ଭ୍ରାନ୍ତି ବିଳାସ

Advertisment
କ˚ଗ୍ରେସ ପାଇଁ ସୁଯୋଗ

ya-webdesign.com

ଏବେ କରୋନା ସ˚କ୍ରମଣର ଦ୍ବିତୀୟ ତରଙ୍ଗର ଆବିର୍ଭାବ ଘଟି ଦୈନିକ ସ˚କ୍ରମଣ ସ˚ଖ୍ୟା ଏକ ରେକର୍ଡ‌୍‌ ୧ କୋଟି ୩୦ ଲକ୍ଷ ୬୦ ହଜାରରୁ ଅଧିକରେ ପହଞ୍ଚି ସାରିଥିବା ବେଳେ ‘ହଟ୍‌ ସ୍ପଟ୍‌’ ଭାବେ ଏବେ କିଛି ନୂଆ ଜିଲ୍ଲାର ନାମ ବା ନୂଆ ରାଜ୍ୟର ନାମ ଶୁଣିବାକୁ ମିଳୁଛି; ଯେମିତି କି ନାସିକ ବା ନାଗପୁର ଜିଲ୍ଲା ବା ରାଜ୍ୟ ରୂପେ ଛତିଶଗଡ଼। ଏବ˚ ଏଥିରୁ ଏକ ଧାରଣା ସୃଷ୍ଟି ହୋଇଥାଏ ଯେ ସମ୍ଭବତଃ ଏହି ଅଞ୍ଚଳଗୁଡ଼ିକ ପ୍ରଥମ ତରଙ୍ଗ କାଳରେ ସବୁ ପ୍ରକାର କରୋନା ସଚେତନତାମୂଳକ କଟକଣାମାନ ମାନି ନିଜକୁ ସୁରକ୍ଷିତ ରଖି ପାରିଥିଲେ, ଯାହାର ଅନୁପସ୍ଥିତିରେ ବର୍ତ୍ତମାନ ସେହି ଅଞ୍ଚଳଗୁଡ଼ିକ କରୋନା ଜୁଆରରେ ଉବୁଟୁବୁ ହେଉଛନ୍ତି। ଏହି ସ˚ଦର୍ଭରେ ଗୋଟିଏ ଗୋଷ୍ଠୀର ବିଶେଷଜ୍ଞଙ୍କ ମତ ହେଲା ଯେ ଏହି ଅଞ୍ଚଳର ବାସିନ୍ଦାମାନେ ହିଁ ହେଉଛନ୍ତି ଦ୍ବିତୀୟ ତରଙ୍ଗର ସୃଷ୍ଟିକାରୀ ଓ ଏମାନେ ଏହି ଦ୍ବିତୀୟ ତରଙ୍ଗକୁ ଦୀର୍ଘସ୍ଥାୟୀ କରିବେ। ଏହାର କାରଣ ସ୍ବରୂପ ସେମାନେ କହିଥାନ୍ତି ଯେ ପ୍ରଥମ ତରଙ୍ଗ କାଳରେ ଯେଉଁ ଅଞ୍ଚଳଗୁଡ଼ିକ ପ୍ଳାବିତ ହୋଇଯାଇଥିଲେ, ସେ ସବୁ ଅଞ୍ଚଳରେ ସ˚କ୍ରମଣ କାରଣରୁ ଏବ˚ ସ˚ପ୍ରତି ଚାଲିଥିବା ଟିକାକରଣ ହେତୁ ୭୦ ପ୍ରତିଶତ ଅଧିବାସୀଙ୍କ ଠାରେ ‘ଆଣ୍ଟିବଡି’ ସୃଷ୍ଟି ହୋଇ ସେହି ସବୁ ଅଞ୍ଚଳରେ ‘ଗୋଷ୍ଠୀ ପ୍ରତିରୋଧିନୀ’ ବା ‘ହର୍ଡ ଇମ୍ୟୁନିଟି’ ଜାତ କରିଥିବାର ସମ୍ଭାବନା ଅଧିକ। କିନ୍ତୁ ଏହାର ବିପରୀତରେ ଯେଉଁ ସବୁ ଅଞ୍ଚଳ ପ୍ରଥମ ତରଙ୍ଗ କାଳରେ ତୁଳନାତ୍ମକ ଭାବେ ସୁରକ୍ଷିତ ରହି ପାରିଥିଲେ, ସେହି ସବୁ ଅଞ୍ଚଳରେ ସ˚ଖ୍ୟାଧିକ ବ୍ୟକ୍ତି ସ˚କ୍ରମିତ ହେବାର ଆଶଙ୍କା ବହନ କରିଥାଆନ୍ତି; ଯାହା ଟିକାକରଣ ସତ୍ତ୍ବେ ବୃଦ୍ଧି ପାଇ ଦ୍ବିତୀୟ ତରଙ୍ଗକୁ ବଳ ଯୋଗାଇବା ସମ୍ଭବ। ଏହି ଯୁକ୍ତିକୁ ଯଦି ଗ୍ରହଣ କରାଯାଏ, ତେବେ ଓଡ଼ିଶା ମଧୢ ସେଭଳି ଏକ ରାଜ୍ୟ ଭାବେ ପରିଗଣିତ ହେବ; କାରଣ ପ୍ରଥମ ତରଙ୍ଗ କାଳରେ ଏହା ତୁଳନାତ୍ମକ ଭାବେ କମ୍‌ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଏହି ପରିପ୍ରେକ୍ଷୀରେ ଯାହା ଅଧିକ ଗୁରୁତ୍ବପୂର୍ଣ୍ଣ ତାହା ହେଲା, ସା˚ପ୍ରତିକ ପରିସ୍ଥିତିରେ ସ˚କ୍ରମଣକୁ ପ୍ରତିହତ କରିବା ସକାଶେ ବୋଧହୁଏ ସରକାରଙ୍କ ପାଖରେ ଆଉ ପୂର୍ବ ଭଳି ଏକ ଦୀର୍ଘକାଳୀନ କଠୋର ‘ଲକ୍‌ଡାଉନ୍‌’ ଅଥବା ସୀମା ‘ସିଲ୍‌’ କରିବା ଭଳି ପନ୍ଥା ପ୍ରାୟ ନାହିଁ; କାରଣ ତାର କୁପରିଣାମ ସମଗ୍ର ରାଷ୍ଟ୍ର ଭୋଗି ସାରିଛି। ସେହି ଦୃଷ୍ଟିରୁ ଦ୍ବିତୀୟ ତରଙ୍ଗକୁ ପ୍ରତିହତ କରିବା ଏକ ବିରାଟ ଆହ୍ବାନ ଭାବେ ଉଭା ହେଲାଣି। ଏ ସ˚ଦର୍ଭରେ ଏକ ସ˚କ୍ଷିପ୍ତ ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ଏଠାରେ ସ୍ମରଣଯୋଗ୍ୟ ଯେ ଗତ ବର୍ଷ ସେପ୍ଟେମ୍ବର ମାସରେ ଆମ ଦେଶରେ କରୋନା ସ˚କ୍ରମଣ ତା’ର ଶୀର୍ଷତମ ବିନ୍ଦୁ ସ୍ପର୍ଶ କରିବା ପରେ ଅବରୋହଣଗାମୀ ହୋଇଥିଲା। ସେଭଳି ଏକ ପରିସ୍ଥିତିରେ ଜନମାନସରେ ଏବ˚ ସରକାରଙ୍କ ଆଭିମୁଖ୍ୟରେ ଯେଉଁ ଧାରଣାଟି ଦୃଶ୍ୟମାନ ହୋଇଥିଲା, ତାହା ହେଉଛି କରୋନା ଅପସୃୟମାନ ହୋଇ ଅଚିରେ ଅଦୃଶ୍ୟ ହେବାକୁ ଯାଉଛି। ଏହାକୁ ସତ୍ୟ ସାବ୍ୟସ୍ତ କଲା ଭଳି ଡିସେମ୍ବର ମାସ ବେଳକୁ ସମଗ୍ର ଭାରତରେ ସ˚କ୍ରମିତଙ୍କ ସ˚ଖ୍ୟା ଏକ ଅବିଶ୍ବସନୀୟ ମାତ୍ର କୋଡ଼ିଏ ହଜାରକୁ ଖସି ଆସିଥିଲା। ପ୍ରଣିଧାନଯୋଗ୍ୟ ଯେ ସେହି ସମୟରେ ଭାରତ ସରକାରଙ୍କ ଦ୍ବାରା ପ୍ରଦତ୍ତ ସ˚କ୍ରମିତଙ୍କ ସ˚ଖ୍ୟାର ସତ୍ୟତା ନେଇ ‘ବି.ବି.ସି.’ ଭଳି କେତେକ ବିଦେଶୀ ଗଣମାଧୢମ ସନ୍ଦେହ ପ୍ରକଟ ମଧୢ କରିଥିଲେ। ସେହି ସମୟ (ନଭେମ୍ବର ମାସ) ମଧୢ ଥିଲା ବିହାର ନିର୍ବାଚନର ବେଳ। ତେଣୁ, ସ୍ବାଭାବିକ ଭାବେ ଜନସମୁଦ୍ର ସୃଷ୍ଟିକାରୀ ସମାବେଶ, ରାଲି ଓ ରୋଡ୍‌ ସୋ’ ଇତ୍ୟାଦି ଆୟୋଜିତ ହେଉଥିବା କାରଣରୁ ଆଶଙ୍କା ପ୍ରକଟ କରାଯାଇଥିଲା ଯେ ହୁଏ’ତ ନିର୍ବାଚନ ପରେ ପରେ ବିହାର କରୋନା ସ˚କ୍ରମଣର ସୁନାମି ଭିତରେ ଲୀନ ହୋଇଯିବ। କିନ୍ତୁ, ତାହା ମଧୢ ହୋଇ ନ ଥିଲା। ସୁତରା˚, ସେହି ପରିପ୍ରେକ୍ଷୀରେ ଅନେକ ‘ଏପିଡେମିଓଲୋଜିଷ୍ଟ’ ବା ‘ଭାଇରୋଲୋଜିଷ୍ଟ’ଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ବିଜ୍ଞାନସମ୍ମତ କିଛି ସମ୍ଭାବ୍ୟ କାରଣ ଭାରତୀୟମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଐତିହାସିକ ଉଚ୍ଚତା ଦେଇଥିଲା। ଏହାର ଏକ ଅନିବାର୍ଯ୍ୟ ଫଳଶ୍ରୁତି ସ୍ବରୂପ ଏଭଳି ଏକ ଭ୍ରାନ୍ତି ସୃଷ୍ଟି ହୋଇଥିଲା, ଯାହା ଅବଲୀଳା କ୍ରମେ କରୋନା ପ୍ରତି ଏକ ହେୟ ଭାବ ଅସାବଧାନତା ଜାତ କରିଥିଲା; ଯାହା ମାସ୍କ୍‌ ବିବର୍ଜିତ ହୋଇ ବିଭିନ୍ନ ଉତ୍ସବ ଓ ଜନ ସମାବେଶରେ ଯୋଗ ଦେବାକୁ ପ୍ରୋତ୍ସାହନ ଦେଇଥିଲା ଓ ଦ୍ବିତୀୟ ତରଙ୍ଗ ଲାଗି ଭୂମି ପ୍ରସ୍ତୁତ କରିଥିଲା।

ତେବେ, କେବଳ ଜନସାଧାରଣଙ୍କ ଠାରେ ନୁହେଁ, ଏହି ସମୟରେ ସରକାରଙ୍କ ଠାରେ ସୃଷ୍ଟି ହୋଇଥିବା ଭ୍ରାନ୍ତିର ପ୍ରତିଫଳନ ଦେଖିବାକୁ ମିଳିଥିଲା ଅନେକ ଅପରିଣାମଦର୍ଶୀ ‘ଅନଲକ୍‌’ ପ୍ରକ୍ରିୟାରେ ତଥା ବେଳ ହୁଁ ସାବଧାନ ରହି ଆଗତୁରା ଯଥେଷ୍ଟ ଟିକା ଡୋଜ୍‌ ସ˚ଗ୍ରହ କରିବାର ଅନାଗ୍ରହ ବା ଅବହେଳାରେ। କହିବା ବାହୁଲ୍ୟ ଯେ ଅନେକ ବିକଶିତ ରାଷ୍ଟ୍ର (ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନି ଓ ଇ˚ଲଣ୍ତ) ଭ୍ୟାକ୍‌ସିନ ପ୍ରସ୍ତୁତ ହେବାର ବହୁ ପୂର୍ବରୁ ଅର୍ଥାତ୍‌ ସେ ନେଇ ପରୀକ୍ଷାନିରୀକ୍ଷା ଚାଲିଥିବା ବେଳେ ଏବ˚ ଫଳପ୍ରଦତା ନେଇ ଆଦୌ କୌଣସି ଧାରଣା ଜନ୍ମି ନ ଥିବା ସତ୍ତ୍ବେ ନିଜ ଦେଶବାସୀଙ୍କ ଲାଗି ଅଗ୍ରୀମ ଅର୍ଡର ଦେଇ ଟିକା ମହଜୁଦ କରି ରଖିପାରିଥିଲେ। ଫଳରେ ବର୍ତ୍ତମାନ ସେ ସବୁ ଦେଶରେ ସ˚ପୂର୍ଣ୍ଣ ଟିକାକରଣ ଅତ୍ୟନ୍ତ ଦ୍ରୁତ ବେଗରେ ଅଗ୍ରସର ହେଉଛି। ଇସ୍ରାଏଲ୍‌ ଭଳି ଏକ କ୍ଷୁଦ୍ର ରାଷ୍ଟ୍ର ମଧୢ ସ˚ପୂର୍ଣ୍ଣ ଟିକାକରଣକୁ ସଫଳ କରିବା ଲାଗି ଯଥେଷ୍ଟ ପୂର୍ବରୁ ବଜାର ମୂଲ୍ୟର ଦୁଇ ଗୁଣ ଦରରେ ବିଦେଶରୁ ଆମଦାନି କରି ‘ଫାଇଜର’ ଟିକା ମହଜୁଦ କରି ରଖିପାରିଛି। ଅପର ପକ୍ଷରେ ଭାରତର ମୁଖ୍ୟ ଭ୍ୟାକ୍‌ସିନ ନିର୍ମାତା ‘ସେରମ ଇନ୍‌ଷ୍ଟିଚ୍ୟୁଟ୍‌’(ପୃଥିବୀର ବୃହତ୍ତମ) ଓ ‘ଭାରତ ବାୟୋଟେକ୍‌’ ଦ୍ବାରା ଦୁଇ ଦୁଇଟି ଅତ୍ୟନ୍ତ ଫଳପ୍ରଦ ଭ୍ୟାକ୍‌ସିନ ପ୍ରସ୍ତୁତ ହେଉଥିବା ସତ୍ତ୍ବେ ଟିକାକରଣ କ୍ଷେତ୍ରରେ ଭାରତ ଅତ୍ୟନ୍ତ ପଛରେ ପଡ଼ି ଯାଇଛି। ବ୍ରାଜିଲ ବା ମେକ୍‌ସିକୋ ଭଳି ରାଷ୍ଟ୍ର ବିଦେଶରୁ ଟିକା ସ˚ଗ୍ରହ କରି ଯଥାକ୍ରମେ ୮.୫ ଏବ˚ ୭.୫ ପ୍ରତିଶତ ଟିକାକରଣ ସ˚ପୂର୍ଣ୍ଣ କରିପାରିଥିଲେ ସୁଦ୍ଧା ଭାରତରେ ତାହା ମାତ୍ର ୫ ପ୍ରତିଶତରେ ସୀମିତ ଅଛି। କେବଳ ସେତିକି ନୁହେଁ ବର୍ତ୍ତମାନ ଟିକାର ଉତ୍କଟ ଅଭାବ ନେଇ ଆଶଙ୍କା ଦେଖାଦେଲାଣି। ଏହି ସ˚ଦର୍ଭରେ ଅନେକ ସ˚ଶୟୀ ସନ୍ଦେହ ପ୍ରକାଶ କଲେଣି ଯେ ଭ୍ୟାକ୍‌ସିନର ଦୁଇଟି ସଟ୍‌ ମଧୢବର୍ତ୍ତୀ ଯେଉଁ ସମୟ ବ୍ୟବଧାନ ପ୍ରାରମ୍ଭିକ ଟିକାକରଣ କାଳରେ ଧାର୍ଯ୍ୟ କରାଯାଇଥିଲା, ଏବେ ତହିଁରେ ବୃଦ୍ଧି କରାଯିବା ଏବ˚ ତଦ୍ଦ୍ବାରା ପ୍ରତିଷେଧକର ଫଳପ୍ରଦତା ବୃଦ୍ଧି ପାଉଛି ବୋଲି କୁହାଯିବା ପଛରେ ଯୋଗାଣ ପାର୍ଶ୍ବରେ ଥିବା ଅଭାବ ଲୁଚାଇବାର ଏକ ଅଭିସନ୍ଧି ନାହିଁ ତ? ଏହି ମର୍ମରେ ସେମାନେ ଏହା ମଧୢ କହିଥାନ୍ତି ଯେ ହୁଏ’ତ ଟିକାର ଅଭାବରେ ଟିକାର ମାତ୍ର ଗୋଟାଏ ଡୋଜ୍‌ ଯଥେଷ୍ଟ ବୋଲି ମଧୢ କୁହାଯାଇପାରେ! ବର୍ତ୍ତମାନ ଟିକା ଯୋଗାଣ ଦାୟିତ୍ବ କେନ୍ଦ୍ରର ସ˚ପୂର୍ଣ୍ଣ ଏକଚାଟିଆ ଅଧିକାର ହୋଇ ରହିଛି। କିନ୍ତୁ ଏହା ମଧୢ ଟିକାକରଣ ପ୍ରକରଣରେ ଅବା˚ଛିତ ଅମଲାତାନ୍ତ୍ରିକ ହସ୍ତକ୍ଷେପକୁ ପ୍ରଶ୍ରୟ ଦେଇଛି। ରାଜ୍ୟମାନେ ଇଚ୍ଛା କଲେ ନିଜ ଲାଗି ଟିକା କ୍ରୟ କରିବାର କ୍ଷମତା ନ ଥିବାରୁ ଟିକା ଅଭାବ ସତ୍ତ୍ବେ ବିଶେଷ କିଛି କରି ନ ପାରି କେନ୍ଦ୍ର ସରକାରଙ୍କ ଆଡ଼କୁ ଚାହିଁ ବସୁଛନ୍ତି। ଏହା ଟିକାକରଣ ପ୍ରକରଣକୁ ଅଧିକ ଜଟିଳ କରି ପକାଇଛି।

କହିବା ବାହୁଲ୍ୟ ଯେ ଗୋଟିଏ ପଟେ ଅଦୃଶ୍ୟ ଭୂତାଣୁ ତା’ର ସ୍ବରୂପରେ ଘନଘନ ପରିବର୍ତ୍ତନ ଆଣି ନୂଆ ଷ୍ଟ୍ରେନ୍‌ ଭାବେ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିବା ବେଳେ ମଣିଷ ତା’ର ସହଜାତ ବିଭ୍ରାନ୍ତି, ପୂର୍ବାଗ୍ରହ, ଅପଧାରଣା ଓ ଅହ˚କାର ଇତ୍ୟାଦିରୁ ମୁକ୍ତ ହୋଇ ନ ପାରି ଭୂତାଣୁର ଏକ ଦୁର୍ବଳ ପ୍ରତିପକ୍ଷ ଭାବେ ଉପନୀତ ହୋଇଛି। ଏଭଳି ସ୍ଥିତିରେ ଦ୍ବିତୀୟ ତରଙ୍ଗ ଶୀଘ୍ର ସମାପ୍ତ ହେଉ ବା ଏହା ଅନ୍ତିମ ତରଙ୍ଗ ହେଉ ବୋଲି କାମନା କରିବା ଏକ ଦୂରାନ୍ତ ଆଶା ଭଳି ବୋଧ ହୁଏ। କିନ୍ତୁ ତା’ ସତ୍ତ୍ବେ ଏହା ମଧୢ ସ୍ବୀକାର୍ଯ୍ୟ ଯେ କରୋନାକୁ ପରାହତ କରିବାର ମୌଳିକ ସାମର୍ଥ୍ୟ ସେହି ତିନିଟି ସରଳ ସତର୍କତାମୂଳକ ନିୟମରେ ରହିଛିି, ଯାହା ସଂପର୍କରେ ସମସ୍ତେ ଅବଗତ ଏବଂ ଯାହା କୌଣସି ମନୁଷ୍ୟର ସାଧୢାତୀତ ମଧ୍ୟ ନୁହେଁ। କିନ୍ତୁ ମନୁଷ୍ୟ ତା’ର ଭ୍ରାନ୍ତିର ବିଳାସରେ ମଜ୍ଜି ଥିବା ଯାଏ ଏହି ସରଳ ସତ୍ୟକୁ ମଧ୍ୟ ଦେଖି ପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe