ମୂଳ ପାପ

Advertisment
କ˚ଗ୍ରେସ ପାଇଁ ସୁଯୋଗ

ya-webdesign.com

ରୋମାନ କାଥୋଲିକ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ‘ଅରିଜିନାଲ ସିନ୍‌’ ବା ‘ମୂଳ ପାପ’ ତତ୍ତ୍ବରେ ବିଶ୍ବାସ କରିଥାଆନ୍ତି। ଏହି ତତ୍ତ୍ବ ଅନୁସାରେ ଈଶ୍ବରଙ୍କ ସ୍ବର୍ଗସ୍ଥିତ ଏଡେନ୍‌ ନାମକ ଉଦ୍ୟାନରେ ବିଚରଣ କରୁଥିବା ଆଡାମ ଓ ଇଭ୍‌ ନାମକ ପୁରୁଷ ଓ ନାରୀ ଏକ ଖେଚଡ଼ ସର୍ପର ପ୍ରରୋଚନା ଦ୍ବାରା ଲୋଭର ବଶବର୍ତ୍ତୀ ହୋଇ ଈଶ୍ବରଙ୍କ କଠୋର ବାରଣ ସତ୍ତ୍ବେ ‘ନିଷିଦ୍ଧ ବୃକ୍ଷ’ର ଫଳ ଖାଇ ସେମାନଙ୍କ ଠାରେ ଥିବା ଶିଶୁସୁଲଭ ନିରୀହତା ହରାଇଥିଲେ; ଯେଉଁଥି ପାଇଁ ଈଶ୍ବର ସେ ଦୁହିଁଙ୍କୁ ତାଙ୍କ ଉଦ୍ୟାନରୁ ବହିଷ୍କାର କରି ଦେଇଥିଲେ। ଫଳରେ ଏହି ଦୁଇ ଜଣ ମର୍ତ୍ତ୍ୟରେ ପତିତ ହୋଇ ସେଠାରେ ମାନବ ବ˚ଶର ସୂତ୍ରପାତ ଘଟାଇଥିଲେ। ଖ୍ରୀଷ୍ଟିଆନଙ୍କ ବିଶ୍ବାସ ଅନୁସାରେ ଆଡାମ ଓ ଇଭ୍‌ ସ୍ବର୍ଗ ଲୋକରେ କରିଥିବା ‘ମୂଳ ପାପ’କୁ ଏ ମଣିଷ ଜାତି ଉତ୍ତରାଧିକାର ସୂତ୍ରରେ ଲାଭ କରି ଏ ପର୍ଯ୍ୟନ୍ତ ବହନ କରି ଆସିଛି। ଏହି ତତ୍ତ୍ବର ବିଶ୍ବାସୀମାନେ କହିଥାଆନ୍ତି ଯେ ତେଣୁ ମଣିଷ ପ୍ରଥମରୁ ହିଁ ଏକ ପାପୀ ହେବାର ସାମର୍ଥ୍ୟ ନେଇ ଜନ୍ମ ଲାଭ କରିଥାଏ। ତେବେ, କେବଳ ଖ୍ରୀଷ୍ଟଧର୍ମାବଲମ୍ବୀ ନୁହନ୍ତି, ପୃଥିବୀର ଊଣାଅଧିକେ ପ୍ରାୟ ସବୁ ସ˚ପ୍ରଦାୟରେ ଏକ ବିଶ୍ବାସ ରହି ଆସିଛି ଯେ ମନୁଷ୍ୟ ଦେବତ୍ବ ଓ ଦାନବତ୍ବର ସନ୍ଧି ସ୍ଥଳର ସନ୍ଧ୍ୟାଲୋକରେ ଦଣ୍ତାୟମାନ, ଯେଉଁ ସ୍ଥିତିରେ ଶୃଙ୍ଖଳାବୋଧର ଅନୁପସ୍ଥିତିରେ ମନୁଷ୍ୟର ପ୍ରବୃତ୍ତିଗତ ସ୍ଖଳନ ପାପତ୍ବ ଆଡ଼କୁ ଘଟିପାରେ। ଏହି ପରିପ୍ରେକ୍ଷୀରେ ଯଦି ଆମେ ସାମାଜିକ ଗଣମାଧୢମର ସ୍ଥିତି ସ˚ପର୍କରେ ଆଲୋଚନା କରିବା ତେବେ ସ୍ପଷ୍ଟ ହୋଇ ଉଠିବ ଯେ ତାହା ମନୁଷ୍ୟର ଏହି ପ୍ରକୃତିଗତ ‘ମୂଳ ପାପ’ ସମ୍ଭୂତ ସ୍ଖଳନର ଏକ ପ୍ରାଞ୍ଜଳ ଦୃଷ୍ଟାନ୍ତରେ ପରିଣତ ହୋଇଛି। ସେହି ଦୃଷ୍ଟିରୁ ଗଲା ଗୁରୁବାର ଦିନ ସାମାଜିକ ଗଣମାଧୢମକୁ ନିର୍ମଳ କରିବା ଲାଗି ଭାରତ ସରକାରଙ୍କ ଦ୍ବାରା ଅଣାଯାଇଥିବା କେତେକ ନିୟମାବଳୀର ଯେ ଆବଶ୍ୟକତା ଥିଲା, ତହିଁରେ ଦ୍ବିରୁକ୍ତି ନାହିଁ।

ଉଲ୍ଲେଖ ଥାଉ କି ସାମାଜିକ ଗଣମାଧୢମ କ୍ଷେତ୍ରରେ ଶୃଙ୍ଖଳା ଆଣିବା ସକାଶେ ଏଭଳି ଏକ ବିସ୍ତୃତ ଓ ପ୍ରାଞ୍ଜଳ ଆଚରଣ ବିଧି ପ୍ରବର୍ତ୍ତନ କରିବାରେ ଭାରତ ପୃଥିବୀର ପ୍ରଥମ ରାଷ୍ଟ୍ର। କହିବା ନିଷ୍ପ୍ରୟୋଜନ ଯେ ଗୁଗଲ ବା ଫେସବୁକ୍‌ ଭଳି ସାମାଜିକ ଗଣମାଧୢମ ଅନୁଷ୍ଠାନଗୁଡ଼ିକ ସେମାନଙ୍କ ବ୍ୟବସାୟ ଓ ଆୟର ଆକାର (ବାର୍ଷିକ ଯଥାକ୍ରମେ ୧୬୦ ବିଲିଅନ୍‌ ଓ ୭୦ ବିଲିଅନ ଆମେରିକୀୟ ଡଲାର) ଦୃଷ୍ଟିରୁ ପୃଥିବୀର ଅନେକ ମଧୢମ-ଆୟକାରୀ ରାଷ୍ଟ୍ରର ଜାତୀୟ ଆୟ ଠାରୁ ମଧୢ ଅଧିକ। ଏହି କାରଣରୁ ସେମାନେ ବିଭିନ୍ନ ଦେଶରେ ଅପରିମେୟ ରାଜନୈତିକ ପୃଷ୍ଠପୋଷକତା ଲାଭ କରିଥାଆନ୍ତି। ତେଣୁ ଏଭଳି ସାମାଜିକ ଗଣମାଧୢମ ମଞ୍ଚରେ କୋଟି କୋଟି ଲୋକ ଅବତୀର୍ଣ୍ଣ ହୋଇ ସ˚ପୂର୍ଣ୍ଣ ଲଗାମହୀନ ଭାବେ ଆପଣା ଉଦ୍ଦେଶ୍ୟ ଚରିତାର୍ଥ କରିବା ଲାଗି ମୁକ୍ତ ଅଭିବ୍ୟକ୍ତି ପ୍ରଦାନ କରିବାର ସୁଯୋଗର ନିତାନ୍ତ ଅପବ୍ୟବହାର ପୂର୍ବକ ଯେଉଁ ନର୍ଦ୍ଦମା ସୃଷ୍ଟି କରି ଚାଲିଛନ୍ତି, ତାକୁ ପ୍ରତିହତ କରିବା ଲାଗି ଅନେକ ରାଷ୍ଟ୍ର ସାହସ ଜୁଟାଇ ପାରି ନ ଥାଆନ୍ତି। ତେବେ, ପରିସ୍ଥିତି ମାତ୍ରାଧିକ ଗମ୍ଭୀର ହେଲେ ବେଳେ ବେଳେ ଏହି ସାମାଜିକ ମଞ୍ଚଗୁଡ଼ିକ କିଛି ଉପରଠାଉରିଆ ଲଗାମ କଷିବାର ଉଦ୍ୟମ କରିଥାଆନ୍ତି ଯାହା। ସେଇ ଦୃଷ୍ଟିରୁ ଭାରତ ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକ ଲାଗି ଅନୁସରଣୀୟ ହେବାର ସମ୍ଭାବନା ମଧ୍ୟ ବହନ କରିଥାଏ।

ଏହି ଆଚରଣ ବିଧିଗୁଡ଼ିକ ପଛରେ ରହିଥିବା ଉଦ୍ଦେଶ୍ୟକୁ ମୋଟାମୋଟି ଚାରିଟି ଭାଗରେ ବିଭକ୍ତ କରାଯାଇପାରେ। ପ୍ରଥମଟି ହେଉଛି ଏହି ମଞ୍ଚରେ ସ୍ଥାନ ପାଉଥିବା ବିଷୟବସ୍ତୁ ବା ‘କଣ୍ଟେଣ୍ଟ’କୁ ପରିଚ୍ଛନ୍ନତା ପ୍ରଦାନ କରିବା ତଥା ଏହି ପ୍ରକ୍ରିୟାରେ ଗ୍ରହଣଯୋଗ୍ୟତା ଆଧାରରେ ଏହାର ବର୍ଗୀକରଣ କରିବା। ତେଣୁ ଏହି ନିୟମ ଅନୁସାରେ ଏଣିକି ସାମାଜିକ ଗଣମାଧୢମରେ ସ୍ଥାନିତ ବିଷୟବସ୍ତୁଗୁଡ଼ିକୁ ରୁଚିବୋଧ ଓ ଶାଳୀନତା ଆଧାରରେ ପାଞ୍ଚଟି ବର୍ଗରେ (ସାର୍ବଜନୀନ, ୭ ବର୍ଷରୁ ଅଧିକ, ୧୩ ବର୍ଷରୁ ଅଧିକ, ୧୬ ବର୍ଷରୁ ଅଧିକ ଏବ˚ ପ୍ରାପ୍ତବୟସ୍କ) ବିଭାଗୀକରଣ କରାଯିବ, ଯହିଁରେ ପ୍ରାପ୍ତ ବୟସ୍କଙ୍କ ସକାଶେ ଉଦ୍ଦିଷ୍ଟ ବିଷୟବସ୍ତୁ ସ˚ଦର୍ଭରେ ପ୍ରାରମ୍ଭରୁ ସ୍ପଷ୍ଟ ସୂଚନା ପ୍ରଦାନ କରାଯିବ; ଏପରିକି ବୟଃ ପ୍ରାପ୍ତି କରି ନ ଥିବା ବ୍ୟବହାରକାରୀଙ୍କୁ ଏଥିରୁ ଦୂରେଇ ରଖିବା ଲାଗି ଏଭଳି ବ୍ୟବସ୍ଥା ରହିବ, ଯାହାକୁ ସେମାନଙ୍କ ଅଭିଭାବକମାନେ ଉପଯୋଗ କରିପାରିବେ। ପ୍ରକାଶ ଥାଉ କି କରୋନା ପାଣ୍ତେମିକ୍‌ କାଳରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ଛୋଟ ପିଲାମାନଙ୍କ ଲାଗି ସ୍ମାର୍ଟ ଫୋନ୍‌ ଏବ˚ ଡାଟା ବ୍ୟବହାରର ଏଭଳି ସ୍ବାଧୀନତା ପ୍ରଦାନ କରିଛି, ଯାହା ସେମାନଙ୍କ ମଧୢରୁ ଅନେକଙ୍କୁ ଅଶ୍ଳୀଳତାର ବଜାରରେ ବିଚରଣ କରିବାର ବାଟ ଦେଖାଇ ଦେଇଛି। ଦ୍ବିତୀୟଟି ହେଉଛି ବିଭ୍ରାନ୍ତି, ଦଙ୍ଗା, ରାଷ୍ଟ୍ରଦ୍ରୋହ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଅପମାନ, କୁତ୍ସା ଓ ଅସମ୍ମାନ ପର୍ଯ୍ୟନ୍ତରେ ମିଥ୍ୟା ସୂଚନା ସମ୍ବଳିତ ‘ଫେକ୍‌ ନ୍ୟୁଜ୍‌’ର ସୃଷ୍ଟି ଓ ପ୍ରସାରଣକୁ ରୋକିବା। ଏଥି ଲାଗି ଏଭଳି ଖବରର ଆଦ୍ୟ-ସର୍ଜନାକାରୀର ପରିଚୟ ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକ ଆବଶ୍ୟକ ସ୍ଥଳେ ସରକାରଙ୍କୁ ପ୍ରଦାନ କରିବାକୁ ବାଧୢ ହେବେ। ତୃତୀୟରେ ସାମାଜିକ ଗଣମାଧୢମରେ ଅପମାନ ତଥା ଭାବମୂର୍ତ୍ତିଗତ କ୍ଷତିର ଶିକାର ହେଉଥିବା ବ୍ୟକ୍ତିବିଶେଷଙ୍କ ଲାଗି ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକ ଦ୍ବାରା ଏକ ପାରଦର୍ଶୀ ଆପତ୍ତି ଶୁଣାଣି ବ୍ୟବସ୍ଥାର ପ୍ରଚଳନ; ଯହିଁରେ ଅଭିଯୋଗର ଏକ ସମୟାବଦ୍ଧ ଶୁଣାଣି ଓ ସମାଧାନ ଦିଗରେ ସଂସ୍ଥାଗୁଡ଼ିକ କେବଳ ଉଦ୍ୟମ କରିବେ ନାହିଁ; ତାର ଫଳ କ’ଣ ହେଲା ସେ ସମ୍ବନ୍ଧରେ ଏକ ବିସ୍ତୃତ ବିବରଣୀ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରିବେ। ଏଥି ଲାଗି ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକ ବିଭିନ୍ନ ସ୍ତରରେ ଦାୟିତ୍ବ ଓ କ୍ଷମତାସ˚ପନ୍ନ କର୍ମଚାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ; ଯାହାର ରୂପରେଖ କ’ଣ ହେବ ତାହା ପ୍ରାଞ୍ଜଳ ଓ ବିସ୍ତୃତ ଭାବେ ସରକାରଙ୍କ ନିୟମାବଳୀରେ ଉଲ୍ଲିଖିତ। ସେହିଭଳି ବ୍ୟକ୍ତିଗତ ଆକ୍ଷେପ ସମ୍ବଳିତ ଅତ୍ୟନ୍ତ ଅଶାଳୀନ ଓ ଅରୁଚିକର ବିଷୟକୁ ଚବିଶ ଘଣ୍ଟା ମଧୢରେ ‘ଡିଲିଟ୍‌’ କରିବାକୁ ସାମାଜିକ ଗଣମାଧୢମ ବାଧୢ ହେବେ। ଚତୁର୍ଥରେ ଏହି ମଞ୍ଚରେ ସାମ୍ବାଦିକତା କରୁଥିବା େଵବ୍‌ ପତ୍ରପତ୍ରିକାଗୁଡ଼ିକ ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ତିଆ ଦ୍ବାରା ପ୍ରଣୀତ ମାର୍ଗଦର୍ଶିକା ଦ୍ବାରା ପରିଚାଳିତ ହେବେ।

ଏ ସ˚ଦର୍ଭରେ ସରକାରଙ୍କ ତରଫରୁ ଯାହା କୁହାଯାଇଛି, ତାହା ପ୍ରଣିଧାନଯୋଗ୍ୟ। ତାହା ହେଲା, ଭାରତ ଭଳି ଏକ ବିଶାଳ ବଜାରରେ ବ୍ୟବସାୟ କରି ବିପୁଳ ଭାବେ ଲାଭବାନ ହେଉଥିବା ସାମାଜିକ ଗଣମାଧୢମ ସ˚ସ୍ଥାଗୁଡ଼ିକ ଲଗାମହୀନ ହେବା ଗ୍ରହଣଯୋଗ୍ୟ ନୁହେଁ; ସେମାନେ ଏକ ବିଧିବଦ୍ଧ ଶୃଙ୍ଖଳା ମଧୢରେ ରହିବା ଆବଶ୍ୟକ। ସେହିପରି ମୁକ୍ତ ଅଭିବ୍ୟକ୍ତିର ଅଧିକାର ନିରଙ୍କୁଶ ହୋଇଥିଲେ ମଧୢ ତହିଁରେ ଦାୟିତ୍ବବୋଧର ଉପସ୍ଥିତି ଅପରିହାର୍ଯ୍ୟ। ସେହି ଦୃଷ୍ଟିରୁ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗର ସଚିବଙ୍କ ହାତରେ ପ୍ରଦାନ କରାଯାଇଥିବା ଏକ ବିଶେଷ କ୍ଷମତା ଅନୁଯାୟୀ କୌଣସି ଅତ୍ୟନ୍ତ ଆପତ୍ତିଜନକ ବିଷୟବସ୍ତୁକୁ କେବଳ ସେ ଚାହିଁଲେ ବ୍ଲକ୍‌ ବା ଅବରୋଧ କରି ସାଧାରଣ ଲୋକଙ୍କ ପହଞ୍ଚ ଠାରୁ ଦୂରରେ ରଖିପାରିବେ। ତେବେ କାଗଜପତ୍ରରେ ଏହି ଆଚରଣ ବିଧିର ଉପାଦେୟତା ସତ୍ତ୍ବେ ଅନେକ ବ୍ୟକ୍ତି ଯେଉଁ ଚିନ୍ତା ପ୍ରକଟ କରିଥାଆନ୍ତି ତାହା ହେଲା ଶୃଙ୍ଖଳା ରକ୍ଷା ଉଦ୍ୟମରେ ରାଷ୍ଟ୍ର ଦ୍ବାରା ଅବା˚ଛିତ କଟକଣା ପ୍ରୟୋଗର ସମ୍ଭାବନା। ସରକାର ବିରୋଧୀ ସମାଲୋଚନାକୁ ରାଷ୍ଟ୍ର ବିରୋଧୀ ଆଖ୍ୟା ଦେଇ ସାମାଜିକ ଗଣମାଧୢମରେ ସୃଷ୍ଟି ହେଉଥିବା ସ୍ବରର କଣ୍ଠରୋଧ କରିବାର ପ୍ରୟାସ ହୋଇପାରେ ବୋଲି ସେମାନେ ଆଶଙ୍କା ପ୍ରକଟ କରନ୍ତି। ‘ମୂଳ ପାପ’ର ତତ୍ତ୍ବକୁ ବିଶ୍ବାସ କଲେ ବୁଝିହୁଏ ଯେ ଏଭଳି ଆଶଙ୍କା ମଧୢ ଅମୂଳକ ନୁହେଁ। କାରଣ ସାମାଜିକ ଗଣମାଧୢମର ଦୁଷ୍ଟ ବୁଦ୍ଧି ସ˚ପନ୍ନ ବ୍ୟବହାରକାରୀ ଓ କର୍ତ୍ତୃତ୍ବ ପ୍ରଦର୍ଶନ କରି ଅଯୌକ୍ତିକ ହସ୍ତକ୍ଷେପ କରୁଥିବା ସରକାରୀ କର୍ମଚାରୀଙ୍କ ଭିତରେ ସେହି ସମାନ ଦୁର୍ବଳତା ବିଦ୍ୟମାନ; ତାହା ହେଲା ଲାଭ କରୁଥିବା ସୁଯୋଗର ଦୁରୁପଯୋଗ କରିବାର ପ୍ରବୃତ୍ତି। ଏହା ସେହି ‘ମୂଳ ପାପ’ ଅନ୍ତର୍ଭୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe