Advertisment

ହସର ଦୁର୍ଭିକ୍ଷ

Advertisment
କ˚ଗ୍ରେସ ପାଇଁ ସୁଯୋଗ

ya-webdesign.com

ଓଠରେ ଧାରେ ହସ ଫୁଟାଇ ପାରୁନଥିବା ଯୋଗୁଁ ଚାକିରି ଖଣ୍ତିକ ଚାଲିଯିବାର ଅନେକ ଉଦାହରଣ ରହିଛି। ଅଭ୍ୟର୍ଥନା କାଉଣ୍ଟର, ବିମାନ ପରିଚର୍ଯ୍ୟା ସେବା ଏବ˚ ଅନ୍ୟାନ୍ୟ ଗ୍ରାହକ ସେବାରେ ନିୟୋଜିତ କର୍ମଚାରୀମାନେ ଜାଣନ୍ତି ଯେ, ମନ ଭିତରେ ଯାହା ଦୁଃଖ ଥାଉ ନା କାହିଁକି ଓଠରେ ହସ ଝୁଲେଇ ରଖିବାକୁ ପଡ଼ିବ। ରାଜ କପୁରଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ମେରା ନାମ ଜୋକର’ରେ ଏହି କଥାଟିକୁ ପୁଣି ଏକ ଦାର୍ଶନିକ ପୁଟ ଦିଆଯାଇଛି। ତେବେ ଚାକିରି ବଞ୍ଚେଇବା ଲାଗି ହସର ପ୍ରୟୋଜନ ଖାଲି ଆଜିର ଚାହିଦା ନୁହେଁ, ସବୁଦିନେ ଥିଲା। ଉପର ଲିଖିତ ଚାକଚକ୍ୟପୂର୍ଣ୍ଣ ଚାକିରି ତ ଦୂରର କଥା ସାଧାରଣ ଛାପାଖାନା କର୍ମଚାରୀଙ୍କ ଠାରୁ ମଧୢ ତାହା ଆଶା କରାଯାଉଥିଲା ଏବ˚ ସେତକ ନ ଥିଲେ ହାତର ଚାକିରିଖଣ୍ତିକ ଛାଏଁ ଛାଏଁ ଚାଲିଯାଉଥିଲା। ଯେଉଁମାନେ ଶ୍ରୀ କୃଷ୍ଣଚନ୍ଦ୍ର କରଙ୍କର ଆତ୍ମଜୀବନୀ ‘ହଜିଲା ଦିନର ସ୍ମୃତି’ ପଢ଼ିଥିବେ ସେମାନଙ୍କର ନିଶ୍ଚୟ ସ୍ମରଣ ଥିବ ଯେ, ‘ଉତ୍କଳ ସାହିତ୍ୟ’ର ସ˚ପାଦକ ବାଗ୍ମୀ ବିଶ୍ବନାଥ କର କିଭଳି ଜଣେ ପ୍ରୁଫ୍‌ ସ˚ଶୋଧକଙ୍କୁ କେବଳ ଏହି କାରଣରୁ ବହିଷ୍କାର କରିଥିଲେ। ଶ୍ରୀ କରଙ୍କ ଭାଷାରେ ‘‘ଏ ପିଲାଟି ଏତେ କାଉଁନ୍ଦା ଯେ ଦିନେ ହେଲେ ତା ମୁହଁରେ ଧାରେ ହେଲେ ହସ ଦେଖାଯାଉନାହିଁ। x x ଏଣୁ ପିଲାଟିର ଗୁଣଗତ ଯୋଗ୍ୟତା ବେଶ୍‌ ସନ୍ତୋଷଜନକ ହେଲେହେଁ ବ୍ୟବସାୟ ଶିଳ୍ପର ମାପକାଠିରେ ସେ ଯୋଗ୍ୟତାହୀନ।’’ ପ୍ରାୟ ଶହେ ବର୍ଷ ତଳେ ବର୍ଣ୍ଣିତ ଏହି ଘଟଣାର ହସହୀନ ଯୁବକ ଜଣକ ଯେ ପରବର୍ତ୍ତୀ ସମୟରେ ଓଡ଼ିଶାର ବିଖ୍ୟାତ ଲେଖକ, ଅନୁବାଦକ ଏବ˚ ସ˚ପାଦକ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ ତାହା ଅବଶ୍ୟ ଏକ ଭିନ୍ନ ପ୍ରସଙ୍ଗ। ତେବେ ଓଠରେ ହସ ଫୁଟେଇ ପାରୁନଥିବା କଥାଟି ଯଦି ଚାକିରି ରଖିବାର ଯୋଗ୍ୟତା ହୁଏ ତାହାହେଲେ ଆଜି ଭାରତବର୍ଷର କୋଟି କୋଟି ଲୋକ ସେହି ପରୀକ୍ଷାରେ ଅକୃତକାର୍ଯ୍ୟ ହେବେ। ସଦ୍ୟ ପ୍ରକାଶିତ ଜାତିସ˚ଘର ସୁଖ ନିର୍ଦ୍ଧାରଣ ମାପକାଠିରେ ପ୍ରତିଯୋଗୀ ୧୫୬ଟି ଦେଶ ମଧୢରେ ଭାରତର ସ୍ଥାନ ନୈରାଶ୍ୟଜନକ ଭାବେ ୧୪୪ ସ୍ଥାନରେ ରହିବା କଥାରୁ ଜଣାପଡୁଛି ଯେ ଏଠି ଅନେକ ଓଠରୁ ହସ ନିରୁଦ୍ଦିଷ୍ଟ। ଗତବର୍ଷ ପ୍ରକାଶିତ ଏହି ତାଲିକାରେ ମଧୢ ଭାରତର ସ୍ଥାନ ଏହିପରି ତଳେ, ୧୪୬ ନମ୍ବର ସ୍ଥାନରେ ଥିଲା। ଏହି ସୂଚିରେ ପାକିସ୍ତାନ ସୁଦ୍ଧା ଭାରତଠାରୁ ଆଗରେ। ତେବେ ତାଲିକାର ସବୁଠୁ ସୁଖୀ ଦେଶ ତାଲିକାରେ ପୂର୍ବପରି ରହିଛି ଫିନ୍‌ଲ୍ୟାଣ୍ତ ଏବ˚ ତା ପଛକୁ ସ୍କାଣ୍ତିନେଭିଆନ ଦେଶ ଡେନ୍‌ମାର୍କ, ନରେଵ ଏବ˚ ସୁଇଡେନ ପ୍ରଭୃତି।

ଭାରତୀୟମାନେ କାହିଁକି ଏତେ ଦୁଃଖୀ? ଆମର ସାଧାରଣ ଜୀବନରେ ହସର ଏଭଳି ଉତ୍କଟ ଦୁର୍ଭିକ୍ଷ କାହିଁକି? ଆମ ଦେଶ ଏକ ବିରାଟ ଦେଶ। ଆମର ଅର୍ଥନୀତିର ଆକାର ଖୁବ୍‌ ବଡ଼। ଆମ ଦେଶରେ ଗତବର୍ଷ ଦୁର୍ଭିଷ, ମରୁଡ଼ି ପରି ହାହାକାର ସୃଷ୍ଟିକାରୀ ପ୍ରାକୃତିକ ବିପର୍ଯ୍ୟୟ ଆସିନାହିଁ। ଭାରତକୁ ସେପରି କୌଣସି ଗୃହଯୁଦ୍ଧ କିମ୍ବା ବାହ୍ୟଶତ୍ରୁ ସହ ଲଢ଼େଇ କରିବାକୁ ପଡ଼ିନାହିଁ। ଭାରତର ସାମରିକ ବାହିନୀ ଅତ୍ୟନ୍ତ ଦାୟିତ୍ବସ˚ପନ୍ନ ଏବ˚ ଶୃଙ୍ଖଳିତ ଏବ˚ ସେମାନଙ୍କ ପକ୍ଷରୁ ଦେଶର ନିର୍ବାଚିତ ସରକାର ପ୍ରତି କୌଣସି ବିପଦ ଦେଖା ଦେଇନାହିଁ। ଏସବୁ ସତ୍ତ୍ବେ ଭାରତୀୟମାନେ ଦୁଃଖୀ କାହିଁକି? କାହିଁକି ଭାରତର ଲୋକମାନଙ୍କ ମନରେ ହସ ନାହିଁ? ଆଲୋଚ୍ୟ ରିପୋର୍ଟ‌େର ଗୋଟିଏ ବଡ଼ କଥା ଉଲ୍ଲେଖ କରାଯାଇଛି ଯେ ସମ୍ବଳର ଅସମାନୁପାତିକ ବଣ୍ଟନ ବା ଉପଲବ୍‌ଧି ଭାରତର ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା। ଉଦାହରଣ ସ୍ବରୂପ ଉଲ୍ଲେଖ କରାଯାଇଛି ଯେ ଭାରତର ଏକ ପ୍ରତିଶତ ଲୋକଙ୍କ ପାଖରେ ଦେଶର ସମୁଦାୟ ସମ୍ବଳର ତିନି ଚତୁର୍ଥା˚ଶ ବା ପଚସ୍ତରି ଭାଗ ସମ୍ବଳ ରହିଛି। ଅନ୍ୟ କୌଣସି ଦେଶରେ ଏଭଳି ବୈଷମ୍ୟ ପ୍ରାୟ ଦେଖିବାକୁ ମିଳେନାହିଁ। ଏହା ସାଙ୍ଗକୁ ଅନ୍ୟ ଯେଉଁ କାରଣ ଗୁଡ଼ିକ ଉଲ୍ଲେଖ କରାଯାଉଛି ସେଗୁଡ଼ିକ ହେଲା ରାଜନୈତିକ ଏବ˚ ବ୍ୟାବସାୟିକ କ୍ଷେତ୍ରରେ ସ୍ବଚ୍ଛତାର ଘୋର ଅଭାବ। ଯାହା ଫଳରେ ଜଣେ ଜଣେ ବ୍ୟକ୍ତି ଶହ ଶହ କୋଟି ଟଙ୍କା ଠକିନେଇ ଚାଲିଯାଉଛନ୍ତି ଏବ˚ ଦେଖୁ ଦେଖୁ ଗୋଟେ ଗୋଟେ ବ୍ୟାଙ୍କ୍‌ରେ ନାଲିବତି ଜଳି ଉଠୁଛି। ଅପରାଧୀମାନଙ୍କୁ ସାଧାରଣ ଜୀବନ ବିଶେଷତଃ ନିର୍ବାଚନ ପ୍ରକ୍ରିୟାଠାରୁ ଦୂରେଇ ରଖିବ‌ା ଲାଗି ବହୁ ତମ୍ବିତୋଫାନ ଚାଲୁଛି। ଏ ଦିଗରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଉଦାହରଣ ସ୍ଥାନୀୟ ଆନ୍ତରିକତା ପ୍ରଦର୍ଶନ କରିଛନ୍ତି। ନିର୍ବାଚନ ଆୟୋଗ ମଧୢ ସାଧାରଣ ନିର୍ବାଚନ ବ୍ୟବସ୍ଥାର ଶୁଦ୍ଧୀକରଣ ପାଇଁ ଆଗ୍ରହୀ। ଏହା ସତ୍ତ୍ବେ ସମସ୍ୟାର ସମାଧାନ ହୋଇପାରିନାହିଁ।

ଭାରତର ନାଗରିକମାନେ ଆଶା କରୁଥିବା ସମୟରେ ଏବ˚ ପ୍ରୟୋଜନ ମୁତାବକ ନିଜ ନିଜର ସ୍ବାସ୍ଥ୍ୟସେବା ଲାଗି ସୁବିଧା ପାଇବେ ବୋଲି ବିଶ୍ବାସ ରଖିପାରନ୍ତି ନାହିଁ। କରୋନା କାଳ ଆମ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା କିଭଳି ଅଧିକ ପଙ୍ଗୁ ତାହା ଭଲଭାବେ ଦେଖାଇ ଦେଇଅଛି। ଯେଉଁମାନଙ୍କ ପାଖରେ ଅର୍ଥ ନାହିଁ ସେମାନେ ଯେଉଁପରି କଷ୍ଟ ଭୋଗୁଛନ୍ତି, ଯେଉଁମାନଙ୍କ ପାଖରେ ଅର୍ଥ ଅଛି ସେମାନେ ମଧୢ କଷ୍ଟ ଭୋଗୁଛନ୍ତି। କାରଣ ଓଡ଼ିଶା ପରି ରାଜ୍ୟରେ ଉନ୍ନତ ସ୍ବାସ୍ଥ୍ୟସେବା ଲୋଡୁଥିବା ଭିତ୍ତିଭୂମିର ଅଭାବ ଆଜି ମଧୢ ପରିଲକ୍ଷିତ। ଏହାର କାରଣ ହେଲା ବର୍ଷ ବର୍ଷ ଧରି ଆମର ନିର୍ବାଚିତ ସରକାରଗୁଡ଼ିକ ସ୍ବାସ୍ଥ୍ୟକ୍ଷେତ୍ରକୁ ଅବହେଳା କରିଆସିଛନ୍ତି। ଆଜି ମଧୢ ମୋଟ ଜିଡିପିର ୧.୧୫ ପ୍ରତିଶତ ସମ୍ବଳ ମାତ୍ର ସ୍ବାସ୍ଥ୍ୟକ୍ଷେତ୍ରରେ ବ୍ୟୟ କରାଯାଉଛି ଯାହା ପାକିସ୍ତାନର ବ୍ୟୟ ଠାରୁ ଢେର୍ କମ୍‌। ଏସବୁ ସାଙ୍ଗକୁ ଆଉ ଯେଉଁ ମାପକାଠି ଗୁଡ଼ିକ ରହିଛି ସେଗୁଡ଼ିକ ହେଲା ଗୋଷ୍ଠୀଜୀବନ, ସ୍ବଚ୍ଛ ନିର୍ମଳ ପିଇବା ପାଣି ଓ ପରିଷ୍କାର ପରିବେଶ ସୁବିଧା, ମତ ପ୍ରକାଶର ସ୍ବାଧୀନତା, ଅନୁଷ୍ଠାନ ଗୁଡ଼ିକ ଉପରେ ଆସ୍ଥା ଓ ବିଶ୍ବାସ, ସରକାରୀ କଳର ସକ୍ରିୟତା ଇତ୍ୟାଦି। ଉଲ୍ଲେଖ ନିଷ୍ପ୍ରୟୋଜନ ଏଗୁଡ଼ିକ କ୍ଷେତ୍ରରେ ଆମର ଉପଲବ୍‌ଧି ଆଦୌ ସନ୍ତୋଷଜନକ ନୁହେଁ।

ଗୋଟିଏ ଦେଶର ସ୍ବାସ୍ଥ୍ୟ ଓ ତା’ ନାଗରିକମାନଙ୍କର ଶାନ୍ତିପୂର୍ଣ୍ଣ ଜୀବନ ଉଭୟ ପରସ୍ପରର ପରିପୂରକ। ଭାରତରେ ଖୁସି ବା ଆନନ୍ଦର ଅଭାବ ଆମ ଜୀବନକୁ ମଧ୍ୟ ପ୍ରଭାବିତ କରୁଛି। ଏହା ସହ ଅପରାଧ ବୃଦ୍ଧିର ସଂପର୍କକୁ ବିଜ୍ଞାନ ସମ୍ମତ ଭାବେ ପ୍ରମାଣିତ କରାଯାଇନପାରିଲେ ସୁଦ୍ଧା, ଭାରତରେ ଅସୁରକ୍ଷିତ ମହିଳାମାନଙ୍କ ନିର୍ଯାତନାପୂର୍ଣ୍ଣ ଜୀବନ ଯେ ଭାରତର ମଳିନ ଚିତ୍ରର ଗୋଟିଏ ବଡ଼ କାରଣ, ଏକଥା ନିରାଧାର ନୁହେଁ। ନିକଟରେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ୨୦୧୯ ବର୍ଷର ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଉଲ୍ଲିଖିତ ତଥ୍ୟ ଯେତିକି ଲଜ୍ଜାଜନକ, ସେତିକି ଚିନ୍ତାଦାୟକ। ପ୍ରତି ୧୬ ମିନିଟ୍‌ରେ ଭାରତର ଜଣେ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ପ୍ରତି ଚାରି ମିନିଟ୍‌ରେ ମହିଳାଟିଏ ତା’ର ସ୍ବାମୀ ବା ଶାଶୂଘରର ସମ୍ପର୍କୀୟଙ୍କ ଦ୍ବାରା ନିର୍ଯାତିତା ହେଉଛନ୍ତି। ପ୍ରତି ଦୁଇଦିନରେ ଜଣେ ମହିଳା ଏସିଡ୍‌ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି ଏବ˚ ପ୍ରତି ଚାରି ଘଣ୍ଟାରେ ଜଣେ ମହିଳା ଯୌନ ବ୍ୟବସାୟ ପାଇଁ ଚାଲାଣ ହୋଇଯାଉଛନ୍ତି। ଗତବର୍ଷ ଅର୍ଥାତ୍‌ ୨୦୧୮ରୁ ୨୦୧୯ ଭିତରେ ନାରୀମାନଙ୍କ ଉପରେ ବଳାତ୍କାର, ନିର୍ଯାତନା ଓ ଅତ୍ୟାଚାର ୭.୩% ଅଧିକ ବଢ଼ିଛି, ଯେତେବେଳେ କି ଆମର ସମ୍ବାଦପତ୍ର, ଟେଲିଭିଜନ ଏବ˚ ସାମାଜିକ ଗଣମାଧୢମ ଗୁଡ଼ିକ ପ୍ରତିଦିନ ଏ ସମ୍ପର୍କରେ ଚିତ୍କାର କରୁଛନ୍ତି। ୨୦୧୨ରେ ଦିଲ୍ଲୀର ନିର୍ଭୟା ବଳାତ୍କାର ଓ ହତ୍ୟା ଘଟଣା ପରେ ସାରା ଦେଶରେ ଏଭଳି ଆଲୋଡ଼ନ ସୃଷ୍ଟି ହୋଇଥିଲା। ଆଶା କରାଯାଉଥିଲା, ନିଶ୍ଚୟ ଏ ପ୍ରକାର ଲଜ୍ଜାଜନକ ପରିସ୍ଥିତିରେ କିଛି ପରିବର୍ତ୍ତନ ଆସିବ। ମାତ୍ର ସେ ଆଶା ଆଶାରେ ହିଁ ରହିଯାଇଛି। ବଳାତ୍କାର ଓ ହତ୍ୟା କମିବା ବଦଳରେ ବର˚ ବଢ଼ି ବଢ଼ି ଚାଲିଛି। ଉନ୍ନାଓ, କାଠୁଆ, ହାଇଦ୍ରାବାଦ ଏବ˚ ଏବେ ଉତ୍ତରପ୍ରଦେଶର ହାଥରସ୍‌-ତାଲିକାର ଶେଷ ନାହିଁ। ଯେଉଁ ଦେଶର ଅଧା ନାଗରିକ ନିଜ ନିଜର ଜୀବନ ଓ ଭବିଷ୍ୟତ ନେଇ ଏପରି ସନ୍ଦିହାନ ସେ ଦେଶର ଜନତା କଦାପି ଖୁସି ହୋଇପାରିବେ ନାହିଁ କି ସେ ଦେଶ ଏକ ସୁଖୀ ଦେଶ ରୂପେ ପରିଗଣିତ ହେବନାହିଁ।

ଆମେ ଏକଥା ଆଲୋଚନା କଲାବେଳକୁ ଓଡ଼ିଶାରେ ଏ ବର୍ଷ ଦୁର୍ଗାମୂର୍ତ୍ତିଙ୍କର ଉଚ୍ଚତା ଚାରିଫୁଟ ହେବ ନା ପାଞ୍ଚଫୁଟ ନା ଛଅଫୁଟ ସେ ସମ୍ବନ୍ଧରେ ନ୍ୟାୟାଳୟ ଭିତରେ ଓ ବାହାରେ ଚର୍ଚ୍ଚା ଚାଲିଛି। ଅଥଚ ପ୍ରତିଦିନ ଯେ ଆମେମାନେ ରକ୍ତମା˚ସର ଦେବୀ ପ୍ରତିମାଙ୍କ ଉଚ୍ଚତାକୁ ଖର୍ବ କରି ଚାଲିବା ସହ ତାଙ୍କର ଆତ୍ମାକୁ ଅପମାନିତ କରିଚାଲିଛୁ ସେ ସମ୍ବନ୍ଧରେ କାହିଁ ସେହିପ୍ରକାର ଚର୍ଚ୍ଚା ହେଉନାହିଁ କି ଉତ୍ତେଜନା ପ୍ରକାଶ ପାଉନାହିଁ। ଏହାର କାରଣ ହେଲା, ମାନସିକ ସ୍ତରରେ ପୁରୁଷପ୍ରଧାନ ଭାରତ ଗ୍ରହଣ କରିନେଇଛି ଯେ ନାରୀ ତାହାର ଅଧୀନ, ସେ ତା ପ୍ରତି ଯେଉଁଭଳି ବ୍ୟବହାର କଲେ ମଧୢ ପୃଥିବୀ ଓଲଟପାଲଟ ହୋଇଯିବ ନାହିଁ। ଏ କ୍ଷେତ୍ରରେ ସମାଧାନ ଚାହୁଁଥିବା ରାଷ୍ଟ୍ର ସର୍ବପ୍ରଥମେ ଦୁଇଟି କାମ କରିବା ଦରକାର। ପ୍ରଥମତଃ ପୁଲିସ ବିଭାଗରେ ଅଧିକରୁ ଅଧିକ ମହିଳାଙ୍କୁ ଭର୍ତ୍ତି କରାଯିବା ଦରକାର ଯେଉଁମାନେ ଏହି ସ୍ପର୍ଶକାତର ସମସ୍ୟାକୁ ଠିକଣା ଭାବେ ହୃଦୟଙ୍ଗମ କରିପାରିବେ। ଦ୍ବିତୀୟ ସ˚ଜ୍ଞା ହେଉଛି, ବଳାତ୍କାର ଓ ନାରୀ ନିର୍ଯାତନାର ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବା ଆବଶ୍ୟକ। ଭାବିଲେ ଦୁଃଖ ଲାଗିବା ସ୍ବାଭାବିକ ଯେ ବହୁଚର୍ଚ୍ଚିତ ନିର୍ଭୟା ମାମଲାର ଅପରାଧୀଙ୍କୁ ଶାସ୍ତି ଦେବାଲାଗି ଆମର ତତ୍ପର ବ୍ୟବସ୍ଥାକୁ ଆଠ ବର୍ଷ ସମୟ ଲାଗିଗଲା। ଅନୁରୂପ ଭାବରେ ଆମର ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିବା ଲାଗି ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟକ୍ରମରେ ଆବଶ୍ୟକ ସ˚ସ୍କାର ଆବଶ୍ୟକ। କ’ଣ କ’ଣ କରାଗଲେ ଏ ସମସ୍ୟାର ନିରାକରଣ ହେବ ସେ ନେଇ ପରାମର୍ଶ ଓ ଉପଦେଶର ଅଭାବ ନାହିଁ, ସରକାରଙ୍କ ପାଖେ ବହୁ ରିପୋର୍ଟ ଏବ˚ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ବହୁ ଗବେଷଣାଲବ୍‌ଧ ସନ୍ଦର୍ଭ ରହିଛି। ଯାହା ଅଭାବ ଅଛି ତାହା ହେଉଛି ଆନ୍ତରିକତାର ଓ ମାନସିକତାର। ୟୁଏନ୍‌ର ଖୁସି ସୂଚନାଙ୍କ ଏବ˚ ଜାତୀୟ ଅପରାଧ ବ୍ୟୁରୋର ରିପୋର୍ଟ ଯଦି ଆମର ସାମୂହିକ ଚେତନାକୁ ବାସ୍ତବରେ ଆନ୍ଦୋଳିତ କରେ ତାହାହେଲେ ଭାରତ ନିଶ୍ଚୟ ସ୍ଥିତାବସ୍ଥାରେ ଆବଶ୍ୟକ ସୁଧାର ଆଣିପାରିବ। ଭୁଟାନ ଓ ପାକିସ୍ତାନ ଯଦି ହସର ଦୁର୍ଭିକ୍ଷ ବ୍ୟାଧି ଭୋଗୁନାହାନ୍ତି ତାହାହେଲେ ପ୍ରାଣବନ୍ତ, ସ˚ସ୍କୃତିସ˚ପନ୍ନ ଓ ମହିମା ବିମଣ୍ତିତ ଭାରତବର୍ଷ ସେ ଦୁର୍ଭାଗ୍ୟ କାହିଁକି ଭୋଗି ଚାଲିଥିବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe