ଗ୍ରେସ୍‌ ପ୍ରେସ୍‌କ୍ରିପ୍‌ସନ୍‌!

Advertisment
ଗ୍ରେସ୍‌ ପ୍ରେସ୍‌କ୍ରିପ୍‌ସନ୍‌!

କୌଣସି ଏକ ପ୍ରସଙ୍ଗ ଉପରେ ବି˚ଶ ଶତାବ୍ଦୀର ପ୍ରସିଦ୍ଧ ବ୍ରିଟିସ୍‌ ଔପନ୍ୟାସିକ ଜର୍ଜ ଅର‌୍‌େଵଲ୍‌ଙ୍କ ମନ୍ତବ୍ୟକୁ ସାଧାରଣତଃ ସେ ସମ୍ବନ୍ଧରେ ଅନ୍ତିମ ସତ୍ୟ ରୂପେ ଗ୍ରହଣ କରାଯାଇଥାଏ (ଯେମିତି, ‘‘ସବୁ ଜୀବ ହେଉଛନ୍ତି ସମାନ, କିନ୍ତୁ କେତେକ ଜୀବ ହେଉଛନ୍ତି ଅନ୍ୟମାନଙ୍କ ଅପେକ୍ଷା ଅଧିକ ସମାନ’’)। ଖେଳ କସରତ ସମ୍ବନ୍ଧରେ କିନ୍ତୁ ଅର‌୍‌େଵଲ୍‌ଙ୍କର ଏପରି ଏକ ମତାମତ ରହିଛି ଯାହାର ଗ୍ରହଣୀୟତା ସର୍ବଦା ବିବଦମାନ ହୋଇ ଆସିଛି। ୧୯୪୧ରେ ଦ୍ବିତୀୟ ବିଶ୍ବଯୁଦ୍ଧର ଭୟାନକ ଘନଘଟା ବ୍ରିଟେନ୍‌ର ଭବିଷ୍ୟତକୁ ଘୋର ଅନିଶ୍ଚିତତା ମଧୢକୁ ଠେଲି ଦେଇଥିବା ସମୟରେ ଅର‌୍‌େଵଲ୍‌ ଲେଖିଥିଲେ: ‘‘ଗୁରୁତ୍ବପୂର୍ଣ୍ଣ କ୍ରୀଡ଼ାକସରତରେ ଔଚିତ୍ୟପୂର୍ଣ୍ଣ ଖେଳର ସ୍ଥାନ ନଥାଏ, ଏହା ଘୃଣା ଓ ଈର୍ଷା, ବାହାସ୍ଫୋଟ, ସମସ୍ତ ନିୟମର ଅବମାନନା ଏବ˚ ଅନାବଶ୍ୟକ ହି˚ସ୍ର ଆଚରଣ ଜନିତ କ୍ରୂର ଆନନ୍ଦ ସହିତ ଓତପ୍ରୋତ ଭାବେ ଜଡ଼ିତ। ଅନ୍ୟ ଶବ୍ଦରେ କହିଲେ ଏହା ହେଉଛି ଏକ ଯୁଦ୍ଧ ଯେଉଁଠି କେବଳ ଗୁଳିଚାଳନା ବାକିଥାଏ’’ (‘‘ଵାର‌୍‌ ମାଇନ୍‌ସ ଦି ସୁଟିଙ୍ଗ୍‌’’)।

ଅର‌୍‌େଵଲ୍‌ଙ୍କ ଏହି ମନ୍ତବ୍ୟ ଖୋଲାଖୋଲି ଭାବରେ ବହୁ ପ୍ରଚାରିତ ତଥାକଥିତ ‘ଖେଳୁଆଡ଼ ମନୋଭାବ’ର ଧ୍ବ˚ସ ସାଧନ କରିଥାଏ। ସ୍ବାଭାବିକ ଭାବରେ ତେଣୁ ଖେଳ ପଡ଼ିଆ ଭିତରେ ଓ ବାହାରେ ଉତ୍ତମ ଆଚରଣରେ ବିଶ୍ବାସ କରୁଥିବା ଶିଷ୍ଟ ଖେଳାଳିମାନେ ଅର‌୍‌େଵଲ୍‌ଙ୍କର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପ୍ରତ୍ୟାଖ୍ୟାନ କରିଥାନ୍ତି। କିନ୍ତୁ ଅର‌୍‌େଵଲ୍‌ଙ୍କୁ ଅନୁସରଣ କଲା ଭଳି ଖେଳକୁ ଯୁଦ୍ଧ ଭାବରେ ଗ୍ରହଣ କରୁଥିବା ଖେଳାଳିମାନଙ୍କର ମଧୢ ଅଭାବ ନାହିଁ। ବକ୍ସି˚ରୁ ଟେନିସ୍‌ ପର୍ଯ୍ୟନ୍ତ, ଫୁଟବଲ୍‌ରୁ କ୍ରିକେଟ୍‌ ପର୍ଯ୍ୟନ୍ତ- ସବୁଠାରେ ଛାମୁହାଁ ଖେଳାଳିମାନଙ୍କ ମଧୢରେ ଅର‌୍‌େଵଲ୍‌ଙ୍କ ଭକ୍ତମାନଙ୍କୁ ଦେଖିବା ଆଦୌ ବିରଳ ନୁହେଁ।

ଭାରତରେ ଏପରି ଜଣେ ସାମ୍ପ୍ରତିକ ଅର‌୍‌େଵଲୀୟ କ୍ରୀଡ଼ାବିତ୍‌ଙ୍କୁ ବାଛିବା ପାଇଁ ଯଦି ଏକ ଜନମତ ସର୍ବେକ୍ଷଣ କରାଯାଏ, ତେବେ ଯିଏ ନିଃସନ୍ଦେହରେ ଅନ୍ୟ ସମସ୍ତଙ୍କୁ ବହୁ ପଛରେ ପକାଇ ସର୍ବାଗ୍ରେ ରହିବେ, ସେ ହେଉଛନ୍ତି ବର୍ତ୍ତମାନ ଦିଗ୍‌ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ଘନଶ୍ମଶ୍ରୁଧାରୀ କ୍ୟାପ୍‌ଟେନ୍‌- ବିରାଟ କୋହଲି। ଆମୋଦଦାୟକ ଭାବରେ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବା ଏକ ସଚିତ୍ର ମେସେଜ୍‌ ହେଉଛି ଏହିଭଳି: ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିଥିବା ଅଧିକା˚ଶ ଦାଢ଼ି ରଖିଥିବା ଭାରତୀୟ ଦଳର ସଦସ୍ୟମାନଙ୍କର ଏକ ଗ୍ରୁପ୍‌ ଫଟୋ ତଳେ ଲେଖା ହୋଇଛି ଯେ ବିଡ଼ମ୍ବନାର କଥା ଦାଢ଼ି ଖିଅର ପାଇଁ ବ୍ଲେଡ୍‌ ତିଆରି କରୁଥିବା ଜିଲେଟ୍‌ କମ୍ପାନି ହେଉଛି ଏ ସିରିଜ୍‌ର ପ୍ରାୟୋଜକ। ବିରାଟ କୋହଲିଙ୍କ ଦ୍ବାରା ଉତ୍ସାହିତ ହୋଇ ଓ ତାଙ୍କୁ ଅନୁକରଣ କରି ତାଙ୍କର ସାଥୀ ଖେଳାଳିମାନେ ମଧୢ ଦାଢ଼ି ରଖି ଭାରତୀୟ କ୍ରିକେଟ୍‌ ଦଳକୁ ଯେ ଏକ ଦାଢ଼ିଆ ଦଳରେ ପରିଣତ କରି ଦେଇଛନ୍ତି, ତାହା ଏହି ଫଟୋରୁ ସ୍ପଷ୍ଟ ହୋଇଥାଏ।

ଜିଲେଟର ବ୍ୟବସାୟ ପାଇଁ ଏ ଫଟୋଟି ହତାଶାଜନକ ହୋଇଥିଲେ ହେଁ ଭାରତୀୟ କ୍ରିକେଟ୍‌ପ୍ରେମୀମାନଙ୍କ ପାଇଁ ଏହା ଯେଉଁ ଧାରଣା ବହନ କରିଥାଏ ତାହା ହେଲା କଳେବଳେ କୌଶଳେ ଖେଳ ପଡ଼ିଆରେ ବିଜୟ ହାସଲ ପାଇଁ କୋହଲି ଟିମ୍‌ର ଆକ୍ରମଣାତ୍ମକ ଆଭିମୁଖ୍ୟ। ବିରାଟ କୋହଲି କେଉଁ କାରଣରୁ ଦାଢ଼ି ରଖିବା ଆରମ୍ଭ କଲେ, ତାହା ଜଣା ନାହିଁ; କିନ୍ତୁ ଏକ ଚିକ୍କଣ ମୁଖମଣ୍ତଳ ଅପେକ୍ଷା ଏକ ଦାଢ଼ି ଆଚ୍ଛାଦିତ ମୁହଁ ଯେ ପ୍ରତିପକ୍ଷଠାରେ ଅଧିକ ଭୀତି ସଞ୍ଚାର କରିଥାଏ, ଏ କଥା କୋହଲିଙ୍କୁ କେବେହେଲେ ଅଜଣା ନଥିବ। ମୁହଁର ମା˚ସପେଶୀ ଉପରେ କୌଣସି ଆକସ୍ମିକ କୋମଳ ମନୋଭାବର ପ୍ରଭାବକୁ ଦାଢ଼ିର ଆସ୍ତରଣ ସଫଳ ଭାବରେ ଲୁଚାଇ ଦେଇଥାଏ। କୋହଲିଙ୍କ ଖେଳ କ୍ରିକେଟ୍‌ କିନ୍ତୁ ଏପରି ଏକ ଖେଳ ଯେ ଏଥିରେ ଅର‌୍‌େଵଲୀୟ ଆକ୍ରମଣାତ୍ମକ ଆଭିମୁଖ୍ୟର, ତେଣୁ ଦାଢ଼ିର ସ୍ଥାନ ନାହିଁ ବୋଲି ସାଧାରଣତଃ ବିଶ୍ବାସ କରାଯାଇଥାଏ। କାରଣ କ୍ରିକେଟ୍‌କୁ ଭଦ୍ରଲୋକଙ୍କ ଖେଳ ବୋଲି କୁହାଯାଇଥାଏ। ସେଥିପାଇଁ ସୁନୀଲ୍‌ ଗାଭାସ୍କରଙ୍କ ପରି ଅତୀତର କି˚ବଦନ୍ତି କ୍ରିକେଟର‌୍‌ କୋହଲିଙ୍କ ଆଚରଣକୁ ନାପସନ୍ଦ କରିବା ଦେଖାଯାଇଛି (ଗାଭାସ୍କର‌୍‌ଙ୍କ ମୁଖମଣ୍ତଳ ଥିଲା ଜିଲେଟ୍‌-ଅନୁକୂଳ, ନିଶଦାଢ଼ିହୀନ)। ତେବେ କ୍ରିକେଟ୍‌ କ’ଣ ସତରେ ସର୍ବଦା ଏକ ନମ୍ରତାପୂର୍ଣ୍ଣ, ଅଣ-ଅର‌୍‌େଵଲୀୟ ଭଦ୍ରଲୋକମାନଙ୍କର ଖେଳ ରହିଆସିଛି?

କ୍ରିକେଟ୍‌ର ଲମ୍ବା ଇତିହାସରେ ଏ ଭଳି ଧାରଣାକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ଅନେକ ଉଦାହରଣ ରହିଥିଲେ ମଧୢ ଆମେ ଏଠାରେ ଉଭୟ ଦାଢ଼ି ଓ ଅନୁଚିତ ଆଚରଣର ଏକ ଅପୂର୍ବ ସମନ୍ବୟ ପ୍ରଦର୍ଶିତ କରିବା ପାଇଁ ଏପରି ଜଣେ କ୍ରିକେଟର‌୍‌ଙ୍କୁ ଉଦାହରଣ ରୂପେ ବ୍ୟବହାର କରିପାରିବା ଯାହାଙ୍କୁ ଆଧୁନିକ କ୍ରିକେଟ୍‌ର ପ୍ରାଣ ପ୍ରତିଷ୍ଠାତା ରୂପେ ସ୍ବୀକାର କରାଯିବା ସହିତ ବୋଧହୁଏ ସର୍ବକାଳୀନ ସର୍ବଶ୍ରେଷ୍ଠ କ୍ରିକେଟର‌୍‌ ରୂପେ ବିଚାର କରାଯାଏ। ସେ ହେଉଛନ୍ତି ୧୭ ବର୍ଷ ବୟସରେ ୧୮୬୫ରେ ତାଙ୍କର ସର୍ବପ୍ରଥମ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ପରବର୍ତ୍ତୀ ଚାରି ଦଶନ୍ଧି କାଳ କ୍ରିକେଟ୍‌ ଉପରେ ସ˚ପୂର୍ଣ୍ଣ ରାଜତ୍ବ ବିସ୍ତାର କରିଥିବା ଵିଲିଅମ୍‌ ଗିଲବର୍ଟ ଗ୍ରେସ୍‌ ବା ଡକ୍ଟର‌୍‌ ଡବ୍ଲ୍ୟୁ ଜି ଗ୍ରେସ୍‌। କ୍ରିକେଟ୍‌ ପଡ଼ିଆରେ ତାଙ୍କର ଆଧିପତ୍ୟ ଯେଉଁଭଳି ପ୍ରଭାବଶାଳୀ ତାଙ୍କର ୬ ଫୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ବିଶାଳ ଶରୀର ସାଙ୍ଗକୁ ପେଟ ପର୍ଯ୍ୟନ୍ତ ଲମ୍ବିଥିବା ଗହଳ ଦାଢ଼ି ଥିଲା ସେତିକି ଭୟ ଉଦ୍ରେକକାରୀ। କି˚ବଦନ୍ତି ଅନୁସାରେ ୧୮୯୬ର ଆସେସ୍‌ ସିରିଜ୍‌ର ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ଫାଷ୍ଟ୍ ବୋଲର‌୍‌ ଏର୍ନି ଜୋନ୍‌ସଙ୍କର ଏକ ବଲ୍‌ ୪୮ ବର୍ଷୀୟ ବ୍ୟାଟ୍‌ସମ୍ୟାନ୍‌ ଡବ୍ଲ୍ୟୁ ଜି ଗ୍ରେସ୍‌ଙ୍କର ଆଗକୁ ଝୁଙ୍କି ପଡ଼ିଥିବା ଦାଢ଼ି ଭିତର ଦେଇ ବାହାରିଯାଇଥିଲା।

ଡବ୍ଲ୍ୟୁ ଜି ଗ୍ରେସ୍‌ଙ୍କର ପ୍ରଭାବ ଏ ଭଳି ଥିଲା ଯେ ୧୮୭୬ରେ ଏକ ଅଣ-ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ସେ ମାତ୍ର ୬ ରନ୍‌ କରିଥିବା ବେଳେ ଏଲ୍‌ବିଡବ୍ଲ୍ୟୁ ହୋଇଯାଇଥିଲେ ମଧୢ ଅମ୍ପାୟାର‌୍‌ ତାଙ୍କୁ ଆଉଟ୍‌ ଦେଇ ନଥିଲେ କାରଣ ଦର୍ଶକମାନେ ତାଙ୍କର ବ୍ୟାଟି˚ ଦେଖିବାକୁ ହିଁ ଆସିଥିଲେ। ସେ ମ୍ୟାଚ୍‌ରେ ଗ୍ରେସ୍‌ ୪୦୦ ରନ୍‌ ସ୍କୋର‌୍‌ କରି ନଟ୍‌ ଆଉଟ୍‌ ରହିଲେ (ପ୍ରକୃତରେ ୩୯୯ ରନ୍‌, କିନ୍ତୁ ଗ୍ରେସ୍‌ଙ୍କ ଚାପ ଆଗରେ ମୁଣ୍ତ ନୁଆଁଇ ସ୍କୋରର‌୍‌ ତାହାକୁ ୪୦୦ କରି ଦେଇଥିଲେ)। ସେଇବର୍ଷ ସେ କ୍ରିକେଟ୍‌ ଇତିହାସରେ ସର୍ବପ୍ରଥମ ପ୍ରଥମ ଶ୍ରେଣୀ ତ୍ରିଶତକ ହାସଲ କରିଥିଲେ (୩୪୪)। ତାଙ୍କ ପୂରା କ୍ୟାରିଅର‌୍‌ରେ ଡବ୍ଲୁ ଜି ଗ୍ରେସ୍‌ ମୋଟ ପ୍ରାୟ ୧,୦୧, ୦୦୦ରୁ ଅଧିକ ରନ୍‌ ସ˚ଗ୍ରହ କରିବା ସହିତ ୨୨୦ଟି ଶତକ ହାସଲ କରିଥିଲେ ଓ ୭,୫୦୦ରୁ ଅଧିକ ଵିକେଟ୍‌ ଦଖଲ କରିଥିଲେ। ସେ ବୋଲି˚ କରିବା ସମୟରେ ସର୍ବଦା ପାଟି କରି ବ୍ୟାଟ୍‌ସମ୍ୟାନ୍‌ର ଧୢାନ ଭଗ୍ନ କରିବାକୁ ଚେଷ୍ଟା କରୁଥିଲେ। ଫିଲ୍‌ଡି˚ କରିବା ସମୟରେ ସେ ପଏଣ୍ଟ୍‌ ପୋଜିସନ୍‌ରେ ଛିଡ଼ା ହୋଇ ବ୍ୟାଟ୍‌ସମ୍ୟାନ୍‌ ଉଦ୍ଦେଶ୍ୟରେ ଅବିରତ ମନ୍ତବ୍ୟ ପ୍ରଦାନ କରିବାରେ ଲାଗିଥିଲେ ଯେମିତି ଆଜିର କୋହଲି ମାର୍କା କ୍ରିକେଟରମାନେ କରୁଛନ୍ତି। ତାଙ୍କ ସ୍ବରର ତୀକ୍ଷ୍‌ଣତା ମଧୢ ବ୍ୟାଟ୍‌ସମ୍ୟାନ୍‌ର ଧୢାନ ଭଗ୍ନ କରିବା ପାଇଁ ଯଥେଷ୍ଟ ଥିଲା। ବେଳେ ବେଳେ ସେ ଆକାଶରେ ଉଡ଼ି ଯାଉଥିବା ଚଢେ଼ଇଙ୍କୁ ଦେଖିବା ପାଇଁ ବ୍ୟାଟ୍‌ସ ମ୍ୟାନ୍‌ଙ୍କୁ ଆମନ୍ତ୍ରଣ କରନ୍ତି, ଯେମିତି ତାଙ୍କ ଆଖି ଖରାରେ ଝଲସିଯିବ ଓ ସେ ବଲ୍‌କୁ ଠିକ୍‌ ଭାବରେ ଦେଖି ନପାରି ଆଉଟ୍‌ ହୋଇଯିବେ।

ଏ ପର୍ଯ୍ୟନ୍ତ ମୁଖ୍ୟତଃ ଅଷ୍ଟ୍ରେଲିଆର ଖେଳାଳିମାନେ ହିଁ କ୍ରିକେଟ୍‌ରେ ଏପରି ଭାବେ କ୍ରିକେଟ୍‌ ଆଚରଣ ପ୍ରଦର୍ଶନ କରି ପ୍ରତିପକ୍ଷଙ୍କୁ ହଡ଼ବଡ଼ କରି ଦେଇ ପରାଜିତ କରି ଆସୁଥିଲେ। ଏଥର ବିରାଟ କୋହଲି ସେଇ ଔଷଧ ସେମାନଙ୍କୁ ଖୁଆଇ ଧରାଶାୟୀ କରିଛନ୍ତି। କୋହଲି ଏଥିପାଇଁ ଯେଉଁ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ବ୍ୟବହାର କରିଛନ୍ତି, ସେ ଆଉ କେହି ନୁହନ୍ତି- ସେ ହେଉଛନ୍ତି ଡକ୍ଟର‌୍‌ ଡବ୍ଲ୍ୟୁ ଜି ଗ୍ରେସ୍‌!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe