ସଂପ୍ରୀତି ଓ ସଦ୍‌ଭାବ

କ˚ଗ୍ରେସ ପାଇଁ ସୁଯୋଗ

ya-webdesign.com

ଜର୍ଜ ଅରୱେଲ୍ ତାଙ୍କର ପ୍ରସିଦ୍ଧ ଉପନ୍ୟାସ ‘ଊଣେଇଶ ଶହ ଚଉରାଶୀ’ (୧୯୮୪)ରେ ବ୍ୟଙ୍ଗାତ୍ମକ ଭାବେ ଯେଉଁ ତିନିଟି ସ୍ଲୋଗାନ କଥା ବାରମ୍ବାର ଉଲ୍ଲେଖ କରିଛନ୍ତି, ତାହା ଭିତରୁ ଗୋଟିଏ ହେଲା- ସ୍ବାଧୀନତା ହିଁ ଦାସତ୍ବ। ଏକ ଭିନ୍ନ ପରିପ୍ରେକ୍ଷୀରେ ଆଜି ଏହାକୁ ଏକ ସତର୍କବାଣୀ ଭାବେ ଗ୍ରହଣ କରାଯାଇପାରେ। କରୋନା ଭାଇରସ୍ ଜନିତ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ପରେ ଭିନ୍ନ ଭିନ୍ନ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଯାହାସବୁ ପ୍ରସାର କରୁଛନ୍ତି ତାହାକୁ ଦେଖିଲେ ମନେହେଉଛି, ବାକ୍‌ପ୍ରକାଶର ସ୍ବାଧୀନତା ସତେ ଅବା ଅବିମୃଶ୍ୟକାରୀ ଓ ଏକପାକ୍ଷିକ ସ୍ବାଧୀନତା, ଯହିଁରେ ସାମାଜିକ ଦାୟିତ୍ବବୋଧ ବୋଲି କଥାଟିଏ ସଂପୂର୍ଣ୍ଣ ଅନୁପସ୍ଥିତ। ପ୍ରତ୍ୟେକ ସ୍ବାଧୀନ ଆଚରଣ ସହିତ ଯେ ଦାୟିତ୍ବବୋଧ ପ୍ରଚ୍ଛନ୍ନ ଭାବରେ ସଂଶ୍ଳିଷ୍ଟ ଥାଏ ସେ କଥାଟିକୁ ଏହି ବ୍ୟକ୍ତିମାନେ ଭୁଲିଯାଉଛନ୍ତି।

ବିଶ୍ବରେ ମହାମାରୀ ଆତଙ୍କ ସୃଷ୍ଟି କରିଥିବା କରୋନା ବ୍ୟାଧି ପାଇଁ ବର୍ତ୍ତମାନ ଆମେରିକା ସମେତ ବହୁରାଷ୍ଟ୍ର ଚୀନ୍‌କୁ ଦୋଷ ଦେଉଛନ୍ତି। ସେ ପ୍ରକାର ଅଭିଯୋଗ ପଛରେ କିଛି କାରଣ ମଧ୍ୟ ରହିଛି। ସମାନ ପ୍ରକାର ଅଭିଯୋଗ ଏବେ ଦିଲ୍ଲୀ ନିଜାମୁଦ୍ଦିନ୍ ଧର୍ମସଭାକୁ ନେଇ ଗୋଟିଏ ବଡ଼ ଗୋଷ୍ଠୀ ଆଣିବା ଭାରତ ପାଇଁ ନୂଆ ସଂକଟ ଆଣିପାରେ। ସାଂପ୍ରତିକ ସମୟ ବିଶ୍ବାସ-ସଂକଟର ସମୟ। ଏହା ପୂର୍ବରୁ ଅନ୍ୟ କୌଣସି ବିପର୍ଯ୍ୟୟ ବେଳେ ମଣିଷ ମଣିଷ ଭିତରେ ଏଭଳି ବିଶ୍ବାସର ସଂକଟ ଦେଖାଦେଇ ନ ଥିଲା। ବର୍ତ୍ତମାନ ଜଣେ ମଣିଷ ଆଉ ଜଣେ ମଣିଷକୁ ହିଁ ସବୁଠାରୁ ଅଧିକ ସନ୍ଦେହ କରୁଛି। ସେ ଆଶଙ୍କା କରୁଛି, ଅନ୍ୟ ମଣିଷଟି ତା’ ପାଇଁ ଯମଦୂତ ହୋଇପାରେ। ଏହି ପ୍ରକାର ବିଶ୍ବାସର ସଂକଟ ଯୋଗୁଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ, ଯେଉଁମାନେ ବାସ୍ତବରେ ଦେବଦୂତ ସାଜି ଏହି ଭୟଙ୍କର ପରିସ୍ଥିତିରେ ସେବା ଯୋଗାଇ ଆସୁଛନ୍ତି, ସେମାନଙ୍କୁ ସୁଦ୍ଧା ସେ ଅଯଥାରେ ସନ୍ଦେହ କରୁଛି। ଏଭଳି ଏକ ପରିସ୍ଥିତିରେ ସାମାନ୍ୟ ସାମାନ୍ୟ କଥା ସାଂପ୍ରଦାୟିକ ସଂଘର୍ଷ ପରି ବିପଦଜନକ ପରିସ୍ଥିତିକୁ ଆମନ୍ତ୍ରଣ କରି ଆଣିପାରେ।

ଭାରତର ରାଷ୍ଟ୍ରପତି ତାଙ୍କର ବକ୍ତବ୍ୟରେ ଏକଥା ପ୍ରକାଶ କରିଛନ୍ତି ଯେ ଦିଲ୍ଲୀର ଆନନ୍ଦବିହାରରେ ହଜାର ହଜାର ଶ୍ରମିକଙ୍କ ଭିଡ଼ ସହ ଆଉ ଯେଉଁ ଘଟଣାଟି କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଁ ଦାୟୀ ତାହା ହେଲା ନିଜାମୁଦ୍ଦିନ୍‌ର ତାବଲିଗି ଜମାତ୍। ଏହି ଦୁଇଟି ଘଟଣା, କରୋନାର ମୁକାବିଲା ପାଇଁ ଭାରତର ଉଦ୍ୟମକୁ ଅନେକ ପରିମାଣରେ ବ୍ୟର୍ଥ କରିଦେଇଛି। ଏହି କଥାକୁ ଉପଲକ୍ଷ୍ୟ କରି ଭାରତର ସଂଖ୍ୟାଗରିଷ୍ଠ ସଂପ୍ରଦାୟ ସଂଖ୍ୟାଲଘୁ ସଂପ୍ରଦାୟକୁ ଅଭିଯୁକ୍ତ କରିବା ସ୍ବାଭାବିକ ହୋଇପାରେ; କାରଣ ଏହି ଧର୍ମସଭାରେ ପ୍ରାୟ ୪୦ଟି ଦେଶର ସହସ୍ରାଧିକ ପ୍ରତିନିଧି ଯୋଗ ଦେଇଥିଲେ ଏବଂ ସେମାନଙ୍କ ଭିତରୁ ଶତକଡ଼ା ଚାଳିଶ ଭାଗ ଥିଲେ କରୋନା ଆକ୍ରାନ୍ତ। ଭାରତରେ ଚିହ୍ନଟ ତିରିଶ ଭାଗ ପଜିଟିଭ୍ କେସ୍ ଏହି ଧର୍ମସଭା ସହ ସଂପୃକ୍ତ ଥିବା କଥା ଅବଶିଷ୍ଟ ଦେଶବାସୀଙ୍କୁ ଉତ୍‌କ୍ଷିପ୍ତ କରିଛି। ମାତ୍ର ଧର୍ମସଭା ଆୟୋଜକମାନଙ୍କ ଯୁକ୍ତିର ମଧ୍ୟ କିଛି ଯାଥାର୍ଥ୍ୟ ରହିଛି। ପୂର୍ବତନ କୁଳପତି ଏବଂ ଆଇନ ବିଶାରଦ ଫଇଜାନ୍ ମୁସ୍ତାଫା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଭିଡିଓରେ କେତେକ କଥା ଦର୍ଶାଇଛନ୍ତି ଯାହା ବିଚାର ସାପେକ୍ଷ। ତାଙ୍କ ଯୁକ୍ତି ଅନୁସାରେ ଏହି ଧର୍ମସଭା ମାର୍ଚ୍ଚ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାବେଳେ ଭାରତ ସରକାର ଧାର୍ମିକ ଅନୁଷ୍ଠାନର ସଭାସମିତିକୁ ନିଷିଦ୍ଧ କରି ନ ଥିଲେ। ସେ ଉଦାହରଣ ଦେଇ ଉଲ୍ଲେଖ କରିଛନ୍ତି ଯେ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ତିରୁପତି, ସିଦ୍ଧି ବିନାୟକ, ଉଜ୍ଜୟିନୀର ମହାକାଳେଶ୍ବର, ବୈଷ୍ଣୋଦେବୀ, ଶିରିଡି ପ୍ରଭୃତି ପ୍ରସିଦ୍ଧ ତୀର୍ଥସ୍ଥାନରେ ଭକ୍ତମାନଙ୍କ ଦର୍ଶନ ନିଷିଦ୍ଧ ହୋଇ ନ ଥିଲା ଏବଂ ଏଗୁଡ଼ିକ ମଧ୍ୟରୁ କେତେକ ସ୍ଥାନରେ ୨୦ ତାରିଖ ପର୍ଯ୍ୟନ୍ତ ସୁଦ୍ଧା ଦର୍ଶନ ଚାଲିଥିଲା। ମାର୍ଚ୍ଚ ୧୯ ତାରିଖରେ ସାମାଜିକ ଦୂରତ୍ବ ପ୍ରସଙ୍ଗ ଗୁରୁତ୍ବପୂର୍ଣ୍ଣ ହେଲା ଏବଂ ୨୨ ତାରିଖ ପାଇଁ ପ୍ରଧାନମନ୍ତ୍ରୀ ଜନତାକର୍ଫ୍ୟୁ ନିମନ୍ତେ ଆବେଦନ କରିଥିଲେ। ଏହା ପୂର୍ବରୁ ନିଜାମୁଦ୍ଦିନ୍ ଧର୍ମସଭାକୁ ପ୍ରତିନିଧିମାନେ ବିଦେଶରୁ ଆସିଥିଲେ ଏବଂ ସେମାନଙ୍କୁ ଭାରତ ସରକାର ଭିସା ପ୍ରଦାନ କରିଥିଲେ। ଏହାର ଯଥେଷ୍ଟ ପୂର୍ବରୁ କରୋନା ଭାଇରସ ଚୀନ୍‌ରେ ଆତଙ୍କ ସୃଷ୍ଟି କରିଥିବାରୁ ଭାରତ ସରକାର ଚାହିଥିଲେ ଏହି ଯାତ୍ରୀମାନଙ୍କୁ ବିମାନବନ୍ଦରରୁ ମଧ୍ୟ ଫେରାଇ ଦେଇପାରିଥାଆନ୍ତେ। ଅବଶ୍ୟ ସେ ସ୍ବୀକାର କରିଛନ୍ତି ଯେ ଧର୍ମ ହେଉଛି, ମାର୍କସ କହିବା ପରି, ଅଫିମ ସଦୃଶ ଏବଂ ଅନ୍ୟ ଧର୍ମାବଲମ୍ବୀଙ୍କ ପରି ଏହି ଧର୍ମସଭାରେ ଯୋଗ ଦେଇଥିବା କିଛି ବ୍ୟକ୍ତି ମଧ୍ୟ ଭାବିଥିଲେ ଯେ ଧର୍ମପୀଠରେ ସେମାନଙ୍କୁ ବ୍ୟାଧି ଗ୍ରାସ କରିବ ନାହିଁ। ସେତେବେଳକୁ ଯାହା କ୍ଷତି ହେବାର କଥା ହୋଇସାରିଥିଲା।

ଫଇଜାନ୍ ମୁସ୍ତାଫାଙ୍କର ଏହି ବକ୍ତବ୍ୟରେ କିଛି ଯାଥାର୍ଥ୍ୟ ଥିଲେ ସୁଦ୍ଧା ବିଭିନ୍ନ ପ୍ରଦେଶରୁ ଯାଇଥିବା ଭାରତୀୟ ଭକ୍ତମାନେ ସେମାନଙ୍କର ନିଜାମୁଦ୍ଦିନ୍‌ରେ ଉପସ୍ଥିତି କଥା ନିଜ ରାଜ୍ୟ ସରକାରଙ୍କୁ ନ ଜଣାଇବା ସଂପର୍କରେ କିଛି ଯୁକ୍ତି ନାହିଁ। ସେହିଭଳି ଦିଲ୍ଲୀରେ ଚିକିତ୍ସାଧୀନ ଭକ୍ତଗଣ ନର୍ସମାନଙ୍କୁ ଦୁର୍ବ୍ୟବହାର କରିବା କିମ୍ବା ଆଉ କେଉଁଠାରେ ବିରିଆନି ଦାବି କରିବା ପରି ଅଯୌକ୍ତିକ ଘଟଣା ସମ୍ପର୍କରେ ମଧ୍ୟ ସେ କିଛି ଯୁକ୍ତି ଦର୍ଶାଇ ନାହାନ୍ତି। ତେବେ ବର୍ତ୍ତମାନର ପରିସ୍ଥିତିରେ ନିଜାମୁଦ୍ଦିନ୍ ଧର୍ମସଭା ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ ଭାବେ ଗ୍ରହଣ କରିବସିଲେ ଅସଲ ସଂଗ୍ରାମ ପଥଚ୍ୟୁତ ହେବ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମର୍ମରେ ନିବେଦନ କରିଛନ୍ତି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ସେ ଏହି ଧାର୍ମିକ ଭକ୍ତମାନଙ୍କୁ ନିଜ ନିଜର ଠିକଣା ତୁରନ୍ତ ଜଣାଇ ଚିକିତ୍ସାଧୀନ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି ଯେ କରୋନା ପରି ଭୟଙ୍କର ବ୍ୟାଧିକୁ ଲୁଚାଇ ରଖିଲେ ତାହା ସଂପୃକ୍ତ ବ୍ୟକ୍ତିଙ୍କ ସହ ତାଙ୍କ ପିଲା-ପରିବାରର ଅଶେଷ କ୍ଷତି କରିବ ଏବଂ ଅନତି ବିଳମ୍ବରେ ସମଗ୍ର ରାଜ୍ୟ ଏଥିପାଇଁ କ୍ଷତିଗ୍ରସ୍ତ ହେବ। ତାଙ୍କର ଏହି ଆହ୍ବାନକୁ ନିଜାମୁଦ୍ଦିନ୍ ଭକ୍ତମାନେ ଗ୍ରହଣ କରିବା ଜରୁରି। ଏହି ଆହ୍ବାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ରାଜ୍ୟରେ ସାଂପ୍ରଦାୟିକ ସଦ୍‌ଭାବର ସୁରକ୍ଷା ନିମନ୍ତେ ନିଜ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ସମୟ, ରାଷ୍ଟ୍ରର ସମସ୍ତ ଶକ୍ତି ଓ ସମ୍ବଳର ଉପଯୋଗ କରି କରୋନା ସଂକ୍ରମଣକୁ ପ୍ରତିହତ କରିବାର ସମୟ। ଅନ୍ୟ କୌଣସି କଥା ପ୍ରତି ସମାଜ ଓ ପ୍ରଶାସନର ଧ୍ୟାନ ଚାଲିଗଲେ ମୂଳ ସମସ୍ୟା ଲଢ଼ିବା ପାଇଁ ସମ୍ବଳ ଓ ଶ୍ରମ-ସମୟର ଅଭାବ ଦେଖାଯିବ।

ଏକଥା ସତ ଯେ, ଭାରତର ପ୍ରତ୍ୟେକ ବ୍ୟକ୍ତି ବର୍ତ୍ତମାନ କରୋନା ଭାଇରସ୍ ନେଇ ଅତ୍ୟନ୍ତ ଉଦ୍‌ବିଗ୍ନ। ଏହା ଆମର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନକୁ ସ୍ଥାଣୁପ୍ରାୟ କରିଦେଇଛି। ତେବେ ଏହି ପ୍ରକାର ବିପଦଜନକ ପରିସ୍ଥିତିରେ ଦୁଇଟି ଘଟଣା ନଜରକୁ ଆସିଛି ଯାହା ଏହି ବ୍ୟାଧିର ଆତଙ୍କଜନକ ଚେହେରାକୁ କିଞ୍ଚିତ୍ ଦୁର୍ବଳ ଦେଖାଇବ। ପ୍ରଥମରୁ ଆମେ ଶୁଣିଆସିଥିଲୁ, କରୋନା ବ୍ୟାଧି ବୃଦ୍ଧ ଓ ଶିଶୁମାନଙ୍କ ପାଇଁ ଅତି ଭୟଙ୍କର। ଏହିଭଳି ସମୟରେ କେରଳର କୋଟ୍ଟୟାମ ମେଡିକାଲ୍ କଲେଜ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ୯୩ ବର୍ଷର ବୃଦ୍ଧ ଥମାସ୍ଆବ୍ରାହାମ୍ ଏବଂ ତାଙ୍କର ୮୮ ବର୍ଷ ବୟସ୍କା ପତ୍ନୀ ମରିୟାମ୍ମା କରୋନାରୁ ସଂପୂର୍ଣ୍ଣ ମୁକ୍ତ ହୋଇ ଘରକୁ ଫେରିଯିବା ନିଶ୍ଚିତ ଭାବେ ଉତ୍ସାହଜନକ ସମ୍ବାଦ। ସେହିପରି ମୁମ୍ବାଇର ଚେମ୍ବୁର ଅଞ୍ଚଳର ଗୋଟିଏ ପାଞ୍ଚଦିନର ନବଜାତ ଶିଶୁ ଏହି ବ୍ୟାଧି କବଳରୁ ମୁକ୍ତ ହୋଇପାରିଥିବା ନେଇ ଆଉ ଏକ ଖବର ଶିଶୁମାନଙ୍କୁ ନେଇ ରହିଥିବା ଉଦ୍‌ବେଗକୁ ସାମାନ୍ୟ ହ୍ରାସ କରିପାରେ। ମୁମ୍ବାଇର ସ୍ବାସ୍ଥ୍ୟ ବିଭାଗ ଏହି ଶିଶୁଟିକୁ ଦେଶର ସର୍ବକନିଷ୍ଠ କରୋନା ପଜିଟିଭ୍ ଶିଶୁ ଭାବେ ଚିକିତ୍ସା କରିଥିଲେ। ଏ ଦୁଇଟି ଘଟଣା ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଉଛି ଠିକଣା ସମୟରେ ସ୍ବାସ୍ଥ୍ୟସେବା ଗ୍ରହଣ ପାଇଁ ସଂପୃକ୍ତ ବ୍ୟକ୍ତି ଆଗେଇ ଆସିବା ସବୁଠାରୁ ଅଧିକ ଆବଶ୍ୟକତା। ସାମାଜିକ ଦୂରତ୍ବ, ସଙ୍ଗରୋଧ ସହ ରୋଗର ଉପସର୍ଗ ଦେଖୁଥିବା ରୋଗୀ ନିଜ ଆଡୁ ଆଗେଇ ଆସିଲେ ତାହା ତାଙ୍କର ଓ ଦେଶର ହିତ ସାଧନ କରିବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତିଟି ଭାରତୀୟର ପ୍ରାଥମିକ ଦାୟିତ୍ବ ହେଉଛି ନିଜର ସୁରକ୍ଷା ସହ ଦେଶର ଓ ଦେଶବାସୀଙ୍କ ସୁରକ୍ଷା ପ୍ରସଙ୍ଗ ଚିନ୍ତା କରିବା। ସେଥିପାଇଁ ସାଂପ୍ରଦାୟିକ ବିଦ୍ବେଷ ବଦଳରେ ସଂପ୍ରୀତି ଏବଂ ସଦ୍‌ଭାବ ବର୍ତ୍ତମାନର ସବୁଠାରୁ ବଡ଼ ଆବଶ୍ୟକତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe