦୃଷ୍ଟିରୁ ଧ୍ୟାନ ବିକେନ୍ଦ୍ରିତ ହୋଇପାରେ ଓ ପୂର୍ବ ଭୁଲ୍‌ର ପୁନରାବୃତ୍ତି ଘଟିବାର ସମ୍ଭାବନା ଥାଏ। ଅତଏବ ଜୀବନକୁ ପଛରୁ ବୁଝିସାରି ଆଗକୁ ଜିଇବା ସର୍ବୋତ୍ତମ ଉପାୟ। ସଂକ୍ଷେପରେ କହିଲେ, ଜୀବନର ମୂଲ୍ୟବୋଧ କର୍ମଶକ୍ତି ଓ ବୋଧଶକ୍ତିର ଏକ ମିଶ୍ରିତ ଉପାଦାନ। ଜଣେ ପ୍ରସିଦ୍ଧ କବି ସେଥିପାଇଁ କହିଛନ୍ତି, “ବିତେ ପଲୋଁ କେ ତଜୁର୍ବେ ସେ, ଜୋ ସବକ୍ ମିଲତେ ହୈଁ / ଉନ୍‌ହିଁ କି ରୋଶନି ମୈଁ ହମ୍, ଆଗେକି ରାହ୍ ଚଲତେ ହୈଁ / ସମଝନା ହୈ ତୋ ପିଛେ ଦେଖ୍, ଜିନା ହୈ ତୋ ଆଗେ ବଢ୍ / ହର୍ ଲମ୍‌ହା ଜୀନ୍ଦଗି କା, ବସ୍ ଚଲପଡ୍ ଚଲପଡ୍”। ଏହା ହିଁ ହେଉଛି କିର୍କେଗାର୍ଡ ଓ ଋଗବେଦ, ଏ ଉଭୟଙ୍କ ପ୍ରଦତ୍ତ ଜୀବନ ଜିଇବାର ଯୁଗଳ-ମନ୍ତ୍ର। ତେଣିକି ନିଷ୍ପତ୍ତି ଆପଣଙ୍କର।  
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୩୩୭୬୪୮୬୩୮