ପୋଷ୍ଟକାର୍ଡ଼ ଯୁଦ୍ଧ

Advertisment
ପୋଷ୍ଟକାର୍ଡ଼ ଯୁଦ୍ଧ

କୁହାଯାଇଥାଏ- ଦୁଇଜଣଙ୍କ କଳିରେ ତୃତୀୟ ଜଣକର ଲାଭ। ଭାରତର ଚମକପ୍ରଦ ଘଟଣା ଭର୍ତ୍ତି ରାଜନୀତି ଦୃଶ୍ୟପଟରେ ଯେଉଁ ଦୃଶ୍ୟଟି ବର୍ତ୍ତମାନ ସବୁଠାରୁ ଅଧିକ ଚିତ୍ତାକର୍ଷକ ହୋଇ ଉଭା ହୋଇଛି, ଆମୋଦଦାୟକ ଭାବରେ ତାହାର ଏକ ପାର୍ଶ୍ବ ପ୍ରଭାବ ସ୍ବରୂପ ଏହି ଜଣାଶୁଣା ଆପ୍ତବାକ୍ୟଟି ସତ୍ୟ ପ୍ରମାଣିତ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ। ଏହି ସ୍ତମ୍ଭର ପାଠକ ପାଠିକାମାନଙ୍କୁ ଯଦି ଏକ ପ୍ରଶ୍ନ ପଚରା ଯାଏ- ସେମାନେ କେତେଦିନ ତଳେ ପୋଷ୍ଟ କାର୍ଡଟିଏ ବ୍ୟବହାର କରି କାହା ପାଖକୁ ଚିଠିଟିଏ ଲେଖି ପଠାଇଥିଲେ, ବୋଧହୁଏ ନିରାପଦରେ ଅନୁମାନ କରାଯାଇପାରିବ ଯେ ଅନେଶ୍ବତ ପ୍ରତିଶତ ପାଠକ ପାଠିକା ତାହା ମନେ ପକାଇ ପାରିବେ ନାହିଁ। ଯୁବପିଢ଼ି ତ କେବେହେଲେ ଥରଟିଏ ମଧୢ ଏହି ଯୋଗାଯୋଗ ସ୍ଥାପନକାରୀ ମାଧୢମର ବ୍ୟବହାର କରିନଥିବେ। ଭାରତୀୟ ଡାକ ବିଭାଗର ଏକଦା ସର୍ବାଧିକ ବ୍ୟବହୃତ ବସ୍ତୁ ଦେଶବାସୀଙ୍କ ନିକଟରେ ଏପରି ଅପରିଚିତ, ଅଲୋଡ଼ା ହୋଇ ପଡ଼ିବାର କାରଣ କାହାକୁ ଅଛପା ନୁହେଁ- ଦେଶର କୋଣ ଅନୁକୋଣରେ ମୋବାଇଲ ଫୋନ୍‌ର ଅନୁପ୍ରବେଶ, ଯାହା ମାଧୢମରେ ସାମାନ୍ୟ ଖର୍ଚ୍ଚରେ ତତ୍‌କ୍ଷଣାତ୍‌ ସମ୍ପର୍କ ସ୍ଥାପନ କରାଯାଇ ପାରୁଛି।

ଏଣୁ ଡାକ ବାକ୍ସରେ ପଡ଼ିଥିବା ପୋଷ୍ଟକାର୍ଡ଼ ଚିଠିଟିଏ ଦେଖିଲେ ଡାକ ବିଭାଗକୁ ସେଇ ଭଳି ଲାଗୁଥିବ ଯେମିିତି ବେପାର ମାନ୍ଦା ପଡ଼ିଥିବା ବେଳେ ଗ୍ରାହକଟିଏକୁ ଦେଖିଲେ ଦୋକାନୀଙ୍କୁ ଲାଗିଥାଏ। ତେବେ ଏଥର ଅନୁମାନ କରାଯାଉ ଭାରତୀୟ ଡାକ ବିଭାଗ ମନରେ କି ପ୍ରକାର ପୁଲକ ଜାତ ହେବ ଯେତେବେଳେ ସେମାନେ ଆଗାମୀ ଦିନମାନଙ୍କରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଶହେ ନୁହେଁ କି ହଜାରେ ନୁହେଁ, କିମ୍ବା ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ- ଅବିଶ୍ବାସ୍ୟ ଭାବରେ ୩୦ ଲକ୍ଷ ପୋଷ୍ଟକାର୍ଡ଼ରେ ପୋତି ହୋଇ ପଡ଼ିବାକୁ ଆରମ୍ଭ କରିବେ। ଅବଶ୍ୟ ସେମାନେ ପୋତି ହୋଇ ପଡ଼ିବା ପୂର୍ବରୁ ସେଗୁଡ଼ିକୁ ପ୍ରାପକଙ୍କ ନିକଟରେ ପହଞ୍ଚାଇ ଦେବାକୁ ଚେଷ୍ଟା କରିବେ। ପ୍ରାପକ ଦୁଇଜଣ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବ˚ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମମତାଙ୍କ ଉଦ୍ଦେଶ୍ୟରେ ଡାକ ବାକ୍ସରେ ପଡ଼ିବ ୧୦ ଲକ୍ଷ ପୋଷ୍ଟକାର୍ଡ଼ ଏବ˚ ମୋଦୀ- ଅମିତ ଶାହ ଯୋଡ଼ିଙ୍କ ଉଦ୍ଦେଶ୍ୟରେ ପଡ଼ିବାକୁ ଯାଉଚି ୨୦ ଲକ୍ଷ ପୋଷ୍ଟକାର୍ଡ ଚିଠି।

ଶ୍ରୀରାମଙ୍କ ନେତୃତ୍ବରେ ହୋଇଥିବା ତ୍ରେତୟା ଯୁଗର ରାମାୟଣ ଯୁଦ୍ଧରେ ବିଭିନ୍ନ ନାରାଚମାନ ‌‌େକ୍ଷପଣାସ୍ତ୍ର ରୂପେ ବ୍ୟବହୃତ ହୋଇଥିବା ବେଳେ ବର୍ତ୍ତମାନ କଳି ଯୁଗରେ ସେଇ ଶ୍ରୀରାମଙ୍କୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ତୃଣମୂଳ-ଭାଜପା କିମ୍ବା ମୋଦୀ-ମମତା ଯୁଦ୍ଧରେ ନାରାଚ ବଦଳରେ ‌‌େକ୍ଷପଣାସ୍ତ୍ରର ସ୍ଥାନ ନେଇଛି ସାଧାରଣ ପୋଷ୍ଟକାର୍ଡଟିଏ। ଯେଉଁମାନେ ବିଗତ ଦିନ ମାନଙ୍କରେ ରଣଭୂମି ପଶ୍ଚିମବଙ୍ଗ ଉପରେ ଲକ୍ଷ୍ୟ ନିବଦ୍ଧ କରିଥିବେ, ସେମାନେ ଅବଶ୍ୟ ଏ ପୋଷ୍ଟକାର୍ଡ ଯୁଦ୍ଧର ଆବିର୍ଭାବ ଓ ଅଗ୍ରଗତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅବଗତ ଥିବେ। ତଥାପି ଅତି ସ˚କ୍ଷେପରେ ଏଠାରେ ସେ ଯୁଦ୍ଧର ବିବରଣୀ ଆଉ ଥରେ ପ୍ରଦାନ କରିବା ଅପ୍ରାସଙ୍ଗିକ ହେବ ନାହିଁ। ଭାରତୀୟ ଜନତା ପାର୍ଟି ଓ ନରେନ୍ଦ୍ର ମୋଦୀଙ୍କ ତଥାକଥିତ ହିନ୍ଦୁତ୍ବ ରାଜନୀତିର ମୁକାବିଲା କରିବା ପାଇଁ ମମତା ବାନାର୍ଜୀ ତାଙ୍କ ରାଜ୍ୟର ସ˚ଖ୍ୟାବହୁଳ ମୁସଲମାନ ମତଦାତାମାନଙ୍କୁ ଏକ ଭୋଟ୍‌ ବ୍ୟାଙ୍କ୍‌ରେ ପରିଣତ କରିବାକୁ ଖୋଲାଖୋଲି ଉଦ୍ୟମ ଚଳାଇଛନ୍ତି। ଭାଜପାର ନିର୍ବାଚନୀ ରଣହୁଙ୍କାର ‘ଜୟ ଶ୍ରୀରାମ’ ସ୍ଲୋଗାନ ତେଣୁ ମମତାଙ୍କୁ ବିଷ ଭଳି ଲାଗୁଛି।

ନିର୍ବାଚନ ପୂର୍ବରୁ ବିଭିନ୍ନ ଘଟଣାରେ ଜୟ ଶ୍ରୀରାମ ସ୍ଲୋଗାନ ପ୍ରଦାନକାରୀଙ୍କୁ ସେ ରାଜ୍ୟ ପୁଲିସ ଦ୍ବାରା ଗିରଫ କରିବା ଏପରି ଏକ ବିବଦମାନ ପ୍ରସଙ୍ଗରେ ପରିଣତ ହୋଇ ପଡ଼ିଥିଲା ଯେ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦୀ ଜୟ ଶ୍ରୀରାମ କହିବା ‘ଅପରାଧ’ରେ ତାଙ୍କୁ ଗିରଫ କରିବା ପାଇଁ ମମତାଙ୍କୁ ଆହ୍ବାନ ଦେବା ଦେଖାଯାଇଥିଲା। ନିର୍ବାଚନରେ ପଶ୍ଚିମବଙ୍ଗରେ ମମତାଙ୍କ ଦଳ ତୃଣମୂଳର ଘୋର ବିପର୍ଯ୍ୟୟ ହେବା ପରେ ଜୟ ଶ୍ରୀରାମ ସ୍ଲୋଗାନ ତା’ର ଆବଶ୍ୟକତା ଅତିକ୍ରମ କରିବା ପରିବର୍ତ୍ତେ ଆଶ୍ଚର୍ଯ୍ୟଜନକ ଭାବରେ ଏକ ଆହୁରି ଅଧିକ ପ୍ରଭାବଶାଳୀ ଶବ୍ଦ-ବାଣରେ ପରିଣତ ହେବା ଦେଖା ଦେଇଛି। ଏବ˚ ଏଥିପାଇଁ ଯିଏ ସମ୍ପୂର୍ଣ୍ଣ ରୂପେ ଦାୟୀ, ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ମମତା ବାନାର୍ଜୀ। ନିର୍ବାଚନ ବିପର୍ଯ୍ୟୟ ପରେ ସେ ଏପରି ପ୍ରତିକ୍ରିୟାଶୀଳ ହୋଇ ପଡ଼ିଛନ୍ତି ଯେ ‘ଜୟ ଶ୍ରୀରାମ’ ଶବ୍ଦ ତାଙ୍କ ପାଇଁ ଏକ ଅହେତୁକ ଭୟ ସୃଷ୍ଟିକାରୀ ‘ଫୋବିଆ’ରେ ପରିଣତ ହୋଇଯାଇଥିବା ଭଳି ମନେ ହେଉଛି।

ଏକ ଉଦାହରଣ ସ୍ବରୂପ ବର୍ତ୍ତମାନ ଦେଶବ୍ୟାପୀ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବା ଏକ ଭିଡ଼ିଓରେ ଗତ ଗୁରୁବାର ଦିନ ଉତ୍ତର ୨୪-ପ୍ରଗଣାରେ ମମତା ‘ଜୟ ଶ୍ରୀରାମ’ ସ୍ଲୋଗାନ ଶୁଣି କାର‌୍‌ ଅଟକାଇ ଓହ୍ଲାଇପଡ଼ି ସ୍ଲୋଗାନ୍‌ ଦେଉଥିବା ଯୁବକମାନଙ୍କୁ ଗୋଡ଼ାଇ ଯିବା ଦୃଶ୍ୟ ଯେତିକି ଅସ୍ବାଭାବିକ ସେତିକି ହାସ୍ୟୋଦ୍ଦୀପକ। ପରେ ସେ ଏଥିପାଇଁ ସାତ ଜଣଙ୍କୁ ଗିରଫ ମଧୢ କରାଇ ଦେଇଥିଲେ।

ମମତାଙ୍କର ଏପରି ବିକୃତ ଆଚରଣ ତାଙ୍କ ଉପରେ ଆହୁରି ଶକ୍ତିଶାଳୀ ପୌରାଣିକ ଆକ୍ରମଣ ଚଳାଇବାକୁ ଶତ୍ରୁପକ୍ଷକୁ ଖୋରାକ୍‌ ଯୋଗାଇ ଦେଇଛି। ଭାଜପା ସା˚ସଦ ସାକ୍ଷୀ ମହାରାଜ ମମତାଙ୍କୁ ରାକ୍ଷସରାଜ ହିରଣ୍ୟକଶପୁଙ୍କର ବ˚ଶଧର ବୋଲି କଟାକ୍ଷ କରିଛନ୍ତି। ପୁତ୍ର ବିଷ୍ଣୁଭକ୍ତ ପ୍ରହ୍ଲାଦ ମୁଖରୁ ‘ହରି’ ଶବ୍ଦ ଶୁଣିଲେ ହିରଣ୍ୟକଶିପୁ ଯେପରି ଉତ୍‌କ୍ଷିପ୍ତ ହୋଇପଡ଼ି ପ୍ରହ୍ଲାଦଙ୍କୁ ନିର୍ଯାତନା ଦେଉଥିଲା, ମମତା ସେଇଭଳି ‘ରାମ’ ଶବ୍ଦ ଶୁଣିଲେ ଉତ୍‌କ୍ଷିପ୍ତ ହୋଇପଡ଼ି ରାମ ନାମ ଉଚ୍ଚାରଣକାରୀ ମାନଙ୍କୁ ଦଣ୍ତ ଦେଉଛନ୍ତି ବୋଲି ତାଙ୍କ କଟାକ୍ଷର ଅର୍ଥ। ଭକ୍ତ ପ୍ରହ୍ଲାଦ କାହାଣୀରେ ଅମର ବରପ୍ରାପ୍ତ ହିରଣ୍ୟକଶିପୁଙ୍କୁ ତାଙ୍କର ବରର କୌଣସି ସର୍ତ୍ତ ଉଲ୍ଲ˚ଘନ ନ କରି ସ˚ହାର କରିବା ପାଇଁ ବିଷ୍ଣୁ ଶେଷରେ ନରସି˚ହ ରୂପ ଧାରଣ କରି ଏକ ଖମ୍ବରୁ ବାହାରି ଗୋଧୂଳି ବେଳାରେ ଏରୁଣ୍ତି ବନ୍ଧ ଉପରେ ନିଜ ନଖ ସାହାଯ୍ୟରେ ତାଙ୍କର ପ୍ରାଣନାଶ କରିଥିଲେ। ସାକ୍ଷୀ ମହାରାଜଙ୍କ ଉପମାରେ ପଶ୍ଚିମବଙ୍ଗର ରାମ ନାମ ଚିତ୍କାରକାରୀମାନେ ପ୍ରହ୍ଲାଦ ସଦୃଶ ହୋଇଥିବା ବେଳେ ନରସି˚ହ ରୂପରେ କିଏ ଆବିର୍ଭୂତ ହେବେ, ତାହା ଅନୁମାନ କରିବା କଷ୍ଟକର ନୁହେଁ।

ଏଣେ ମମତାଙ୍କର ‘ଜୟ ଶ୍ରୀରାମ’ ପ୍ରତି ଏପରି ବିମୁଖ ଭାବକୁ ଆଧାର କରି ପଶ୍ଚିମବଙ୍ଗର ଭାଜପା ନେତାମାନେ ମମତା ବାନାର୍ଜୀଙ୍କ ନିକଟକୁ ୧୦ ଲକ୍ଷ ‘ଜୟ ଶ୍ରୀରାମ’ ଲେଖାଥିବା ପୋଷ୍ଟକାର୍ଡ଼ ପଠାଇବେ ବୋଲି ଘୋଷଣା କରିଛନ୍ତି। ଏହାର ଜବାବରେ ତୃଣମୂଳ ନେତାମାନେ ମୋଦୀ ଓ ଶାହାଙ୍କ ପାଖକୁ ୨୦ ଲକ୍ଷ ‘ଜୟ ବା˚ଲା’ ଓ ‘ଜୟ ହିନ୍ଦ୍‌’ ଲେଖାଥିବା ପୋଷ୍ଟକାର୍ଡ଼ ପଠାଇବେ ବୋଲି ଘୋଷଣା କରିଛନ୍ତି। ଏଣୁ ଆରମ୍ଭରେ କୁହାଯାଇଥିବା ଭଳି ତୃତୀୟ ବର୍ଷ ଭାରତୀୟ ଡାକ ବିଭାଗର ବେଶ୍‌ ଲାଭ ହେବା କଥା। କିନ୍ତୁ କେତେକ କାହାଣୀ ଶେଷରେ ବେଳେ ବେଳେ ଏକ ମୋଡ଼ ଥିବା ଭଳି ଏଠାରେ ମଧୢ ଏକ ମୋଡ଼ ଅଛି। ଉପଲବ୍ଧ ସର୍ବଶେଷ ସୂଚନା ଅନୁସାରେ ୨୦୧୬-୧୭ରେ ଗୋଟିଏ ପୋଷ୍ଟକାର୍ଡ଼ର ତିଆରି ଖର୍ଚ୍ଚ ଥିଲା ୧୨ ଟଙ୍କା ୧୫ ପଇସା। ଗୋଟିଏ ପୋଷ୍ଟକାର୍ଡ଼ର ବିକ୍ରୟ ମୂଲ୍ୟ ହେଉଛି ୫୦ ପଇସା ମାତ୍ର। ଏଣୁ ପ୍ରତି ପୋଷ୍ଟକାର୍ଡ଼ ବିକ୍ରି ପିଛା ଡାକବିଭାଗର କ୍ଷତି ହୋଇଥାଏ ୧୧ ଟଙ୍କା ୬୫ ପଇସା। ଯଦି ଏ ବଙ୍ଗୀୟ ରାମାୟଣରେ ୩୦ ଲକ୍ଷ ପୋଷ୍ଟକାର୍ଡ଼କୁ ‌େକ୍ଷପଣାସ୍ତ୍ର ରୂପେ ବ୍ୟବହାର କରାଯାଏ, ତୃତୀୟ ପକ୍ଷର ଲାଭ ପରିବର୍ତ୍ତେ କେତେ ବିଶାଳ କ୍ଷତି ହେବ ହିସାବ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe