ପରିବର୍ତ୍ତନର ପ୍ରତିଶ୍ରୁତି

Advertisment
ପରିବର୍ତ୍ତନର ପ୍ରତିଶ୍ରୁତି

ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛ ଭାରତ ମିସନ ତିନିବର୍ଷ ପୂରଣ କରିଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଉଦ୍‌ବୋଧନରେ ଐତିହାସିକ ଲାଲକିଲ୍ଲାର ପ୍ରାଚୀର ଉପରୁ ଏହି କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ସେହିବର୍ଷ ଅକ୍ଟୋବରରୁ ଜାତିର ଜନକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ପରିମଳ ଓ ପରିଷ୍କାର ପରିଚ୍ଛନ୍ନତା କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଲକ୍ଷ୍ୟରେ ଆରମ୍ଭ ହେଲା ସ୍ୱଚ୍ଛ ଭାରତ ମିସନ (ଏସ୍‌ବିଏମ୍‌)। ଏନ୍‌ଡିଏ ସରକାରଙ୍କ ଏହି ‘ଫ୍ଲାଗ୍‌ସିପ୍‌’ କାର୍ଯ୍ୟକ୍ରମକୁ ପୂର୍ବବର୍ତ୍ତୀ ୟୁପିଏ ସରକାର ଅମଳର ‘ନିର୍ମଳ ଭାରତ’ କାର୍ଯ୍ୟକ୍ରମର ଏକ ପରିବର୍ଦ୍ଧିତ, ଉନ୍ନତ ସଂସ୍କରଣ କୁହାଯାଇପାରେ। ବର୍ତ୍ତମାନ ସୁଦ୍ଧା ମିସନ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବେ ହାସଲ ହୋଇ ଥାଇ ନପାରେ ଓ ୨୦୧୯ ଅକ୍ଟୋବର ଦୁଇ ତାରିଖ ବେଳକୁ ସଫଳତା ପାଇଁ ରଖାଯାଇଥିବା ମାଇଲଖୁଣ୍ଟ ପର୍ଯ୍ୟନ୍ତ ମିସନ ପହଞ୍ଚିବ କି ନାହିଁ, ସେ ନେଇ ସନ୍ଦେହ ମଧ୍ୟ ଥାଇପାରେ। କିନ୍ତୁ ଗତ ତିନିବର୍ଷରେ ସ୍ୱଚ୍ଛ ଭାରତ ମିସନ ଯେଉଁ ସଫଳତା ହାସଲ କରିଛି, ସ୍ୱାଧୀନତା ପରବର୍ତ୍ତୀ ଭାରତର ସାମାଜିକ କ୍ଷେତ୍ରରେ କ୍ୱଚିତ ଅନ୍ୟ କୌଣସି ଯୋଜନା ଏମିତି ସଫଳତାର ଅଧିକାରୀ ହୋଇଥିବାର ନଜିର ଅଛି। ବିଗତ ହଜାରେ ପଞ୍ଚାନବେ ଦିନରେ ସ୍ୱଚ୍ଛ ଭାରତ ମିସନ ପରିମଳ ଓ ପରିଷ୍କାର ପରିଚ୍ଛନ୍ନତା କ୍ଷେତ୍ରରେ ଉଭୟ ସଂଖ୍ୟାତ୍ମକ ଓ ଗୁଣାତ୍ମକ ଦୃଷ୍ଟିରୁ ହାସଲ କରିଥିବା ସଫଳତା ଏକ ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି ବହନ କରେ।

ଗତ ୨୦୦୪ରୁ ୨୦୧୪ ଦଶବର୍ଷରେ ପରିମଳ ଯୋଜନା ଅଧୀନରେ ଦେଶର ଗ୍ରାମାଞ୍ଚଳରେ ପ୍ରାୟ ତିନି ଲକ୍ଷ ପାଇଖାନା ନିର୍ମାଣ ହୋଇଥିଲା। ଏହି ପୃଷ୍ଠଭୂମିରେ ଯଦି ଗତ ତିନିବର୍ଷରେ କେବଳ ଗ୍ରାମାଞ୍ଚଳରେ ପ୍ରାୟ ପାଞ୍ଚ କୋଟି ପାଇଖାନା ନିର୍ମାଣକୁ ବିଚାର କରାଯାଏ, ତେବେ ସ୍ୱତଃ ସ୍ୱଚ୍ଛ ଭାରତ ମିସନର ବୃହତ୍‌ ସଫଳତାର ଏକ ଚିତ୍ର ଆଙ୍କି ହୋଇଯାଏ। ଏହାଛଡ଼ା ସହରାଞ୍ଚଳରେ ୩୮ ଲକ୍ଷ ପାଇଖାନା ନିର୍ମାଣ ହୋଇ ପାରିଛି। ଫଳରେ ଗ୍ରାମାଞ୍ଚଳରେ ପାଇଖାନା ଥିବା ପରିବାରଙ୍କ ଭାଗ ୬୯ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ତିନିବର୍ଷ ତଳେ ୩୯ ପ୍ରତିଶତ ଥିଲା। ସରକାରୀ ତଥ୍ୟ ଅନୁଯାୟୀ ୨ ଲକ୍ଷ ୪୮ ହଜାର ଗ୍ରାମ ‘ଖୋଲାରେ ମଳତ୍ୟାଗ ମୁକ୍ତ’ (ଓପନ ଡେଫିକେସନ ଫ୍ରି) ଘୋଷିତ ହୋଇଛି। ଦେଶର ପାଞ୍ଚଟି ରାଜ୍ୟ ଓ ୨୦୩ଟି ଜିଲ୍ଲାରେ ଖୋଲାରେ ମଳତ୍ୟାଗର ଅଭ୍ୟାସ ଏବେ ଏକପ୍ରକାର ଅତୀତ। ସ୍ୱଚ୍ଛ ଭାରତ ମିସନ ଅଧୀନରେ ଯେତେ ଅଧିକ ସଂଖ୍ୟକ ପାଇଖାନା ନିର୍ମାଣ ହେଲେ ସୁଦ୍ଧା ଲୋକଙ୍କ ବାହାରେ ମଳତ୍ୟାଗର ପୁରୁଣା ଅଭ୍ୟାସ ବଦଳୁ ନାହିଁ ବୋଲି ଯାହା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଉପରୋକ୍ତ ପରିସଂଖ୍ୟାନ ତା’ର ପ୍ରମାଣ। ରାତାରାତି ଏକ ପୁରୁଣା ଅଭ୍ୟାସରେ ପରିବର୍ତ୍ତନ ଆଶା କରାଯାଏ ନାହିଁ। ଯେଉଁ ଗତିରେ ପରିବର୍ତ୍ତନ ଆଶା କରାଯାଉଥିଲା, ପରିବର୍ତ୍ତନର ଗତି ନିଶ୍ଚିତ ଭାବେ ତା’ଠାରୁ ମନ୍ଥର। କିନ୍ତୁ ପରିବର୍ତ୍ତନ ଯେ ହେଉଛି, ଲୋକଙ୍କ ଅଭ୍ୟାସ ଓ ମନୋଭାବ ବଦଳୁଛି, ଏଥିରେ କୌଣସି ସନ୍ଦେହ ନାହିଁ। ‘ସ୍ୱଚ୍ଛ ଭାରତ’ ଆରମ୍ଭ ପୂର୍ବରୁ ଦେଶର ପ୍ରାୟ ୫୫ କୋଟି ଲୋକ ଖୋଲାରେ ବାହାରକୁ ଶୌଚ ପାଇଁ ଯାଉଥିଲେ। କିନ୍ତୁ ଏବେ ଏହି ସଂଖ୍ୟା ୩୦ କୋଟିକୁ କମି ଆସିଛି। ମାତ୍ର ତିନିବର୍ଷ ମଧ୍ୟରେ ପ୍ରାୟ ୨୫ କୋଟି ଲୋକଙ୍କ ଅଭ୍ୟାସ ବଦଳିବା କିଛି କମ୍‌ ବଡ଼ ଉପଲବ୍‌ଧି ନୁହେଁ। ଏହାର ସମସ୍ତ ଶ୍ରେୟ ସ୍ୱଚ୍ଛ ଭାରତ ମିସନର ଖାତାକୁ ଯିବ।

ତେଣୁ, ସ୍ୱଚ୍ଛ ଭାରତ ମିସନ୍‌ରେ କେତେ ପାଇଖାନା ନିର୍ମାଣ ହେଲା, ସେ ସଂଖ୍ୟା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପରିମଳ ପ୍ରସଙ୍ଗରେ ଆଭିମୁଖ୍ୟ ଓ ଅଭ୍ୟାସରେ ପରିବର୍ତ୍ତନ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସ୍ୱଚ୍ଛ ଭାରତ ମିସନ ପରିମଳ ନେଇ ଦେଶବାସୀଙ୍କ ମଧ୍ୟରେ ସୃଷ୍ଟି କରିଥିବା ସଚେତନତା ଅଭୂତପୂର୍ବ ଓ ସକାରାତ୍ମକ, ଯାହା ଏକ ପରିବର୍ତ୍ତନର ପ୍ରତିଶ୍ରୁତି ଦେଉଛି। ପ୍ରଥମ ଥର ପାଇଁ ପରିମଳ ଭଳି ଅନ୍ୟଥା ମାମୁଲି ବିଚାର କରାଯାଉଥିବା ଏକ ପ୍ରସଙ୍ଗ ସାମାଜିକ ଜୀବନର ମୁଖ୍ୟସ୍ରୋତର ପ୍ରସଙ୍ଗର ମାନ୍ୟତା ପାଇଛି। ସ୍ୱାସ୍ଥ୍ୟ ଓ ସମ୍ମାନ ଜନକ ଜୀବନ ଯାପନ ପାଇଁ ପରିମଳ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମାଜର ସାମୂହିକ ମାନସିକତାରେ ସ୍ଥାନ ପାଇଛି। ସ୍ୱଚ୍ଛ ଭାରତ ମିସନର ମହିଳା ସଶକ୍ତୀକରଣ ସହ ରହିଥିବା ଘନିଷ୍ଠ ସମ୍ପର୍କକୁ ଅଣଦେଖା କରାଯାଇ ନପାରେ। ଶୌଚପାଇଁ ବାହାରକୁ ଯିବାର ବାଧ୍ୟବାଧକତାରୁ ମୁକ୍ତି ମହିଳାଙ୍କ ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ପ୍ରତିକୂଳତାକୁ ଅନେକ ମାତ୍ରାରେ ପ୍ରତିହତ କରିଛି। ସ୍ୱଚ୍ଛ ଭାରତ ମିସନର ଆଉ ଏକ ସଫଳ ଦିଗ ହେଲା ଯୋଜନାରେ ସାଧାରଣ ଲୋକଙ୍କ ଭାଗୀଦାରି। ଆଶାନୁଯାୟୀ ଯୋଜନାରେ ଲୋକଙ୍କ ସହଯୋଗ ସନ୍ତୋଷଜନକ କୁହାନଗଲେ ସୁଦ୍ଧା, ଯେତିକି ବି ସହଯୋଗ ମିଳିଛି ତାହାକୁ ଅଣଦେଖା କରାଯାଇ ପାରିବ ନାହିଁ। ସେ ବିକାଶମୂଳକ ଯୋଜନା ହେଉ ଅବା କଲ୍ୟାଣକାରୀ କାର୍ଯ୍ୟକ୍ରମ, ଲୋକଙ୍କ ସହଯୋଗ, ସଂପୃକ୍ତି ଓ ଭାଗୀଦାରି ରହିଲେ ଯେ ସଫଳତା ନୂଆ ଉଚ୍ଚତା ଛୁଇଁବା ସମ୍ଭବ ସ୍ୱଚ୍ଛ ଭାରତ ମିସନ ତାର ଏକ ଉଜ୍ଜ୍ୱଳ ଉଦାହରଣ।

ଗତ ତିନିବର୍ଷରେ ସ୍ୱଚ୍ଛ ଭାରତ ମିସନର ପ୍ରଦର୍ଶନ ଉତ୍ସାହଜନକ। କିନ୍ତୁ ଏଥିରେ ଆତ୍ମତୃପ୍ତିର ଅବକାଶ ନାହିଁ। ଏବେବି ସ୍ୱଚ୍ଛ ଭାରତ ମିସନ ଆଗରେ ଅନେକ ଆହ୍ଵାନ ରହିଛି, ଯାହାର ସଫଳ ମୁକାବିଲା ବିନା ସମ୍ପୂର୍ଣ୍ଣ ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ। ପାଇଖାନା ନିର୍ମାଣ ପରିମଳର ଗୋଟିଏ ଦିଗ ମାତ୍ର। ଖାଲି ପାଇଖାନା ନିର୍ମାଣ ଦ୍ୱାରା ପରିମଳର ଲକ୍ଷ୍ୟ ପୂରଣ ହୋଇ ପାରିବ ନାହିଁ। ଏଥିପାଇଁ ପାଇଖାନା ନିର୍ମାଣ ସହ ପାଇପ୍‌ ଜଳ ଯୋଗାଣକୁ ଯୋଡ଼ିବାକୁ ପଡ଼ିବ। ଯଦି ପାଇଖାନା ଥିବା ସତ୍ତ୍ୱେ ବହୁ ସଂଖ୍ୟାର ଲୋକ ଶୌଚ ପାଇଁ ତଥାପି ବାହାରକୁ ଯାଉଛନ୍ତି, ତେବେ ତାର କାରଣ ହେଲା ପାଇପ୍‌ ଜଳ ଯୋଗାଣର ଅଭାବ। ସରକାରୀ ତଥ୍ୟ ଅନୁଯାୟୀ ନିର୍ମାଣ କରାଯାଇଥିବା ୮୫ ପ୍ରତିଶତ ପାଇଖାନା ବ୍ୟବହାର ହେଉଛି। କିନ୍ତୁ ବେସରକାରୀ ଅନୁଧ୍ୟାନ କହୁଛି ଏକ ତୃତୀୟାଂଶରୁ ଅଧିକ ପାଇଖାନା ବ୍ୟବହାର ହେଉନାହିଁ। ପାଇପ୍‌ ପାଣିର ସୁବିଧା ନଥିବା ଏହାର ମୁଖ୍ୟ କାରଣ। ‘ଖୋଲାରେ ମଳତ୍ୟାଗ ମୁକ୍ତ’ ଘୋଷିତ ପ୍ରାୟ ଅଢ଼େଇ ଲକ୍ଷ ଗ୍ରାମ ମଧ୍ୟରୁ ଦେଢ଼ ଲକ୍ଷ ଗ୍ରାମରେ ପାଇପ୍‌ ପାଣିର ସୁବିଧା ନାହିଁ। ଏହିସବୁ ଗ୍ରାମକୁ ଅଗ୍ରାଧିକାର ଭିତ୍ତିରେ ପାଇପ୍‌ ପାଣି ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି। ସ୍ୱଚ୍ଛ ଭାରତ ମିସନରେ ପାଇଖାନା ନିର୍ମାଣକୁ ଏକପାଖିଆ ଭାବେ ଅଧିକ ଗୁରୁତ୍ୱ ଫଳରେ ମିସନ ସହ ଯୋଡ଼ି ହୋଇଥିବା ପାଇପ୍‌ ଜଳ ଯୋଗାଣ, ସ୍ୱେରେଜ୍‌ ବ୍ୟବସ୍ଥା ଆଦି ଅବହେଳାର ଶିକାର ହେଉଛି। ପରିଣତି, ମିସନର ଈପ୍‌ସିତ ସୁଫଳ ପୂରା ମାତ୍ରାରେ ମିଳି ପାରୁନାହିଁ। ସ୍ୱଚ୍ଛ ଭାରତ ମିସନର ଲକ୍ଷ୍ୟ ହାସଲ ସକାଶେ ପାଇଖାନା ନିର୍ମାଣ ସହ ପାଇପ୍‌ ଜଳ ଯୋଗାଣ, ସ୍ୱେରେଜ୍‌ ବ୍ୟବସ୍ଥା ଆଦିକୁ ଯୋଡ଼ି ଏକ ସମନ୍ଵିତ ପ୍ରୟାସ ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe