Advertisment

editorial: ମୂଳଦୁଆ ମାତ୍ର

Advertisment

‘ଏଆଇ’ର ପ୍ରଭାବରେ ଡିଜିଟାଲ ଦୁନିଆରେ ଘଟିବାକୁ ଆରମ୍ଭ କରିଥିବା ଦ୍ରୁତ ପରିବର୍ତ୍ତନ ସହିତ ଆମେ କେତେଦୂର ସାବଲୀଳ ଭାବରେ ଖାପ ଖାଇବାରେ ଏହା ଆମକୁ ସହାୟକ ହେବ, ତାହାହିଁ ହେବ ‘ଡିପିଡିପି’ ଆଇନ ଓ ନିୟମାବଳୀର ଅସଲ ପରୀକ୍ଷା।

‘ଏଆଇ’ର ପ୍ରଭାବରେ ଡିଜିଟାଲ ଦୁନିଆରେ ଘଟିବାକୁ ଆରମ୍ଭ କରିଥିବା ଦ୍ରୁତ ପରିବର୍ତ୍ତନ ସହିତ ଆମେ କେତେଦୂର ସାବଲୀଳ ଭାବରେ ଖାପ ଖାଇବାରେ ଏହା ଆମକୁ ସହାୟକ ହେବ, ତାହାହିଁ ହେବ ‘ଡିପିଡିପି’ ଆଇନ ଓ ନିୟମାବଳୀର ଅସଲ ପରୀକ୍ଷା।

samp1

‘ଏଆଇ’ର ପ୍ରଭାବରେ ଡିଜିଟାଲ ଦୁନିଆରେ ଘଟିବାକୁ ଆରମ୍ଭ କରିଥିବା ଦ୍ରୁତ ପରିବର୍ତ୍ତନ ସହିତ ଆମେ କେତେଦୂର ସାବଲୀଳ ଭାବରେ ଖାପ ଖାଇବାରେ ଏହା ଆମକୁ ସହାୟକ ହେବ, ତାହାହିଁ ହେବ ‘ଡିପିଡିପି’ ଆଇନ ଓ ନିୟମାବଳୀର ଅସଲ ପରୀକ୍ଷା। ଏହି ଆଇନ ତେଣୁ ପ୍ରକୃତରେ ଫଳପ୍ରଦ ହେବା ପାଇଁ ଯାହା ଆବଶ୍ୟକ କରିଥାଏ, ତାହା ହେଲା ସ୍ପୂର୍ତ୍ତି, ନିୟମିତ ସଂଶୋଧନ, ଓ ତାତ୍‌କାଳିକ ସମ୍ବେଦନଶୀଳତା।

ପୃଥିବୀର ଏକ ଅଗ୍ରଣୀ ଡିଜିଟାଲ ସମାଜରେ ପରିଣତ ହୋଇ ସାରିଥିବା ଭାରତୀୟମାନଙ୍କ ପାଇଁ ଡେଟା ଯେ ଏକ ଅତ୍ୟାବଶ୍ୟକ ଦୈନନ୍ଦିନ ଆହାର ତଥା ଉତ୍ପାଦନରେ ପରିଣତ ହୋଇ ଯାଇଛି, ତାହା କେହି ହେଲେ ଅସ୍ବୀକାର କରିବେ ନାହିଁ। ଡେଟାର ବ୍ୟବହାର କିନ୍ତୁ ବ୍ୟବହାରକାରୀର ବ୍ୟକ୍ତିଗତ ଜୀବନକୁ ଇଣ୍ଟରନେଟ୍ ଜଗତ ସହିତ ସଂଯୁକ୍ତ କରି ଦେଇଥାଏ। ଏହା ମାଧ୍ୟମରେ ତେଣୁ ବ୍ୟକ୍ତିର ଗୋପନୀୟତାରେ ଅନୁପ୍ରବେଶ ଘଟିବା ସହିତ ତାକୁ ବିଭିନ୍ନ ପ୍ରକାର ଶୋଷଣ କରାଯିବାର ସମ୍ଭାବନା ସୃଷ୍ଟି ହୋଇଥାଏ। ଭାରତୀୟ ନାଗରିକମାନଙ୍କୁ ଏହି ସମ୍ଭାବ୍ୟ ବିପଦରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ପ୍ରାୟ ଦୁଇ ବର୍ଷ ତଳେ ସରକାର ଗ୍ରହଣ କରିଥିବା ଏକ ପଦକ୍ଷେପର ଫଳସ୍ବରୂପ ପାର୍ଲିଆମେଣ୍ଟ ଦ୍ବାରା ‘ଡିଜିଟାଲ ପର୍ସନାଲ ଡେଟା ପ୍ରୋଟେକ୍‌ସନ ଆକ୍ଟ’ ନାମକ ଏକ ଆଇନ ପ୍ରଣୀତ ହୋଇଥିଲା, ଯାହା ସଂକ୍ଷେପରେ ‘ଡିପିଡିପି’ ଆକ୍ଟ ରୂପେ ପରିଚିତ। କିନ୍ତୁ ଏହାର ଆନୁଷଙ୍ଗିକ ନିୟମାବଳୀ (ରୁଲ୍‌ସ) ପ୍ରସ୍ତୁତ ହୋଇ ପାରି ନ ଥିବା ଯୋଗୁଁ, ଏହି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଆଇନଟି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରି ନ ଥିଲା।
ଏବେ ସରକାର ସେଇ ବିଳମ୍ବରେ ଅନ୍ତ ଘଟାଇ ବହୁ ପ୍ରତୀକ୍ଷିତ ‘ଡିପିଡିପି ରୁଲ୍‌ସ’ ବିଜ୍ଞପିତ କରିଛନ୍ତି। ତେବେ ଏହା ଏକ ଜଟିଳ ବ୍ୟାପାର ହୋଇଥିବାରୁ ଏବଂ ନିୟମଗୁଡ଼ିକୁ ସରଳ ତଥା ସ୍ପଷ୍ଟ ଭାବରେ ଲିପିବଦ୍ଧ କରିବା ପାଇଁ ଅତ୍ୟନ୍ତ ସାବଧାନତା ଆବଶ୍ୟକ ହୋଇଥିବାରୁ, ଏହି ବିଳମ୍ବର କାରଣ ବୁଝିବା କଷ୍ଟକର ନୁହେଁ। ‘ଡିପିଡିପି ରୁଲ୍‌ସ’କୁ ଅନୁଧ୍ୟାନ କଲେ କୌଣସି ସହେନ୍ଦ ରହି ନ ଥାଏ ଯେ ଯେଉଁ ମୌଳିକ ବିଚାର ଉପରେ ‘ଡିପିଡିପି’ ଆଇନ ଆଧାରିତ ହୋଇଥାଏ, ‘ଡିପିଡିପି ରୁଲ୍‌ସ’ ତାହାକୁ ବାସ୍ତବତାରେ ପରିଣତ କରିବା ପାଇଁ ପ୍ରସ୍ତୁତ ହୋଇଛି। ଏହି ମୌଳିକ ବିଚାର ହେଉଛି- ଉଦ୍ଦେଶ୍ୟ ସୀମିତୀକରଣ, ଡେଟା ନ୍ୟୂନତମୀକରଣ ଓ ସୀମିତ ମହଜୁଦୀକରଣ। ଏହି ବିଚାର ବହନ କରୁଥିବା ‘ଡିପିଡିପି ରୁଲ୍‌ସ’ ଅନୁସାରେ କୌଣସି ନିର୍ଦ୍ଦିଷ୍ଟ ଉ‌େଦ୍ଦଶ୍ୟରେ ସଂଗୃହୀତ ଡେଟାକୁ ସଂପୃକ୍ତ ବ୍ୟକ୍ତିଙ୍କର ପୁନରାୟ ସମ୍ମତି ବିନା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ। ଦ୍ବିତୀୟରେ ବ୍ୟବହାରକାରୀଙ୍କ ସଂପର୍କରେ କେବଳ ସର୍ବନିମ୍ନ ଆବଶ୍ୟକ ବ୍ୟକ୍ତିଗତ ସୂଚନା ସଂଗ୍ରହ କରାଯାଇ ପାରିବ। ତୃତୀୟରେ ଯେଉଁ ଉଦ୍ଦେଶ୍ୟରେ ବ୍ୟକ୍ତିଗତ ସୂଚନା ସଂଗ୍ରହ କରାଯାଇଥିବ, ସେ ଉଦ୍ଦେଶ୍ୟ ସଂପୂର୍ଣ୍ଣ ହେବା ପରେ ସେ ସୂଚନାକୁ ଆଉ ସାଇତା ଯାଇ ପାରିବ ନାହିଁ, ଯଦି ଆଇନଗତ ଆବଶ୍ୟକତା ନ ଥାଏ।
ଏହା ସତ ଯେ ନୂତନ ‘ଡିପିଡିପି’ ଆଇନକୁ ରାତାରାତି କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ଏବଂ ସେଥିପାଇଁ ସେମାନଙ୍କର କାର୍ଯ୍ୟ ବିଧିରେ ଆବଶ୍ୟକ ପରିବର୍ତ୍ତନମାନ ଘଟାଇବା ନିମିତ୍ତ କଂପାନିମାନେ କିଛି ସମୟ ଦରକାର କରିବେ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବିଜ୍ଞପିତ ନିୟମାବଳୀରେ ସେମାନଙ୍କୁ ଏଥିପାଇଁ ୧୨ରୁ ୧୮ ମାସ ପର୍ଯ୍ୟନ୍ତ ପ୍ରସ୍ତୁତି ସମୟ ପ୍ରଦାନ କରାଯାଇଛି। ତେଣୁ ସେଇ ସମୟ ଅନ୍ତ ହେବା ପରେ ହିଁ ଯାଇ ଜଣାପଡ଼ିବ ଏହି ନୂତନ ବ୍ୟକ୍ତିଗତ ଡେଟା ସୁରକ୍ଷା ଆଇନ କେତେ ଦୂର ଫଳପ୍ରଦ ହେଉଛି। ଏହି ନିୟମାବଳୀର ଅନ୍ୟ ଏକ ସ୍ବାଗତ‌େଯାଗ୍ୟ ଦିଗ ହେଉଛି ସୀମା ପାର ଡେଟା ପ୍ରବାହ ପ୍ରତି ସରକାର ଗ୍ରହଣ କରିଥିବା ଆଭିମୁଖ୍ୟ। ସରକାର ଡେଟାର ସଂପୂର୍ଣ୍ଣ ସ୍ଥାନୀୟୀକରଣକୁ ବାଧ୍ୟତାମୂଳକ କରିବା ପରିବର୍ତ୍ତେ ବ୍ୟକ୍ତିଗତ ଡେଟାର ବିଦେଶକୁ ଅବାଧ ପ୍ରେରଣ ପାଇଁ ଅନୁମତି ଦେବା ସଙ୍ଗେ ସଙ୍ଗେ ଆବଶ୍ୟକ ମନେ କଲେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ନିର୍ଦ୍ଦିଷ୍ଟ କଂପାନି ଉପରେ ଏଥିପାଇଁ ନିଷେଧାଦେଶ ଲାଗୁ କରିପାରିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଏଥିରେ ସନ୍ଦେହ ନାହିଁ ଯେ ଆନ୍ତର୍ଜାତିକ ଟେକ୍‌ନୋଲୋଜି କଂପାନିମାନେ ସର୍ବଦା ଡେଟାର ଅବାଧ ପ୍ରବାହ ହେବା ଚାହିଁବେ, ଯେଉଁଥିପାଇଁ ସେମାନେ ଯେଉଁ ଦେଶରେ ବ୍ୟବସାୟ କରିବେ, ଏଥିରେ ସେ ଦେଶର ସରକାରଙ୍କର ସର୍ବନିମ୍ନ ହସ୍ତକ୍ଷେପକୁ ସ୍ବାଗତ କରିବେ। କିନ୍ତୁ ଜାତୀୟ ନିରାପତ୍ତା, ଭୂ-ରାଜନୈତିକ ପରିସ୍ଥିତି ଓ ଜନସ୍ବାର୍ଥ ରକ୍ଷା କାରଣରୁ କୌଣସି ସରକାର ଆବଶ୍ୟକ ସ୍ଥଳେ ଏହି ଡେଟା ପ୍ରବାହକୁ ନିୟନ୍ତ୍ରିତ କରିବା ପାଇଁ ନିଜର ଅଧିକାରକୁ ସଂପୂର୍ଣ୍ଣ ତ୍ୟାଗ କରିପାରିବେ ନାହିଁ।
କେତେକ ମହଲରେ ଆଶଙ୍କା ପ୍ରକାଶ ପାଉଛି ଯେ ସରକାର ଏହି ଆଇନକୁ ବ୍ୟବହାର କରି ସୂଚନା ଅଧିକାର ଆଇନକୁ ଭଣ୍ଡୁର କରିବା ପାଇଁ ମଉକା ପାଇଯିବେ। ଏହା କିନ୍ତୁ ପ୍ରକୃତରେ ସରକାରଙ୍କୁ ସେଭଳି ଅବାଧ ଅଧିକାର ପ୍ରଦାନ କରି ନ ଥାଏ। ଏହା ମଧ୍ୟ ବର୍ତ୍ତମାନ କେନ୍ଦ୍ରୀୟ ପ୍ରସଙ୍ଗ ନୁହେଁ। ବର୍ତ୍ତମାନ ଆମ ସମ୍ମୁଖରେ ଯେଉଁ ଅସଲ ଆହ୍ବାନର ଆବିର୍ଭାବ ଘଟିଛି, ତାହା ହେଉଛି ସମଗ୍ର ଦୁନିଆକୁ ଓଲଟପାଲଟ କରିବାର କ୍ଷମତା ବହନ କରୁଥିବା ‘ଜେନେରେଟିଭ୍ ଏଆଇ’ (‘ଜେନ୍‌ଏଆଇ’)। ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ୍‌ସ ଓ ଇନ୍‌ଫର୍ମେସନ ଟେକ୍‌ନୋଲୋଜି ମନ୍ତ୍ରଣାଳୟ (‘ଏମ୍‌ଇଆଇଟି’) ଦ୍ବାରା ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଏଇ ଆହ୍ବାନକୁ ସ୍ବୀକାର କରାଯାଇଛି।
ଏଥିରେ କୁହାଯାଇଛି ଯେ ଆଧୁନିକ ‘ଏଆଇ’ ସିଷ୍ଟମମାନ ଯେଉଁ ଭଳି କାର୍ଯ୍ୟ କରୁଛି, ତାହା ସହିତ ଭାରତୀୟ ‘ଡିପଡିପି’ ନିୟମାବଳୀ ସଂପୂର୍ଣ୍ଣ ରୂପେ ମେଳ ଖାଇ ନ ଥାଏ। ବିଶେଷ କରି ସମ୍ମତି ଓ ଉଦ୍ଦେଶ୍ୟ ସୀମିତୀକରଣ ଆବଶ୍ୟକତା ଏଆଇ କ୍ଷେତ୍ରରେ ସକ୍ରିୟ କଂପାନିମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ। ଯେମିତି, ସର୍ବସାଧାରଣ କ୍ଷେତ୍ରରେ ଉପଲବ୍‌ଧ ବ୍ୟକ୍ତିଗତ ଡେଟାକୁ ନିଜର ‘ଏଆଇ’ ମଡେଲମାନଙ୍କୁ ତାଲିମ ଦେବା ପାଇଁ କଂପାନିମାନେ ବ୍ୟବହାର କରିପାରିବେ କି ନାହିଁ, ତାହା ଏକ ବିବଦମାନ ପ୍ରସଙ୍ଗର ରୂପ ନେଇଛି। ଯଦି ଗବେଷଣା କିମ୍ବା ଆଇନସମ୍ମତ ଉଦ୍ଦେଶ୍ୟରେ ଏଭଳି ବ୍ୟକ୍ତିଗତ ଡେଟା ବ୍ୟବହାର ନିମିତ୍ତ ‘ଏଆଇ’ କଂପାନିମାନଙ୍କୁ ଅନୁମତି ପ୍ରଦାନ କରାଯାଏ, ତେବେ ସେମାନେ ଏହାକୁ ଅତିକ୍ରମ କରି ବ୍ୟକ୍ତିଗତ ଡେଟାର ବ୍ୟବହାର କରିବା ସମ୍ଭାବନାକୁ ଟାଳିବା ପାଇଁ କୌଣସି ପ୍ରତିଷେଧକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ପାରିବ କି ନାହିଁ, ତାହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନରେ ପରିଣତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଯଦି ପରିସ୍ଥିତିର ମୁକାବିଲା କରିବାରେ ବର୍ତ୍ତମାନର ଆଇନ ଓ ନିୟମାବଳୀ ସକ୍ଷମ ନ ହୁଏ, ତେବେ ଭବି‌ଷ୍ୟତରେ ସେଥିରେ ସଂଶୋଧନ କରାଯିବାର ସମ୍ଭାବନାକୁ ଉନ୍ମୁକ୍ତ ରଖାଯାଇଛି।
ବର୍ତ୍ତମାନ ପାଇଁ ସରକାରଙ୍କର ଯେଉଁ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି, ତାହା ହେଲା ‘ଡିପିଡିପି’କୁ ଦେଶରେ ଡେଟା ପରିଚାଳନାର ମେରୁଦଣ୍ଡ ରୂପେ ବିଚାର କରିବା ଏବଂ କ୍ରମେ ଏକ ନମନୀୟ ସମ୍ମତି ପ୍ରକ୍ରିୟା, ସ୍ବଚ୍ଛତା ପ୍ରତିଷ୍ଠା ଓ ଅଭିଯୋଗ ଦୂରୀକରଣ ବ୍ୟବସ୍ଥା ପ୍ରତିଷ୍ଠା କରି ଦ୍ରୁତ ପରିବର୍ତ୍ତନଶୀଳ ‘ଏଆଇ’ ଦୁନିଅ‌ା ସହିତ ଖାପ ଖାଇବା ପାଇଁ ବାଟ ଖୋଲା ରଖିବା। ‘ଏଆଇ’ର ପ୍ରଭାବରେ ଡିଜିଟାଲ ଦୁନିଆରେ ଘଟିବାକୁ ଆରମ୍ଭ କରିଥିବା ଦ୍ରୁତ ପରିବର୍ତ୍ତନ ସହିତ ଆମେ କେତେଦୂର ସାବଲୀଳ ଭାବରେ ଖାପ ଖାଇବାରେ ଏହା ଆମକୁ ସହାୟକ ହେବ, ତାହାହିଁ ହେବ ‘ଡିପିଡିପି’ ଆଇନ ଓ ନିୟମାବଳୀର ଅସଲ ପରୀକ୍ଷା। ଏହି ଆଇନ ତେଣୁ ପ୍ରକୃତରେ ଫଳପ୍ରଦ ହେବା ପାଇଁ ଯାହା ଆବଶ୍ୟକ କରିଥାଏ, ତାହା ହେଲା ସ୍ପୂର୍ତ୍ତି, ନିୟମିତ ସଂଶୋଧନ, ଓ ତାତ୍‌କାଳିକ ସମ୍ବେଦନଶୀଳତା। ବର୍ତ୍ତମାନର ବିଜ୍ଞପିତ ‘ଡିପିଡିପି ରୁଲ୍‌ସ’ ସେଥିପାଇଁ ଏକ ସ୍ବାଗତଯୋଗ୍ୟ ଭିତ୍ତି ସ୍ଥାପନ କରିଥାଏ। ଭବିଷ୍ୟତ ପାଇଁ ଏହା ହେଉଛି ଏକ ମୂଳଦୁଆ ମାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe